Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ।
103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
2 ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
3 ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
4 ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
5 ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
ଯୁବକ କରନ୍ତି।
6 ସଦାପ୍ରଭୁ ନ୍ୟାୟବାନ୍।
ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
7 ପରମେଶ୍ୱର ମୋଶାଙ୍କୁ ଆପଣା ପଥ
ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
8 ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।
9 ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ,
କିଅବା ସେ ଚିରଦିନ ପାଇଁ କ୍ରୋଧିତ ରହିବେ ନାହିଁ।
10 ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ।
କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦେଇ ନାହାନ୍ତି, ଯାହା ଆମ୍ଭେ ପାଇବା କଥା।
11 ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ
ସେହିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରେମ ମହାନ।
12 ପୂର୍ବରୁ ପଶ୍ଚିମ ଯେତେ ଦୂର, ପରମେଶ୍ୱର ଆମ୍ଭମାନଙ୍କଠାରୁ
ଆମ୍ଭମାନଙ୍କ ପାପ ସେତିକି ଦୂରେଇ ନେଇଛନ୍ତି।
13 ଯେପରି ଜଣେ ପିତା ତା’ର ସନ୍ତାନ ପ୍ରତି ପ୍ରେମ କରେ,
ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସେପରି ଦୟା କରନ୍ତି।
22 ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ୟର ସର୍ବତ୍ର,
ସମସ୍ତେ ତାଙ୍କର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।
God’s Love for Jerusalem
16 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ଯିରୁଶାଲମ ନିବାସୀଙ୍କ ଘୃଣ୍ୟ ବ୍ୟବହାରକୁ ତୁମ୍ଭେ ସେମାନଙ୍କୁ ଜଣାଅ। 3 ଏବଂ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଯିରୁଶାଲମକୁ ଏହି କଥା କହନ୍ତି, ତୁମ୍ଭର ଉତ୍ପତ୍ତି ଜନ୍ମସ୍ଥାନ କିଣାନୀୟ ଦେଶ ଅଟେ। ତୁମ୍ଭର ପିତା ଇମୋରୀୟ ଓ ମାତା ଜଣେ ହିତ୍ତୀୟା ଥିଲେ। 