Revised Common Lectionary (Semicontinuous)
ପଞ୍ଚମ ପୁସ୍ତକ
(ଗୀତସଂହିତା 107-150)
107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
2 ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
3 ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।
17 କେତେକ ମୂର୍ଖ ହୋଇଗଲେ କାରଣ ସେମାନଙ୍କର ନିଜର ପାପ ଯୋଗୁଁ
ଏବଂ ସେମାନେ ଅଧର୍ମାଚରଣ କଲେ।
18 ସେହି ଲୋକମାନେ ବହୁତ ରୁଗ୍ଣ ଥିଲେ।
ଖାଦ୍ୟ ପରିତ୍ୟାଗ କରିଥିଲେ।
ସେମାନେ ପ୍ରାୟ ମୃତବତ୍ ରହିଥିଲେ।
19 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ
ଏବଂ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ମୁକ୍ତ କଲେ।
20 ପରମେଶ୍ୱର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ।
ଏବଂ ସେ ବିନାଶରୁ ସେମାନଙ୍କୁ ମୁକ୍ତ କଲେ।
21 ସଦାପ୍ରଭୁଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ କରୁଣା ନିମନ୍ତେ ଧନ୍ୟବାଦ କର
କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
22 ସେମାନେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରନ୍ତୁ
ଓ ଗାନ କରି ତାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।
ହାରୋଣଙ୍କ ମୃତ୍ୟୁ
22 ସମସ୍ତ ଇସ୍ରାଏଲର ଲୋକମାନେ କାଦେଶରୁ ହୋର ପର୍ବତକୁ ଯାତ୍ରା କଲେ। 23 ହୋର ପର୍ବତ ଇଦୋମ ଦେଶର ସୀମା ନିକଟରେ ଅବସ୍ଥିତ। ସେତେବେଳେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 24 “ହାରୋଣର ଏହା ମୃତ୍ୟୁ ସମୟ ଓ ସେ ତା’ର ପୂର୍ବପୁରୁଷଙ୍କ ନିକଟକୁ ଯିବ। ମୁଁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛ, ସେହି ଦେଶରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମୋ’ ବିରୁଦ୍ଧରେ ବିଦ୍ରୋହ କଲ।
25 “ତୁମ୍ଭେ ହାରୋଣଙ୍କୁ ଓ ତାହାର ପୁତ୍ର ଇଲିୟାସରକୁ ହୋର ପର୍ବତ ଉପରକୁ ନେଇଯାଅ। 26 ତୁମ୍ଭେ ହାରୋଣଠାରୁ ବସ୍ତ୍ର କାଢ଼ିନେବା ଉଚିତ୍ ଓ ତା’ର ପୁତ୍ର ଇଲିୟାସରକୁ ସେଗୁଡ଼ିକ ପିନ୍ଧାଇ ଦେବା ଉଚିତ୍। ସେ ପର୍ବତ ଉପରେ ମରିବ ଓ ତାଙ୍କର ପୂର୍ବପୁରୁଷଙ୍କ ନିକଟକୁ ଯିବ।”
27 ତହୁଁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମୋଶା, ହାରୋଣ ଓ ଇଲିୟାସର ଇସ୍ରାଏଲର ସମସ୍ତ ମଣ୍ତଳୀଙ୍କ ସମ୍ମୁଖରେ ହୋର ପର୍ବତକୁ ଉଠିଲେ। 28 ମୋଶା ହାରୋଣଙ୍କ ପବିତ୍ର ବସ୍ତ୍ର କାଢ଼ିଲେ ଓ ସେଗୁଡ଼ିକ ଇଲିୟାସରକୁ ପିନ୍ଧାଇଲେ। ତା’ପରେ ହାରୋଣ ପର୍ବତ ଉପରେ ମଲେ। ମୋଶା ଓ ଇଲିୟାସର ପର୍ବତରୁ ତଳକୁ ଓହ୍ଲାଇ ଆସିଲେ। 29 ଇସ୍ରାଏଲର ସମସ୍ତ ମଣ୍ତଳୀ ହାରୋଣଙ୍କ ମୃତ୍ୟୁ ଜାଣିଲେ। ତେଣୁ ପ୍ରତ୍ୟେକ ଇସ୍ରାଏଲୀୟ ତିରିଶ୍ ଦିନ ପର୍ଯ୍ୟନ୍ତ ହାରୋଣଙ୍କ ନିମନ୍ତେ ଶୋକ ଦିବସ ପାଳନ କଲେ।
ଯୀଶୁ ଓ ନୀକଦୀମ
