Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 6:1-8

ଯିଶାଇୟଙ୍କୁ ଭବିଷ୍ୟ‌ଦ୍‌ବକ୍ତା ହେବାକୁ ପରମେଶ୍ୱରଙ୍କ ଆହ୍ୱାନ

ଯିହୁଦାର ରାଜା ଉଷିୟଙ୍କ ମୃତ୍ୟୁବର୍ଷରେ ମୁଁ ମୋର ପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହେଲି। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପରେ ଉପବିଷ୍ଟ ହୋଇଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା। ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ସରାଫଗଣ ଛିଡ଼ା ହୋଇଥିଲେ। ପ୍ରତ୍ୟେକ ସରାଫଙ୍କର ଛଅଟି ପକ୍ଷ ଥିଲା। ସେହି ଦେବଦୂତଗଣ ସେମାନଙ୍କର ଦୁଇଟି ପକ୍ଷରେ ମୁଖକୁ ଆଚ୍ଛାଦନ କରିଥିଲେ। ସେମାନେ ମଧ୍ୟ ଦୁଇଟି ପକ୍ଷ ସାହାଯ୍ୟରେ ସେମାନଙ୍କର ପାଦକୁ ଆଚ୍ଛାଦନ କରିଥିଲେ, ଏବଂ ଉଡ଼ିବାରେ ଦୁଇଟି ପକ୍ଷ ବ୍ୟବହାର କରୁଥିଲେ। ସେମାନେ ପରସ୍ପରକୁ ଡାକି କହୁଥିଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଧର୍ମମୟ, ଧର୍ମମୟ, ଧର୍ମମୟ। ତାଙ୍କର ମହିମା ସମଗ୍ର ପୃଥିବୀରେ ବ୍ୟାପିଯାଇଛି।” ସେହି ଦେବଦୂତମାନଙ୍କର ସ୍ୱର ଅତି ଉଚ୍ଚ ଥିଲା। ସେତେବେଳେ ଘୋଷଣାକାରୀଙ୍କ ଉଚ୍ଚରବରେ ଦ୍ୱାରବନ୍ଧ କମ୍ପିତ ହେଲା ଓ ପ୍ରଭୁଙ୍କ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା।

ସେତେବେଳେ ମୁଁ ଭୟଭୀତ ହୋଇ କହିଲି, “ହାୟ! ହାୟ! ମୁଁ ନଷ୍ଟ ହୋଇଗଲି। କାରଣ ମୁଁ ଏତେ ଅପବିତ୍ର ଯେ, ପରମେଶ୍ୱରଙ୍କ ନିକଟରେ କହିବାକୁ ଅଯୋଗ୍ୟ। ପୁଣି ଏପରି ଅଶୁଚି ଲୋକମାନଙ୍କ ମଧ୍ୟରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅଯୋଗ୍ୟ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।”

ସେଠାରେ ଯଜ୍ଞବେଦି ଉପରେ ଜ୍ୱଳନ୍ତ ଅଗ୍ନି ଥିଲା। ସେହି ଦୂତଗଣଙ୍କ ମଧ୍ୟରୁ ଜଣେ ଚିମୁଟା ସାହାଯ୍ୟରେ ଗୋଟିଏ ଜ୍ୱଳନ୍ତ କୋଇଲା ଆଣିଲା ଓ ସେହି ଉତ୍ତପ୍ତ ଅଙ୍ଗାର ଧରି ମୋ’ ନିକଟକୁ ରହିଆସିଲା। ସେହି ସରାଫ ଦେବଦୂତ ସେହି ଉତ୍ତପ୍ତ ଅଙ୍ଗାର ସାହାଯ୍ୟରେ ମୋର ମୁଖକୁ ସ୍ପର୍ଶ କଲା। ତା’ପରେ ସେ କହିଲେ, “ଦେଖ! ମୁଁ ଏହି ଜ୍ୱଳନ୍ତ ଅଙ୍ଗାରରେ ତୁମ୍ଭର ଓଷ୍ଠାଧରକୁ ସ୍ପର୍ଶ କଲି କାରଣ ଏହା ଦ୍ୱାରା ତୁମ୍ଭର ଅପରାଧ ଦୂରିଭୂତ ହେଲା ଓ ତୁମ୍ଭେ ପାପରୁ ମୁକ୍ତ ହେଲେ।”

ତା’ପରେ ମୁଁ ସଦାପ୍ରଭୁଙ୍କର ସ୍ୱର ଶୁଣିଲି। ସେ କହିଲେ, “ମୁଁ କାହାକୁ ପଠାଇବି? କିଏ ଆମ୍ଭମାନଙ୍କ ପାଇଁ ଯିବ?”

