Revised Common Lectionary (Semicontinuous)
135 ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।
2 ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ।
ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର।
3 ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ।
4 ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ।
ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ।
5 ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି।
ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।
6 ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ
ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।
7 ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି।
ସେ ବର୍ଷା ସହିତ ବିଜୁଳି କରାନ୍ତି।
ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।
8 ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ।
9 ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅଦ୍ଭୂତ କାର୍ଯ୍ୟମାନ କଲେ।
ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ।
10 ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ।
ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ।
11 ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ
ଓ ବାଶନର ରାଜା ଓଗ୍କୁ
ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ।
12 ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ।
ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।
13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ।
ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି।
ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି।
15 ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା।
ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।
16 ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ।
ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ।
17 ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ।
ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ।
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି,
ସେମାନେ ସେମାନଙ୍କ ତୁଲ୍ୟ ହେବେ।
19 ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
20 ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।
21 ଯିରୁଶାଲମବାସୀ,
ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସାଗୀତି
26 ସେଦିନ, ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ।
ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି।
ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା।
ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ଼ ନଗର ତିଆରି କରିବେ।
2 ସେହି ଦ୍ୱାର ଉନ୍ମୁକ୍ତ କର ଯେପରି ଧାର୍ମିକ
ଓ ପରମେଶ୍ୱରଙ୍କ ଶିକ୍ଷାସମୂହ ପାଳନକାରୀ ପ୍ରବେଶ କରି ପାରିବେ।
3 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭ ଉପରେ ନିର୍ଭର କରନ୍ତି
ଓ ବିଶ୍ରାମ କରନ୍ତି, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ।
4 ତେଣୁ ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ସଦାକାଳ ନିର୍ଭର ରଖ,
କାରଣ ସଦାପ୍ରଭୁଙ୍କ ସହିତ ଅନନ୍ତକାଳୀନ ଶୈଳ ଅଛି।
5 ମାତ୍ର ସେ ଉନ୍ନତ ନଗରକୁ ଅବନତ କରିବେ
ଓ ଊର୍ଦ୍ଧ୍ୱସ୍ଥିତ ସେହି ଲୋକମାନଙ୍କୁ ଦଣ୍ଡ ଦେବେ।
ସେମାନଙ୍କୁ ଭୂମିସାତ୍ କରି ଧୂଳିରେ ମିଶାଇ ଦେବେ।
6 ତା’ପରେ ଦରିଦ୍ର ଓ ନମ୍ର ଲୋକମାନେ ସେହି ଧ୍ୱଂସ ସ୍ଥାନ ଉପରେ ବିଚରଣ କରିବେ।
7 ସାଧୁତା ଧାର୍ମିକମାନଙ୍କର ଜୀବନ ଧାରଣର ମାର୍ଗ।
ସେମାନେ ସରଳ ଓ ସତ୍ୟପଥ ଅନୁସରଣ କରନ୍ତି।
ପୁଣି ହେ ପରମେଶ୍ୱର, ତୁମ୍ଭେ ସେହି ପଥକୁ ଅନୁସରଣ ପାଇଁ
ଅଧିକ ସୁଗମ ଓ ସରଳ କର।
8 ମାତ୍ର ହେ ସଦାପ୍ରଭୁ, ଆମ୍ଭେମାନେ ତୁମ୍ଭ ଶାସନ ମାର୍ଗର ନ୍ୟାୟକୁ ଅପେକ୍ଷା କରିଛୁ।
ଆମ୍ଭମାନଙ୍କର ଆତ୍ମା ତୁମ୍ଭର ନାମକୁ ସ୍ମରଣ କରିବ।
