Revised Common Lectionary (Semicontinuous)
ଆରୋହଣ ଗୀତ।
125 ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି ସେମାନେ ସିୟୋନ ପର୍ବତ ତୁଲ୍ୟ।
ସେମାନେ କେବେ ମଧ୍ୟ ଥରିବେ ନାହିଁ।
ସେମାନେ ନିତ୍ୟସ୍ଥାୟୀ ହୋଇ ବଞ୍ଚି ରହିବେ।
2 ଯେମନ୍ତ ଯିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ,
ତେମନ୍ତ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା’ନ୍ତି।
ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।
3 ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ।
ଯଦି ଏପରି ଘଟିଲା, ତେବେ ଧାର୍ମିକ ଲୋକମାନେ ଅଧର୍ମ କାର୍ଯ୍ୟ କରିବାକୁ ଆରମ୍ଭ କରିଦେବେ।
4 ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର।
ପବିତ୍ର ହୃଦୟ ସହିତ ଲୋକମାନଙ୍କର ମଙ୍ଗଳ କର।
5 ସଦାପ୍ରଭୁ, ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି।
ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି।
ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।
9 ନଦୀ ପାରି ହେଲା ପରେ ଏଲିୟ ଇଲୀଶାୟଙ୍କୁ କହିଲେ, “ପରମେଶ୍ୱର ମୋତେ ତୁମ୍ଭଠାରୁ ନେବା ପୂର୍ବରୁ, ମୋ’ଠାରୁ ତୁମ୍ଭେ କ’ଣ ଗ୍ଭହୁଁଛ ମାଗ।”
ଇଲୀଶାୟ କହିଲେ, “ମୁଁ ପ୍ରାର୍ଥନା କରେ, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋ’ ଉପରେ ବର୍ତ୍ତୁ।”
10 ଏଲିୟ କହିଲେ, “ତୁମ୍ଭେ ଏକ କଷ୍ଟକର ବିଷୟ ମାଗିଲ। ତଥାପି ମୁଁ ତୁମ୍ଭ ନିକଟରୁ ନେଇଯିବା ବେଳେ, ତୁମ୍ଭେ ଯଦି ମୋତେ ଦେଖିବ ତେବେ ତୁମ୍ଭ ପ୍ରତି ତାହା ଘଟିବ, କିନ୍ତୁ ତୁମ୍ଭେ ଯଦି ମୋତେ ଦେଖିବ ନାହିଁ, ତାହାହେଲେ ସେପରି ଘଟିବ ନାହିଁ।”
ପରମେଶ୍ୱର ଏଲିୟଙ୍କୁ ସ୍ୱର୍ଗକୁ ନେଲେ
11 ଏହିପରି ସେ ଦୁହେଁ ଏକତ୍ର କଥାବାର୍ତ୍ତା ହୋଇ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ କଲେ। ତା’ପରେ ଏଲିୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ।
12 ଇଲୀଶାୟ ତାହା ଦେଖି ଉଚ୍ଚ ସ୍ୱରରେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!”
ତା’ପରେ ଇଲୀଶାୟ ଏଲିୟଙ୍କୁ ଆଉ ଦେଖି ପାରିଲେ ନାହିଁ। ଏଣୁ ସେ ଦୁଃଖର ପ୍ରତୀକ ସ୍ୱରୂପ ନିଜର ବସ୍ତ୍ରକୁ ଚିରି ଦୁଇଖଣ୍ତ କରିଦେଲେ। 13 ଏଲିୟଙ୍କ ବସ୍ତ୍ର ଭୂମିରେ ପଡ଼ିଲାମାତ୍ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା’ପରେ ସେ ଯର୍ଦ୍ଦନ ନଦୀ ତୀରରେ ଛିଡ଼ା ହୋଇ ପାଣିକୁ ଆଘାତ କରି କହିଲେ, “ଏଲିୟଙ୍କର ପରମେଶ୍ୱର, ସଦାପ୍ରଭୁ କେଉଁଠାରେ ଅଛନ୍ତି?” 14 ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଏବଂ ଇଲୀଶାୟ ନଦୀ ପାର ହେଲେ।
