Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 150

150 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ପରମେଶ୍ୱରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର!
    ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାଙ୍କର ପ୍ରଶଂସା କର।
ପରମେଶ୍ୱର କରିଥିବା ସମସ୍ତ ମହାନ କାର୍ଯ୍ୟ ନିମନ୍ତେ ତାଙ୍କର ପ୍ରଶଂସା କର।
    ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।
ତୂରୀ ଧ୍ୱନିରେ ପରମେଶ୍ୱରଙ୍କର ପ୍ରଶଂସା କର।
    ନେବଲ ଓ ବୀଣା ଯନ୍ତ୍ରରେ ତାଙ୍କର ପ୍ରଶଂସା କର!
ଦାରା ବାଦ୍ୟ ଓ ନୃତ୍ୟଦ୍ୱାରା ପରମେଶ୍ୱର ପ୍ରଶଂସା କର।
    ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
ଉଚ୍ଚ କରତାଳିରେ ପରମେଶ୍ୱରଙ୍କର ପ୍ରଶଂସା କର।
    ଉଚ୍ଚ କରତାଳି ଧ୍ୱନିରେ ତାଙ୍କର ପ୍ରଶଂସା କର।

ନିଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର!

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 30:1-11

ଆଶାର ଶପଥ

30 ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଯେଉଁସବୁ କଥା କହିଅଛୁ, ତାହା ତୁମ୍ଭେ ଗୋଟିଏ ପୁସ୍ତକରେ ଲେଖି ରଖ।” କାରଣ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ୱ ଅବସ୍ଥା ପରିବର୍ତ୍ତନ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଏପରି ସମୟ ଆସିବ ଯେଉଁ ସମୟରେ ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।”

ଇସ୍ରାଏଲ ଓ ଯିହୁଦା ବିଷୟରେ ସଦାପ୍ରଭୁ କହିଲେ। ସଦାପ୍ରଭୁ ଏହା କହିଲେ,

“ଆମ୍ଭେ ଲୋକମାନଙ୍କର କମ୍ପିବାର
    ଓ ଭୟର ଶବ୍ଦ ଶୁଣିଅଛୁ, ମାତ୍ର ଶାନ୍ତିର ଶବ୍ଦ ଶୁଣି ନାହୁଁ।

“ପ୍ରତ୍ୟେକ ଲୋକଙ୍କୁ ପଗ୍ଭରି ବୁଝ,
    ସେମାନେ କ’ଣ ପ୍ରସବ ବେଦନା ପାଉଛନ୍ତି?
ତାହା ନ ହେଲେ ପ୍ରତ୍ୟେକ ପୁରୁଷ କାହିଁକି ପ୍ରସବ ବେଦନା ପାଇଲା ପରି
    ଆପଣା କଟିଦେଶରେ ହସ୍ତ ରଖିଛନ୍ତି
ଓ ପ୍ରତ୍ୟେକଙ୍କର ମୁଖ
    ମଳିନ ପଡ଼ିଛି କାହିଁକି?

“ଆହା, ସେଦିନ ଅତି ମହାନ।
    ତାହା ସମାନ ଆଉ ଦିନ ନାହିଁ।
ତାହା ଯାକୁବର ସଙ୍କଟକାଳ,
    ମାତ୍ର ସେ ତହିଁରୁ ଉଦ୍ଧାର ପାଇବ।

“ସେହି ସମୟରେ” ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ଯିହୁଦା ଓ ଇସ୍ରାଏଲର ଲୋକମାନଙ୍କ ସ୍କନ୍ଦରୁ ଯୁଆଳି ସବୁ ଭାଙ୍ଗି ପକାଇବା ଓ ସେମାନଙ୍କର ବନ୍ଧନସବୁ ଛିଣ୍ଡାଇ ପକାଇବା। ପୁଣି ବିଦେଶୀମାନେ ସେମାନଙ୍କୁ ଦାସ୍ୟକର୍ମ କରାଇବେ ନାହିଁ। ଆଉ ସେମାନେ ବିଦେଶୀମାନଙ୍କର ସେବା କରିବେ ନାହିଁ। ସେମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କୁ ସେବା କରିବେ। ଆଉ ସେମାନଙ୍କ ପାଇଁ ପଠାଇଥିବା ରାଜା ଦାଉଦଙ୍କର ସେବା କରିବେ।