9 ରାତ୍ରିକାଳରେ ମୋର ପ୍ରାଣ ତୁମ୍ଭକୁ ଇଚ୍ଛା କରୁଛି
ଏବଂ ଅନ୍ତରାତ୍ମା ପ୍ରତି ନୂତନ ପ୍ରଭାତରେ ତୁମ୍ଭକୁ ଅନ୍ୱେଷଣ କରିବ।
ଯେତେବେଳେ ତୁମ୍ଭର ଶାସନ ସକଳ
ଓ ନ୍ୟାୟ ପ୍ରତିଷ୍ଠିତ ହେବ, ଜଗତବାସୀ ଧର୍ମ ଶିକ୍ଷା କରିବେ।
10 ମନ୍ଦାଗ୍ଭରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ୟ
ସେମାନେ ଧର୍ମ ଶିଖିବେ ନାହିଁ।
ଧର୍ମ ଓ ନ୍ୟାୟପୂର୍ଣ୍ଣ ଦେଶରେ ମଧ୍ୟ ସେମାନେ ଅନ୍ୟାୟ କରିବେ।
ଏପରିକି ସେମାନେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।
11 ମାତ୍ର ହେ ସଦପ୍ରଭୁ! ସେମାନଙ୍କୁ ଦଣ୍ଡ ଦେବାକୁ ତୁମ୍ଭର ହସ୍ତ ଉତ୍ଥିତ ହେବ,
ତଥାପି ସେମାନେ ତାହା ଦେଖିବେ ନାହିଁ।
ମାତ୍ର ଲୋକମାନଙ୍କ ପକ୍ଷରେ
ତୁମ୍ଭର ଅତିଶୟ ପ୍ରେମକୁ ଦେଖି ସେମାନେ ଲଜ୍ଜିତ ହେବେ
ଓ ତୁମ୍ଭର ଶତ୍ରୁଗଣ ଅଗ୍ନିରେ ଦଗ୍ଧିଭୂତ ହେବେ।
12 ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସକଳ କାର୍ଯ୍ୟ ସାଧନ କରିଅଛ।
ତେଣୁ ଆମ୍ଭମାନଙ୍କୁ ଶାନ୍ତି ପ୍ରଦାନ କର।
ପରମେଶ୍ୱର ତାଙ୍କ ସେବକଙ୍କୁ ନୂତନ ଜୀବନ ଦେବେ
13 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର,
ତୁମ୍ଭକୁ ଛାଡ଼ି ଆମ୍ଭେ ଅନ୍ୟ ପ୍ରଭୁଙ୍କୁ ଅନୁସରଣ କରୁଥିଲୁ
ଓ ଅନ୍ୟ ପ୍ରଭୁ ଆମ୍ଭମାନଙ୍କ ଉପରେ ରାଜତ୍ୱ କରୁଥିଲେ।
ମାତ୍ର ଆମ୍ଭେମାନେ ତୁମ୍ଭର ନାମକୁ କେବଳ ସ୍ମରଣ କରିବୁ ଓ କୀର୍ତ୍ତନ କରିବୁ।
14 ସେମାନେ ମୃତ, ସେମାନେ ଜୀବନ ଫେରି ପାଇବେ ନାହିଁ।
ସେମାନେ ଭୂତପରି ଯେଉଁମାନେ କେବେହେଲେ ଉଠିବେ ନାହିଁ।
ସେମାନଙ୍କୁ ସେମାନଙ୍କର କାର୍ଯ୍ୟକୁ ବିବେଚନା କରି ତୁମ୍ଭେ ସଂହାର କରିଅଛ
ଏବଂ କେହି ସେମାନଙ୍କୁ ମନେ ରଖିବେ ନାହିଁ।
15 ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ।
ହେ ସଦାପ୍ରଭୁ, ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ।
ତୁମ୍ଭେ ଗୌରବାନ୍ୱିତ ହୋଇଅଛ।
ତୁମ୍ଭେ ଯେପରି ସୀମା ସକଳ ବିସ୍ତାର କରିଅଛ।
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ କେତେକ ସାଦ୍ଦୂକୀଙ୍କର ଚକ୍ରାନ୍ତ(A)
18 ତା’ପରେ କେତେକ ସାଦ୍ଦୂକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ଦାବୀ କରନ୍ତି ଯେ, ମଣିଷ ମୃତ୍ୟୁପରେ ପୁନରୁତ୍ଥାନ ହେବ ନାହିଁ। 19 ସେମାନେ କହିଲେ, “ଗୁରୁ, ମୋଶା ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନ ଥାଇ ମରି ଯାଏ, ତେବେ ତା’ର ଭାଇ ସେହି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା’ହେଲେ ସେହି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରି ପାରିବ। 20 ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ଼ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନ ଥାଇ ସେ ମରିଗଲା। 21 ତେଣୁ ଦ୍ୱିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ୟ କୌଣସି ପିଲାପିଲି ନ ଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ୟ ତାହା ଘଟିଲା। 22 ସାତ ଜଣ ଭାଇ ସେହି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶେଷରେ ମରିଗଲେ। ସେମାନଙ୍କ ମଧ୍ୟରୁ କାହାରି ହେଲେ କୌଣସି ପିଲାପିଲି ନ ଥିଲେ। ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। 23 କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ପୁନରୁତ୍ଥାନ ସମୟରେ, ସେହି ସ୍ତ୍ରୀଟି କାହାର ପତ୍ନୀ ହେବ?”
24 ଯୀଶୁ କହିଲେ, “ସବୁ ଶାସ୍ତ୍ର କ’ଣ କହେ, ପରମେଶ୍ୱରଙ୍କ ଶକ୍ତି ବିଷୟରେ ତାହା ତୁମ୍ଭେମାନେ ଜାଣି ନାହଁ କି? ତେଣୁ ତୁମ୍ଭେମାନେ ଭ୍ରମରେ ପଡ଼ିଥାଅ। 25 ଲୋକମାନେ ଯେତେବେଳେ ମୃତ୍ୟୁରୁ ପୁନରୁତ୍ଥାନ ହେବେ ସେତେବେଳେ କୌଣସି ବିବାହ ହେବ ନାହିଁ ସେମାନେ କେହି କାହାରିକୁ ବିବାହ କରିବେ ନାହିଁ, ବରଂ ପ୍ରତ୍ୟେକ ସ୍ୱର୍ଗଦୂତଙ୍କ ଭଳି ହୋଇଯିବେ। 26 ପୁନରୁତ୍ଥିତ ଲୋକଙ୍କ ବିଷୟରେ ତୁମ୍ଭେମାନେ କ’ଣ ମୋଶାଙ୍କ ପୁସ୍ତକରେ ଲିଖିତ ବୁଦାବୃତ୍ତାନ୍ତଟି ପଢ଼ି ନାହଁ? ସେଥିରେ ପରମେଶ୍ୱର ମୋଶାଙ୍କୁ କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର’। [a] 27 ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ପ୍ରକୃତରେ ଏ ଲୋକମାନେ ମୃତ ନୁହନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ୱର ନୁହନ୍ତି ବରଂ ସେ ଜୀବିତମାନଙ୍କର ପରମେଶ୍ୱର। ହେ ସାଦ୍ଦୂକୀମାନେ, ତୁମ୍ଭେମାନେ ବଡ଼ ଭ୍ରମରେ ପଡ଼ିଛ।”
2010 by World Bible Translation Center