Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 6

ପ୍ରଧାନ ବାଦ୍ୟକର ଉଦ୍ଦେଶ୍ୟରେ ତାରଯୁକ୍ତ ଯନ୍ତ୍ରରେ ଶିମିନୀତ ସ୍ୱରରେ ଦାଉଦଙ୍କର ଗୀତ।

ହେ ସଦାପ୍ରଭୁ, ତୁମ୍ଭେ କ୍ରୋଧିତ ହୋଇ ମୋତେ ଦଣ୍ଡିତ କର ନାହିଁ।
    ତୁମ୍ଭେ ବିରକ୍ତ ହୋଇ ମୋତେ ଦଣ୍ଡ ଦିଅ ନାହିଁ।
ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
    ମୁଁ ରୁ‌‌ଗ୍‌‌ଣ ଓ ଦୁର୍ବଳ।
ମୋତେ ସୁସ୍ଥ କର
    କାରଣ ମୋର ଅସ୍ଥିସବୁ କମ୍ପିତ ହେଉଅଛି।
    ମୋର ସମଗ୍ର ଶରୀର କମ୍ପୁଅଛି।
ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମୋତେ ସୁସ୍ଥ କରିବ।
ହେ ସଦାପ୍ରଭୁ, ତୁମ୍ଭେ ଫେରି ଆସ ଓ ମୋତେ ପୁନର୍ବାର ଅଧିକ ବଳଶାଳୀ କର।
    ତୁମ୍ଭେ ଅତ୍ୟନ୍ତ କରୁଣାରେ ମୋତେ ଉଦ୍ଧାର କର।
ମୃତ ଲୋକମାନେ ତୁମ୍ଭକୁ ସେମାନଙ୍କର କବରରେ କେବେ ମନେ ପକାନ୍ତି ନାହିଁ।
    ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
    ସେଥିପାଇଁ ମୋତେ ରକ୍ଷା କର।

ହେ ସଦାପ୍ରଭୁ,
    ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ମୋର ବିଛଣା ମୋର ଲୁହରେ ଭିଜିଗଲା।
    ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
ମୋର ଶତ୍ରୁମାନେ ମୋତେ ବହୁତ ଦୁଃଖ ଦେଇଛନ୍ତି, ଯାହାକି ମୋତେ ବହୁତ ଦୁଃଖୀ କରିଛି।
    ବର୍ତ୍ତମାନ ମୋର ଚକ୍ଷୁଦ୍ୱୟ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।

ହେ ଅଧର୍ମୀ ଲୋକସବୁ, ମୋ’ ନିକଟରୁ ଦୂର ହୋଇଯାଅ।
    କାରଣ ସଦାପ୍ରଭୁ ମୋର କ୍ରନ୍ଦନ ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମୋର ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଛନ୍ତି।

10 ମୋର ସମସ୍ତ ଶତ୍ରୁମାନେ ଲଜ୍ଜିତ ଓ ବ୍ୟାକୁଳ ହେବେ।
    ଓ ସେମାନେ ସମସ୍ତେ ଲଜ୍ଜିତ ହୋଇ ଏ ସ୍ଥାନ ପରିତ୍ୟାଗ କରିବେ।

ବଂଶାବଳୀର ଦ୍ୱିତୀୟ ପୁସ୍ତକ 26:1-21

ଯିହୁଦାର ରାଜା ଉଷିୟ

26 ଏହା ପରେ ଯିହୁଦାର ଲୋକମାନେ ଉଷିୟଙ୍କୁ ଅମତ୍‌ସିୟଙ୍କ ସ୍ଥାନରେ ନୂତନ ରାଜା ହେବା ନିମନ୍ତେ ମନୋନୀତ କଲେ। ଅମତ୍‌ସିୟ ଊଷିୟଙ୍କ ପିତା ଥିଲେ ଉଷିୟ ଷୋହଳ ବର୍ଷ ବୟସ୍କ ହୋଇଥିବା ସମୟରେ ଏହିପରି ଘଟିଲା। ଊଷିୟ ପୁନର୍ବାର ଏଲତ୍‌ସହର ନିର୍ମାଣ କଲେ ଓ ଯିହୁଦାକୁ ତାହା ଫେରାଇ ଦେଲେ। ଅମତ୍‌ସିୟ ମୃତ୍ୟୁ ଭୋଗ କରିବା ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେବାପରେ ଉଷିୟ ଏହା କଲେ।

