Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 135

135 ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
    ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।
ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ।
    ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର।
ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
    ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ।

ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ।
    ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ।
ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି।
    ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।
ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ
    ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।
ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି।
    ସେ ବର୍ଷା ସହିତ ବିଜୁଳି କରାନ୍ତି।
    ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।
ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ।
ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅ‌ଦ୍‌ଭୂତ କାର୍ଯ୍ୟମାନ କଲେ।
    ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ।
10 ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ।
    ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ।
11 ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ
    ଓ ବାଶନର ରାଜା ଓ‌ଗ୍‌କୁ
    ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ।
12 ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ।
    ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।

13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ।
    ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି।
    ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି।
15 ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା।
    ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।
16 ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ।
    ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ।
17 ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ।
    ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ।
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି,
    ସେମାନେ ସେମାନଙ୍କ ତୁଲ୍ୟ ହେବେ।

19 ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
20 ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
    ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।
21 ଯିରୁଶାଲମବାସୀ,
    ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଦାନିୟେଲଙ୍କ ପୁସ୍ତକ 6

ଦାନିୟେଲ ଓ ସିଂହଗଣ

ଦାରିୟାବସ ଚିନ୍ତାକଲେ ସମୁଦାୟ ରାଜ୍ୟରେ ଶାସନ କରିବକୁ 120 କ୍ଷିତିପାଳ ନିଯୁକ୍ତ କଲେ ଭଲ ହେବ। ସେହି ରାଜା ତିନି ଜଣ ତଦାରଖକାରୀଙ୍କୁ ସୁବେଦାର ଉପରେ ନିଯୁକ୍ତ କଲେ, ଯେପରି ସେମାନେ ରାଜାଙ୍କୁ ଠକି ନ ପାରିବେ ଓ କ୍ଷତି ସହି ପାରିବେ। ଏହି ତିନି ଜଣ ନିରୀକ୍ଷକ ମଧ୍ୟରେ ଦାନିୟେଲ ଥିଲେ ଅନ୍ୟତମ। ଦାନିୟେଲଙ୍କ ଅନ୍ତରରେ ଶ୍ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନଙ୍କ ମଧ୍ୟରେ ବିଖ୍ୟାତ ହୋଇଥିଲେ। ତେଣୁ ରାଜା ତାଙ୍କୁ ସମୁଦାୟ ରାଜ୍ୟ ଉପରେ ଶାସକ ଭାବରେ ନିଯୁକ୍ତ କରିବାକୁ ମନସ୍ଥ କଲେ। ଏଥିରେ ଅନ୍ୟ ଅଧ୍ୟକ୍ଷ ଓ କ୍ଷିତିପାଳମାନେ ଦାନିୟେଲଙ୍କ ପ୍ରତି ଈର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷୟ ଦୋଷ ଅନୁସନ୍ଧାନ କଲେ। ମାତ୍ର ସେମାନେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ୱସ୍ତ ଥିଲେ ଓ ତାଙ୍କଠାରେ କୌଣସି ଭ୍ରାନ୍ତି ବା ଅପରାଧ ନ ଥିଲା। ସେ ରାଜାଙ୍କୁ ଠକୁ ନ ଥିଲେ ଓ କଠିନ ପରିଶ୍ରମ କରୁଥିଲେ।

ଶେଷରେ ସେହି ଲୋକମାନେ କହିଲେ, “ଆମ୍ଭେମାନେ ଦାନିୟେଲଙ୍କ ବିଷୟରେ କୌଣସି ଦୋଷ ପାଇବା ନାହିଁ। ତେଣୁ ତାଙ୍କ ପରମେଶ୍ୱର ବ୍ୟବସ୍ଥା ସମ୍ବନ୍ଧରେ ଦୋଷ ଦେଖିବା।”

ତେଣୁ ଏହି ଲୋକମାନେ ରାଜାଙ୍କ ନିକଟକୁ ଗଲେ ଏବଂ କହିଲେ, “ହେ ରାଜ ଦାରିୟାବସ, ଆପଣ ଚିରଜୀବି ହୁଅନ୍ତୁ। ତଦାରଖକାରୀଗଣ, ରାଜପ୍ରତିନିଧିଗଣ, ସୁବେଦାରଗଣ ଓ ମନ୍ତ୍ରୀଗଣ ସମସ୍ତେ ଅଜଣା ଭାବରେ ରାଜି ହେଲେ ଯେ, ଏକ ରାଜକୀୟ ଘୋଷଣା ପତ୍ର ହେବା ଉଚିତ୍। ଯଦି କେହି ତିରିଶ୍ ଦିନ ପର୍ଯ୍ୟନ୍ତ ମହାରାଜା ବିନା କୌଣସି ଦେବତା ବା ମନୁଷ୍ୟ ନିକଟରେ ପ୍ରାର୍ଥନା କରିବ, ତେବେ ତାକୁ ସିଂହର ଗୁମ୍ଫାକୁ ଫିଙ୍ଗାଯିବ। ଏବେ ହେ ମହାରାଜା, ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ଏହି ନିଷେଧ ବିଧି ଯେପରି ପରିବର୍ତ୍ତିତ ନ ହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲେଖାରେ ସ୍ୱାକ୍ଷର କରନ୍ତୁ।” ତେଣୁ ରାଜା ଦାରିୟାବସ ସେହି ଲେଖା ଓ ନିଷେଧ ସ୍ୱାକ୍ଷର କଲା।

