Revised Common Lectionary (Semicontinuous)
5 ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର।
କାରଣ ତାଙ୍କଠାରୁ ମୋର ଆଶା ଆସେ।
6 ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
7 ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ।
ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।
8 ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର।
ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ।
ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ।
9 ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ।
ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ।
ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି,
ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରାତ୍ମ୍ୟରେ ଭରସା କର ନାହିଁ।
ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ,
ଏବଂ ଯଦି ତୁମ୍ଭେ ଧନୀ ହେଲେ
ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।
11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି:
“ପରମେଶ୍ୱର ବଳବାନ୍ ଅଟନ୍ତି।”
12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ।
ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।
ଭଗ୍ନ ପାତ୍ର
19 ସଦାପ୍ରଭୁ ମୋତେ କହିଲେ, “ଯାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।” 2 ଆଉ ଲୋକମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ଯାଜକଗଣଙ୍କୁ ନିଅ, ଏବଂ ସେମାନଙ୍କୁ ନେଇ ହାର୍ଶିତ୍ ଫାଟକ ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରିଯାଅ। ଆଉ ଆମ୍ଭେ ତୁମ୍ଭକୁ ଯାହା କହିବା, ତୁମ୍ଭେ ସେହି ସ୍ଥାନରେ ପ୍ରଗ୍ଭର କର। 3 ଆଉ କୁହ, ‘ହେ ଯିହୁଦାର ରାଜାଗଣ ଓ ଯିରୁଶାଲମ ନିବାସୀମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନକୁ ଦୁର୍ଦ୍ଦଶା ଆଣୁଅଛୁ। ତାହା ଯିଏ ଶୁଣିବ ସେ ଭୟରେ ଶିହରି ଉଠିବ। 4 କାରଣ ଯିହୁଦାବାସୀମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି। ସେମାନେ ଏହି ସ୍ଥାନକୁ ପରଦେଶୀୟ ଦେବଗଣରେ ପରିପୂର୍ଣ୍ଣ କରିଛନ୍ତି। ସେମାନେ ପୂର୍ବରୁ ପୂଜା କରୁ ନ ଥିବା ଦେବଗଣଙ୍କ ନିକଟରେ ଧୂପ ଜଳାଇଛନ୍ତି। ସେମାନଙ୍କର ପୂର୍ବପୁରୁଷଗଣ ଓ ଯିହୁଦାର ରାଜାଗଣ ଯେଉଁ ଦେବଗଣଙ୍କୁ ଜାଣି ନ ଥିଲେ ସେହିମାନଙ୍କୁ ସେମାନେ ଅନୁସରଣ କରୁଛନ୍ତି। ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି। 