Revised Common Lectionary (Semicontinuous)
ଆସଫର ଗୀତ।
79 ହେ ପରମେଶ୍ୱର, ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି।
ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି।
ସେମାନେ ଯିରୁଶାଲମକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି।
2 ସେମାନେ ତୁମ୍ଭ ଦାସଗଣର ଶବ ଖାଦ୍ୟ ନିମନ୍ତେ ଖେଚର ପକ୍ଷୀଗଣଙ୍କୁ ଦେଇଛନ୍ତି।
ତୁମ୍ଭର ସଦ୍ଭକ୍ତମାନଙ୍କ ମାଂସ ବନ୍ୟ ପଶୁଗଣଙ୍କୁ ଦେଇଛନ୍ତି।
3 ଶତ୍ରୁମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ତୁମ୍ଭର ଲୋକମାନଙ୍କର ରକ୍ତକୁ ପାଣି ପରି ବୁହାଇଲେ।
ସେମାନଙ୍କୁ କବର ଦେବା ପାଇଁ କାହାରିକୁ ରଖି ନ ଥିଲେ।
4 ଆମ୍ଭ ପଡ଼ୋଶୀ ଦେବଗଣ ଆମ୍ଭମାନଙ୍କୁ ଅପମାନିତ କଲେ।
ଆମ୍ଭର ସବୁ ଚତୁର୍ପାର୍ଶ୍ୱରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
5 ହେ ପରମେଶ୍ୱର, ଏହା ଆଉ କେତେ ଦିନ ପର୍ଯ୍ୟନ୍ତ ଯିବ? ତୁମ୍ଭେ କ’ଣ ଚିରକାଳ ଆମ୍ଭମାନଙ୍କ ଉପରେ କ୍ରୋଧ କରିଥିବ?
ତୁମ୍ଭର ଅନ୍ତର କ’ଣ ଅଗ୍ନିଜ୍ୱାଳା ପରି ସର୍ବଦା ଜଳିବ?
6 ଯେଉଁ ଜାତିମାନେ ତୁମ୍ଭକୁ ସ୍ୱୀକାର କରୁ ନାହାନ୍ତି, ଯେଉଁ ରାଜ୍ୟ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ,
ତୁମ୍ଭର କ୍ରୋଧ ସେମାନଙ୍କ ଉପରେ ଢାଳି ଦିଅ।
7 ସେମାନେ ଯାକୁବଙ୍କ ପରିବାରକୁ ଧ୍ୱଂସ କରିଅଛନ୍ତି।
ଓ ସେମାନେ ତା'ର ଗୃହଭୂମିକୁ ଧ୍ୱଂସ କରିଅଛନ୍ତି।
8 ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ।
ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦେଖାଅ!
ଆମ୍ଭେମାନେ ଆଜି କ୍ଷୀଣ ହୋଇଅଛୁ।
9 ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ୱର,
ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର
ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର
ଏବଂ ପାପସବୁ କ୍ଷମା କର।
10 ଅନ୍ୟ ଦେଶୀୟ ଲୋକମାନଙ୍କୁ କହିବାକୁ ଦିଅ ନାହିଁ।
“ସେମାନଙ୍କର ପରମେଶ୍ୱର କାହାନ୍ତି?”
ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ ଯାହା ଫଳରେ କି ଆମ୍ଭେମାନେ ମଧ୍ୟ ତାହା ଦେଖି ପାରିବୁ।
ତୁମ୍ଭର ସେବକମାନଙ୍କୁ ହତ୍ୟା କରିଥିବାରୁ ସେମାନଙ୍କୁ ଦଣ୍ଡ ଦିଅ।
11 ଦୟାକରି ବନ୍ଦୀମାନଙ୍କର ଆର୍ତ୍ତନାଦ ଶୁଣ।
ହେ ପରମେଶ୍ୱର, ତୁମ୍ଭର ମହାଶକ୍ତି ପ୍ରୟୋଗ କରି ମରଣାର୍ଥେ ଲୋକମାନଙ୍କୁ ରକ୍ଷା କର।
12 ହେ ପରମେଶ୍ୱର,
ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଛନ୍ତି,
ସେମାନଙ୍କୁ ସାତଗୁଣ ପ୍ରତିଫଳ ଦଣ୍ଡ ଦିଅ।
13 ତା'ହେଲେ ଆମ୍ଭେ ତୁମ୍ଭର ଲୋକ, ତୁମ୍ଭର ମେଷପଲ
ସର୍ବଦା ତୁମ୍ଭକୁ ଧନ୍ୟବାଦ ଦେବୁ।
ପିଢ଼ି ପରେ ପିଢ଼ି, ତୁମ୍ଭେ ଯାହା କରିଛ, ସେଥିପାଇଁ ଆମ୍ଭେ ତୁମ୍ଭକୁ ପ୍ରଶଂସା କରିବୁ।
ଯିରୁଶାଲମରୁ ଆଇନ ପ୍ରଣୀତ ହେବ
4 ଭବିଷ୍ୟତରେ ସଦାପ୍ରଭୁଙ୍କ ଗୃହ,
ପର୍ବତର ଉଚ୍ଚତମ ପର୍ବତ ଶିଖର ଉପରେ ସ୍ଥାପିତ ହେବ।
ଏହା ସମସ୍ତ ପର୍ବତଗୁଡ଼ିକ ଅପେକ୍ଷା ଉଚ୍ଚତର ହେବ।
ଲଗାତାର ଗୋଷ୍ଠୀଗଣ ସ୍ରୋତ ପରି ସେଠାକୁ ଯାଉଥିବେ।
2 ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସେଠାକୁ ଯିବେ ଏବଂ କହିବେ,
“ଆସ, ସଦାପ୍ରଭୁଙ୍କ ପର୍ବତକୁ ଯିବା।
ଗ୍ଭଲ ଯାକୁବଙ୍କ ପରମେଶ୍ୱରଙ୍କ ମନ୍ଦିରକୁ ଯିବା।
ସେତେବେଳେ ପରମେଶ୍ୱର ତାଙ୍କ ପଥ ବିଷୟରେ ଆମ୍ଭମାନଙ୍କୁ ଶିକ୍ଷା ଦେବେ
ଏବଂ ଆମ୍ଭେମାନେ ସେହିସବୁକୁ ଅନୁସରଣ କରିବା।”
ପରମେଶ୍ୱରଙ୍କଠାରୁ ଶିକ୍ଷା ସଦାପ୍ରଭୁଙ୍କ ବାର୍ତ୍ତା ଯିରୁଶାଲମର ସିୟୋନ ପର୍ବତରୁ ଆରମ୍ଭ ହେବ
ଏବଂ ତାହା ସମଗ୍ର ପୃଥିବୀରେ ପ୍ରସାରିତ ହେବ।
3 ତା'ପରେ ଅନେକ ଗୋଷ୍ଠୀର ଲୋକମାନଙ୍କ ପାଇଁ ପରମେଶ୍ୱର ବିଗ୍ଭରକ ହେବେ
ଓ ଦୂରଦେଶୀୟ ଅନେକ ଲୋକମାନଙ୍କୁ ତାଙ୍କର ଶେଷ ନିଷ୍ପତ୍ତି ଜଣାଇବେ।
ସେହି ଲୋକମାନେ ଯୁଦ୍ଧ ପାଇଁ ସେମାନଙ୍କର ଅସ୍ତ୍ର ତ୍ୟାଗ କରିବେ।
ସେମାନେ ସେମାନଙ୍କର ଖଡ଼୍ଗରେ ଲଙ୍ଗଳ ତିଆରି କରିବେ
ଏବଂ ବର୍ଛାକୁ ଭାଙ୍ଗି ଶସ୍ୟ କାଟିବାକୁ ଦାଆ ନିର୍ମାଣ କରିବେ।
ଲୋକମାନେ ଅନ୍ୟ ସହିତ ଯୁଦ୍ଧ କରିବା ବନ୍ଦ କରିବେ।
ଆଉ ଯୁଦ୍ଧ ପାଇଁ ତାଲିମ ମଧ୍ୟ କେବେ ନେବେ ନାହିଁ।
4 ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦ୍ରାକ୍ଷାଲତା
ଓ ଡିମ୍ବିରି ବୃକ୍ଷ ତଳେ ବସିବେ
ଓ କେହି ସେମାନଙ୍କୁ ଭୟଭୀତ କରାଇବେ ନାହିଁ।
କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ ଘଟିବ ବୋଲି କହିଲେ।
5 ଅନ୍ୟ ଗୋଷ୍ଠୀର ଲୋକମାନେ ସେମାନଙ୍କର ନିଜର ଦେବତାମାନଙ୍କୁ ଅନୁସରଣ କରିବେ।
କିନ୍ତୁ ଆମ୍ଭେମାନେ ଚିରକାଳ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗାମୀ ହେବା।
ଦୂତଙ୍କର ଶେଷ ମହାମାରୀ
15 ଏହା ପରେ ମୁଁ ସ୍ୱର୍ଗରେ ଗୋଟିଏ ବଡ଼ ଓ ଆଶ୍ଚର୍ଯ୍ୟ ଜନକ ଲକ୍ଷଣ ଦେଖିଲି। ସେଠାରେ ସାତ ଜଣ ଦୂତ ସେମାନଙ୍କ ହାତରେ ସାତୋଟି ଶେଷ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ୱରଙ୍କ କ୍ରୋଧର ସମାପ୍ତି ଘଟିବ।
2 ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା। 3 ସେମାନେ ପରମେଶ୍ୱରଙ୍କର ସେବକ ମୋଶାଙ୍କର ଓ ମେଷଶାବକଙ୍କର ଗୀତ ବୋଲୁଥିଲେ:
“ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର!
ତୁମ୍ଭର କାର୍ଯ୍ୟଗୁଡ଼ିକ ମହାନ ଓ ଆଶ୍ଚର୍ଯ୍ୟପୂର୍ଣ୍ଣ
ହେ ଜାତି ସମୂହର ରାଜା,
ତୁମ୍ଭର ପଥଗୁଡ଼ିକ ନ୍ୟାୟସଙ୍ଗତ ଓ ସତ୍ୟ।
4 ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ?
ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ।
କାରଣ କେବଳ ତୁମ୍ଭେ ହିଁ ପବିତ୍ର;
ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ।
କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।”
5 ଏହା ପରେ ମୁଁ ସ୍ୱର୍ଗରେ ପରମେଶ୍ୱରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖୋଲା ହେବାବାର ଦେଖିଲି। 6 ସେହି ମନ୍ଦିର ଭିତରୁ ସାତ ଜଣ ଦୂତ ସାତୋଟି ମହାମାରୀଗୁଡ଼ିକୁ ଧରି ବାହାରି ଆସିଲେ। ସେମାନେ ଶୁଦ୍ଧ, ଉଜ୍ଜ୍ୱଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା। 7 ତା'ପରେ ଗ୍ଭରି ଜୀବିତ ପ୍ରାଣୀମାନଙ୍କ ମଧ୍ୟରୁ ଜଣେ ପ୍ରାଣୀ ସାତ ଦୂତଙ୍କୁ ସାତୋଟି ସୁବର୍ଣ୍ଣ ପାତ୍ର ଦେଲେ। ସେହି ପାତ୍ର ନିତ୍ୟଜୀବୀ ପରମେଶ୍ୱରଙ୍କର କ୍ରୋଧରେ ପରିପୂର୍ଣ୍ଣ ଥିଲା। 8 ସେହି ମନ୍ଦିର ପରମେଶ୍ୱରଙ୍କ ଗୌରବ ଓ କ୍ଷମତାର ଧୂଆଁରେ ଭର୍ତ୍ତି ହୋଇଗଲା। ସାତ ଜଣ ଦୂତଙ୍କର ସାତୋଟି ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଲୋକ ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ।
2010 by World Bible Translation Center