Revised Common Lectionary (Semicontinuous)
23 ଯେଉଁମାନେ ତାଙ୍କୁ ଉପାସନା କରୁଛ ସଦାପ୍ରଭୁଙ୍କର ଜୟଗାନ କର।
ହେ ଯାକୁବର ବଂଶଧରଗଣ, ସଦାପ୍ରଭୁଙ୍କୁ ପ୍ରଶଂସା ପ୍ରଦର୍ଶନ କର।
ଇସ୍ରାଏଲର ବଂଶଧରଗଣ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ ଦେଖାଅ।
24 କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ୟକ୍ତିମାନଙ୍କୁ ହିଁ ସାହାଯ୍ୟ କରନ୍ତି।
ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।
ସେ ସେମାନଙ୍କୁ ଘୃଣା କରନ୍ତି ନାହିଁ।
ଯଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାଯ୍ୟ ପ୍ରାର୍ଥନା କରନ୍ତି, ସେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖି ପାରିବେ ନାହିଁ।
25 ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜୟଗାନ କଲି ତାହା ତୁମ୍ଭ ପ୍ରେରଣାର ଫଳ।
ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମୋର ନୈବେଦ୍ୟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବି ଯାହା ମୁଁ ପ୍ରତିଜ୍ଞା କରିଛି।
26 ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ।
ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜୟଗାନ କର।
ତୁମ୍ଭର ହୃଦୟ ଚିରଦିନ ପାଇଁ ଜୀବନ୍ତ ରହୁ।
27 ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ।
ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।
28 କାରଣ ସେ ହେଉଛନ୍ତି ରାଜା।
ସେ ସବୁ ରାଜ୍ୟକୁ ଶାସନ କରନ୍ତି।
29 ବଳଶାଳୀ, ସ୍ୱାସ୍ଥ୍ୟବାନ୍ ଲୋକମାନେ ଭୋଜନ କରି
ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବେ।
ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ୟୁବରଣ କରିବେ
ଓ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ପରମେଶ୍ୱରଙ୍କ ସମ୍ମୁଖରେ ନତ ମସ୍ତକ ହେବେ।
30 ଏବଂ ଭବିଷ୍ୟତରେ ଆମ୍ଭର ବଂଶଧରମାନେ ସଦାପ୍ରଭୁଙ୍କ ସେବା କରିବେ।
ଲୋକମାନେ ଚିରଦିନ ତାଙ୍କର ଗୁଣଗାନ କରିବେ।
31 ପ୍ରତ୍ୟେକ ପିଢ଼ି ତା’ର ପିଲାମାନଙ୍କୁ ଧାର୍ମିକତା ବିଷୟ କହିବେ,
ଯାହାସବୁ ପରମେଶ୍ୱର କରିଛନ୍ତି।
ପରମେଶ୍ୱରଙ୍କର ଅବ୍ରାମଙ୍କ ସହିତ ଚୁକ୍ତି
15 ଏହିସବୁ ଘଟିଯିବା ପରେ ସଦାପ୍ରଭୁଙ୍କର ବାକ୍ୟ ଦର୍ଶନରେ ଅବ୍ରାମ ନିକଟକୁ ଆସିଲା। ଏହା କହି, “ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦେବି।”