10 ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ। ଯେତେବେଳେ ନୂତନ ବିଧି ବିଷୟରେ ଲେଖା ସ୍ୱାକ୍ଷାରିତ ହୋଇଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କୋଠରୀର ଝରକା ଯିରୁଶାଲମ ଆଡ଼େ ମେଲା ଥିଲା। ସେ ପୂର୍ବପରି ଆଣ୍ଠୁମାଡ଼ି ଦିନ ମଧ୍ୟରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କୁ ଧନ୍ୟବାଦ ପ୍ରଦାନ କଲେ।

11 ତା’ପରେ ସେହି ଲୋକମାନେ ଏକତ୍ରିତ ହୋଇ ଦାନିୟେଲ ନିକଟକୁ ଗଲେ ଓ ତାଙ୍କୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ନିବେଦନ କରୁଥିବାର ଦେଖିଲେ। 12 ତେଣୁ ସେମାନେ ରାଜାଙ୍କ ପାଖକୁ ଗଲେ ଓ ରାଜକୀୟ ବିଧି ବିଷୟରେ ତାଙ୍କୁ ମନେ ପକାଇ ଦେଲେ। ସେମାନେ କହିଲେ, “ହେ ମହାରାଜା, ଯେକୌଣସି ଲୋକ ତିରିଶ୍ ଦିନ ମଧ୍ୟରେ ଆପଣଙ୍କ ବିନା କୌଣସି ଦେବତା କି ମନୁଷ୍ୟ ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ। ଏପରି ଏକ ନିଷେଧ ପତ୍ରରେ ଆପଣ ସ୍ୱାକ୍ଷର କରି ନାହାନ୍ତି କି?”

ରାଜା କହିଲେ, “ହଁ, ମୁଁ ସେ ନିଷେଧ ପତ୍ରରେ ସ୍ୱାକ୍ଷର କରିଛି।’ ଆଉ ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ତାହା ସ୍ଥିର ହୋଇଅଛି।”

13 ତା’ପରେ ସେମାନେ ରାଜାଙ୍କୁ ଉତ୍ତର ଦେଲେ, “ହେ ମହାରାଜ, ନିର୍ବାସିତ ଯିହୁଦୀ ସନ୍ତାନଗଣ ମଧ୍ୟରେ ଜଣେ ବ୍ୟକ୍ତି ଦାନିୟେଲ, ସେ ଆପଣଙ୍କୁ କି ଆପଣଙ୍କ ସ୍ୱାକ୍ଷରିତ ନିଷେଧ ପତ୍ରକୁ ମାନ୍ୟ କରେ ନାହିଁ। ସେ ଏବେ ମଧ୍ୟ ଦିନରେ ତିନିଥର ତା’ର ପରମେଶ୍ୱରକୁ ପ୍ରାର୍ଥନା କରୁଛି।”

14 ତହୁଁ ରାଜା ଦୁଃଖିତ ଓ ବିବ୍ରତ ହୋଇ ପଡ଼ିଲା। ସେ ଦାନିୟେଲକୁ ଉଦ୍ଧାର କରିବା ପାଇଁ ସ୍ଥିର କଲା। ଆଉ ତାହାକୁ ରକ୍ଷା କରିବା ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ଉପାୟ ଚିନ୍ତା କଲା। 15 ତା’ପରେ ସେହି ଲୋକମାନେ ଏକତ୍ରିତ ହୋଇ ରାଜାଙ୍କୁ କହିଲେ, “ହେ ମହାରାଜା, ଆପଣ ଜାଣନ୍ତୁ, ମାଦୀୟ ଓ ପାରସିକମାନଙ୍କର ଏପରି ଏକ ବ୍ୟବସ୍ଥା ଅଛି, ରାଜା କୌଣସି ନିଷେଧାଜ୍ଞା ବା ବିଧି ସ୍ଥାପନ କଲେ ତାହା କେବେ ପରିବର୍ତ୍ତିତ ହୁଏ ନାହିଁ।”

