Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 148

148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
    ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
    ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
    ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
    ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
    କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
    ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
    ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
    ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
    ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
    ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
    ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
    ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
    ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
    ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।

ଯାତ୍ରାପୁସ୍ତକ 33:18-23

18 ଏହା ପରେ ମୋଶା କହିଲେ, “ବର୍ତ୍ତମାନ ତୁମ୍ଭର ମହିମା ମୋତେ ଦେଖାଅ।”

19 ଏହା ପରେ ସଦାପ୍ରଭୁ ଉତ୍ତର ଦେଲେ, “ମୁଁ ତୁମ୍ଭ ସମ୍ମୁଖରେ ଆପଣାର ସମସ୍ତ ଉତ୍ତମତା ଗମନ କରାଇବି, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରାଇବି। ମୁଁ ଯାହାକୁ ଅନୁଗ୍ରହ କରେ ତାହାକୁ ଅନୁଗ୍ରହ କରିବି ଓ ଯାହାକୁ ଦୟାକରେ ତାହାକୁ ଦୟା କରିବି। 20 କିନ୍ତୁ ତୁମ୍ଭେ ମୋର ମୁଖ ଦେଖି ପାରିବ ନାହିଁ। କାରଣ କେହି ମୋତେ ଦେଖିଲେ ଜୀବିତ ରହି ପାରିବେ ନାହିଁ।

21 “ମୋ’ ନିକଟରେ ଏକ ଶୈଳ ଅଛି। ତୁମ୍ଭେ ସେହି ଶୈଳ ଉପରେ ଛିଡ଼ା ହେବ। 22 ତୁମ୍ଭ ନିକଟ ଦେଇ ଆମ୍ଭ ମହିମାର ଗମନ ସମୟରେ ମୁଁ ତୁମ୍ଭକୁ ଶୈଳର ସେହି ଛିଦ୍ରରେ ରଖିବି ଓ ମୁଁ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମ୍ଭକୁ ଆଛନ୍ନ କରିବି। 23 ଏହା ପରେ ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ, ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ। ମାତ୍ର ଆମ୍ଭର ମୁଖ ଦେଖି ପାରିବ ନାହିଁ।”

ଯୋହନଙ୍କ ପ୍ରଥମ ପତ୍ର 1:1-9

ଆମ୍ଭେମାନେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା। ଆମ୍ଭେମାନେ ଏହା ଶୁଣିଲୁ, ଆମ୍ଭେମାନେ ଏହା ସ୍ୱଚକ୍ଷୁରେ ଦେଖିଲୁ, ଆମ୍ଭେମାନେ ଏହା ନିରୀକ୍ଷଣ କଲୁ ଏବଂ ଆମ୍ଭେମାନେ ନିଜ ହସ୍ତରେ ସ୍ପର୍ଶ କଲୁ। ଆମ୍ଭେମାନେ ସେହି “ବାକ୍ୟ” (ଖ୍ରୀଷ୍ଟଙ୍କ) ବିଷୟରେ ତୁମ୍ଭକୁ ଲେଖୁଛୁ, ଯାହା ଜୀବନ ଦାନ କରେ। ସେହି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କରେ ପ୍ରମାଣ ଦେଇପାରୁ। ବର୍ତ୍ତମାନ ଆମ୍ଭେ ସେହି ଜୀବନ ସମ୍ପର୍କରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ୱରଙ୍କ ସହିତ ଥିଲା। ପରମେଶ୍ୱର ସେହି ଜୀବନ ଆମ୍ଭକୁ ପ୍ରକାଶିତ କଲେ। ବର୍ତ୍ତମାନ ତୁମ୍ଭମାନଙ୍କୁ ସେହି ସମ୍ବନ୍ଧରେ କହିବୁ ଯାହା ଆମ୍ଭେମାନେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ୱାରା ତୁମ୍ଭେମାନେ ଆମ୍ଭର ସହଭାଗୀ ହୋଇପାରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ୟ ସହଭାଗୀ। ଆମ୍ଭମାନଙ୍କର ଆନନ୍ଦର ପରିପୂର୍ଣ୍ଣତା ପାଇଁ ଆମ୍ଭେ ଏସବୁ ତୁମ୍ଭମାନଙ୍କୁ ଲେଖୁଛୁ।

ପରମେଶ୍ୱର ଆମ୍ଭର ପାପ କ୍ଷମା କରନ୍ତି

ଆମ୍ଭେ ପରମେଶ୍ୱରଙ୍କଠାରୁ ଯେଉଁ ସତ୍ୟଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ୱର ଜ୍ୟୋତିଃସ୍ୱରୂପ। ଆଉ ତାହାଙ୍କଠାରେ ଆଦୌ ଅନ୍ଧକାର ନାହିଁ। ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ୱରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାରରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ୟାବାଦୀ ଓ ସତ୍ୟର ଅନୁସରଣ କରୁ ନାହୁଁ। ପରମେଶ୍ୱର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ୟ ଆଲୋକରେ ବାସ କରିବା ଉଚିତ୍। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତେବେ ଆମ୍ଭେ ପରସ୍ପର ସହଭାଗୀ ହୋଇପାରିବା। ଯଦି ଆମ୍ଭେମାନେ ଆଲୋକରେ ରହୁ, ତେବେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।

ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତେବେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠାରେ ସତ୍ୟ ନାହିଁ। ଯଦି ଆମ୍ଭେ ନିଜ ନିଜର ପାପ ସ୍ୱୀକାର କରୁ ତେବେ ପରମେଶ୍ୱର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center