Revised Common Lectionary (Semicontinuous)
149 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାନ କର।
ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।
2 ଇସ୍ରାଏଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର।
ସିୟୋନର ଲୋକମାନେ, ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।
3 ସେହି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ,
ଦାରା ଓ ବୀଣା ବାଦନ କରି।
4 ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି।
ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟାମାନ କରିଛନ୍ତି।
ସେ ସେମାନଙ୍କୁ ରକ୍ଷା କଲେ।
5 ପରମେଶ୍ୱରଙ୍କ ଅନୁସରଣକାରୀ ତୁମ୍ଭେମାନେ ଗୌରବରେ ଆନନ୍ଦ କର!
ଆପଣା ଶଯ୍ୟା ଉପରେ ମଧ୍ୟ ଆନନ୍ଦର ସହ ଗାନ କର।
6 ସେହି ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଉଚ୍ଚ ସ୍ୱରରେ କରନ୍ତୁ
ଏବଂ ସେମାନଙ୍କ ନିଜ ହସ୍ତରେ ନିଜର ଖଡ଼୍ଗମାନ ଧରନ୍ତୁ।
7 ସେମାନଙ୍କୁ ଅନ୍ୟ ଗୋଷ୍ଠୀୟମାନଙ୍କୁ ଦଣ୍ଡିତ କରିବାକୁ ଯାଆନ୍ତୁ।
ସେମାନଙ୍କୁ ଯିବାକୁ ଓ ଦଣ୍ଡ ଦେବାକୁ ଦିଅ।
8 ପରମେଶ୍ୱରଙ୍କର ଲୋକମାନେ ତାଙ୍କର ରାଜା
ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ।
9 ପରମେଶ୍ୱରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ଦଣ୍ଡ ଦେବେ।
ଏହା ପରମେଶ୍ୱରଙ୍କର ସମସ୍ତ ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦେବ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ପ୍ରଥମଜାତ ସନ୍ତାନମାନଙ୍କର ମୃତ୍ୟୁ
11 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଆଉ ଏକ ଉତ୍ପାତ ମିଶର ଓ ଫାରୋଙ୍କ ବିରୁଦ୍ଧରେ ଆଣିବା। ଏହା ପରେ ସେ ତୁମ୍ଭକୁ ମିଶରରୁ ବାହାର କରିଦେବ। ଏପରିକି ସେ ତୁମ୍ଭକୁ ବଳପୂର୍ବକ ମିଶରରୁ ତଡ଼ି ଦେବ। 2 ତୁମ୍ଭେ ଏହି ବାର୍ତ୍ତା ଇସ୍ରାଏଲୀୟମାନଙ୍କୁ ଦିଅ। ‘ପ୍ରତ୍ୟେକ ପୁରୁଷ ଆପଣା ପ୍ରତିବାସୀଠାରୁ ଏବଂ ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀଠାରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ମାଗି ନିଅନ୍ତୁ। 3 ସଦାପ୍ରଭୁ ମିଶରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହ ପାତ୍ର କଲେ। ପୁଣି ମିଶର ଦେଶର ଅଧିକାରୀମାନଙ୍କ ଆଗରେ ଓ ମିଶରର ଲୋକମାନଙ୍କ ଆଗରେ ମୋଶା ଅତି ମହାନ୍ ଲୋକ ହେଲେ।’”