ଭବିଷ୍ୟଦ୍ବକ୍ତାଙ୍କ ଏଲିୟଙ୍କୁ ଅନ୍ୱେଷଣ
15 ଯେତେବେଳେ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, “ଏଲିୟଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। 16 ସେମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭ ସହିତ ପଗ୍ଭଶ୍ ବଳବାନ୍ ଲୋକ ଅଛନ୍ତି। ଆମ୍ଭେ ବିନୟ କରୁଛୁ, ସେମାନଙ୍କୁ ତୁମ୍ଭର ମହାଶୟଙ୍କୁ ଖୋଜିବାରେ ଯିବାକୁ ଦିଅ। ହୋଇପାରେ ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ କି ଉପତ୍ୟକା ଉପରେ ପକାଇ ଦେଇଥିବେ।”
ମାତ୍ର ଇଲୀଶାୟ କହିଲେ, “ତୁମ୍ଭେ ଏଲିୟଙ୍କୁ ଖୋଜିବକୁ ଲୋକ ପଠାଅ ନାହିଁ।”
17 ତା’ପରେ ସେ ବିହ୍ୱଳ ହେବା ପର୍ଯ୍ୟନ୍ତ ତାଙ୍କୁ ସେମାନେ ପ୍ରବର୍ତ୍ତାନ୍ତେ, ସେ କହିଲେ, “ଭଲ କଥା, ଏଲିୟଙ୍କୁ ଖୋଜିବାକୁ ଲୋକ ପଠାଅ।”
ସେମାନେ ଦଳେ ଭବିଷ୍ୟଦ୍ବକ୍ତାମାନେ ପଗ୍ଭଶ୍ ଜଣ ଲୋକଙ୍କୁ ପଠାଇଲେ। ସେମାନେ ତିନି ଦିନ ଖୋଜିଲେ, ମାତ୍ର ଏଲିୟଙ୍କୁ ପାଇଲେ ନାହିଁ। 18 ପୁଣି ସେମାନେ ଯିରୀହୋରେ ଇଲୀଶାୟ ନିକଟକୁ ଯାଇ କହିଲେ, “ସେମାନେ ଏଲିୟଙ୍କୁ ପାଇଲେ ନାହିଁ।” ଏଥିରେ ଇଲୀଶାୟ କହିଲେ, “ତୁମ୍ଭମାନଙ୍କୁ ନ ଯିବା ପାଇଁ ମୁଁ କହିଥିଲି।”
ଇଲୀଶାୟ ଜଳକୁ ନିର୍ମଳ କରନ୍ତି
19 ନଗରର ଲୋକମାନେ ଇଲୀଶାୟ ନିକଟକୁ ଯାଇ କହିଲେ, “ମହାଶୟ ତୁମ୍ଭେ ଦେଖି ପାରିବ ଯେ, ଏହି ନଗରଟି ଅତି ସୁନ୍ଦର ଭାବରେ ଅବସ୍ଥିତ ଅଛି। ମାତ୍ର ଏହାର ଜଳ ଅତ୍ୟନ୍ତ ଦୂଷିତ ହୋଇଯାଇଛି, ତେଣୁ ଭୂମି ଉତ୍ତମ ଶସ୍ୟ ଦେଉ ନାହିଁ।”
20 ଇଲୀଶାୟ କହିଲେ, “ମୋତେ ଗୋଟିଏ ନୂତନ ପାତ୍ର ଆଣି ଦିଅ ଓ ତହିଁରେ କିଛି ଲୁଣ ରଖ।”
ତହୁଁ ଲୋକମାନେ ପାତ୍ରଟିଏ ଆଣି ଇଲୀଶାୟଙ୍କୁ ଦେଲେ। 21 ତତ୍ପରେ ଇଲୀଶାୟ ଜଳ ନିର୍ଝରର ଉତ୍ପତ୍ତି ସ୍ଥଳକୁ ଯାଇ ଲବଣକୁ ଜଳରେ ପକାଇଲେ ଓ କହିଲେ, “ସଦାପ୍ରଭୁ ଏହି କଥା କୁହନ୍ତି, ‘ମୁଁ ଏହି ଜଳକୁ ଶୁଦ୍ଧ କଲି। ଏଣିକି ଆଉ ତାହା ମୃତ୍ୟୁର କାରଣ ହେବ ନାହିଁ କିଅବା ଜମିରେ ଅଙ୍ଗୁର ବଢ଼ାଇବାରେ ବାଧକ ହେବ ନାହିଁ।’”
22 ଜଳ ନିର୍ମଳ ହେଲା। ଇଲୀଶାୟଙ୍କ ବାକ୍ୟାନୁସାରେ ତାହା ଆଜି ପର୍ଯ୍ୟନ୍ତ ନିର୍ମଳ ରହିଅଛି।
17 “ଭାଇମାନେ, ମୁଁ ଜାଣେ ଯେ, ତୁମ୍ଭେମାନେ ମଧ୍ୟ କ’ଣ କରୁଛ, ତାହା ନ ବୁଝି ଯୀଶୁଙ୍କ ପ୍ରତି ଏପରି କଲ। ତୁମ୍ଭମାନଙ୍କର ନେତାମାନେ ମଧ୍ୟ କ’ଣ କରୁଅଛନ୍ତି, ତାହା ବୁଝିପାରି ନ ଥିଲେ। 18 ଈଶ୍ୱର ଖ୍ରୀଷ୍ଟଙ୍କର ଦୁଃଖ ଭୋଗିବା ବିଷୟରେ ପୂର୍ବରୁ ସବୁ କଥା ଭାବବାଦୀମାନଙ୍କ ମୁଖଦ୍ୱାରା କହି ସାରିଥିଲେ। ବର୍ତ୍ତମାନ ପରମେଶ୍ୱର ଏ ସବୁ ଘଟଣା ଘଟାଉଛନ୍ତି। 19 ଏଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ପାଖକୁ ଫେରି ଆସ, ତେବେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରିଦେବେ। 20 ଏପରି କଲେ ପ୍ରଭୁ ତୁମ୍ଭମାନଙ୍କୁ ଆତ୍ମିକ ଶାନ୍ତି ଦେବେ। ତାହାଙ୍କ ମନୋନୀତ ଖ୍ରୀଷ୍ଟ ଯୀଶୁଙ୍କୁ ମଧ୍ୟ ସେ ତୁମ୍ଭମାନଙ୍କ ପାଖକୁ ପଠାଇଦେବେ।