ଉଷିୟ ରାଜା ହେବା ସମୟରେ ଷୋହଳ ବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ବାଉନ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଯିଖଲିୟା। ଯିଖଲିୟା ଯିରୁଶାଲମରୁ ଆସିଥିଲେ। ଉଷିୟ ଏହିସବୁ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କଲେ। ସେ ତାଙ୍କର ପିତା ଅମତ୍‌ସିୟଙ୍କ ପରି ପରମେଶ୍ୱରଙ୍କୁ ମାନିଲେ। ଉଷିୟ ଯିଖରିୟଙ୍କ ଜୀବନକାଳ ମଧ୍ୟରେ ପରମେଶ୍ୱରଙ୍କର ଅନୁଗମନ କଲେ। ପରମେଶ୍ୱରଙ୍କୁ କିପରି ସମ୍ମାନ କରିବାକୁ ଓ ତାଙ୍କର ବାଧ୍ୟ ହେବାକୁ ହେବ, ତାହା ଯିଖରିୟ ଉଷିୟଙ୍କୁ ଶିକ୍ଷା ଦେଲେ। ଉଷିୟ ଯେତେବେଳେ ସଦାପ୍ରଭୁଙ୍କର ବାଧ୍ୟ ହେଲେ, ପରମେଶ୍ୱର ତାଙ୍କୁ ସଫଳତା ଦେଲେ।

ଉଷିୟ ପଲେଷ୍ଟୀୟ ଲୋକମାନଙ୍କ ବିରୁଦ୍ଧରେ ଗୋଟିଏ ଯୁଦ୍ଧ କଲେ। ସେ ଗାଥ୍, ଯ‌‌ବ୍‌‌ନିର ଓ ଅ‌ସ୍‌ଦୋଦ୍ ସହରର ଚତୁର୍ଦ୍ଦିଗରେ ଥିବା ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ଉଷିୟ ଅ‌ସ୍‌ଦୋଦ୍ ସହର ନିକଟରେ ଓ ଅନ୍ୟାନ୍ୟ ସ୍ଥାନରେ ପଲେଷ୍ଟୀୟ ଲୋକମାନଙ୍କ ମଧ୍ୟରେ ସହରମାନ ନିର୍ମାଣ କଲେ। ପରମେଶ୍ୱର ଉଷିୟଙ୍କୁ ପଲେଷ୍ଟୀୟ ଲୋକ, ଗୁର୍-ବାଲ୍ ସହରରେ ବାସ କରୁଥିବା ଆରବୀୟ ଓ ମିୟୂନିୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାରେ ସାହାଯ୍ୟ କଲେ। ଅମ୍ମୋନୀୟମାନେ ଉଷିୟଙ୍କୁ ରାଜକର ଦେଲେ। ମିଶରର ସୀମା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଉଷିୟଙ୍କ ନାମ ବିଖ୍ୟାତ ହୋଇ ଉଠିଲା, ସେ ବିଖ୍ୟାତ ହେଲେ, କାରଣ ସେ ଅତ୍ୟନ୍ତ ପରାକ୍ରମୀ ଥିଲେ।