4 ମୋଶା ଲୋକମାନଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଦୁଇପ୍ରହର ରାତ୍ରିରେ ମୁଁ ଆଜି ମିଶର ମଧ୍ୟଦେଇ ଗମନ କରିବି। 5 ଏବଂ ମିଶରର ସମସ୍ତ ପ୍ରଥମଜାତ ସନ୍ତାନ ମରିବେ ଏପରିକି ଫାରୋଙ୍କର ପ୍ରଥମଜାତ ପୁତ୍ର, ଚକିପେଷଣକାରୀ ଦାସମାନଙ୍କର ପ୍ରଥମଜାତ ପୁତ୍ର ଓ ସମସ୍ତ ପଶୁମାନଙ୍କର ପ୍ରଥମଜାତମାନେ ମଧ୍ୟ ମରିବେ। 6 ମିଶରରେ ଏକ ମହାରୋଦନ ହେବ। ଯାହା ପୂର୍ବେ ହୋଇ ନାହିଁ କି କେବେ ହେବ ନାହିଁ। 7 କିନ୍ତୁ ଏପରି କୌଣସି ଇସ୍ରାଏଲୀୟମାନଙ୍କର ହେବ ନାହିଁ। ଏପରିକି ଇସ୍ରାଏଲର ଏକ କୁକୁର କୌଣସି ବ୍ୟକ୍ତି ବା ପଶୁକୁ ଭୁକିବ ନାହିଁ। ଏହିପରି କେହି ଇସ୍ରାଏଲୀୟ ମରିବେ ନାହିଁ।’ ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ଓ ମିଶରୀୟମାନଙ୍କୁ ଭିନ୍ନ ଭାବରେ ବ୍ୟବହାର କରୁଛନ୍ତି। 8 ଏହା ପରେ ତୁମ୍ଭମାନଙ୍କର ସମସ୍ତ ଅଧିକାରୀଗଣ ମୋ’ ନିକଟକୁ ଆସିବେ ଏବଂ ମୋ’ ଆଗରେ ମଥାନତ କରିବେ। ସେମାନେ କହିବେ, ‘ସମସ୍ତ ଲୋକମାନଙ୍କ ସହିତ ବାହାରି ଯାଅ।’ ଏହା ପରେ ମୁଁ ଯିବି।” ତା'ପରେ କ୍ରୋଧରେ ମୋଶା ଫାରୋଙ୍କୁ ପରିତ୍ୟାଗ କଲେ।
9 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, “ଫାରୋ ତୁମ୍ଭର କଥା ଶୁଣିବେ ନାହିଁ, ସେଥିପାଇଁ ମୁଁ ମିଶରରେ ଆହୁରି ବହୁତ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇ ପାରିବି।” 10 ମୋଶା ଏବଂ ହାରୋଣ, ଫାରୋଙ୍କ ଆଗରେ ଏହିସବୁ ଅଦ୍ଭୂତ କର୍ମମାନ କଲେ, କିନ୍ତୁ ସଦାପ୍ରଭୁ ଫାରୋଙ୍କୁ କଠୋର କଲେ, ତେଣୁ ସେ ଇସ୍ରାଏଲୀୟମାନଙ୍କୁ ତାଙ୍କର ଦେଶ ଛାଡ଼ି ଯିବା ପାଇଁ ଅନୁମତି ଦେଲେ ନାହିଁ।
29 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭେମାନେ ତାହାଙ୍କ ସମାଧି ସୁଶୋଭିତ କରୁଛ। 30 ଏବଂ ତୁମ୍ଭେମାନେ କହୁଛ ଯେ ‘ଆମ୍ଭେ ଯଦି ଆମ୍ଭ ପୂର୍ବପୁରୁଷଙ୍କ ସମକାଳୀନ ହୋଇଥାଆନ୍ତୁ, ତେବେ ଏହି ଭବିଷ୍ୟଦ୍ବକ୍ତାମାନଙ୍କୁ ମାରିଦେବା ପାଇଁ ଆମ୍ଭେ କେବେ ହେଲେ ସାହାଯ୍ୟ କରି ନ ଥା’ନ୍ତୁ।’ 31 ତୁମ୍ଭେ ପ୍ରମାଣିତ କରି ଦେଉଛ ଯେ ତୁମ୍ଭେମାନେ ସେହି ଲୋକମାନଙ୍କର ବଂଶଧର ଯେଉଁମାନେ ଭବିଷ୍ୟଦ୍ବକ୍ତାମାନଙ୍କୁ ହତ୍ୟା କଲେ। 32 ତୁମ୍ଭର ପୂର୍ବପୁରୁଷ ଯେଉଁ ପାପ ଆରମ୍ଭ କରିଦେଇଥିଲେ, ତୁମ୍ଭେ ତାହାକୁ ଶେଷ କରିବ।
33 “ତୁମ୍ଭେମାନେ ସର୍ପ ଭଳି। ତୁମ୍ଭେ ବିଷଧର ସର୍ପ କୁଳରେ ଜନ୍ମ ହୋଇଛ। ତୁମ୍ଭେ ପରମେଶ୍ୱରଙ୍କଠାରୁ ରକ୍ଷା ପାଇବ ନାହିଁ। ତୁମ୍ଭ ସମସ୍ତଙ୍କୁ ଦୋଷୀ ବୋଲି ବିଗ୍ଭର କରାଯିବ ଓ ତୁମ୍ଭେମାନେ ନର୍କକୁ ଯିବ। 34 ତେଣୁ ମୁଁ ତୁମ୍ଭକୁ ଏହା କହୁଛି: ମୁଁ ତୁମ୍ଭକୁ ଭବିଷ୍ୟଦ୍ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମାରିବ, କ୍ରୁଶରେ ଚଢ଼ାଇ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭେମାନେ ସେମାନଙ୍କର ପଛେ ପଛେ ଯାଇ କେତେକଙ୍କୁ ତାଡ଼ନା କରିବ।
35 “ତେଣୁ ଧାର୍ମିକ ଲୋକ ହେବଲଙ୍କଠାରୁ ଆରମ୍ଭ କରି ବେରିଖିୟଙ୍କ ପୁତ୍ର ଯିଖରିୟଙ୍କ ପର୍ଯ୍ୟନ୍ତ ଏ ପୃଥିବୀରେ ଯେତେ ଭଲ ଲୋକଙ୍କୁ ମାରି ଦିଆଯାଇଛି, ସେଥିପାଇଁ ତୁମ୍ଭେମାନେ ଦୋଷୀ ସାବ୍ୟସ୍ତ ହେବ। ବେରିଖିୟଙ୍କ ପୁତ୍ର ଯିଖରିୟଙ୍କୁ ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ତୁମ୍ଭେମାନେ ହତ୍ୟା କରିଥିଲ। 36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ।
2010 by World Bible Translation Center