Revised Common Lectionary (Semicontinuous)
24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
25 ମହାସାଗରକୁ ଦେଖ, ଏହା କେତେ ମହାନ!
ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି।
ସେଗୁଡ଼ିକୁ ଗଣନା କରି ହେବ ନାହିଁ।
26 ତହିଁରେ ଜାହାଜ ଯାତାୟାତ କରେ।
ତହିଁରେ ଖେଳିବା ପାଇଁ
ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ।
27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି,
ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ,
28 ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି।
ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ।
29 ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି।
ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ,
ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି,
ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।
30 ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ।
ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।
31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ!
ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
32 ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ।
ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।
33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
34 ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ।
ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି।
35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ପ୍ରଶଂସା କର।
ପୃଥିବୀ ଭାଗ ଭାଗ ହେଲା
11 ବନ୍ୟା ପରେ ପୃଥିବୀରେ ଏକ ପ୍ରକାର ଭାଷା କହୁଥିଲେ। ସମସ୍ତ ଲୋକ ଏକ ପ୍ରକାର ଶବ୍ଦ ବ୍ୟବହାର କରୁଥିଲେ। 2 ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ସେମାନେ ଶିନିୟର ଦେଶରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସେଠାରେ ବସତି ଆରମ୍ଭ କଲେ। 3 ଲୋକମାନେ କହିଲେ, “ଆସ ଆମ୍ଭେ ଇଟା ପୋଡ଼ି ଟାଣ କରିବା।” ତେଣୁ ଲୋକମାନେ ପଥର ବ୍ୟବହାର ନ କରି ଇଟାକୁ ଘର କରିବା ପାଇଁ ବ୍ୟବହାର କଲେ। ଏବଂ ସେମାନେ ମାଟିଆ ତେଲକୁ ଚୂନ ସ୍ୱରୂପ ବ୍ୟବହାର କଲେ।
