Revised Common Lectionary (Semicontinuous)
ପ୍ରଧାନ ନିର୍ଦ୍ଦେଶକଙ୍କୁ ଦାଉଦଙ୍କ ଗୀତ।
14 ଏକ ମୂର୍ଖ ଲୋକ ନିଜ ହୃଦୟରେ କହେ, “ପରମେଶ୍ୱର ନାହାନ୍ତି।”
ସେହି ମୂର୍ଖମାନେ ଭ୍ରଷ୍ଟ ଓ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରନ୍ତି।
ସେମାନଙ୍କ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଥିବା ଲୋକ କେହି ନାହାନ୍ତି।
2 ସଦାପ୍ରଭୁ ସ୍ୱର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷେପ କରି ଦେଖନ୍ତି ଯେ,
ଯଦି କେହି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ।
ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ୱରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।
3 କିନ୍ତୁ ପ୍ରତ୍ୟେକ ମଣିଷ ଆଜି
ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି।
ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହୋଇଛନ୍ତି।
ଜଣେ ବି କେହି ଆଜି ଭଲ କାର୍ଯ୍ୟ କରୁଥିବା ଲୋକ ନାହାନ୍ତି।
4 ଦୁଷ୍ଟ ଲୋକମାନେ ମୋର ଅନେକ ଲୋକଙ୍କୁ ନଷ୍ଟ କରିଛନ୍ତି
ଓ ସେହି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ
ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହୋଇ ପାରନ୍ତି ନାହିଁ।
5-6 ସେହି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କାହିଁକି?
କାରଣ ସେହି ନିରୀହ ଲୋକଟି ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ
କିନ୍ତୁ ପରମେଶ୍ୱର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି।
ତେଣୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍।
7 ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା
ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା।
ସେତେବେଳେ ସଦାପ୍ରଭୁ ତାହଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି,
ତାହାହେଲେ ଯାକୁବ [a] ଆହ୍ଲାଦିତ ହେବ।
ଇସ୍ରାଏଲ ବହୁତ ଖୁସୀ ହେବ।
ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ
6 ଅମ୍ମୋନୀୟମାନେ ହୃଦୟଙ୍ଗମ କଲେ ଯେ, ରାଜା ଦାଉଦ ସେମାନଙ୍କୁ ବର୍ତ୍ତମାନ ତାଙ୍କର ଶତ୍ରୁ ବୋଲି ବିବେଚନା କଲେ। ତେଣୁ ସେମାନେ 20,000 ଅରାମୀୟ ସୈନ୍ୟମାନଙ୍କୁ ବୈଥ-ରହୋବ ଓ ସୋବାରୁ 1000 ଜଣ ମାଖାର ରାଜାଙ୍କଠାରୁ ଏବଂ ଟୋବରୁ 12,000 ସୈନ୍ୟ ଭଡ଼ାରେ ଆଣିଲେ।
7 ଦାଉଦ ଏହା ଶୁଣି ଯୋୟାବଙ୍କ ସହିତ ସାହସୀ ସୈନ୍ୟଦଳକୁ ଯୁଦ୍ଧ ପାଇଁ ପଠାଇଲେ। 8 ସେହି ଦିନ ଅମ୍ମୋନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ। ସୋବା ଓ ରହୋବର ଅରାମୀୟ ଲୋକମାନେ, ଟୋବର ସୈନ୍ୟମାନେ ଏବଂ ମାଖା ନଗର ବାହାର କ୍ଷେତ୍ରରେ ଏକତ୍ରିତ ହେଲେ।
