Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ, ଏହି ଗୀତଟି ଈଶ୍ୱରଙ୍କ ମନ୍ଦିର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ।
30 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ।
ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ।
ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
2 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି
ଓ ତହିଁରେ ତୁମ୍ଭେ ମୋତେ ସୁସ୍ଥ କରିଅଛ।
3 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ।
ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ।
4 ହେ ପରମେଶ୍ୱରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର।
ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର।
5 ପରମେଶ୍ୱର କ୍ରୋଧିତ ହୁଅନ୍ତି।
ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”।
କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି।
ସାରା ରାତି ମୁଁ କାନ୍ଦୁଥିଲି।
ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି।
6 ମୁଁ ସେତେବେଳେ ନିରାପଦରେ ନିଶ୍ଚିତ ଥିଲି,
ମୁଁ ଭାବୁଥିଲି ମୋର କିଛି କ୍ଷତି ହେବ ନାହିଁ।
7 ହଁ, ସଦାପ୍ରଭୁ, ଯେତେବେଳେ ତୁମ୍ଭେ ମୋ’ ପ୍ରତି ଦୟା କଲ,
ମୁଁ ସେତେବେଳେ ଭାବିଲି, କେହି ମୋତେ ପରାସ୍ତ କରି ପାରିବେ ନାହିଁ।
କିନ୍ତୁ ତୁମ୍ଭେ ଯେତେବେଳେ ମୋ’ ପାଖରୁ ଦୂରେଇ ଗଲ,
ମୁଁ ସେତେବେଳେ ବ୍ୟାକୁଳ ହୋଇ ଭୟରେ ଥରି ଉଠିଲି।
8 ତେଣୁ ହେ ପରମେଶ୍ୱର,
ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି।
9 ମୁଁ କହିଲି, “ହେ ପ୍ରଭୁ କ’ଣ ଭଲ ହେବ ଯଦି ମୁଁ ମରିଯାଏ?
ମୁଁ କବର ଭିତରକୁ ଗଲେ କ’ଣ ଲାଭ?
ମୃତ ଲୋକମାନେ ସେହି ମାଟିର କବରରେ ଶୋଇ ରହନ୍ତି।
ସେମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
ସେମାନେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭେମାନେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
10 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ’ ପ୍ରତି କରୁଣା ପ୍ରଦର୍ଶନ କର।
ହେ ସଦାପ୍ରଭୁ ମୋର ସହାୟ ହୁଅ।”
11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ତୁମ୍ଭେ ମୋତେ ସାହାଯ୍ୟ କଲ।
ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ।
ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ।
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କେବେ ନୀରବରେ ବସି ରହିବି ନାହିଁ।
ତେଣୁ ସବୁବେଳେ କେହି ନା କେହି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।
21 “ଆଉ ଯଦି ଲୋକଟି ଦରିଦ୍ର ଓ ସେ ସମସ୍ତ ଦ୍ରବ୍ୟ ଦେବାକୁ ଅକ୍ଷମ, ତେବେ ସେ ନିଜର ପ୍ରାୟଶ୍ଚିତ ପାଇଁ ଦୋଳନୀୟ ନୈବେଦ୍ୟ ରୂପେ ଦୋଷାର୍ଥକ ବଳି ପାଇଁ ଗୋଟିଏ ମେଷବତ୍ସା ଓ ଶସ୍ୟ ନୈବେଦ୍ୟରୂପେ ଏକ ଐଫାର ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଳ ଆଣିବ। 22 ପୁଣି ସେହି ଦରିଦ୍ର ଲୋକର ପ୍ରାପ୍ତିର ସାଧ୍ୟ ଅନୁସାରେ ଦୁଇଟି କପୋତ କିମ୍ବା ଦୁଇଟି ପାରା ଆଣିବ। ଆଉ ସେଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ।