4 ହେ ଯିରୁଶାଲମ, ତୁମ୍ଭର ଜନ୍ମ ବିବରଣୀ ହେଲା, ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ନାଭି କଟା ହୋଇ ନ ଥିଲା। କିମ୍ବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳରେ ସ୍ନାନ କରାଯାଇ ନ ଥିଲା। ତୁମ୍ଭ ଶରୀରରେ ଲବଣ ଦିଆଯାଇ ନ ଥିଲା କିମ୍ବା ତୁମ୍ଭକୁ ପଟିରେ ଆବୃତ କରାଯାଇ ନ ଥିଲା। 5 ଏହିସବୁ କରିବା ପାଇଁ ସେଠାରେ କେହି ନ ଥିଲେ। ତୁମ୍ଭ ପ୍ରତି ଯତ୍ନ ନେବାକୁ କିମ୍ବା ଦୟା ଦେଖାଇବା ପାଇଁ କେହି ସେଠାରେ ନ ଥିଲେ। ତୁମ୍ଭର ପିତାମାତା ତୁମ୍ଭକୁ ମେଲା ପଡ଼ିଆରେ ଫୋପାଡ଼ି ଦେଇ ଯାଇଥିଲେ। ତୁମ୍ଭେ ଜନ୍ମ ହେଲାଠାରୁ ଘୃଣିତ ହେଲ।
6 “‘ସେତେବେଳେ ମୁଁ (ପରମେଶ୍ୱର) ତୁମ୍ଭ ପାଖ ଦେଇ ଗଲି। ମୁଁ ଲକ୍ଷ୍ୟ କଲି ତୁମ୍ଭେ ରକ୍ତରେ ଭିଜି ଯାଇଛ ତା’ପରେ ମୁଁ ତୁମ୍ଭକୁ କହିଲି, “ଜୀବିତ ରୁହ” ଯଦିଓ ତୁମ୍ଭେ ରକ୍ତରଞ୍ଜିତ ହୋଇଅଛ। ଯଦିଓ ତୁମ୍ଭେ ନିଜ ରକ୍ତରଞ୍ଜିତ ହୋଇଅଛ, ମୁଁ ତୁମ୍ଭକୁ କହିଲି, “ବଞ୍ଚ।” 7 ମୁଁ ତୁମ୍ଭକୁ ସେହି କ୍ଷେତ୍ରରେ ଉଦ୍ଭିଦ ପରି ବଢ଼ାଇଲି। ତହିଁରେ ତୁମ୍ଭେ ବୃଦ୍ଧି ପାଇ ଯୁବତୀ ହେଲ। ତୁମ୍ଭର ଋତୁସ୍ରାବ ହେଲା, ତୁମ୍ଭର ସ୍ତନଯୁଗଳ ସୁଢ଼ୋଳ ଓ ତୁମ୍ଭର କେଶ ଦୀର୍ଘ ହେଲା, କିନ୍ତୁ ତୁମ୍ଭେ ତଥାପି ବିବସନା ଓ ଉଲଗ୍ନ ଥିଲ। 8 ଏବଂ ମୁଁ ଯେତେବେଳେ ତୁମ୍ଭକୁ ଅନାଇଲି, ସେତେବେଳେ ଦେଖିଲି ତୁମ୍ଭେ ପ୍ରେମ କରିବା ପାଇଁ ରାଜି ହୋଇଯାଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପରେ ମୋର ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲି ଏବଂ ତୁମ୍ଭେ ମୋର ହେଲ।’” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି 9 “‘ତହୁଁ ମୁଁ ତୁମ୍ଭକୁ ଜଳରେ ସ୍ନାନ କରାଇଲି। ଆଉ ମୁଁ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ରକ୍ତ ଧୋଇ ଦେଲି ଓ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲି। 10 ପୁଣି ମୁଁ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲି। ଶିକୁଳ ଚର୍ମର ପାଦୁକା ପିନ୍ଧାଇଲି, ଶୁଭ୍ରରେଶମ ବସ୍ତ୍ରରେ ତୁମ୍ଭର କଟିବନ୍ଧନ କରାଇଲି ଓ ପଟ୍ଟ ବସ୍ତ୍ରରେ ବିଭୂଷିତା କଲି। 11 ଆହୁରି ମୁଁ ତୁମ୍ଭକୁ ଅଳଙ୍କାରରେ ଭୂଷିତା କଲି। ତୁମ୍ଭ ହସ୍ତରେ କଙ୍କଣ ଓ ଗଳାଦେଶରେ ହାର ଦେଲି। 12 ପୁଣି ମୁଁ ତୁମ୍ଭ ନାସିକାରେ ନୋଥ, କର୍ଣ୍ଣରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦେଲି। 13 ଏହିରୂପେ ତୁମ୍ଭେ ସୁନା ଓ ରୂପାରେ ବିଭୂଷିତା ହେଲ। ତୁମ୍ଭର ବସ୍ତ୍ର ଶୁଭ୍ରରେଶମ ଓ ପଟ୍ଟଦ୍ୱାରା ନିର୍ମିତ ଓ ଶିଳ୍ପ କର୍ମରେ ବିଚିତ୍ର ହେଲା। ତୁମ୍ଭେ ସରୁ ମଇଦା, ମଧୁ ଓ ତୈଳ ଭୋଜନ କଲ। ଆଉ ତୁମ୍ଭେ ପରମା ସୁନ୍ଦରୀ ହୋଇ ଅବଶେଷରେ ରାଣୀପଦ ଯୋଗ୍ୟ ହେଲ। 14 ମୁଁ ତୁମ୍ଭକୁ ଏପରି ସୌନ୍ଦର୍ଯ୍ୟରେ ମୋର ଐଶ୍ୱର୍ଯ୍ୟ ଦ୍ୱାରା ଏହାକୁ ବିମଣ୍ଡିତା କଲି ଯେ, ତୁମ୍ଭର ସୌନ୍ଦର୍ଯ୍ୟର ସୁଖ୍ୟାତି ନାନା ଦେଶରେ ବ୍ୟାପିଗଲା।’” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