ଉଷିୟ ଯିରୁଶାଲମର କୋଣସ୍ଥିତ ଦ୍ୱାର, ଉପତ୍ୟକା ଦ୍ୱାର ଓ ପ୍ରାଚୀର ବୁଲିଯାଇଥିବା ସ୍ଥାନରେ ଉଚ୍ଚ ଦୁର୍ଗମାନ ନିର୍ମାଣ କଲେ। ଉଷିୟ ସେହି ଦୁର୍ଗଗୁଡ଼ିକୁ ଦୃଢ଼ କଲେ। 10 ଉଷିୟ ମରୁଭୂମି ମଧ୍ୟରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ୟ, ସେ ଅନେକ କୂପ ଖୋଳିଲେ। ପାର୍ବତ୍ୟମୟ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ୟାଞ୍ଚଳ ଓ ଉତ୍ତମ ଶସ୍ୟ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନେବା ନିମନ୍ତେ ସେ ଲୋକମାନଙ୍କୁ ନିଯୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।

11 ଉଷିୟଙ୍କର ତାଲିମପ୍ରାପ୍ତ ସୈନିକମାନଙ୍କର ଏକ ସୈନ୍ୟଦଳ ଥିଲା। ସେହି ସୈନିକମାନେ ସଚିବ ଯିୟୂୟେଲ ଓ ପଦାଧିକାରୀ ମାସେୟଙ୍କ ଦ୍ୱାରା ବିଭିନ୍ନ ଦଳରେ ଭର୍ତ୍ତି କରାଯାଇ ଥିଲେ। ହାନାନୀୟ ସେମାନଙ୍କର ନେତା ଥିଲେ। ଯିୟୂୟେଲ୍ ଓ ମାସେୟ ସେହି ସୈନିକମାନଙ୍କୁ ଗଣନା କରୁଥିଲେ ଓ ବିଭିନ୍ନ ଦଳଭୁକ୍ତ କରୁଥିଲେ। ହାନାନୀୟ ରାଜାଙ୍କର ଜଣେ ପଦାଧିକାରୀ ଥିଲେ। 12 ସୈନିକମାନଙ୍କ ଉପରେ 2600 ଜଣ ନେତା ଥିଲେ। 13 ସେହି ନେତାମାନେ 307,500 ଜଣ ଲୋକଙ୍କର ଦାୟିତ୍ୱରେ ଥିଲେ, ଯେଉଁମାନେ ମହାପରାକ୍ରମ ସହ ଯୁଦ୍ଧ କରୁଥିଲେ। ସେହି ସୈନିକମାନେ ରାଜାଙ୍କୁ ଶତ୍ରୁ ବିରୁଦ୍ଧରେ ସାହାଯ୍ୟ କରୁଥିଲେ। 14 ଉଷିୟ ସୈନ୍ୟଦଳକୁ ଢାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟେଣୀ ପାଇଁ ପଥର ଦେଲେ। 15 ଯିରୁଶାଲମରେ ଉଷିୟ ଚତୁର ଲୋକମାନଙ୍କ ଦ୍ୱାରା ଉଦ୍ଭାବିତ ମେସିନ୍ ସବୁ ନିର୍ମାଣ କଲେ। ସେହି ମେସିନ୍ ଗୁଡ଼ିକ ଦୁର୍ଗ ଓ କୋଣସ୍ଥିତ ପ୍ରାଚୀର ଉପରେ ରଖାଗଲା। ସେହି ମେସିନ୍ ଗୁଡ଼ିକ ତୀର ଓ ପଥର କ୍ଷେପଣ କରିପାରୁ ଥିଲା। ଉଷିୟ ବିଖ୍ୟାତ ହୋଇ ଉଠିଲେ। ଦୂରଦୂରାନ୍ତର ସ୍ଥାନର ଲୋକମାନେ ସୁଦ୍ଧା ତାଙ୍କର ନାମ ଜାଣିଥିଲେ। ତାଙ୍କୁ ପ୍ରଚୁର ସାହାଯ୍ୟ ମିଳୁଥିଲା ଓ ସେ ଜଣେ ପରାକ୍ରମଶାଳୀ ରାଜା ହୋଇ ଉଠିଲେ।