3 ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଜଣେ ଫାରୂଶୀ ଥିଲେ। ସେ ଯିହୂଦୀମାନଙ୍କର ଜଣେ ମୁଖ୍ୟ ନେତା ଥିଲେ। 2 ସେ ଦିନେ ରାତ୍ରିରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, “ହେ ଗୁରୁ, ଆମ୍ଭେ ଜାଣିଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ୱରଙ୍କ ଦ୍ୱାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛ, ସେ ଗୁଡ଼ିକ ପରମେଶ୍ୱରଙ୍କ ସାହାଯ୍ୟ ନ ପାଇ କେହି କରି ପାରିବେ ନାହିଁ।”
3 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ପୁନର୍ବାର ଜନ୍ମ ନ ହୁଏ, ତେବେ ସେ ଲୋକ ପରମେଶ୍ୱରଙ୍କର ରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ।”
4 ନୀକଦୀମ ତାହାଙ୍କୁ କହିଲେ, “କିନ୍ତୁ ଯଦି କୌଣସି ବ୍ୟକ୍ତି ବୃଦ୍ଧ ହୋଇ ସାରିଛି, ତେବେ ସେ କିପରି ପୁନର୍ବାର ଜନ୍ମ ନେଇ ପାରିବ? ଜଣେ ଲୋକ କଦାପି ତା’ର ମାତାର ଗର୍ଭରେ ଆଉ ଥରେ ପ୍ରବେଶ କରି ପାରିବ ନାହିଁ। ତେଣୁ ଜଣେ ବ୍ୟକ୍ତି କଦାପି ଦ୍ୱିତୀୟ ଥର ଜନ୍ମ ଗ୍ରହଣ କରି ପାରିବ ନାହିଁ।”
5 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହୋଇ ନ ଥାଏ, ତେବେ ସେ କଦାପି ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରିବ ନାହିଁ। 6 ଜଣେ ଲୋକର ଶରୀର ତା’ର ପିତା-ମାତାଙ୍କଠାରୁ ଜନ୍ମ ନିଏ। କିନ୍ତୁ ଜଣେ ଲୋକର ଆତ୍ମିକ ଜୀବନ ଆତ୍ମାଙ୍କଠାରୁ ଜନ୍ମ ନିଏ। 7 ତେଣୁ ଆଶ୍ଚର୍ଯ୍ୟ ହୁଅ ନାହିଁ, କାରଣ ତୁମ୍ଭକୁ କହିଲି ଯେ, ‘ତୁମ୍ଭକୁ ନିଶ୍ଚୟ ପୁନର୍ବାର ଜନ୍ମ ହେବାକୁ ପଡ଼ିବ।’ 8 ପବନ ତା’ ଇଚ୍ଛା ଅନୁସାରେ ବହେ ଓ ନିଜ ଇଚ୍ଛାରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣି ନ ଥାଅ, ପବନ କେଉଁଠାରୁ ଆସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନେଇଥିବା ପ୍ରତ୍ୟେକ ଲୋକ ଠିକ୍ ସେହିପରି।”
9 ନୀକଦୀମ ପଗ୍ଭରିଲେ, “ଏସବୁ କିପରି ସମ୍ଭବ ହୋଇ ପାରିବ?”
10 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ପ୍ରଧାନ ଗୁରୁ, କିନ୍ତୁ ତୁମ୍ଭେ ଏସବୁ କଥା ବୁଝି ପାରୁ ନାହଁ? 11 ମୁଁ ତୁମ୍ଭକୁ ସତ୍ୟ କହୁଛି, ଆମ୍ଭେ ଯାହାସବୁ ଜାଣୁ ତାହା ସବୁ କହୁଛୁ, ଆମ୍ଭେ ଯାହା ଦେଖିଛୁ ତାହା ତୁମ୍ଭକୁ କହୁଛୁ, କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯାହା କହୁଛୁ, ତୁମ୍ଭେମାନେ ତାହା ଗ୍ରହଣ କରୁ ନାହଁ। 12 ମୁଁ ତୁମ୍ଭକୁ ଏ ସଂସାରର ବିଷୟ ସବୁ କହିଛି। କିନ୍ତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। ମୁଁ ଯଦି ତୁମ୍ଭକୁ ସ୍ୱର୍ଗ ବିଷୟରେ କହିବି, ତେବେ ନିଶ୍ଚିତ ଭାବେ ତୁମ୍ଭେ ବିଶ୍ୱାସ କରିବ ନାହିଁ। 13 ମନୁଷ୍ୟପୁତ୍ର [a] କେବଳ ସେହି ଜଣେ ଯିଏ ସ୍ୱର୍ଗରୁ ଆସିଛନ୍ତି, ଓ ସେ ହିଁ ଏକମାତ୍ର ଯିଏ ସ୍ୱର୍ଗକୁ ଯାଇଛନ୍ତି।
2010 by World Bible Translation Center