Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 47

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।

47 ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ।
    ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି।
    ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।
ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି।
    ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
ପରମେଶ୍ୱର ଆମ୍ଭମାନଙ୍କୁ ଦେଶ ଦେବା ପାଇଁ ମନୋନୀତ କରିଛନ୍ତି।
    ସେ ଯାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥିଲେ। ସେଲା

ସଦାପ୍ରଭୁ ଯେତେବେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି,
    ସେତେବେଳେ ତୂରୀ ଓ ଜୟଜୟକାର ନାଦରେ ଗଗନ ପବନ ମୁଖରିତ ହୁଏ।
ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର।
    ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ।
ଆମ୍ଭର ରାଜାଙ୍କୁ ପ୍ରଶଂସା କର।
    ତାଙ୍କର ମହିମା ଗାନ କର।
ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା।
    ତେଣୁ ତାଙ୍କର ମହିମା ଗାନ କର।
ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି।
    ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି।
ସେହି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି
    ଓ ସେମାନେ ଅବ୍ରହାମର ପରମେଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ସହିତ ମିଶନ୍ତି।
ସେହିସବୁ ନେତାମାନେ ପରମେଶ୍ୱରଙ୍କ ଆଶ୍ରିତ।
    ପରମେଶ୍ୱର ସେମାନଙ୍କ ଊର୍ଦ୍ଧ୍ୱରେ ଅଟନ୍ତି।

ରାଜାବଳୀର ପ୍ରଥମ ପୁସ୍ତକ 18:36-39

36 ସନ୍ଧ୍ୟାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିୟ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଗଲେ ଓ କହିଲେ, “ହେ ସଦାପ୍ରଭୁ, ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର ଓ ମୁଁ ଯେ ତୁମ୍ଭର ସେବକ ଏବଂ ମୁଁ ଯେ ତୁମ୍ଭ ବାକ୍ୟ ଅନୁସାରେ ଏହିସବୁ କାର୍ଯ୍ୟ କରିଅଛି। 37 ହେ ସଦାପ୍ରଭୁ, ମୋ’ ପ୍ରାର୍ଥନାର ଉତ୍ତର ଦିଅ। ଆଉ ଏହି ଲୋକମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସଦାପ୍ରଭୁ, ପରମେଶ୍ୱର, ତାହାହେଲେ ସେମାନେ ସର୍ବାନ୍ତଃକରଣରେ ଜାଣିବେ ଯେ ତୁମ୍ଭେ ସେମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିଅଛ।”

38 ସେତେବେଳେ ସଦାପ୍ରଭୁଙ୍କ ପ୍ରେରିତ ଅଗ୍ନି ପ୍ରଜ୍ୱଳିତ ହେଲା ଓ ସେହି ଅଗ୍ନି ହୋମାର୍ଥକ ବଳି, କାଠ, ପ୍ରସ୍ତର, ଧୂଳି ଗ୍ରାସ କରି ଯଜ୍ଞବେଦିର ଗ୍ଭରିପାଖରେ ଥିବା ଖାଇର ଜଳକୁ ଶୁଷ୍କ କରି ଦେଲା। 39 ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର।”

ଯୋହନଙ୍କ ପ୍ରଥମ ପତ୍ର 4:1-6

ଭଣ୍ଡ ଶିକ୍ଷକଙ୍କ ପ୍ରତି ସାବଧାନ

ପ୍ରିୟ ବନ୍ଧୁମାନେ, ଏ ଜଗତର ଗ୍ଭରିଆଡ଼େ ବହୁତ ଭଣ୍ଡ ଭାବବାଦୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ, ବରଂ ସେମାନେ ପରମେଶ୍ୱରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ। ଏହି ପ୍ରକାରେ ତୁମ୍ଭେମାନେ ପରମେଶ୍ୱରଙ୍କର ଆତ୍ମାକୁ ଚିହ୍ନି ପାରିବ: ଏକ ଆତ୍ମା କହିବ ଯେ, “ମୁଁ ବିଶ୍ୱାସ କରେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ଓ ସେ ଏ ଜଗତକୁ ମନୁଷ୍ୟ ରୂପ ଧାରଣ କରି ଆସିଥିଲେ,” ସେହି ଆତ୍ମା ପରମେଶ୍ୱରଙ୍କଠାରୁ ଆଗତ। ଅନ୍ୟ ଆତ୍ମା ଯୀଶୁଙ୍କ ବିଷୟରେ ଏପରି ସାକ୍ଷ୍ୟ ଦିଅନ୍ତି ନାହିଁ, ସେହି ଆତ୍ମା ପରମେଶ୍ୱରଙ୍କଠାରୁ ଆସି ନାହିଁ, ସେମାନେ ଖ୍ରୀଷ୍ଟଙ୍କର ଶତ୍ରୁ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବା ସମ୍ବନ୍ଧରେ ତୁମ୍ଭେମାନେ ଶୁଣିଛ ଏବଂ ସେ ବର୍ତ୍ତମାନ ଏହି ସଂସାର ଭିତରେ ରହିଛି।

ପିଲାମାନେ! ତୁମ୍ଭେମାନେ ପରମେଶ୍ୱରଙ୍କର ଅଟ। ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧ୍ୟରେ ଯେ ଅଛନ୍ତି, ସେ ଜାଗତିକ ଲୋକମାନଙ୍କଠାରେ ଥିବା ଶୟତାନଠାରୁ ମଧ୍ୟ ମହାନ୍। ସେହି ଲୋକମାନେ ଜଗତର ଅଟନ୍ତି। ସେଥିପାଇଁ ସେମାନଙ୍କର କଥାଗୁଡ଼ିକ ଜାଗତିକ ଅଟେ। ଏବଂ ଜଗତ ସେମାନଙ୍କ କଥା ଶୁଣେ। କିନ୍ତୁ ଆମ୍ଭେ ସବୁ ପରମେଶ୍ୱରଙ୍କର। ତେଣୁ ପରମେଶ୍ୱରଙ୍କୁ ଜାଣିଥିବା ଲୋକ ଆମ୍ଭ କଥା ଶୁଣେ। ଯେଉଁ ଲୋକ ପରମେଶ୍ୱରଙ୍କର ନୁହେଁ, ସେ ଆମ୍ଭ କଥା ଶୁଣେ ନାହିଁ। ଏହିପରି ଭାବରେ ଆମ୍ଭେ ସତ୍ୟମୟ ଆତ୍ମା ଓ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ଆତ୍ମାକୁ ଚିହ୍ନି ପାରିବା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center