Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 114

114 ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ,
    ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।
ସେହି ସମୟରେ ଯିହୁଦା ପରମେଶ୍ୱରଙ୍କର ବିଶେଷ ଲୋକ ହେଲେ।
    ଇସ୍ରାଏଲ ତାଙ୍କର ରାଜ୍ୟ ହେଲା।
ସୂଫସାଗର ତାହା ଦେଖି ଘୁଞ୍ଚି ଗଲା।
    ଯର୍ଦ୍ଦନ ନଦୀ ଉଜାଣି ବହିଲା।
ପର୍ବତଗଣ ମେଷପରି ଡେଇଁଲେ।
    ମେଷ ଛୁଆ ପରି ଉପପର୍ବତଗଣ ଡିଆଁ ମାରିଲେ।

ହେ ସୂଫସାଗର, ତୁମ୍ଭେ କାହିଁକି ଘୁଞ୍ଚିଗଲ?
    ହେ ଯର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ?
ହେ ପର୍ବତଗଣ, ତୁମ୍ଭେ କାହିଁକି ମେଷମାନଙ୍କ ପରି ଡେଇଁଲ?
    ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମେଷ ଶାବକଙ୍କ ପରି ଡେଇଁଲ?

ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ
    ସମ୍ମୁଖରେ କମ୍ପିତ ହୁଅ।
ପରମେଶ୍ୱର ହେଉଛନ୍ତି ସେହି ଯାହାଙ୍କ ଯୋଗୁଁ ପର୍ବତରୁ ଝରଣା ବୁହାଇଲେ
    ଓ ପରମେଶ୍ୱର ଚ‌କ୍‌ମକି ପଥରରୁ ନିର୍ଝର ବୁହାଇଲେ।

ଯାତ୍ରାପୁସ୍ତକ 13:17-22

ମିଶରରୁ ବାହାରକୁ ଯାତ୍ରା

17 ଯେତେବେଳେ ଫାରୋ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, “ଯଦି ଲୋକମାନେ ଏ ବାଟରେ ଯାଆନ୍ତି। ସେମାନଙ୍କୁ ହୁଏତ ଯୁଦ୍ଧ କରିବାକୁ ପଡ଼ିପାରେ। ତେବେ ହୁଏତ ସେମାନେ ତାଙ୍କର ମତି ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫେରିଯାଇ ପାରନ୍ତି।” 18 ତେଣୁ ସଦାପ୍ରଭୁ ସେମାନଙ୍କୁ ଅନ୍ୟ ଏକ ପଥରେ ଆଗେଇ ନେଲେ। ସେ ସେମାନଙ୍କୁ ସୂଫସାଗର ପ୍ରାନ୍ତର ମଧ୍ୟଦେଇ ଆଣିଲେ। ସେମାନେ ମିଶର ଛାଡ଼ିବା ସମୟରେ ଇସ୍ରାଏଲୀୟମାନେ ଯୁଦ୍ଧ ପାଇଁ ପୋଷାକ ପରିଧାନ କରିଥିଲେ।

ଯୋଷେଫ ଗୃହକୁ ଗଲେ

19 ମୋଶା ଯୋଷେଫଙ୍କର ଅସ୍ଥି ସାଙ୍ଗରେ ନେଇ ଆସିଲେ। ଯୋଷେଫଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କର ପୁତ୍ରମାନଙ୍କୁ ପ୍ରତିଜ୍ଞା କରାଇଥିଲେ, ଏପରି କରିବା ପାଇଁ। ଯୋଷେଫ କହିଥିଲେ, “ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା କରିବେ। ମନେରଖ ତୁମ୍ଭେମାନେ ମୋର ଅସ୍ଥି ତୁମ୍ଭମାନଙ୍କ ସହିତ ମିଶରରୁ ନେଇଯିବ।”

ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଗେଇ ନେଲେ

20 ଇସ୍ରାଏଲର ଲୋକମାନେ ସୁ‌କ୍‌କୋତଠାରୁ ଛାଡ଼ି ଏଥମରେ ଛାଉଣି ସ୍ଥାପନ କଲେ। ଏଥମ ମରୁଭୂମି ନିକଟବର୍ତ୍ତୀ ଥିଲା। 21 ସଦାପ୍ରଭୁ ସେମାନଙ୍କୁ ଆଗକୁ ପଥ କଢ଼ାଇ ନେଲେ, ଦିନବେଳେ ସଦାପ୍ରଭୁ ସେମାନଙ୍କୁ ମେଘସ୍ତମ୍ଭ ଦ୍ୱାରା ରାସ୍ତା ଦେଖାଇଲେ ଏବଂ ରାତିରେ ସେ ସେମାନଙ୍କୁ ଅଗ୍ନିସ୍ତମ୍ଭ ସାହାଯ୍ୟରେ ଆଗେଇ ନେଲେ। 22 ଦିନ ସମୟରେ ସେମାନଙ୍କୁ ଘନ ବାଦଲ ଓ ରାତ୍ର ସମୟରେ ଆଲୋକ ସ୍ତମ୍ଭ ସେମାନଙ୍କ ସହିତ ସର୍ବଦା ରଖିଲେ।

ଯୋହନଙ୍କ ପ୍ରଥମ ପତ୍ର 3:11-16

ଆମ୍ଭେ ନିଶ୍ଚୟ ପରସ୍ପରକୁ ଭଲ ପାଇବା ଉଚିତ୍

11 ତୁମ୍ଭେମାନେ ଆରମ୍ଭରୁ ଏହି ଶିକ୍ଷା ଶୁଣିଛ, ଆମ୍ଭର ପରସ୍ପରକୁ ନିଶ୍ଚୟ ପ୍ରେମ କରିବା ଉଚିତ୍। 12 ଆମ୍ଭେ କୟିନ[a] ଭଳି ହେବା ଉଚିତ୍ ନୁହେଁ। କାରଣ ତାହାଙ୍କଠାରେ ପାପାତ୍ମା ଥିଲା। ସେ ନିଜ ଭାଇ ହେବଲକୁ ହତ୍ୟା କଲା। ସେ ତା'ର ଭାଇକୁ କାହିଁକି ହତ୍ୟା କଲା? ସେ ଏପରି କଲା, କାରଣ ତା'ର କାର୍ଯ୍ୟଗୁଡ଼ିକ ମନ୍ଦ ଥିଲା ଓ ତା’ ଭାଇର କର୍ମଗୁଡ଼ିକ ଭଲ ଥିଲା।

13 ଭାଇ ଓ ଭଉଣୀମାନେ, ଯଦି ଜଗତ ତୁମ୍ଭକୁ ଘୃଣା କରେ, ତେବେ ଆଶ୍ଚର୍ଯ୍ୟ ହୁଅ ନାହିଁ। 14 ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ୟୁର ସୀମା ପାରି ହୋଇ ଜୀବନରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ରେମ କରୁ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ମୃତ୍ୟୁ ସୀମା ମଧ୍ୟରେ ଥାଏ। 15 ନିଜ ଭାଇକୁ ଘୃଣା କରୁଥିବା ପ୍ରତ୍ୟେକ ଲୋକ ନିଜେ ହତ୍ୟାକାରୀ ଅଟେ। ତୁମ୍ଭେ ତ ଜାଣିଛ ଯେ, କୌଣସି ହତ୍ୟାକାରୀଠାରେ ଅନନ୍ତ ଜୀବନ ନାହିଁ।

16 ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦେଇଛନ୍ତି। ଏଥିରୁ ପ୍ରକୃତ ପ୍ରେମ କ’ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ୟ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center