16 କିନ୍ତୁ ଉଷିୟ ଯେତେବେଳେ ଶକ୍ତିଶାଳୀ ହୋଇ ଉଠିଲେ, ତାଙ୍କର ଗର୍ବ ତାଙ୍କର ବିନାଶର କାରଣ ହେଲା। ସେ ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହୋଇ ରହିଲେ ନାହିଁ। ସେ ସୁଗନ୍ଧିଧୂପର ବେଦି ଉପରେ ସୁଗନ୍ଧିଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। 17 ଅସରିୟ ଯାଜକ ଓ ସଦାପ୍ରଭୁଙ୍କ ସେବାକାର୍ଯ୍ୟ କରୁଥିବା ଅଶୀ ଜଣ ସାହସୀ ଯୁବକମାନେ ଉଷିୟଙ୍କ ପଛେ ପଛେ ମନ୍ଦିର ମଧ୍ୟକୁ ଗଲେ। 18 ସେମାନେ ଉଷିୟଙ୍କୁ କହିଲେ, ଯେ, ସେ ଭୁଲ୍ କାର୍ଯ୍ୟ କରୁଛନ୍ତି। ସେମାନେ ତାଙ୍କୁ କହିଲେ, “ଉଷିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ତୁମ୍ଭର କାର୍ଯ୍ୟ ନୁହେଁ। ଏହି କାର୍ଯ୍ୟ କରିବା ତୁମ୍ଭ ନିମନ୍ତେ ମଙ୍ଗଳ ଜନକ ନୁହେଁ। ଯାଜକ ଓ ହାରୋଣଙ୍କ ବଂଶଧରମାନେ କେବଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁଗନ୍ଧିଧୂପ ଜ୍ୱଳାନ୍ତି। ଏହି ଯାଜକମାନେ ସୁଗନ୍ଧିଧୂପ ଜ୍ୱଳାଇବାର ପବିତ୍ର ସେବାକାର୍ଯ୍ୟ ନିମନ୍ତେ ତାଲିମପ୍ରାପ୍ତ ହୋଇଛନ୍ତି। ଏହି ମହାପବିତ୍ର ସ୍ଥାନରୁ ବାହାରି ଯାଅ। ତୁମ୍ଭେ ବିଶ୍ୱସ୍ତ ହୋଇ ନାହଁ। ସଦାପ୍ରଭୁ ପରମେଶ୍ୱର ଏଥିନିମନ୍ତେ ତୁମ୍ଭକୁ ସମ୍ମାନିତ କରିବେ ନାହିଁ।”

19 କିନ୍ତୁ ଉଷିୟ କ୍ରୋଧାନ୍ୱିତ ହେଲେ। ସୁଗନ୍ଧିଧୂପ ଜଳାଇବା ନିମନ୍ତେ ସେ ତାଙ୍କ ହାତରେ ଏକ ପାତ୍ର ଧରିଥିଲେ। ଉଷିୟ ଯାଜକମାନଙ୍କ ଉପରେ କ୍ରୋଧ କରୁଥିବା ସମୟରେ ହିଁ କୁଷ୍ଠରୋଗ ତାଙ୍କର କପାଳରେ ପ୍ରକାଶ ପାଇଲା। ଏହା ସଦାପ୍ରଭୁଙ୍କ ମନ୍ଦିରରେ, ସୁଗନ୍ଧି ଧୂପର ଯଜ୍ଞବେଦି ନିକଟରେ ଯାଜକମାନଙ୍କ ସମ୍ମୁଖରେ ଘଟିଲା। 20 ପ୍ରଧାନ ଯାଜକ ଅସରିୟ ଓ ଅନ୍ୟ ସମସ୍ତ ଯାଜକମାନେ ଉଷିୟଙ୍କ ପ୍ରତି ଅନାଇଲେ। ସେମାନେ ତାଙ୍କ କପାଳରେ କୁଷ୍ଠରୋଗର ଚିହ୍ନ ଦେଖିବାକୁ ପାଇଲେ। ଏଣୁ ଯାଜକମାନେ ଅତିଶୀଘ୍ର ଉଷିୟଙ୍କୁ ବଳପୂର୍ବକ ମନ୍ଦିରରୁ ବାହାର କରିଦେଲେ। ଉଷିୟ ନିଜେ ତରତର ହୋଇ ବାହାରି ଗଲେ, କାରଣ ସଦାପ୍ରଭୁ ତାହାଙ୍କୁ ଦଣ୍ଡିତ କରିଥିଲେ। 21 ରାଜା ଉଷିୟ ଜଣେ କୁଷ୍ଠରୋଗଗ୍ରସ୍ତ। ସେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିବେ ନାହିଁ। ଉଷିୟଙ୍କ ପୁତ୍ର ଯୋଥମ୍ ରାଜାଙ୍କ ଗୃହକୁ ନିୟନ୍ତ୍ରଣ କଲେ ଓ ଲୋକମାନଙ୍କର ରାଜ୍ୟପାଳ ହେଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 3:1-10