21 “ପୁନର୍ବାର ସମସ୍ତ କାର୍ଯ୍ୟ ସୁସମ୍ପନ୍ନ ହେବା ପର୍ଯ୍ୟନ୍ତ ଯୀଶୁଙ୍କୁ ସ୍ୱର୍ଗରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟରେ ପରମେଶ୍ୱର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ୟମରେ କହିଛନ୍ତି। 22 ମୋଶା କହିଛନ୍ତି, ‘ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଜଣେ ଭାବବାଦୀ ଦେବେ। ସେହି ଭାବବାଦୀ ତୁମ୍ଭମାନଙ୍କ ମଧ୍ୟରୁ ଆସିବେ। ସେ ମୋ’ ପରି ହେବେ। ସେ ଯାହା କହିବେ, ତାହା ତୁମ୍ଭମାନଙ୍କୁ ମାନିବାକୁ ପଡ଼ିବ। 23 ଯେଉଁ ଲୋକ ତାହାଙ୍କ କଥାର ବାଧ୍ୟ ହେବ ନାହିଁ ତା’ର ମୃତ୍ୟୁ ଘଟିବ ଓ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରୁ ସେ ବିଚ୍ଛିନ୍ନ କରି ଦିଆଯିବ।’ [a]
24 “ହଁ, ଶାମୁୟେଲ ଓ ତାହାଙ୍କ ପରେ ଆସିଥିବା ସମସ୍ତ ଭାବବାଦୀମାନେ ଏହି ସମୟ ବିଷୟରେ ଘୋଷଣା କରିଛନ୍ତି। 25 ତୁମ୍ଭେମାନେ ସେହି ଭାବବାଦୀମାନଙ୍କର ଉତ୍ତରାଧିକାରୀ। ପରମେଶ୍ୱର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲେ, ତୁମ୍ଭେମାନେ ମଧ୍ୟ ତା’ର ଉତ୍ତରାଧିକାରୀ। ସେ ଅବ୍ରହାମଙ୍କୁ କହିଥିଲେ, ‘ତୁମ୍ଭମାନଙ୍କ ସନ୍ତାନମାନଙ୍କ ଦ୍ୱାରା ଜଗତରେ ସବୁ ଲୋକ ଆଶୀର୍ବାଦ ପାଇବେ।’ [b] 26 ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶେଷ ସେବକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭେମାନେ ଯେପରି ମନ୍ଦକାର୍ଯ୍ୟରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।”
ଯିହୂଦୀଙ୍କ ସଭା ସମ୍ମୁଖରେ ପିତର ଏବଂ ଯୋହନ
4 ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତେକ ଲୋକ ସେମାନଙ୍କ ପାଖକୁ ଆସିଲେ। ସେମାନେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସେନାପତି ଓ କେତେକ ସାଦ୍ଦୂକୀ ଥିଲେ। 2 ସେମାନେ ରାଗି ଯାଇଥିଲେ କାରଣ ପିତର ଓ ଯୋହନ ଲୋକମାନଙ୍କୁ ଉପଦେଶ ଦେଉଥିଲେ, ଓ ଯୀଶୁଙ୍କ ପୁନରୁତ୍ଥାନ ପରି ସବୁ ମୃତ ବ୍ୟକ୍ତିମାନଙ୍କର ଯେ ଉତ୍ଥାନ ହେବ, ଏହି କଥା ଘୋଷଣା କରୁଥିଲେ। 3 ତେଣୁ ସେମାନେ କାରାଗାରରେ ବନ୍ଦୀ କରିଦେଲେ। ସନ୍ଧ୍ୟା ହୋଇଯାଇ ଥିବାରୁ ସେମାନଙ୍କୁ ପରଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିଲେ। 4 କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକ ଲୋକ ସେମାନଙ୍କ ବାର୍ତ୍ତା ବିଶ୍ୱାସ କଲେ। ତେଣୁ ବର୍ତ୍ତମାନ ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ୱାସୀ ଥିଲେ।
2010 by World Bible Translation Center