3 ଅତଏବ ଯିହୂଦୀମାନଙ୍କଠାରେ କ’ଣ ଅଧିକ ଅଛି ଯାହା ଅନ୍ୟ ଲୋକମାନଙ୍କଠାରେ ନାହିଁ? ଅସୁନ୍ନତ ହେବାରେ କ’ଣ ବିଶେଷ ମୂଲ୍ୟ ଅଛି? 2 ହଁ ଯିହୂଦୀମାନଙ୍କଠାରେ ଅନେକ କିଛି ବିଶେଷ ବିଷୟ ଅଛି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହି ଯେ, ସେମାନଙ୍କୁ ସର୍ବପ୍ରଥମେ ପରମେଶ୍ୱର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ। 3 ଏହା ସତ୍ୟ ଯେ, କେତେକ ଯିହୂଦୀ ପରମେଶ୍ୱରଙ୍କର ବିଶ୍ୱସ୍ତ ନ ଥିଲେ। କିନ୍ତୁ ସେମାନଙ୍କ ଅବିଶ୍ୱସ୍ତତା କ’ଣ ପରମେଶ୍ୱରଙ୍କୁ ନିଜ ପ୍ରତିଜ୍ଞା ରଖିବାରେ ବାଧା ଦେବ? 4 କେବେ ନୁହେଁ। ଯଦି ପ୍ରତ୍ୟେକ ଲୋକ ଅସତ୍ ହୁଅନ୍ତି, ତେବେ ମଧ୍ୟ ପରମେଶ୍ୱର ସତ୍ୟ ହୋଇ ରହିବେ। ଶାସ୍ତ୍ରରେ ଲେଖା ଅଛି ଯେ:
“ତୁମ୍ଭେ ତୁମ୍ଭର କରୁଥିବା ବିଷୟ ଦ୍ୱାରା ଧାର୍ମିକ ବୋଲି ପ୍ରମାଣିତ ହେବ
ଓ ନ୍ୟାୟବିଗ୍ଭର ହେଲାବେଳେ ତୁମ୍ଭେ ବିଜୟଲାଭ କରିବ।” (A)
5 ଆମ୍ଭେ ଯେତେବେଳେ ଭୁଲ୍ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ୱର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ୱର ଯେତେବେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କ’ଣ ଆମ୍ଭେ କହି ପାରିବା ଯେ, ସେ ଅନ୍ୟାୟୀ? ମୁଁ କେତେକ ଲୋକଙ୍କ ଭାବିବାର ଢଙ୍ଗ ବିଷୟରେ କହୁଛି। 6 ନା! ଯଦି ପରମେଶ୍ୱର ଆମ୍ଭକୁ ଦଣ୍ଡ ଦେଇ ପାରିବେ ନାହିଁ, ତା’ହେଲେ ସେ ସଂସାରର ବିଗ୍ଭର କରି ପାରିବେ ନାହିଁ।
7 ଜଣେ ଲୋକ କହିପାରେ, “ଯେତେବେଳେ ମୁଁ ମିଛ କହେ ତାହା ପ୍ରକୃତରେ ପରମେଶ୍ୱରଙ୍କୁ ଅଧିକତର ମହିମା ପ୍ରଦାନକରେ, କାରଣ ମୋ’ ମିଛ, ପରମେଶ୍ୱରଙ୍କ ସତ୍ୟକୁ ପ୍ରକାଶ କରେ।” ସେଥିପାଇଁ ମୋତେ ପାପୀ ବୋଲି କାହିଁକି ବିଗ୍ଭର କରାଗଲା? 8 ଏହି ସମାନ କଥା କହିବା ହେଲା, “ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା’ ଦ୍ୱାରା ଭଲ ଆସିବ।” ଅନେକ ଲୋକ ଆମ୍ଭକୁ ସମାଲୋଚନା କରନ୍ତି ଓ ମିଛରେ କୁହନ୍ତି ଯେ ଆମ୍ଭେ ସେହି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସେମାନେ ଠିକ୍ ନୁହନ୍ତି ଓ ସେମାନଙ୍କୁ ଦଣ୍ଡ ଦେବା ଉଚିତ୍।
2010 by World Bible Translation Center