ପିତର ଛୋଟା ଲୋକକୁ ସୁସ୍ଥ କଲେ

ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଗଲେ। ସେତେବେଳେ ଦିନ ତିନିଟା ହୋଇଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା। ସେମାନେ ଉପାସନା ମନ୍ଦିର ପରିସର ମଧ୍ୟରେ ଯାଉଥିବା ସମୟରେ ଜଣେ ଲୋକ ସେଠାରେ ଥିଲା। ସେ ଜନ୍ମରୁ ପଙ୍ଗୁ ହୋଇଥିବାରୁ ଗ୍ଭଲିପାରୁ ନ ଥିଲା। ସେମାନେ ତାହାକୁ ସବୁଦିନ ମନ୍ଦିରରୁ ‘ସୁନ୍ଦର ଫାଟକ’ ପାଖରେ ବସେଇ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା। ସେ ଯେତେବେଳେ ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ଯିବାର ଦେଖିଲା, ସେତେବେଳେ ସେ ସେମାନଙ୍କୁ ପଇସା ମାଗିଲା।

ଯୋହନ ଓ ପିତର ତା ଆଡ଼କୁ ଅନାଇ କହିଲେ, “ଆମ୍ଭ ଆଡ଼େ ଗ୍ଭହଁ।” ସେ କିଛି ପାଇବା ଆଶାରେ ସେମାନଙ୍କ ଆଡ଼େ ଦେଖିଲା। କିନ୍ତୁ ପିତର କହିଲେ, “ମୋ’ ପାଖରେ ସୁନା ବା ରୂପା ନାହିଁ, କିନ୍ତୁ ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଛି। ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉଠି ଗ୍ଭଲ।”

ଏହା କହି ପିତର ତା’ର ଡାହାଣ ହାତ ଧରି ଉଠେଇଲେ। ସଙ୍ଗେ ସଙ୍ଗେ ତା’ ଗୋଡ଼ ଓ ପାଦ ଶକ୍ତ ହୋଇଗଲା। ସେ ଡେଇଁ ପଡ଼ି ଗ୍ଭଲିବାକୁ ଆରମ୍ଭ କଲା ସେ ନାଚି ନାଚି ଈଶ୍ୱରଙ୍କୁ ପ୍ରଶଂସା କରି ସେମାନଙ୍କ ସହିତ ଉପାସନା ମନ୍ଦିରକୁ ଗଲା। ସମସ୍ତେ ତାହାକୁ ଗ୍ଭଲିବାର ଓ ଈଶ୍ୱରଙ୍କର ପ୍ରଶଂସା କରିବାର ଦେଖିଲେ। 10 ଲୋକମାନେ ତାହାକୁ ଚିହ୍ନି ପାରିଲେ ଯେ ଏ ସେହି ଲୋକ ଯିଏ କି ଉପାସନା ମନ୍ଦିରର ‘ସୁନ୍ଦର ଫାଟକ’ ପାଖରେ ବସି ଭିକ ମାଗୁଥିଲା। ସେମାନେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହା କିପରି ସମ୍ଭବ ହେଲା, ତାହା ସେମାନେ ବୁଝିପାରୁ ନ ଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center