9 ଯୋୟାବ ନିଜ ଆଗେ ଶତ୍ରୁମାନଙ୍କୁ ଦେଖିଲେ, ତେଣୁ ସେ ଇସ୍ରାଏଲର କୁଶଳୀ ଯୋଦ୍ଧାମାନଙ୍କୁ ମନୋନୀତ କଲେ ଏବଂ ସେମାନଙ୍କୁ ଅରାମୀୟମାନଙ୍କ ବିରୁଦ୍ଧରେ ପ୍ରସ୍ତୁତ କଲେ। 10 ସେ ଅବଶିଷ୍ଟ ଲୋକମାନଙ୍କୁ ନିଜର ଭାଇ ଅବୀଶୟ ହସ୍ତରେ ସମର୍ପଣ କଲେ, ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା। 11 ଯୋୟାବ ଅବିଶୟକୁ କହିଲେ, “ଯଦି ଅରାମୀୟମାନେ ମୋ’ ପାଇଁ ଯୁଦ୍ଧରେ ବହୁତ ଶକ୍ତିଶାଳୀ ହୁଅନ୍ତି, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ। କିନ୍ତୁ ଯଦି ଅମ୍ମୋନୀୟ ତୁମ୍ଭ ପାଇଁ ଶକ୍ତିଶାଳୀ ହୁଅନ୍ତି, ତେବେ ମୁଁ ଆସିବି ଏବଂ ତୁମ୍ଭଙ୍କୁ ସାହାଯ୍ୟ କରିବି। 12 ବଳବାନ ହୁଅ, ଏବଂ ସାହସର ସହିତ ଯୁଦ୍ଧ କର, ଆମ୍ଭର ପ୍ରଭୁଙ୍କ ସହର ପାଇଁ ଓ ଆମ୍ଭର ଲୋକମାନଙ୍କ ପାଇଁ ସଦାପ୍ରଭୁଙ୍କ ଆଖିରେ ଯାହା ଠିକ୍ ସେ ତାହା କରିବେ।”
ଅନ୍ୟ ଲୋକଙ୍କ ସହିତ ତୁମ୍ଭର ନୂତନ ଜୀବନ
12 ପରମେଶ୍ୱର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର ଲୋକ ବୋଲି ଗ୍ରହଣ କରିଛନ୍ତି। ସେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ଅତଏବ ତୁମ୍ଭେମାନେ ସର୍ବଦା ନିମ୍ନୋକ୍ତ କାର୍ଯ୍ୟମାନ କର: ଲୋକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ଧୈର୍ଯ୍ୟବାନ ହୁଅ। 13 ପରସ୍ପର ପ୍ରତି କ୍ରୋଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜଣେ ତୁମ୍ଭ ପ୍ରତି ଭୁଲ୍ କାମ କରେ, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମ୍ଭେମାନେ ମଧ୍ୟ ଅନ୍ୟ ଲୋକମାନଙ୍କୁ କ୍ଷମା ଦିଅ। 14 ଏହିସବୁ କର, କିନ୍ତୁ ସବୁଠାରୁ ମୁଖ୍ୟ ବିଷୟ ହେଲା, ପରସ୍ପରକୁ ପ୍ରେମ କରିବା। ପ୍ରେମ ତୁମ୍ଭମାନଙ୍କୁ ଏକତାରେ ଏକାଠି ବାନ୍ଧି ରଖେ। 15 ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦତ୍ତ ଶାନ୍ତି, ତୁମ୍ଭ ବିଗ୍ଭରକୁ ସଂଯମ କରିବ। ତୁମ୍ଭେମାନେ ଶାନ୍ତି ପାଇବା ପାଇଁ ଗୋଟିଏ ଶରୀରରେ ଡକା ହୋଇଛ। ସବୁବେଳେ ଧନ୍ୟବାଦୀ ରୁହ।
16 ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠାରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ୟବହାର କର। ନିଜ ହୃଦୟରେ ପରମେଶ୍ୱରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ୟାତ୍ମିକ ଗୀତମାନ ଗାଅ। 17 ତୁମ୍ଭେମାନେ ଯାହା କହୁଛ, ଯାହାକିଛି ବା କରୁଛ, ସେ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ଯ୍ୟ ମଧ୍ୟରେ ପରମପିତା ପରମେଶ୍ୱରଙ୍କୁ ଯୀଶୁଙ୍କ ମାଧ୍ୟମରେ ଧନ୍ୟବାଦ ଜଣାଅ।
2010 by World Bible Translation Center