4 ଏହା ପରେ ଲୋକମାନେ କହିଲେ, “ଆସ, ଆମ୍ଭ ପାଇଁ ଏକ ନଗର ଓ ଏକ ଗଗନସ୍ପର୍ଶୀ ଅଟ୍ଟାଳିକା ନିର୍ମାଣ କରିବା, ଆମ୍ଭେମାନେ ଅତି ଜଣାଶୁଣା ହେବା। ତା’ହେଲେ ଆମ୍ଭେମାନେ ପୃଥିବୀର ଗ୍ଭରିଆଡ଼େ ବିକ୍ଷିପ୍ତ ହେବା ନାହିଁ।”
5 ସଦାପ୍ରଭୁ ଲୋକମାନଙ୍କ ଦ୍ୱାରା ତିଆରି ହେଉଥିବା ନଗର ଏବଂ ଦୁର୍ଗ ଦେଖିବା ପାଇଁ ଓହ୍ଲାଇ ଆସିଲେ। 6 ସଦାପ୍ରଭୁ କହିଲେ, “ଏହି ସମସ୍ତ ଲୋକ ଏକ ଓ ସେମାନଙ୍କର ଭାଷା ଏକ, ସେମାନେ ଏହି କାମ କରିବାକୁ ଏକତ୍ରିତ ହୋଇଛନ୍ତି। ଏହା ତାଙ୍କର ଆରମ୍ଭ ମାତ୍ର। ସେମାନେ ଯେତେବେଳେ ଯାହା ଗ୍ଭହିଁବେ ତାହା କରିବେ। 7 ତେଣୁ ଆସ, ତଳକୁ ଯିବା ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ଭାଷା [a] ତିଆରି କରିବା। ତେଣୁ ସେମାନେ ପରସ୍ପର ଭାଷା ବୁଝିପାରିବେ ନାହିଁ।”
8 ଏହିପରି ଭାବରେ ସଦାପ୍ରଭୁ ପୃଥିବୀର ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରି ପକାଇଲେ। ତେଣୁ ସେହି ଲୋକମାନେ ନଗର ନିର୍ମାଣ ଶେଷ କରି ପାରିଲେ ନାହିଁ। 9 ସେହି ସ୍ଥାନର ନାମ ବାବିଲ୍ ହେଲା। ଯେହେତୁ ସଦାପ୍ରଭୁ ସେସ୍ଥାନରେ ସମସ୍ତ ପୃଥିବୀର ଭାଷାର ଭେଦ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ।
ଖ୍ରୀଷ୍ଟଙ୍କର ଶରୀର
12 ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ୟଙ୍ଗ ଅନେକ। ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଶରୀର ହେଉଛି ଏକ। ସେହିପରି ମଧ୍ୟ ଖ୍ରୀଷ୍ଟ ଏକ। 13 ଆମ୍ଭ ଭିତରୁ କେତେକ ହେଉଛୁ ଯିହୂଦୀ, କେତେକ ଅଣଯିହୂଦୀ, ଆମ୍ଭ ଭିତରୁ କେତେକ କ୍ରୀତଦାସ ଓ କେତେକ ସ୍ୱାଧୀନ। କିନ୍ତୁ ଆମ୍ଭେମାନେ ସମସ୍ତେ ଗୋଟିଏ ଆତ୍ମା ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ପ୍ରାପ୍ତ ହୋଇ ଅଛୁ। ଆମ୍ଭ ସମସ୍ତଙ୍କୁ ଗୋଟିଏ ଆତ୍ମା ମଧ୍ୟ ପ୍ରଦାନ କରାଯାଇଛି।
