Revised Common Lectionary (Semicontinuous)
95 ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
ଆମ୍ଭମାନଙ୍କ “ପରିତ୍ରାଣର ଶୈଳ” ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରିବା,
ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।
2 ଆସ, ଆମ୍ଭେ ଧନ୍ୟବାଦ ସହ ତାଙ୍କ ସମ୍ମୁଖକୁ ଆସିବା
ଏବଂ ତାଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
3 କାରଣ ସଦାପ୍ରଭୁ ହେଉଛନ୍ତି, ମହାନ ପରମେଶ୍ୱର।
ସେ ସକଳ “ଦେବତାଗଣଙ୍କ” ଉପରେ ଶାସନ କରନ୍ତି।
4 ପୃଥିବୀର ଗଭୀର ସ୍ଥାନସବୁ ଓ ଉଚ୍ଚ ପର୍ବତଗଣ ମଧ୍ୟ ସଦାପ୍ରଭୁଙ୍କର।
5 ସକଳ ସମୁଦ୍ର ତାଙ୍କର, ସେ ସେଗୁଡ଼ିକ ସୃଷ୍ଟି କରିଛନ୍ତି।
ଏବଂ ସ୍ଥଳଭାଗଗୁଡ଼ିକ ମଧ୍ୟ ପରମେଶ୍ୱର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।
6 ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ!
ଆସ, ସେହି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।
7 ସେ ହେଉଛନ୍ତି ଆମ୍ଭର ପରମେଶ୍ୱର,
ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ।
ଆଜି ଆମ୍ଭେ ତାଙ୍କର ମେଷ ତୁଲ୍ୟ, ସିଏ ତାଙ୍କ ନିଜର ତୃଣଭୂମିକୁ ଯତ୍ନ ନିଅନ୍ତି।
8 ପରମେଶ୍ୱର କହନ୍ତି, “ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି
ଜିଦ୍ଖୋର ହୁଅ ନାହିଁ।
9 ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ୱାନ କଲେ।
ସେମାନେ ଜାଣି ପାରିଥିଲେ ଯେ ଆମ୍ଭେ କ’ଣ କରିପାରୁ।
10 ଆମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ସେହି ବଂଶପ୍ରତି ବିରକ୍ତ ହୋଇଥିଲୁ,
ଆମ୍ଭେ କହିଲୁ ଯେ, ‘ସେମାନେ ଆମ୍ଭ ପ୍ରତି ବିଶ୍ୱାସୀ ନୁହନ୍ତି।
ସେମାନେ ଆମ୍ଭର ନିୟମକୁ ମାନିବା ପାଇଁ ମନା କରି ଦେଲେ।’
11 ତେଣୁ ଆମ୍ଭେ ତାଙ୍କ ଉପରେ କ୍ରୋଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ,
‘ସେମାନେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରି ପାରିବେ ନାହିଁ।’”
ଦାଉଦ ଇସ୍ରାଏଲର ରାଜା ହେଲେ
11 ଇସ୍ରାଏଲର ସମସ୍ତ ଲୋକ ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଲେ। ସେମାନେ ଦାଉଦଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ନିଜ ମାଂସ ଓ ରକ୍ତ। 2 ଯେତେବେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନେତୃତ୍ୱ ନେଇ ଇସ୍ରାଏଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, ‘ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ୟ ହେବ।’”