ତେଣୁ ମୁଁ କହିଲି, “ମୁଁ ଏଠାରେ ଅଛି! ମୋତେ ପଠାଅ!”

ଗୀତସଂହିତା 29

ଦାଉଦଙ୍କର ଗୀତ।

29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
    ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
    ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
    ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
    ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
    ସଦାପ୍ରଭୁ ଲିବାନୋ‌ନ୍‌ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
ସେ ଲିବାନୋ‌ନ୍‌କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
    ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
    ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
    ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।

10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
    ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
    ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।

ରୋମୀୟଙ୍କ ପ୍ରତି ପତ୍ର 8:12-17

12 ସୁତରାଂ, ମୋ’ ଭାଇ ଓ ଭଉଣୀମାନେ, ଆମ୍ଭ ପାପପୂର୍ଣ୍ଣ ଶରୀର ଦ୍ୱାରା ଆମ୍ଭେ ଶାସିତ ନୋହୁଁ। ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀରର ଇଚ୍ଛା ଅଧୀନରେ ନୋହୁଁ। 13 ଯଦି ତୁମ୍ଭେମାନେ ତୁମ୍ଭ ପାପପୂର୍ଣ୍ଣ ଶରୀର ଅନୁସାରେ ମନ୍ଦ କାମ ପାଇଁ ନିଜ ଜୀବନକୁ ବ୍ୟବହାର କର, ତା’ହେଲେ ତୁମ୍ଭେମାନେ ଆତ୍ମିକ ରୂପରେ ମରିଯିବ। କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କୁ ଶରୀର ମାଧ୍ୟମରେ ମନ୍ଦ କାମ କରିବାକୁ ରୋକିବା ପାଇଁ ବ୍ୟବହାର କର, ତା’ହେଲେ ତୁମ୍ଭେମାନେ ପ୍ରକୃତ ଜୀବନ ପାଇବ।

14 ଯେଉଁମାନେ ନିଜ ଜୀବନରେ ପରମେଶ୍ୱରଙ୍କର ଆତ୍ମାକୁ ନେତୃତ୍ୱ ଦିଅନ୍ତି ସେମାନେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ। 15 ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହେବାକୁ ଦେବେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହେବେ ନାହିଁ। ଆମ୍ଭ ଭିତରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ୱରଙ୍କର ସନ୍ତାନ କରି ଦିଅନ୍ତି। ଓ ସେହି ଆତ୍ମାଙ୍କ ସହିତ ଆମ୍ଭେ କହୁ, ‘ପିତା, ପ୍ରିୟ ପିତା।’ 16 ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ବୋଲି କହିବା ଲାଗି ସେହି ଆତ୍ମା ଆମ୍ଭ ଆତ୍ମା ସହିତ ଯୋଡ଼ି ହୁଅନ୍ତି। 17 ଆମ୍ଭେ ଯଦି ପରମେଶ୍ୱରଙ୍କର ସନ୍ତାନ, ତା’ହେଲେ ପରମେଶ୍ୱର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ୱରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ୟ ଏହି ଆଶୀର୍ବାଦ ପାଇବୁ। କିନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହାହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ୟ ମହିମାର ଅଧିକାରୀ ହେବା।

ଯୋହନ ଲିଖିତ ସୁସମାଗ୍ଭର 3:1-17

ଯୀଶୁ ଓ ନୀକଦୀମ

ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଜଣେ ଫାରୂଶୀ ଥିଲେ। ସେ ଯିହୂଦୀମାନଙ୍କର ଜଣେ ମୁଖ୍ୟ ନେତା ଥିଲେ। ସେ ଦିନେ ରାତ୍ରିରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, “ହେ ଗୁରୁ, ଆମ୍ଭେ ଜାଣିଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ୱରଙ୍କ ଦ୍ୱାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛ, ସେ ଗୁଡ଼ିକ ପରମେଶ୍ୱରଙ୍କ ସାହାଯ୍ୟ ନ ପାଇ କେହି କରି ପାରିବେ ନାହିଁ।”

ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ପୁନର୍ବାର ଜନ୍ମ ନ ହୁଏ, ତେବେ ସେ ଲୋକ ପରମେଶ୍ୱରଙ୍କର ରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ।”