2 କିନ୍ତୁ ଅବ୍ରାମ କହିଲେ, “ସଦାପ୍ରଭୁ ପରମେଶ୍ୱର, ମୋତେ ପୁରସ୍କାର ଦେଇ କ’ଣ ଭଲ ହେବ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମେସକର ମୋର ମୁଖ୍ୟ ସେବକ ଇଲିୟେଜର ମୋର ସମ୍ପତ୍ତି ଅଧିକାର କରିବ।” 3 ପୁଣି ଅବ୍ରାମ କହିଲେ, “ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ। ସେଥିପାଇଁ ମୋ’ ଗୃହର ଜଣେ ସଦସ୍ୟ ମୋର ଉତ୍ତରାଧିକାରୀ ହେବ।”
4 ତା’ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ଦେଖ ସେହି ଦାସଟି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ। ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ।”
5 ଏହା ପରେ ପରମେଶ୍ୱର ତାଙ୍କୁ ବାହାରକୁ ନେଲେ ଓ କହିଲେ, “ଊର୍ଦ୍ଧ୍ୱରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରି ପାରିବ।” ଏବଂ ସେ ମଧ୍ୟ କହିଲେ, “ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ୟକ ହେବେ।”
6 ଅବ୍ରାମ ସଦାପ୍ରଭୁଙ୍କୁ ବିଶ୍ୱାସ କଲେ ଏବଂ ପରମେଶ୍ୱର ତାଙ୍କର ବିଶ୍ୱାସକୁ ଧାର୍ମିକତାର କାର୍ଯ୍ୟ ବୋଲି ବିବେଚନା କଲେ।
12 ଯେତେବେଳେ ସୂର୍ଯ୍ୟାସ୍ତ ହେଉଥିଲା ଅବ୍ରାମ ଘୋର ନିଦ୍ରାରେ ଶୋଇ ପଡ଼ିଲେ ଏବଂ ହଠାତ୍ ତାଙ୍କ ଉପରକୁ ଏକ ଭୟଙ୍କର ଅନ୍ଧକାର ଆସିଲା ଓ ସେ ଆତଙ୍କିତ ହୋଇଗଲେ। 13 ତା’ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଏ ବିଷୟରେ ନିଶ୍ଚିତ ହୋଇ ପାରିବ, ତୁମ୍ଭର ବଂଶଧର ବିଦେଶରେ ପ୍ରବାସୀ ହେବେ ଏବଂ କ୍ରୀତଦାସ ହେବେ ଏବଂ 400 ବର୍ଷ ପର୍ଯ୍ୟନ୍ତ କ୍ଳେଶ ଭୋଗ କରିବେ। 14 କିନ୍ତୁ ଯେଉଁ ଜାତିମାନେ ସେମାନଙ୍କୁ କ୍ରୀତଦାସ କରିବେ ସେମାନଙ୍କର ମୁଁ ବିଗ୍ଭର କରିବି ଏବଂ ତାହାପରେ ପ୍ରଚୁର ଧନ ସହିତ ସେମାନେ ସ୍ୱାଧୀନ ହେବେ।
15 “ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତିରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହେବ ଏବଂ ତୁମ୍ଭେ ବହୁତ ବୃଦ୍ଧ ବୟସରେ କବର ପ୍ରାପ୍ତ ହେବ। 16 ପୁଣି ଏହି ଦେଶକୁ ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଫେରିବେ। କାରଣ ଯେଉଁ ଇମୋରୀୟମାନେ ଏଠାରେ ବାସ କରନ୍ତି, ସେମାନଙ୍କର ପାପ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ।”
17 ସୂର୍ଯ୍ୟାସ୍ତ ପରେ, ଯେତେବେଳେ ଏହା ଘୋର ଅନ୍ଧକାର ହେଲା, ଏକ ଧୂଆଁ ବାହାରୁଥିବା ପାତ୍ର ଏବଂ ଜ୍ୱଳନ୍ତ ମଶାଲ ହଠାତ୍ ଦେଖାଗଲା ଏବଂ ତାହା ଦୁଇ ଧାଡ଼ିରେ ଥିବା ମୃତ ପଶୁଗୁଡ଼ିକର ଖଣ୍ଡସବୁ ମଧ୍ୟଦେଇ ଗଲା।
18 ସେହି ଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, “ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦେଲି। ମିଶରୀୟ ନଦୀଠାରୁ ମହାନ ନଦୀ ଫରାତ୍ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦେଲି।
ପରମେଶ୍ୱର ମଣିଷମାନଙ୍କୁ ଧାର୍ମିକ କିପରି କରନ୍ତି?