5 ଯିହୁଦାର ରାଜାଗଣ ବାଲ୍ଦେବ ଉଦ୍ଦେଶ୍ୟରେ ଉଚ୍ଚସ୍ଥଳୀ ନିର୍ମାଣ କରିଛନ୍ତି। ସେମାନେ ନିଜର ସନ୍ତାନଗଣଙ୍କୁ ବାଲ୍ଦେବ ଉଦ୍ଦେଶ୍ୟରେ ହୋମବଳି ରୂପେ ଉତ୍ସର୍ଗ କରିଅଛନ୍ତି। ଆମ୍ଭେ କିନ୍ତୁ ସେମାନଙ୍କୁ ଏହା କହିବାକୁ ଆଦେଶ କରି ନାହୁଁ କି କହି ନାହୁଁ ଓ ଆମ୍ଭ ମନରେ ଏହା ଉଦୟ ହୋଇ ନାହିଁ। 6 ଏଣୁ ସଦାପ୍ରଭୁ କହନ୍ତି, ଦେଖ, ଏହିସ୍ଥାନ ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି। 7 ପୁଣି ସେହି ସ୍ଥାନରେ ଆମ୍ଭେ ଯିହୁଦାର ଓ ଯିରୁଶାଲମର ସମସ୍ତ ସାଜସଜ୍ଜା ବ୍ୟର୍ଥ କରିବା। ତା’ପରେ ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କର ଖଡ଼୍ଗରେ ଧ୍ୱଂସ ହେବାକୁ ଆମ୍ଭେ ଦେବା। ଆମ୍ଭେ ସେମାନଙ୍କର ଶବକୁ ପକ୍ଷୀମାନଙ୍କୁ ଓ ପଶୁମାନଙ୍କୁ ଖାଦ୍ୟ ରୂପେ ଦେବା। 8 ଆମ୍ଭେ ଏହି ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା। ଯେତେବେଳେ ଲୋକମାନେ ଯିରୁଶାଲମ ଦେଇ ଯିବେ, ସେମାନେ ଯାହା ଦେଖିବେ ସେଥିରେ ଆଘାତ ପାଇବେ। ଯେତେବେଳେ ସେମାନେ ଧ୍ୱସ୍ତ ନଗରୀକୁ ଦେଖିବେ, ସେମାନେ ଆତଙ୍କିତ ହେବେ ଓ ବୀଭିଷିକା ପ୍ରକାଶ କରିବା ପାଇଁ ଶୀସ୍ ଶବ୍ଦ କରିବେ। 9 ଶତ୍ରୁଗଣ ସେମାନଙ୍କ ନଗରକୁ ଅବରୋଧ କରିବେ ଓ ସେମାନଙ୍କୁ ଖାଦ୍ୟ ପାଇଁ ବାହାରକୁ ଯିବାକୁ ଦେବେ ନାହିଁ। ତେଣୁ ଲୋକମାନେ ଉପବାସରେ ରହିବେ ଓ କ୍ଷୁଧାରେ ଆତୁର ହୋଇ ସଙ୍କଟ ସମୟରେ ପୁତ୍ରକନ୍ୟାର ମାଂସ ଭୋଜନ କରିବେ। ଆଉ ମଧ୍ୟ ଶେଷରେ ପରସ୍ପରକୁ ଭୋଜନ କରିବେ।’
10 “ହେ ଯିରିମିୟ, ତୁମ୍ଭେ ଲୋକମାନଙ୍କୁ ଏହି କଥା କହିବ। ସେମାନେ ଲକ୍ଷ୍ୟ କଲାବେଳେ ସେମାନଙ୍କର ସାକ୍ଷାତରେ ଏହି ପାତ୍ରକୁ ଭାଙ୍ଗିବ। 11 ସେହି ସମୟରେ ସେମାନଙ୍କୁ କହିବ, ‘ସୈନ୍ୟାଧିପତି ସଦାପ୍ରଭୁ ଏହିକଥା କହନ୍ତି, ଯେପରି କେହି ଏହି ମାଟିପାତ୍ର ଭାଙ୍ଗିଲେ ତାହା ଆଉ ଯୋଡ଼ା ହୁଏ ନାହିଁ। ସେହିପରି ଆମ୍ଭେ ଯିହୁଦାକୁ ଭାଙ୍ଗି ପକାଇବା। ମୃତ ଲୋକମାନଙ୍କ କବରମାନ ମିଳିବ ନାହିଁ। ସେମାନେ ସମସ୍ତେ ତୋଫତ୍ରେ କବର ନେବେ।’ 12 ସଦାପ୍ରଭୁ କହନ୍ତି ‘ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା। ଆମ୍ଭେ ଏହି ନଗରକୁ ତୋଫତ୍ ତୁଲ୍ୟ କରିବା। 13 ଯିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜପ୍ରାସାଦଗୁଡ଼ିକ ତୋଫତ୍ ତୁଲ୍ୟ “ଅଶୁଚି” ସ୍ଥାନ ହେବ। କାରଣ ସେମାନେ ଆକାଶମଣ୍ଡଳସ୍ଥ ଅତିଥି [a] ଉଦ୍ଦେଶ୍ୟରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରିଅଛନ୍ତି।’”
14 ତା’ପରେ ଯିରିମିୟ ତୋଫତ୍ର ସେହି ସ୍ଥାନରୁ ଆସିଲେ। ଯେଉଁଠାକୁ ସଦାପ୍ରଭୁ ତାଙ୍କୁ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରିବା ପାଇଁ ପଠାଇଥିଲେ ଏବଂ ସଦାପ୍ରଭୁଙ୍କ ମନ୍ଦିର ଅଗଣାରେ ଛିଡ଼ା ହୋଇଥିବା ସମସ୍ତଙ୍କୁ ଏହା କହିଥିଲେ। 15 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେଉଁ ଦଣ୍ଡାଜ୍ଞା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା କାରଣ ସେମାନେ ମୋର ବାକ୍ୟ ନ ମାନି ଅବାଧ୍ୟ ହୋଇଅଛନ୍ତି।’”
