Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 61

ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଏକ ଗୀତ।

61 ପରମେଶ୍ୱର, ସାହାଯ୍ୟ ପାଇଁ ମୋର କ୍ରନ୍ଦନ ଶୁଣ।
    ମୋର ପ୍ରାର୍ଥନାରେ ମନୋଯୋଗ କର।
ମୁଁ ଯେତେବେଳେ ଭୟଭୀତ ହୁଏ,
    ପୃଥିବୀର ଶେଷ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ।
ତୁମ୍ଭେ ମୋତେ ଉଚ୍ଚସ୍ଥାନରେ ଥିବା
    ନିରାପଦ ସ୍ଥାନକୁ ନେଇଯାଅ।
ତୁମ୍ଭେ ମୋର ନିରାପଦ ଆଶ୍ରୟସ୍ଥଳୀ!
    ମୋର ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମୋର ଉଚ୍ଚ ଦୁର୍ଗ।
ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଗ୍ଭହେଁ।
    ମୁଁ ତୁମ୍ଭ ପକ୍ଷର ଛାୟାରେ ଆଶ୍ରୟ ନେବି।

ହେ ପରମେଶ୍ୱର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ’ଣ ଦେବା ପାଇଁ ପ୍ରତିଜ୍ଞା କରିଛି।
    ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସେମାନଙ୍କୁ ସର୍ବଦା ତୁମ୍ଭେ ଯାହା ଦିଅ, ତାହା ତୁମ୍ଭେ ମୋତେ ଦେଲ।
ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର।
    ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ।
ସେ ପରମେଶ୍ୱରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ।
    ଆପଣାର ସତ୍ୟତା ଓ ସ୍ନେହପୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।
ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି
    ଓ ପ୍ରତ୍ୟେକ ଦିନ, ମୁଁ ମୋର ପ୍ରତିଜ୍ଞା ପାଳନ କରିବି।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 7:18-29

ଦାଉଦ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ

18 ତା’ପରେ ରାଜା ଦାଉଦ ସଦାପ୍ରଭୁଙ୍କ ସମ୍ମୁଖକୁ ଯାଇ ବସିଲେ ଏବଂ କହିଲେ,

ସଦାପ୍ରଭୁ ମୋର ପ୍ରଭୁ, “କାହିଁକି ମୁଁ ତୁମ୍ଭ ପକ୍ଷରେ ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ମୋର ପରିବାର ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ମୋତେ ଏତେ ଗୁରୁତ୍ୱପୂର୍ଣ୍ଣ କରିଛ? 19 ସଦାପ୍ରଭୁ ମୋର ମୁନିବ, କେବଳ ମୁଁ ଜଣେ ତୁମ୍ଭର ସେବକ। ତଥାପି ତୁମ୍ଭେ ମୋର ଭବିଷ୍ୟଦ୍ ବଂଶଧର ପ୍ରତି ଏହି ସହାନୁଭୁତି ବାକ୍ୟ କହିଲ। ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ସର୍ବଦା ଏପରି ଲୋକମାନଙ୍କୁ କୁହ ନାହିଁ, କୁହ କି? 20 ଏଣୁ ଦାଉଦ ତୁମ୍ଭକୁ ଆଉ କ’ଣ କହିପାରେ? କାରଣ ହେ ପ୍ରଭୁ, ତୁମ୍ଭେ ଆପଣା ଦାସକୁ ଜାଣୁ ଅଛ। 21 ତୁମ୍ଭେ ତୁମ୍ଭର ସେବକ ପାଇଁ ଏହିସବୁ ମହାନ କାର୍ଯ୍ୟ କରିବ କାରଣ ତୁମ୍ଭେ ତାହା କରିବା ପାଇଁ ଇଚ୍ଛା ଓ ପ୍ରତିଜ୍ଞା କରିଅଛ। ଏବଂ ତୁମ୍ଭେ ଏହି ବିଷୟ ଜାଣିବା ନିମନ୍ତେ ମୋତେ ନିର୍ଦ୍ଧାରଣ କରିଅଛ। 22 ହେ! ପରମେଶ୍ୱର, ତୁମ୍ଭେ ମହାନ। ତୁମ୍ଭପରି ଅନ୍ୟ କେହି ନୁହେଁ। ତୁମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର କେହି ନୁହନ୍ତି। ଆମ୍ଭେ ତାହା ଜାଣୁ, ଯେହେତୁ ଆମ୍ଭେମାନେ ତୁମ୍ଭର କାର୍ଯ୍ୟକଳାପ ବିଷୟରେ ଶୁଣିଅଛୁ।

23 “ତୁମ୍ଭର ଇସ୍ରାଏଲୀୟ ଲୋକମାନଙ୍କ ପରି ଆଉ କୌଣସି ଦେଶ ନାହିଁ। ସେମାନେ ଗୋଟିଏ ବିଶେଷ ଲୋକ ଅଟନ୍ତି। ସଦାପ୍ରଭୁ ସେମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କରିଅଛନ୍ତି, ତାଙ୍କର ଲୋକ କରିବା ପାଇଁ ଏବଂ ସେମାନଙ୍କ ପାଇଁ ମହତ କର୍ମ ଓ ତୁମ୍ଭ ଦେଶ ପାଇଁ ଆଶ୍ଚର୍ଯ୍ୟ କର୍ମ କରନ୍ତି। 24 ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଚିରଦିନ ପାଇଁ ତୁମ୍ଭର ନିଜର ଲୋକ କଲ ଏବଂ ତୁମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହୋଇଅଛ।