14 ମାନବ ଶରୀର ତ ଏକଅଙ୍ଗ ନୁହେଁ, ମାତ୍ର ଅନେକ ଗୁଡ଼ିଏ ଅଙ୍ଗ ଦ୍ୱାରା ନିର୍ମିତ। 15 ଯଦି ଗୋଡ଼ କୁହେ: “ମୁଁ ହାତ ନୁହେଁ, ଅତଏବ, ମୁଁ ଶରୀରର ଅଙ୍ଗ ନୁହେଁ।” କିନ୍ତୁ ଏହା କହିବା ଦ୍ୱାରା କ’ଣ ସେ ଶରୀରର ଅଙ୍ଗ ହୋଇ ରହିବ ନାହିଁ କି? 16 କାନ କହିପାରେ: “ମୁଁ ଆଖି ନୁହେଁ, ଅତଏବ ମୋର ଶରୀରର ଅଙ୍ଗ ନୁହେଁ,” କିନ୍ତୁ ଏହା କହିବା ଦ୍ୱାରା କ’ଣ ସେ ଶରୀରର ଅଙ୍ଗ ହୋଇ ରହିବ ନାହିଁ କି? 17 ସମ୍ପୂର୍ଣ୍ଣ ଶରୀର ଗୋଟିଏ ଆଖି ଦେଇଥା’ନ୍ତା, ତେବେ ସେ ଶରୀର ଶୁଣିପାରନ୍ତା କିପରି? ଯଦି ସମ୍ପୂର୍ଣ୍ଣ ଶରୀରଟି ଗୋଟିଏ କାନ ହୋଇଥା’ନ୍ତା ତା’ହେଲେ ଶରୀର ଶୁଙ୍ଘିବା ପାଇଁ ସମର୍ଥ ହୁଅନ୍ତା କିପରି? 18-19 ଯଦି ସମ୍ପୂର୍ଣ୍ଣ ଶରୀରର ଅଙ୍ଗ କେବଳ ସେହି ଗୋଟିଏ ଅଙ୍ଗ ମାତ୍ର ହୋଇଥା’ନ୍ତା ତା’ହେଲେ ଶରୀର ନ ଥା’ନ୍ତା। କିନ୍ତୁ ପରମେଶ୍ୱର ଯେପରି ଠିକ୍ ମନେ କଲେ ପ୍ରତ୍ୟେକ ଅଙ୍ଗକୁ ଶରୀରରେ ସେହିଭଳି ସ୍ଥାନ ଦେଲେ। 20 ତେଣୁ ପ୍ରକୃତରେ ଅଙ୍ଗପ୍ରତ୍ୟଙ୍ଗ ଅନେକ, କିନ୍ତୁ ଶରୀର ଗୋଟିଏ।
21 ଆଖି ହାତକୁ କେବେ ହେଲେ କହି ପାରିବ ନାହିଁ ଯେ, “ତୋ’ଠାରେ ମୋର ଆବଶ୍ୟକତା ନାହିଁ।” ସେହିଭଳି ମୁଣ୍ଡ ପାଦକୁ କହି ପାରିବ ନାହିଁ ଯେ, “ତୋ’ଠାରେ ମୋର ଆବଶ୍ୟକତା ନାହିଁ।” 22 ବରଂ ଅନ୍ୟ ପକ୍ଷରେ ଶରୀରର ଯେଉଁ ଅଙ୍ଗଗୁଡ଼ିକ ଦୁର୍ବଳ ବୋଲି ବୋଧହୁଏ, ସେହିସବୁ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଅଟେ। 23 ଶରୀରର ଯେଉଁ ଅଙ୍ଗଗୁଡ଼ିକୁ ଆମେ କମ୍ ଆଦରର ବୋଲି ଭାବୁ, ସେଗୁଡ଼ିକ ପ୍ରତି ଆମେ ଅଧିକ ଧ୍ୟାନ ଦେଉ। ଯେଉଁ ଅଙ୍ଗଗୁଡ଼ିକୁ ଅନ୍ୟମାନେ ନ ଦେଖନ୍ତୁ ବୋଲି ଆମେ ଗ୍ଭହୁଁ, ସେ ଅଙ୍ଗଗୁଡ଼ିକ ପ୍ରତି ଆମେ ବିଶେଷ ଧ୍ୟାନ ଦେଉ। 24 ଆମ୍ଭ ଶରୀରର ସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇ ନ ଥାଏ। କିନ୍ତୁ ପରମେଶ୍ୱର ଅଦରକାରୀ ଅଙ୍ଗଗୁଡ଼ିକ ଅଧିକ ସମ୍ମାନ ଦେଇ ଶରୀରକୁ ଗଠନ କରିଛନ୍ତି। 25 ଆମ୍ଭର ଶରୀରରେ ଯେପରି କୌଣସି ବିଭେଦ ନ ହେଉ, ସେହି ଦୃଷ୍ଟିରୁ ପରମେଶ୍ୱର ଏପରି କରିଛନ୍ତି। ଦେହର ଅଙ୍ଗଗୁଡ଼ିକ ପରସ୍ପର ସୁଖ ଦୁଃଖର ସହଭାଗୀ ହୁଅନ୍ତି ବୋଲି ପରମେଶ୍ୱର ଇଚ୍ଛା କଲେ। 26 ଯଦି ଶରୀରର ଗୋଟିଏ ଅଙ୍ଗ କଷ୍ଟ ପାଏ, ତା’ସହିତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ କଷ୍ଟ ପା’ନ୍ତି। ଯଦି ଶରୀରର କୌଣସି ଅଙ୍ଗ ସମ୍ମାନ ପାଏ ଅନ୍ୟ ସମସ୍ତ ଅଙ୍ଗଗୁଡ଼ିକ ତାହା ସହିତ ଏକତ୍ର ହୋଇ ଆନନ୍ଦ କରନ୍ତି।
27 ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଶରୀର ଅଟ। ତୁମ୍ଭେମାନେ ପ୍ରତ୍ୟେକ ସେହି ଶରୀରର ଅଙ୍ଗ।
2010 by World Bible Translation Center