Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 86:1-10

ଦାଉଦଙ୍କର ପ୍ରାର୍ଥନା।

86 ହେ ସଦାପ୍ରଭୁ, ମୋର ଗୁହାରି ଶୁଣ।
    ଏବଂ ମୋ’ ପ୍ରାର୍ଥନାର ଉତ୍ତର ଦିଅ।
    କାରଣ ମୁଁ ଜଣେ ଦିନହୀନ, ନିଃସହାୟ ମଣିଷ।
ମୁଁ ତୁମ୍ଭର ଭକ୍ତ, ଦୟାକରି ମୋ’ ଜୀବନକୁ ରକ୍ଷା କର!
    ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପରମେଶ୍ୱର।
    ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର।
ହେ ମୋର ପ୍ରଭୁ, ମୋ’ ପ୍ରତି ଦୟା ଦେଖାଅ।
    ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି।
ହେ ସଦାପ୍ରଭୁ, ମୁଁ ମୋ’ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି,
    ତେଣୁ ମୋତେ ତୁମ୍ଭର ସେବକକୁ ଆନନ୍ଦ ଦିଅ।
ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମୟ,
    ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ହୃଦୟ ସହକାରେ ମୋର କରୁଣାମୟ ପ୍ରାର୍ଥନା ଶୁଣ।
ସଦାପ୍ରଭୁ, ମୋର ବିପଦକାଳରେ ମୁଁ ତୁମ୍ଭକୁ ଡାକିବି।
    ମୁଁ ଜାଣେ ତୁମ୍ଭେ ଉତ୍ତର ଦେବ।
ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ।
    ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ।
ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ।
    ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।
10 ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର।
    ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ।

ଆଦିପୁସ୍ତକ 35:1-4

ଯାକୁବ ବୈଥେ‌ଲ୍‌ରେ

35 ପରମେଶ୍ୱର ଯାକୁବଙ୍କୁ କହିଲେ, “ବୈଥେ‌ଲ୍‌କୁ ଯାଅ, ସେଠାରେ ବାସ କର ଏବଂ ସେଠାରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ପାଇଁ ଏକ ଯଜ୍ଞବେଦି ସ୍ଥାପନ କର। ଯିଏ ତୁମ୍ଭ ଭାଇ ଏଷୌଠାରୁ ତୁମ୍ଭର ପଳାୟନ ବେଳେ ଆବିର୍ଭାବ ହୋଇଥିଲେ।”

ତେଣୁ ଯାକୁବ ତାଙ୍କର ପରିବାର ଓ ଦାସମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେସବୁ ବିଦେଶୀୟ ଦେବତାଗଣ ଅଛନ୍ତି ସେମାନଙ୍କୁ ଦୂର କର, ନିଜ ନିଜକୁ ଶୁଚି କର ଏବଂ ବସ୍ତ୍ର ପରିବର୍ତ୍ତନ କର। ଆମ୍ଭେମାନେ ଏହି ସ୍ଥାନ ପରିତ୍ୟାଗ କରି ବୈଥେ‌ଲ୍‌କୁ ଯିବା। ମୁଁ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରିବି ଏବଂ ତାହା ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି ଯିଏ ମୋର ଅସୁବିଧା ସମୟରେ ମୋତେ ଦୟା କରିଛନ୍ତି, ଯେଉଁଠାକୁ ମୁଁ ଗଲି ପରମେଶ୍ୱର ମୋ’ ସହିତ ରହି ଆସିଛନ୍ତି।”

ତେଣୁ ସମସ୍ତ ଲୋକ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଯାକୁବଙ୍କୁ ଦେଲେ। ସେମାନେ ମଧ୍ୟ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ଯାକୁବଙ୍କୁ ଦେଲେ। ଯାକୁବ ସେଗୁଡ଼ିକ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷମୂଳେ ପୋତି ଦେଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 5:17-26