25 “ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ତୁମ୍ଭର ଦାସ ବିଷୟରେ ଓ ତାହାର ପରିବାର ବିଷୟରେ ଯେଉଁ କଥା କହିଅଛ, ଦୟାକରି ତୁମ୍ଭେ ପ୍ରତିଜ୍ଞା ପୂରଣ କର। ରାଜାମାନଙ୍କର ଚିରଦିନ ପାଇଁ ମୋର ପରିବାରକୁ ଗୋଟିଏ ରାଜ ବଂଶରେ ପ୍ରତିଷ୍ଠା କର। 26 ତା’ହେଲେ ତୁମ୍ଭର ନାମ ଚିରଦିନ ପାଇଁ ସମ୍ମାନିତ ହେବ। ଲୋକମାନେ କହିବେ, ‘ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲରେ ଶାସନ କରନ୍ତି। ଏବଂ ତୁମ୍ଭର ସେବକ ଦାଉଦର ବଂଶଧର ତୁମ୍ଭର ସେବା କରିବାରେ ଶକ୍ତିଶାଳୀ ହୁଅନ୍ତୁ।’

27 “ତୁମ୍ଭ ସକାଶେ, ସର୍ବଶକ୍ତିମାନ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ଏହା ମୋତେ ପ୍ରକାଶ କରିଛନ୍ତି। ତୁମ୍ଭେ କହିଲ, ‘ମୁଁ ତୁମ୍ଭର ପରିବାରକୁ ମହାନ କରିବି।’ ସେଥିପାଇଁ ମୁଁ ତୁମ୍ଭର ସେବକ, ଏହି ପ୍ରାର୍ଥନା କରିବାକୁ ତୁମ୍ଭକୁ ପ୍ରାର୍ଥନା କରୁଅଛି। 28 ହେ ସଦାପ୍ରଭୁ! ମୋର ପ୍ରଭୁ, ତୁମ୍ଭେ ହେଉଛ ପରମେଶ୍ୱର ଓ ଆପଣଙ୍କର ବାକ୍ୟ ସତ୍ୟ। ପୁଣି ନିଜେ ଆପଣ ନିଜର ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ। 29 ବର୍ତ୍ତମାନ, ମୋର ପରିବାରକୁ ଆଶୀର୍ବାଦ କର। ପରମେଶ୍ୱର, ସେମାନେ ତୁମ୍ଭର ଚିରଦିନ ସେବା କରିବା ପାଇଁ ଓ ତୁମ୍ଭ ସମ୍ମୁଖରେ ଛିଡ଼ା ହେବା ପାଇଁ ସୁଯୋଗ ଦିଅନ୍ତୁ। ହେ ସଦାପ୍ରଭୁ! ମୋର ପ୍ରଭୁ, ତୁମ୍ଭେ ଏହିସବୁ କହିଅଛ। ତୁମ୍ଭେ ମୋର ପରିବାରକୁ ଆଶୀର୍ବାଦ କଲ, ତାହା ଚିରଦିନ ପାଇଁ ରହୁ।”

ଏବ୍ରୀ 13:17-25

17 ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସେମାନଙ୍କର ଅଧୀନରେ ରୁହ। ସେମାନେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାୟୀ। ଅତଏବ, ସେମାନେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥା’ନ୍ତି। ସେମାନଙ୍କର ଆଜ୍ଞାପାଳନ କର ଯେପରି ଏହି କାମଟି ସେମାନେ ଖୁସୀ ମନରେ କରିବେ, ଦୁଃଖରେ ନୁହେଁ। ସେମାନଙ୍କର କାମ କଠିନ ହେଲେ, ତା’ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ।

18 ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍ଭେ ସବୁବେଳେ ସର୍ବୋତ୍କୃଷ୍ଟ କାମ କରିବାକୁ ଚେଷ୍ଟା କରୁଥିବାରୁ, ଆମ୍ଭେ କରୁଥିବା କାମଗୁଡ଼ିକ ଠିକ୍ ବୋଲି ଅନୁଭବ କରୁ। 19 ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ତୁମ୍ଭେମାନେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ୱର ମୋତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶେଷ ଭାବରେ ଗ୍ଭହେଁ।

20-21 ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!

22 ମୋ’ ଭାଇ ଓ ଭଉଣୀମାନେ! ମୁଁ କହିଥିବା କଥାଗୁଡ଼ିକୁ ଧୈର୍ଯ୍ୟପୂର୍ବକ ଶୁଣ ବୋଲି ମୁଁ ଅନୁରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ। 23 ଆମ୍ଭ ଭାଇ ତୀମଥି ବନ୍ଦୀଗୃହରୁ ମୁକ୍ତ ହୋଇ ଅଛନ୍ତି, ଏହା ତୁମ୍ଭେମାନେ ଜାଣ ବୋଲି ମୋର ଇଚ୍ଛା। ଯଦି ସେ ମୋ’ ପାଖକୁ ଶୀଘ୍ର ଆସନ୍ତି, ତା’ହେଲେ ଆମ୍ଭେ ଦୁହେଁ ତୁମ୍ଭମାନଙ୍କୁ ଦେଖା କରିବାକୁ ଆସିବୁ।

24 ସେଠାରେ ତୁମ୍ଭମାନଙ୍କର ସବୁ ପ୍ରାଚୀନ ନେତାମାନଙ୍କୁ ଓ ପରମେଶ୍ୱରଙ୍କ ଲୋକମାନଙ୍କୁ ଆମର ନମସ୍କାର ଜଣାଇବ। ଇତାଲିଆ ଦେଶର ସମସ୍ତ ପରମେଶ୍ୱରଙ୍କ ଲୋକମାନଙ୍କର ତୁମ୍ଭମାନଙ୍କୁ ନମସ୍କାର।

25 ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center