16 ତହୁଁ ରାଜାଙ୍କ ଆଦେଶରେ ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। କିନ୍ତୁ ରାଜା ଦାନିୟେଲଙ୍କୁ କହିଲେ, “ତୁମ୍ଭେ ଯେଉଁ ପରମେଶ୍ୱରଙ୍କର ଉପାସନା କରୁଛ, ସେ ତୁମ୍ଭକୁ ଉଦ୍ଧାର କରିବେ।” 17 ପୁଣି ଏକ ବଡ଼ ପଥର ଅଣାଯାଇ ଗର୍ତ୍ତ ମୁଖରେ ରଖାଗଲା। ପୁଣି ରାଜା ନିଜର ମୁଦ୍ରାରେ ଓ ନିଜ ଅମାତ୍ୟଗଣଙ୍କ ମୁଦ୍ରାରେ ତାହା ଅଙ୍କିତ କଲା। ଏହା କରାଗଲା କାରଣ ସେହି ଦାନିୟେଲଙ୍କୁ ଗର୍ତ୍ତରୁ ବାହାର କରିବାକୁ ପଥର ଘୁଞ୍ଚାଇବେ ନାହିଁ। 18 ତା’ପରେ ରାଜା ଆପଣା ପ୍ରାସାଦକୁ ଯାଇ ଉପବାସରେ ରାତ୍ରି ଯାପନ କଲେ। ଆଉ ବାଦ୍ୟଯନ୍ତ୍ର ବଜାଇ ତାଙ୍କ ଆଗକୁ ଆସିବାକୁ କାହାରିକୁ ଅନୁମତି ମିଳିଲା ନାହିଁ। ରାତ୍ରିସାରା ସେ ଉଜାଗର ରହିଲେ।

19 ପରଦିନ ପ୍ରଭାତରେ ରାଜା ସିଂହମାନଙ୍କ ଗୁମ୍ଫା ନିକଟରେ ତରବର ହୋଇ ପହଞ୍ଚିଲେ। 20 ଚିନ୍ତିତ ରାଜା ଦାନିୟେଲଙ୍କୁ ବିଳାପ ସ୍ୱରରେ ଡାକିଲା, “ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ପ୍ରତିଦିନ ଯେଉଁ ପରମେଶ୍ୱରଙ୍କୁ ସେବା କରୁଅଛ, ସେହି ପରମେଶ୍ୱର ତୁମ୍ଭକୁ ସିଂହମାନଙ୍କଠାରୁ ଉଦ୍ଧାର କରିଛନ୍ତି କି?”

21 ଦାନିୟେଲ ଉତ୍ତର କଲେ, “ହେ ରାଜା ଚିରଜୀବୀ ହୁଅନ୍ତୁ। 22 ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କର ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି। କାରଣ ମୋର ପ୍ରଭୁ ଜାଣନ୍ତି ମୁଁ ନିର୍ଦ୍ଦୋଷ। ଆଉ ମୁଁ ମହାରାଜାଙ୍କର କୌଣସି କ୍ଷତି କରି ନାହିଁ।”

23 ରାଜା ଦାରିୟାବସ ଅତ୍ୟନ୍ତ ଆନନ୍ଦିତ ହୋଇ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଦେଶ ଦେଲା। ଆଉ ଦାନିୟେଲ ସେହି ଗର୍ତ୍ତରୁ ଆସିଲେ, ତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନ ଥିଲା। କାରଣ ସେ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥିଲେ।

24 ତା’ପରେ ରାଜା ଦାନିୟେଲଙ୍କ ବିରୁଦ୍ଧରେ ଅଭିଯୋଗକାରୀଙ୍କୁ ଆଣିବାକୁ ଆଜ୍ଞା କଲା। ତେଣୁ ସେମାନଙ୍କର ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କ ସହିତ ସମସ୍ତଙ୍କୁ ଆଣି ସିଂହମାନଙ୍କ ଗୁମ୍ଫାରେ ନିକ୍ଷେପ କଲେ। ତଳେ ନ ପଡ଼ୁଣୁ ସିଂହମାନେ ସେମାନଙ୍କୁ ଭକ୍ଷ୍ୟଣ କରି ସେମାନଙ୍କର ଅସ୍ଥିଗୁଡ଼ିକୁ ଚର୍ବଣ କଲେ।

25 ସେତେବେଳେ ଦାରିୟାବସ ସମଗ୍ର ପୃଥିବୀବାସୀ, ସମସ୍ତ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନଙ୍କୁ ପତ୍ର ଲେଖିଲା।