11 “ଏହି ଜଗତର ବ୍ୟବସାୟୀମାନେ ତା’ ପାଇଁ ବିଳାପ ଓ ଦୁଃଖ କରିବେ। ସେମାନେ ଦୁଃଖ ଅନୁଭବ କରିବେ, କାରଣ ସେମାନଙ୍କର ବାଣିଜ୍ୟଦ୍ରବ୍ୟ ଏହା ପରେ କେହି କିଣିବେ ନାହିଁ। 12 ସେମାନେ ସୁନା, ରୂପା, ମୂଲ୍ୟବାନ ପଥର, ମୁକ୍ତା, ସୂକ୍ଷ୍ମ ରେଶମବସ୍ତ୍ର, ବାଇଗଣି ରଙ୍ଗର ବସ୍ତ୍ର; ରେଶମୀ ଓ ଲାଲ ବସ୍ତ୍ର; ପ୍ରତ୍ୟେକ ପ୍ରକାରର ଚନ୍ଦନ ଆଦି ସୁବାସିତ କାଠ ଜିନିଷ; ହାତୀ ଦାନ୍ତର ପଦାର୍ଥମାନ, ମୂଲ୍ୟବାନ୍ କାଠ, ପିତ୍ତଳ, ଲୌହ ଓ ମର୍ମର ପଥରରେ ନିର୍ମିତ ଶିଳ୍ପଦ୍ରବ୍ୟ; 13 ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ୟ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜୀ ପଶୁ, ମେଷ, ଘୋଡ଼ା, ରଥ, ଏବଂ ମନୁଷ୍ୟମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ତେଣୁ ବ୍ୟବସାୟୀମାନେ କାନ୍ଦିବେ ଓ କହିବେ:
14 ‘ହେ ବାବିଲ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଗ୍ଭହୁଁଥିଲ,
ସେସବୁ ତୁମ୍ଭଠାରୁ ଗ୍ଭଲିଯାଇଛି।
ତୁମ୍ଭର ସବୁ ସୌଖିନ ଓ ମନୋହରୀ ଦ୍ରବ୍ୟମାନ ତୁମ୍ଭଠାରୁ ଉଭେଇ ଯାଇଛି।
ତୁମ୍ଭେ ସେସବୁ ଆଉ କେବେ ପାଇବ ନାହିଁ।’
15 “ବ୍ୟବସାୟୀମାନେ ତା’ର ଦୁଃଖ ଯନ୍ତ୍ରଣା ଦେଖି ଭୟ କରିବେ ଓ ତା’ଠାରୁ ବହୁ ଦୂରରେ ଠିଆ ହେବେ। ସେହି ଲୋକମାନେ ତାହାକୁ ସେହି ମୂଲ୍ୟବାନ୍ ଜିନିଷ ବିକ୍ରିକରି ଧନୀ ହୋଇଥିଲେ। ତେଣୁ ସେମାନେ କାନ୍ଦିବେ ଓ ଦୁଃଖ କରିବେ। 16 ସେମାନେ କହିବେ:
‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ:
ଯେଉଁ ମହାନଗରୀ ସୂକ୍ଷ୍ମ ରେଶମ, ବାଇଗଣି ଓ ଘନଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା,
ସୁନା, ମଣି ଓ ମୁକ୍ତାରେ ଝଟକୁଥିଲା,
17 ଘଣ୍ଟାକ ମଧ୍ୟରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରି ଦିଆଗଲା।’
“ସମସ୍ତ ସମୁଦ୍ର କପ୍ତାନ, ସମୁଦ୍ର ଯାତ୍ରୀ, ନାବିକ, ନୌବାଣିଜ୍ୟ କରୁଥିବା ସମସ୍ତ ଲୋକ ବାବିଲଠାରୁ ଦୂରରେ ଠିଆ ହେଲେ। 18 ସେମାନେ ତା’ର ଜଳୁଥିବାର ଧୂଆଁ ଦେଖିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ଏହି ମହାନଗରୀ ପରି ଅନ୍ୟ କୌଣସି ନଗରୀ ନାହିଁ।” 19 ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ:
‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ!
ଏହି ମହାନଗରୀର ଧନରେ ସମୁଦ୍ରରେ ବାଣିଜ୍ୟ, ବ୍ୟବସାୟ କରୁଥିବା ଲୋକମାନେ ଧନୀ ହୋଇଥିଲେ।
କିନ୍ତୁ ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ହୋଇଗଲା।
20 ହେ ସ୍ୱର୍ଗ! ହେ ପରମେଶ୍ୱରଙ୍କର ପବିତ୍ର ଲୋକମାନେ,
ଭବିଷ୍ୟଦ୍ବକ୍ତାଗଣ ଏବଂ ପ୍ରେରିତଗଣ!
ମହାନଗରୀର ଧ୍ୱଂସରେ ଆନନ୍ଦ ଉଲ୍ଲାସ କର।
ସେ ତୁମ୍ଭକୁ ଯେଉଁ କଷ୍ଟ ଦେଇଛି, ସେଥିପାଇଁ ପରମେଶ୍ୱର ତାହାକୁ ଦଣ୍ଡ ଦେଇଛନ୍ତି।’”
2010 by World Bible Translation Center