23 “ଆଉ ଅଷ୍ଟମ ଦିନରେ ସେହି ଲୋକ ସମସ୍ତ ଦ୍ରବ୍ୟ ଆଣି ସମାଗମ-ତମ୍ବୁ ଦ୍ୱାର ନିକଟରେ ଯାଜକ ପାଖକୁ ଆଣିବ। ଯାଜକ ସେହି ସମସ୍ତ ଜିନିଷ ସଦାପ୍ରଭୁଙ୍କ ସମ୍ମୁଖରେ ତା’ର ପ୍ରାୟଶ୍ଚିତ ପାଇଁ ଉତ୍ସର୍ଗ କରିବ ଓ ସେ ଶୁଚି ହେବ। 24 ତହୁଁ ଯାଜକ ଦୋଷାର୍ଥକ ବଳିର ମେଷବତ୍ସ ଓ ସେହି ଏକ ଲୋଗ୍ ତୈଳ ନେବ। ତା’ପରେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ତାହା ଦୋଳନ କରିବ। 25 ତା’ପରେ ଯାଜକ ସେହି ଦୋଷାର୍ଥକ ବଳି ପାଇଁ ଉର୍ଦ୍ଦିଷ୍ଟ ମେଷବତ୍ସ ବଧ କରିବ। ଆଉ ସେଥିରୁ କିଛି ରକ୍ତ ନେଇ ଯାଜକ ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ। 26 ଆଉ ମଧ୍ୟ ଯାଜକ ସେହି ତୈଳରୁ କିଛି ନେଇ ନିଜ ବାମହସ୍ତ ପାପୁଲିରେ ଢାଳିବ। 27 ଆଉ ଯାଜକ ନିଜର ଦକ୍ଷିଣ ଅଙ୍ଗୁଳି ଦ୍ୱାରା ସେହି ବାମ ହସ୍ତସ୍ଥିତ ତୈଳରୁ କିଛି ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସାତଥର ଛିଞ୍ଚିବ। 28 ଆଉ ମଧ୍ୟ ଯାଜକ ଆପଣା ହସ୍ତସ୍ଥିତ ତୈଳ ନେଇ ସେହି ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ, ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦ ବୃଦ୍ଧାଙ୍ଗୁଳିରେ ଦୋଷାର୍ଥକ ବଳିର ରକ୍ତ ଲାଗିଥିବା ସ୍ଥାନରେ ଲଗାଇବ। 29 ପୁଣି ଯାଜକ ଶୋଧନୀୟ ଲୋକ ପାଇଁ ପ୍ରାୟଶ୍ଚିତ କରିବାକୁ ନିଜ ହସ୍ତସ୍ଥିତ ଅବଶିଷ୍ଟ ତୈଳ ତାହାର ମସ୍ତକରେ ଲଗାଇବ।
30 “ପୁଣି ସେ ତା’ର ପ୍ରାପ୍ତିର ସାଧ୍ୟ ଅନୁସାରେ ସେ ଦୁଇ କପୋତ ବା ଦୁଇ ପାରା ଛୁଆ ମଧ୍ୟରୁ ଗୋଟିଏ ଉତ୍ସର୍ଗ କରିବ। 31 ତାହାର ପ୍ରାପ୍ତିର ସାଧ୍ୟ ଅନୁସାରେ ଶସ୍ୟ ନୈବେଦ୍ୟ ସହିତ ଗୋଟିଏ ପାପାର୍ଥକ ବଳିରୂପେ ଓ ଅନ୍ୟଟି ହୋମବଳି ରୂପେ ଉତ୍ସର୍ଗ କରିବ। ପୁଣି ଯାଜକ ଶୋଧନୀୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ କରିବ। ଫଳରେ ଲୋକଟି ଶୁଚି ହେବ।”
32 ଯେଉଁ କୁଷ୍ଠରୋଗର ଘା’ଯୁକ୍ତ ଲୋକ ନିଜ ଶୌଚ ସମ୍ବନ୍ଧୀୟ ଦ୍ରବ୍ୟ ପାଇବାକୁ ଅସମର୍ଥ, ତାହା ପାଇଁ ଏହି ବ୍ୟବସ୍ଥା ଅଟେ।
ଜଣେ ସ୍ତ୍ରୀଲୋକ ଏକ ବିଶେଷ କାର୍ଯ୍ୟ କଲେ(A)
6 ଯୀଶୁ ବେଥନୀୟାରେ ଥିଲେ। ସେ କୁଷ୍ଠରୋଗୀ ଶିମୋନର ଘରେ ରହିଥିଲେ। 7 ଯୀଶୁ ସେଠାରେ ଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖରେ ଆସି ପହଞ୍ଚିଲା। ସେ ଗୋଟିଏ ପାତ୍ରରେ ବହୁ ମୂଲ୍ୟବାନ୍ ସୁଗନ୍ଧିତ ଅତର ଆଣିଥିଲା। ସେ ଅତରତକ ଯୀଶୁଙ୍କ ମୁଣ୍ତ ଉପରେ ଢାଳି ଦେଲା’ ସେତେବେଳେ ଯୀଶୁ ଖାଉଥିଲେ।
8 ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଅତ୍ୟନ୍ତ ରାଗିଗଲେ। ସେମାନେ କହିଲେ, “ଏତେ ଅପବ୍ୟୟ କାହିଁକି? 9 ଏ ଅତରତକ ଅନେକ ଟଙ୍କାରେ ବିକାଯାଇ ସେଥିରୁ ମିଳିବା ଟଙ୍କା ଗରିବମାନଙ୍କ ମଧ୍ୟରେ ବଣ୍ଟା ଯାଇ ପାରିଥା’ନ୍ତା।”
10 ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, “କାହିଁକି ବୃଥାରେ ଏହି ସ୍ତ୍ରୀଲୋକକୁ ହଇରାଣ କରୁଛ? ସେ ମୋ’ ପାଇଁ ଗୋଟିଏ ବହୁତ ଭଲ କାମ କରିଛି। 11 ଗରିବମାନେ ତ ସବୁବେଳେ ତୁମ୍ଭ ସହିତ ଅଛନ୍ତି। [a] କିନ୍ତୁ ତୁମ୍ଭେ ମୋତେ ସବୁବେଳେ ପାଇବ ନାହିଁ। 12 ଏହି ସ୍ତ୍ରୀଲୋକ ମୋ’ ଦେହରେ ଅତର ଢାଳିଛି। ମୋର ସମାଧି ନିମନ୍ତେ ମୋତେ ପ୍ରସ୍ତୁତ କରିବା ପାଇଁ ସେ ଏହା କରିଛି, 13 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ଜଗତରେ ସର୍ବତ୍ର ଲୋକମାନଙ୍କ ମଧ୍ୟରେ ସୁସମାଗ୍ଭର ଘୋଷଣା କରାଯିବ। ତା’ ସହିତ ଏ ସ୍ତ୍ରୀଲୋକଟି କ’ଣ କରିଥିଲା, ସେ ବିଷୟ ମଧ୍ୟ ଘୋଷଣା କରାଯିବ, ଲୋକମାନେ ତାକୁ ମନେ ରଖିବେ।”
2010 by World Bible Translation Center