ଯିହୂଦୀମାନେ ପ୍ରେରିତମାନଙ୍କୁ କ୍ଷାନ୍ତ କରିବାକୁ ଚେଷ୍ଟା

17 ମହାଯାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୂକୀ ଦଳ ଈର୍ଷାନ୍ୱିତ ହୋଇ ସେମାନଙ୍କ ବିରୁଦ୍ଧରେ ଠିଆ ହେଲେ। 18 ସେମାନେ ପ୍ରେରିତମାନଙ୍କୁ ବନ୍ଦୀକରି କାରାଗାରରେ ରଖିଲେ। 19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତିରେ ସେହି କାରାଗାରର କବାଟ ଖୋଲି ସେମାନଙ୍କୁ ବାହାର କରିଦେଲେ ଓ କହିଲେ, 20 “ତୁମ୍ଭେମାନେ ମନ୍ଦିରକୁ ଯାଇ, ଠିଆ ହୁଅ ଓ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଦତ୍ତ ଏହି ନୂତନ ଜୀବନ ବିଷୟରେ କୁହ।” 21 ଏହା ଶୁଣି ପ୍ରେରିତମାନେ ସକାଳୁ ମନ୍ଦିରକୁ ଯାଇ ଲୋକମାନଙ୍କୁ ଉପଦେଶ ଦେଲେ।

ଏହି ସମୟରେ ମହାଯାଜକ ଓ ତାହାଙ୍କର ବନ୍ଧୁମାନେ ସେହି ମନ୍ଦିରର ଅନ୍ୟ ପାଖରେ ପହଞ୍ଚି ଇସ୍ରାଏଲର ବିଶିଷ୍ଟ ଲୋକମାନଙ୍କର ଏକ ସଭା ଡାକିଲେ। ସେମାନେ ପ୍ରେରିତମାନଙ୍କୁ କାରାଗାରରୁ ଆଣିବା ପାଇଁ କିଛି ଲୋକଙ୍କୁ ପଠାଇଲେ। 22 କିନ୍ତୁ ସେହି ଲୋକମାନେ କାରାଗାରରେ ପ୍ରେରିତମାନଙ୍କୁ ନ ପାଇ ଫେରିଗଲେ ଓ ଯାଇ ସେମାନଙ୍କୁ ଏହି ଖବର ଦେଲେ, 23 “ଆମ୍ଭେ କାରାଗାରରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ୱାର ପାଖରେ ଠିଆ ହେବାର ମଧ୍ୟ ଦେଖିଲୁ। କିନ୍ତୁ ଆମ୍ଭେ ଯେତେବେଳେ କାରାଗାର ଖୋଲି ଦେଖିଲୁ, ସେତେବେଳେ ସେଠାରେ କେହି ନ ଥିଲେ।” 24 ଏ କଥା ଶୁଣି ମନ୍ଦିରର ସେନାପତି ଓ ମହାଯାଜକ ବିବ୍ରତ ହୋଇପଡ଼ିଲେ ଓ “ଏହାର ପରିଣାମ କ’ଣ ହେବ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।”

25 ଠିକ୍ ସେହି ସମୟରେ ଜଣେ ଆସି ସେମାନଙ୍କୁ କହିଲା, “ତୁମ୍ଭେମାନେ ଯେଉଁମାନଙ୍କୁ କାରାଗାରରେ ବନ୍ଦୀକରି ରଖିଥିଲ ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି।” 26 ତେଣୁ ସେନାପତି ସେହି ଲୋକମାନଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କୁ ନେଇ ଆସିଲେ। ସେମାନେ ପ୍ରେରିତମାନଙ୍କୁ ଜୋ‌ର୍‌‌ଜବରଦସ୍ତି କରି ଆଣିଲେ ନାହିଁ କାରଣ ସେମାନେ ଭୟ କଲେ, ଯଦି ସେମାନେ ଏପରି କରିବେ, ତେବେ ଲୋକମାନେ ହୁଏତ ସେମାନଙ୍କୁ ପଥର ଫୋପାଡ଼ିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center