3 ଇସ୍ରାଏଲର ସମସ୍ତ ନେତାମାନେ ହିବ୍ରୋଣରେ ରାଜା ଦାଉଦଙ୍କ ପାଖକୁ ଆସିଲେ। ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସହିତ ଏକ ଚୁକ୍ତି କଲେ। ତା’ପରେ ନେତାମାନେ ଦାଉଦଙ୍କୁ ଇସ୍ରାଏଲର ରାଜା ରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ଶାମୁୟେଲଙ୍କ ଭବିଷ୍ୟଦ୍ବାଣୀ ଅନୁସାରେ ଏହା ଅବଶ୍ୟ ଘଟିବ।
ଦାଉଦ ଯିରୁଶାଲମ ଅଧିକାର କଲେ
4 ଦାଉଦ ଓ ଇସ୍ରାଏଲର ସମସ୍ତ ଲୋକ ଯିରୁଶାଲମକୁ ଗଲେ। ସେହି ସମୟରେ ଯିରୁଶାଲମକୁ ଯିବୂଷ ବୋଲି କୁହାଯାଉଥିଲା। ସେହି ନଗରରେ ବାସ କରୁଥିବା ଲୋକମାନଙ୍କୁ ଯିବୂଷୀୟ ନାମରେ ନାମିତ କରାଯାଇଥିଲା। 5 ଯିବୂଷରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନଗର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।” କିନ୍ତୁ ଦାଉଦ ସେମାନଙ୍କୁ ପରାସ୍ତ କରିଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମରେ ଜଣାଗଲା।
6 ଦାଉଦ କହିଲେ, “ଯେଉଁ ବ୍ୟକ୍ତି ଯିବୂଷୀୟ ଲୋକମାନଙ୍କ ଉପରେ ଆକ୍ରମଣର ନେତୃତ୍ୱ ନେବ, ସେ ମୋର ସମଗ୍ର ସେନାବାହିନୀର ସେନାପତି ହେବ।” ତେଣୁ ଯୋୟାବ୍ ଏହି ଆକ୍ରମଣର ନେତୃତ୍ୱ ନେଲେ। ଯୋୟାବ୍ ସରୁୟାଙ୍କ ପୁତ୍ର ଥିଲେ। ଯୋୟାବ୍ ସୈନ୍ୟଦଳର ସେନାପତି ହେଲେ।
7 ଏହା ପରେ ଦାଉଦ ଦୁର୍ଗ ମଧ୍ୟରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା। 8 ଦାଉଦ ଦୁର୍ଗର ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ। ସେ ମିଲ୍ଲୋଠାରୁ ନଗରର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ପର୍ଯ୍ୟନ୍ତ ତାହା ନିର୍ମାଣ କଲେ। ଯୋୟାବ୍ ନଗରର ଅନ୍ୟ ଅଂଶଗୁଡ଼ିକର ମରାମତି କାର୍ଯ୍ୟ କଲେ। 9 ଦାଉଦ ବୃଦ୍ଧି ପାଇବାକୁ ଲାଗିଲେ। ଏବଂ ସୈନ୍ୟାଧିପତି ସଦାପ୍ରଭୁ ତାଙ୍କ ସହିତରେ ଥିଲେ।
13 ତା’ପରେ ଜଣେ ପ୍ରାଚୀନ ମୋତେ କହିଲେ, “ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଅଛନ୍ତି?”
14 ମୁଁ ଉତ୍ତର ଦେଲି, “ମୋ’ ପ୍ରଭୁ! ଆପଣ ତାହା ଜାଣନ୍ତି, ସେମାନେ କିଏ।
ପ୍ରାଚୀନ ଜଣକ କହିଲେ, “ଏହି ଲୋକମାନେ ଭୟଙ୍କର ତାଡ଼ନା ଭିତରୁ ଆସିଛନ୍ତି। ସେମାନେ ମେଷଶାବକଙ୍କ ରକ୍ତରେ ଆପଣା ଆପଣାର ପୋଷାକ ପରିଷ୍କାର ଓ ଧଳା କରିଅଛନ୍ତି। 15 ତେଣୁ ଏହି ଲୋକମାନେ ପରମେଶ୍ୱରଙ୍କର ସିଂହାସନ ସମ୍ମୁଖରେ ଅଛନ୍ତି। ସେମାନେ ଦିନରାତି ପରମେଶ୍ୱରଙ୍କର ମନ୍ଦିରରେ ତାହାଙ୍କର ଉପାସନା କରନ୍ତି। ସିଂହାସନରେ ବସିଥିବା ଜଣେ ବ୍ୟକ୍ତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। 16 ସେହି ଲୋକମାନେ ଆଉ କେବେ କ୍ଷୁଧିତ ହେବେ ନାହିଁ। ସେମାନେ କଦାପି ତୃଷାର୍ତ୍ତ ହେବେ ନାହିଁ। ସୂର୍ଯ୍ୟ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସେମାନଙ୍କୁ ଜାଳି ପାରିବ ନାହିଁ । 17 ସିଂହାସନର ମଧ୍ୟରେ ଥିବା ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼େଇ ନେଇଯିବେ। ପରମେଶ୍ୱର ସେମାନଙ୍କର ଆଖିରୁ ସବୁ ଲୁହ ପୋଛି ଦେବେ।’’
2010 by World Bible Translation Center