ତୁମ୍ଭମାନଙ୍କ ପ୍ରତି ବାହୁଲ୍ୟରୂପରେ ଶାନ୍ତି ହେଉ।

26 “ମୁଁ ଆଦେଶ ଦେଲି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ୱରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍।

ସେ ଜୀବିତ ପରମେଶ୍ୱର
    ଓ ନିତ୍ୟସ୍ଥାୟୀ ଅଟନ୍ତି।
ତାଙ୍କର ରାଜ୍ୟ ଅବିନାଶୀ
    ଓ ତାଙ୍କର ପ୍ରଭୁତ୍ୱର ଅନ୍ତ ନାହିଁ।
27 ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି।
    ସେ ସ୍ୱର୍ଗରେ ଓ ପୃଥିବୀରେ ଅ‌‌ଦ୍‌‌ଭୂତ ଓ ଅଲୌକିକ କାର୍ଯ୍ୟ ସମ୍ପାଦନ କରନ୍ତି।
ସେ ଦାନିୟେଲଙ୍କୁ ସିଂହମାନଙ୍କଠାରୁ ଉଦ୍ଧାର କରିଅଛନ୍ତି।”

28 ଏହିରୂପେ ଦାନିୟେଲ ଦାରିୟାବସର ରାଜତ୍ୱ କାଳରେ ଓ ପାରସିକ କୋରସର ରାଜତ୍ୱକାଳରେ ସଫଳକାମୀ ହେଲେ।

ଯୋହନଙ୍କ ପ୍ରଥମ ପତ୍ର 2:12-17

12 ପ୍ରିୟ ପିଲାମାନେ, ତୁମ୍ଭମାନଙ୍କ ପାପ ଖ୍ରୀଷ୍ଟଙ୍କ ଦ୍ୱାରା କ୍ଷମା କରାଯାଇଥିବା କାରଣରୁ
    ମୁଁ ତୁମ୍ଭମାନଙ୍କୁ ଲେଖୁଛି।
13 ପିତାମାନେ!
    ଯେ ଆଦ୍ୟରୁ ଅଛନ୍ତି, ତୁମ୍ଭେମାନେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ଯୁବକମାନେ!
    ତୁମ୍ଭେମାନେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
14 ପିଲାମାନେ!
    ତୁମ୍ଭେମାନେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ପିତାମାନେ!
    ସେ ଆଦ୍ୟରୁ ଅଛନ୍ତି ବୋଲି ତୁମ୍ଭେମାନେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ଯୁବକମାନେ!
    ତୁମ୍ଭେମାନେ ବଳବାନ
ଏବଂ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି,
    ଓ ତୁମ୍ଭେମାନେ ସେହି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।

15 ତୁମ୍ଭେମାନେ ସଂସାରକୁ ବା ସେଥିରେ ଥିବା ବିଷୟ ଗୁଡ଼ିକୁ ଭଲ ପାଅ ନାହିଁ। ଯଦି କେହି ସଂସାରକୁ ଭଲ ପାଏ, ତେବେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। 16 ସଂସାରର ଏହି ବିଷୟ ଗୁଡ଼ିକ ମନ୍ଦ ଅଟେ। ଯଥା: ଆମ୍ଭର ପାପ ପ୍ରକୃତିକୁ ତୁଷ୍ଟ କରିବାକୁ ବିଭିନ୍ନ ଆକର୍ଷଣୀୟ ବିଷୟ ପାଇବାର ଇଚ୍ଛା; ଯେଉଁସବୁ ମନ୍ଦ ବିଷୟ ଆମ୍ଭର ଦୃଷ୍ଟିଗୋଚର ହୁଏ, ତାହା ପାଇବାର ଇଚ୍ଛା; ତଥା ଆମ୍ଭର ଯାହା ଅଛି, ତହିଁ ପାଇଁ ଗର୍ବ କରିବା। ଏ ସମସ୍ତ ବିଷୟ ପରମପିତାଙ୍କଠାରୁ ନୁହେଁ, ମାତ୍ର ଏହି ସଂସାରରୁ ଆସିଅଛି। 17 ସଂସାର କ୍ଷୟ ପାଉଅଛି। ଏଥିସହିତ ସଂସାରରେ ଥିବା ବିଷୟ ଗୁଡ଼ିକ ମଧ୍ୟ କ୍ଷୟ ପାଉଅଛି। ମାତ୍ର ଯେ କେହି ପରମେଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତକାଳ ଜୀବିତ ହୋଇ ରହିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center