Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 4:32-35

ବିଶ୍ୱାସୀମାନଙ୍କର ପରସ୍ପର ସହଭାଗିତା

32 ବିଶ୍ୱାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସେମାନଙ୍କ ମଧ୍ୟରୁ କେହି କୌଣସି ଜିନିଷକୁ ନିଜର ବୋଲି କହୁ ନ ଥିଲେ। ସେମାନଙ୍କ ପାଖରେ ଯାହା ଥିଲା, ସେଥିରେ ସମସ୍ତେ ଭାଗୀଦାର ଥିଲେ। 33 ପ୍ରଭୁ ଯୀଶୁ ଯେ ପ୍ରକୃତରେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ଏହା ପ୍ରେରିତମାନେ ମହାଶକ୍ତିର ସହିତ ସାକ୍ଷ୍ୟ ଦେଲେ। ପରମେଶ୍ୱର ସମସ୍ତ ବିଶ୍ୱାସୀଙ୍କୁ ବହୁତ ଆଶୀର୍ବାଦ କଲେ। 34 ସେମାନଙ୍କ ମଧ୍ୟରେ କାହାର କିଛି ଅଭାବ ନ ଥିଲା। ଯାହାର ଘର ବା ଜମି ଥିଲା, ସେ ତାହାକୁ ବିକ୍ରୀ କରି ଦେଉଥିଲା। 35 ସେମାନେ ସେହି ଧନ ପ୍ରେରିତମାନଙ୍କ ପାଦତଳେ ରଖି ଦେଉଥିଲେ। ପ୍ରତ୍ୟେକଙ୍କ ନିଜ ଆବଶ୍ୟକତା ଅନୁସାରେ ଟଙ୍କା ବଣ୍ଟାଗଲା।

ଗୀତସଂହିତା 133

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

133 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା
    ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।
ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ
    ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ।
    ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି।

ଯୋହନଙ୍କ ପ୍ରଥମ ପତ୍ର 1:1-2:2

ଆମ୍ଭେମାନେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା। ଆମ୍ଭେମାନେ ଏହା ଶୁଣିଲୁ, ଆମ୍ଭେମାନେ ଏହା ସ୍ୱଚକ୍ଷୁରେ ଦେଖିଲୁ, ଆମ୍ଭେମାନେ ଏହା ନିରୀକ୍ଷଣ କଲୁ ଏବଂ ଆମ୍ଭେମାନେ ନିଜ ହସ୍ତରେ ସ୍ପର୍ଶ କଲୁ। ଆମ୍ଭେମାନେ ସେହି “ବାକ୍ୟ” (ଖ୍ରୀଷ୍ଟଙ୍କ) ବିଷୟରେ ତୁମ୍ଭକୁ ଲେଖୁଛୁ, ଯାହା ଜୀବନ ଦାନ କରେ। ସେହି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କରେ ପ୍ରମାଣ ଦେଇପାରୁ। ବର୍ତ୍ତମାନ ଆମ୍ଭେ ସେହି ଜୀବନ ସମ୍ପର୍କରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ୱରଙ୍କ ସହିତ ଥିଲା। ପରମେଶ୍ୱର ସେହି ଜୀବନ ଆମ୍ଭକୁ ପ୍ରକାଶିତ କଲେ। ବର୍ତ୍ତମାନ ତୁମ୍ଭମାନଙ୍କୁ ସେହି ସମ୍ବନ୍ଧରେ କହିବୁ ଯାହା ଆମ୍ଭେମାନେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ୱାରା ତୁମ୍ଭେମାନେ ଆମ୍ଭର ସହଭାଗୀ ହୋଇପାରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ୟ ସହଭାଗୀ। ଆମ୍ଭମାନଙ୍କର ଆନନ୍ଦର ପରିପୂର୍ଣ୍ଣତା ପାଇଁ ଆମ୍ଭେ ଏସବୁ ତୁମ୍ଭମାନଙ୍କୁ ଲେଖୁଛୁ।

ପରମେଶ୍ୱର ଆମ୍ଭର ପାପ କ୍ଷମା କରନ୍ତି

ଆମ୍ଭେ ପରମେଶ୍ୱରଙ୍କଠାରୁ ଯେଉଁ ସତ୍ୟଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ୱର ଜ୍ୟୋତିଃସ୍ୱରୂପ। ଆଉ ତାହାଙ୍କଠାରେ ଆଦୌ ଅନ୍ଧକାର ନାହିଁ। ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ୱରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାରରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ୟାବାଦୀ ଓ ସତ୍ୟର ଅନୁସରଣ କରୁ ନାହୁଁ। ପରମେଶ୍ୱର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ୟ ଆଲୋକରେ ବାସ କରିବା ଉଚିତ୍। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତେବେ ଆମ୍ଭେ ପରସ୍ପର ସହଭାଗୀ ହୋଇପାରିବା। ଯଦି ଆମ୍ଭେମାନେ ଆଲୋକରେ ରହୁ, ତେବେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।

ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତେବେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠାରେ ସତ୍ୟ ନାହିଁ। ଯଦି ଆମ୍ଭେ ନିଜ ନିଜର ପାପ ସ୍ୱୀକାର କରୁ ତେବେ ପରମେଶ୍ୱର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ। 10 ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତେବେ ଆମ୍ଭେ ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରୁ ଏବଂ ତାହାଙ୍କ ସତ୍ୟଶିକ୍ଷା ଆମ୍ଭେମାନେ ଗ୍ରହଣ କରି ନାହୁଁ।

ଯୀଶୁ ଆମ୍ଭମାନଙ୍କର ସହାୟକ

ମୋର ପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭେମାନେ ପାପ ନ କର। କିନ୍ତୁ ଯଦି କେହି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ଯିଏ କି ଧାର୍ମିକ ଓ ଯିଏ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ସପକ୍ଷବାଦୀ; ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ୟ ସେ ବହିନିଅନ୍ତି।

ଯୋହନ ଲିଖିତ ସୁସମାଗ୍ଭର 20:19-31

ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ(A)

19 ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତା’ପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20 ଯୀଶୁ ଏ କଥା କହିବା ପରେ ଶିଷ୍ୟମାନଙ୍କୁ ତାହାଙ୍କ ହାତ ଗୋଡ଼ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଅତ୍ୟନ୍ତ ଖୁସୀ ହେଲେ।

21 ଯୀଶୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ। ମୋତେ ପରମପିତା ଯେପରି ପଠାଇଥିଲେ, ମୁଁ ସେହିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।” 22 ଯୀଶୁ ଏହି କଥା କହିବା ପରେ ଶିଷ୍ୟମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେ କହିଲେ, “ପବିତ୍ରଆତ୍ମାଙ୍କୁ ଗ୍ରହଣ କର। 23 ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତେବେ ସେମାନଙ୍କର ପାପ କ୍ଷମା କରାହେବ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତେବେ ସେମାନଙ୍କର ପାପ କ୍ଷମା କରାହେବ ନାହିଁ।”

ଥୋମାଙ୍କୁ ଯୀଶୁ ଦର୍ଶନ ଦେଲେ

24 ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା, ଯୀଶୁ ଆସିଲା ବେଳେ ଶିଷ୍ୟମାନଙ୍କ ସହିତ ନ ଥିଲା। ସେ ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲା। 25 ଅନ୍ୟ ଶିଷ୍ୟମାନେ ଥୋମାଙ୍କୁ କହିଲେ, “ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ।” ଥୋମା କହିଲେ, “ମୁଁ ତାହାଙ୍କ ହାତରେ କଣ୍ଟାଦାଗ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରିବି ନାହିଁ। ମୁଁ ମୋର ଆଙ୍ଗୁଠି ସେହି କଣ୍ଟାର ଦାଗରେ ନରଖିବା ଓ ତାହାଙ୍କ କକ୍ଷଦେଶରେ ମୋର ହାତ ନ ଦେବା ପର୍ଯ୍ୟନ୍ତ, ମୁଁ ବିଶ୍ୱାସ କରିବି ନାହିଁ।”

26 ଗୋଟିଏ ସପ୍ତାହ ପରେ ଶିଷ୍ୟମାନେ ପୁଣି ଘର ଭିତରେ ଥିଲେ। ଥୋମା ସେମାନଙ୍କ ସହିତ ଥିଲେ। କବାଟରେ ତାଲା ପଡ଼ିଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହେଲେ। ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 27 ତା’ପରେ ଯୀଶୁ ଥୋମାଙ୍କୁ କହିଲେ, “ଏଠାରେ ତୁମ୍ଭର ଅଙ୍ଗୁଳି ରଖ। ମୋ’ ହାତକୁ ଦେଖ। ମୋ’ କକ୍ଷଦେଶରେ ତୁମ୍ଭ ହାତ ରଖ। ଅବିଶ୍ୱାସ ନ କରି ବିଶ୍ୱାସ କର।”

28 ଥୋମା ଯୀଶୁଙ୍କୁ କହିଲେ, “ମୋର ପ୍ରଭୁ, ମୋର ପରମେଶ୍ୱର।”

29 ଯୀଶୁ ଥୋମାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରୁଛ। ମାତ୍ର ଯେଉଁ ଲୋକମାନେ ମୋତେ ନ ଦେଖି ବିଶ୍ୱାସ କରନ୍ତି, ସେମାନେ ପ୍ରକୃତରେ ଆଶୀର୍ବାଦର ଯୋଗ୍ୟ।”

ଯୋହନ ଏହି ବହି ଲେଖିବାର କାରଣ

30 ଯୀଶୁ ଅନେକଗୁଡ଼ିଏ ଅନ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟଗୁଡ଼ିକ କଲେ। ସେଗୁଡ଼ିକୁ ତାହାଙ୍କ ଶିଷ୍ୟମାନେ ଦେଖିଲେ। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ଏ ବହିରେ ଲେଖାଯାଇ ନାହିଁ, 31 କିନ୍ତୁ ଏହି ପୁସ୍ତକରେ ଏହିସବୁ ଲେଖା ହୋଇଛି ଯେପରି ତୁମ୍ଭେ ବିଶ୍ୱାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି ଓ ବିଶ୍ୱାସ କରି, ତୁମ୍ଭେମାନେ ତାହାଙ୍କ ନାମ ଦ୍ୱାରା ଜୀବନ ପ୍ରାପ୍ତ ହେବ, ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center