21 କିନ୍ତୁ ବିନା ବ୍ୟବସ୍ଥାରେ ଲୋକମାନଙ୍କୁ ଧାର୍ମିକ କରିବା ପାଇଁ ପରମେଶ୍ୱରଙ୍କର ଗୋଟିଏ ନୂତନ ମାର୍ଗ ଅଛି। ସେ ଆମ୍ଭକୁ ସେହି ନୂତନ ପଥ ଦେଖାଇ ଦେଇଛନ୍ତି। ଏହି ନୂତନ ପଥ ବିଷୟରେ ବ୍ୟବସ୍ଥା ଓ ଭବିଷ୍ୟଦ୍ବକ୍ତା ଆମ୍ଭକୁ କହୁଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ପରମେଶ୍ୱର ଲୋକମାନଙ୍କୁ ଧାର୍ମିକ କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ୱର ଏହା କରନ୍ତି। ସବୁ ଲୋକେ ହେଉଛନ୍ତି ସମାନ। 23 ସମସ୍ତେ ପାପ କରିଛନ୍ତି ଓ ପରମେଶ୍ୱରଙ୍କ ମହିମା ପାଇବାରେ ଊଣା ପଡ଼ିଛନ୍ତି। 24 ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଲୋକେ ତାହାଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। ଏହା ବିନା ମୂଲ୍ୟର ଅନୁଗ୍ରହଦାନ ଅଟେ। ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପାପରୁ ମୁକ୍ତ ହୋଇ ଲୋକେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। 25 ଲୋକମାନଙ୍କୁ ବିଶ୍ୱାସ ଜରିଆରେ, ପାପରୁ କ୍ଷମା କରିବା ଉଦ୍ଦେଶ୍ୟରେ ପରମେଶ୍ୱର ଯୀଶୁଙ୍କୁ ପଥ ଭାବରେ ଦେଇଥିଲେ। ଯୀଶୁଙ୍କ ରକ୍ତ ବା ମୃତ୍ୟୁ ଦ୍ୱାରା ପରମେଶ୍ୱର କ୍ଷମା କରନ୍ତି। ଯୀଶୁଙ୍କୁ ଦେବା ଦ୍ୱାରା ଏହା ପ୍ରମାଣିତ କରେ ଯେ ପରମେଶ୍ୱର ସର୍ବଦା ନ୍ୟାୟ କରନ୍ତି। 26 ପୂର୍ବରୁ ପରମେଶ୍ୱର ଧୈର୍ଯ୍ୟ ଧରି ରହିଥିବା ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡ ନ ଦେଇ ଉଚିତ୍ କାର୍ଯ୍ୟ କରିଥିଲେ। ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ଏବେ ଯୀଶୁଙ୍କୁ ପଠାଇଲେ। ପରମେଶ୍ୱର ଯେ, ନିଜେ ନ୍ୟାୟବାନ ତାହା ଦେଖାଇବା ପାଇଁ ଯୀଶୁଙ୍କଠାରେ ବିଶ୍ୱାସ ରଖି ଥିବା ଯେକୌଣସି ଲୋକକୁ ଧାର୍ମିକ କଲେ।
27 ତା’ହେଲେ ଆମ୍ଭର ଗର୍ବ କରିବାର କିଛି ଅଛି କି? ନା! କାହିଁକି ନୁହେଁ? କାରଣ, ବିଶ୍ୱାସର ମାର୍ଗ ଦ୍ୱାରା ସମସ୍ତ ପ୍ରକାରର ଗର୍ବ କରିବା ବିଷୟକୁ ବାଦ୍ କରାଯାଇଛି। 28 ଏହାର କାରଣ ହେଲା ଜଣେ ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ ବରଂ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ଗଣିତ ହୁଏ। ଏ କଥାରେ ଆମ୍ଭେ ବିଶ୍ୱାସ କରୁ। 29 ପରମେଶ୍ୱର କେବଳ ଯିହୂଦୀମାନଙ୍କର ପରମେଶ୍ୱର ନୁହନ୍ତି। ଅଣଯିହୂଦୀମାନଙ୍କର ମଧ୍ୟ ସେ ପରମେଶ୍ୱର ଅଟନ୍ତି। 30 ପରମେଶ୍ୱର ହେଉଛନ୍ତି ମାତ୍ର ଜଣେ, ସେ ଯିହୂଦୀମାନଙ୍କୁ ସେମାନଙ୍କ ବିଶ୍ୱାସ ଆଧାରରେ ତାହାଙ୍କ ସହିତ ଧାର୍ମିକ କରିବେ। ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ସେ ଧାର୍ମିକ କରିବେ। 31 ଏଠାରେ ପ୍ରଶ୍ନ ଉଠେ ଯେ ଆମ୍ଭେ କ’ଣ ବିଶ୍ୱାସର ମାର୍ଗ ଅନୁସରଣ କରିବା ଦ୍ୱାରା ବ୍ୟବସ୍ଥାକୁ ନଷ୍ଟ କରୁଛୁ କି? ନା! ଏହା ସତ୍ୟ ନୁହେଁ। ବରଂ ବ୍ୟବସ୍ଥା ଆମ୍ଭଠାରୁ ଯାହା ଆଶାକରେ, ତାହା ହେବା ପାଇଁ ବିଶ୍ୱାସ ଆମ୍ଭକୁ ସୁଯୋଗ ପ୍ରଦାନ କରେ।
2010 by World Bible Translation Center