ନୀକଦୀମ ତାହାଙ୍କୁ କହିଲେ, “କିନ୍ତୁ ଯଦି କୌଣସି ବ୍ୟକ୍ତି ବୃଦ୍ଧ ହୋଇ ସାରିଛି, ତେବେ ସେ କିପରି ପୁନର୍ବାର ଜନ୍ମ ନେଇ ପାରିବ? ଜଣେ ଲୋକ କଦାପି ତା’ର ମାତାର ଗର୍ଭରେ ଆଉ ଥରେ ପ୍ରବେଶ କରି ପାରିବ ନାହିଁ। ତେଣୁ ଜଣେ ବ୍ୟକ୍ତି କଦାପି ଦ୍ୱିତୀୟ ଥର ଜନ୍ମ ଗ୍ରହଣ କରି ପାରିବ ନାହିଁ।”

ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହୋଇ ନ ଥାଏ, ତେବେ ସେ କଦାପି ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରିବ ନାହିଁ। ଜଣେ ଲୋକର ଶରୀର ତା’ର ପିତା-ମାତାଙ୍କଠାରୁ ଜନ୍ମ ନିଏ। କିନ୍ତୁ ଜଣେ ଲୋକର ଆତ୍ମିକ ଜୀବନ ଆତ୍ମାଙ୍କଠାରୁ ଜନ୍ମ ନିଏ। ତେଣୁ ଆଶ୍ଚର୍ଯ୍ୟ ହୁଅ ନାହିଁ, କାରଣ ତୁମ୍ଭକୁ କହିଲି ଯେ, ‘ତୁମ୍ଭକୁ ନିଶ୍ଚୟ ପୁନର୍ବାର ଜନ୍ମ ହେବାକୁ ପଡ଼ିବ।’ ପବନ ତା’ ଇଚ୍ଛା ଅନୁସାରେ ବହେ ଓ ନିଜ ଇଚ୍ଛାରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣି ନ ଥାଅ, ପବନ କେଉଁଠାରୁ ଆସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନେଇଥିବା ପ୍ରତ୍ୟେକ ଲୋକ ଠିକ୍ ସେହିପରି।”

ନୀକଦୀମ ପଗ୍ଭରିଲେ, “ଏସବୁ କିପରି ସମ୍ଭବ ହୋଇ ପାରିବ?”

10 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ପ୍ରଧାନ ଗୁରୁ, କିନ୍ତୁ ତୁମ୍ଭେ ଏସବୁ କଥା ବୁଝି ପାରୁ ନାହଁ? 11 ମୁଁ ତୁମ୍ଭକୁ ସତ୍ୟ କହୁଛି, ଆମ୍ଭେ ଯାହାସବୁ ଜାଣୁ ତାହା ସବୁ କହୁଛୁ, ଆମ୍ଭେ ଯାହା ଦେଖିଛୁ ତାହା ତୁମ୍ଭକୁ କହୁଛୁ, କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯାହା କହୁଛୁ, ତୁମ୍ଭେମାନେ ତାହା ଗ୍ରହଣ କରୁ ନାହଁ। 12 ମୁଁ ତୁମ୍ଭକୁ ଏ ସଂସାରର ବିଷୟ ସବୁ କହିଛି। କିନ୍ତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। ମୁଁ ଯଦି ତୁମ୍ଭକୁ ସ୍ୱର୍ଗ ବିଷୟରେ କହିବି, ତେବେ ନିଶ୍ଚିତ ଭାବେ ତୁମ୍ଭେ ବିଶ୍ୱାସ କରିବ ନାହିଁ। 13 ମନୁଷ୍ୟପୁତ୍ର [a] କେବଳ ସେହି ଜଣେ ଯିଏ ସ୍ୱର୍ଗରୁ ଆସିଛନ୍ତି, ଓ ସେ ହିଁ ଏକମାତ୍ର ଯିଏ ସ୍ୱର୍ଗକୁ ଯାଇଛନ୍ତି।

14 “ମୋଶା ମରୁଭୂମିରେ ସର୍ପକୁ ଉପରକୁ ଉଠାଇଥିଲେ। [b] ଠିକ୍ ସେହିପରି ମନୁଷ୍ୟପୁତ୍ର ମଧ୍ୟ ଉପରକୁ ଉଠାଯିବେ। 15 ଏହା ଦ୍ୱାରା ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ଅନନ୍ତ ଜୀବନ ଲାଭ କରିବ।”

16 ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ। 17 ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଗ୍ଭର କରିବା ପାଇଁ ପଠାଇ ନ ଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center