10 ଏଣୁ ସଦାପ୍ରଭୁ କହନ୍ତି,
    “ହେ ଯାକୁବ, ତୁମ୍ଭେ ଆମ୍ଭର ଦାସ,
ତୁମ୍ଭେ ଭୟ କର ନାହିଁ।
    ଆଉ ହେ ଇସ୍ରାଏଲ,
ତୁମ୍ଭେ ନିରାଶ ହୁଅ ନାହିଁ।
    କାରଣ ଆମ୍ଭେ ବହୁ ଦୂର ଦେଶରୁ
    ଓ ତୁମ୍ଭକୁ ବନ୍ଦୀତ୍ୱ ଦେଶରୁ ଉଦ୍ଧାର କରିଅଛୁ।
ପୁଣି ଯାକୁବ ଫେରି ଆସି ଶାନ୍ତିରେ
    ଓ ନିରାପଦରେ ରହିବ।
    କେହି ତାହାକୁ ଭୟ ଦେଖାଇବେ ନାହିଁ।”
11 ପୁଣି ସଦାପ୍ରଭୁ କହନ୍ତି,
    “ହେ ଇସ୍ରାଏଲ ଓ ଯିହୁଦାର ଲୋକମାନେ,
ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ।
    ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ।
    ସେହି ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ସଂହାର କରିବା।
ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସମ୍ପୂର୍ଣ୍ଣ ରୂପେ ସଂହାର କରିବା ନାହିଁ।
    ତଥାପି ଆମ୍ଭେ ବିବେଚନା ପୂର୍ବକ
ତୁମ୍ଭମାନଙ୍କୁ ଶାସ୍ତି ଦେବା।
    ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।”

ଯୋହନଙ୍କ ପ୍ରଥମ ପତ୍ର 3:10-16

10 ତେଣୁ କେଉଁମାନେ ପରମେଶ୍ୱର ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ, ତାହା ତୁମ୍ଭେମାନେ ଜାଣି ପାରିବ। ଯେଉଁମାନେ ସ‌‌‌‌‌ତ୍‌‌‌‌‌କର୍ମ କରନ୍ତି ନାହିଁ, ସେମାନେ ପରମେଶ୍ୱରଙ୍କର ସନ୍ତାନ ନୁହନ୍ତି, ଯେ କେହି ନିଜ ଭାଇକୁ ପ୍ରେମ କରେ ନାହିଁ, ସେ ମଧ୍ୟ ଈଶ୍ୱରଙ୍କର ସନ୍ତାନ ନୁହେଁ।

ଆମ୍ଭେ ନିଶ୍ଚୟ ପରସ୍ପରକୁ ଭଲ ପାଇବା ଉଚିତ୍

11 ତୁମ୍ଭେମାନେ ଆରମ୍ଭରୁ ଏହି ଶିକ୍ଷା ଶୁଣିଛ, ଆମ୍ଭର ପରସ୍ପରକୁ ନିଶ୍ଚୟ ପ୍ରେମ କରିବା ଉଚିତ୍। 12 ଆମ୍ଭେ କୟିନ [a] ଭଳି ହେବା ଉଚିତ୍ ନୁହେଁ। କାରଣ ତାହାଙ୍କଠାରେ ପାପାତ୍ମା ଥିଲା। ସେ ନିଜ ଭାଇ ହେବଲକୁ ହତ୍ୟା କଲା। ସେ ତା’ର ଭାଇକୁ କାହିଁକି ହତ୍ୟା କଲା? ସେ ଏପରି କଲା, କାରଣ ତା’ର କାର୍ଯ୍ୟଗୁଡ଼ିକ ମନ୍ଦ ଥିଲା ଓ ତା’ ଭାଇର କର୍ମଗୁଡ଼ିକ ଭଲ ଥିଲା।

13 ଭାଇ ଓ ଭଉଣୀମାନେ, ଯଦି ଜଗତ ତୁମ୍ଭକୁ ଘୃଣା କରେ, ତେବେ ଆଶ୍ଚର୍ଯ୍ୟ ହୁଅ ନାହିଁ। 14 ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ୟୁର ସୀମା ପାରି ହୋଇ ଜୀବନରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ରେମ କରୁ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ମୃତ୍ୟୁ ସୀମା ମଧ୍ୟରେ ଥାଏ। 15 ନିଜ ଭାଇକୁ ଘୃଣା କରୁଥିବା ପ୍ରତ୍ୟେକ ଲୋକ ନିଜେ ହତ୍ୟାକାରୀ ଅଟେ। ତୁମ୍ଭେ ତ ଜାଣିଛ ଯେ, କୌଣସି ହତ୍ୟାକାରୀଠାରେ ଅନନ୍ତ ଜୀବନ ନାହିଁ।

16 ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦେଇଛନ୍ତି। ଏଥିରୁ ପ୍ରକୃତ ପ୍ରେମ କ’ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ୟ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center