Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।
13 “ଓଟ ପକ୍ଷୀ ଉତ୍ତେଜନାରେ ଡେଣା ହଲାଏ କିନ୍ତୁ ଏହା ଉଡ଼ିପାରିବ ନାହିଁ।
ଏହାର ଡେଣା ବଗ ପରି ନୁହେଁ।
14 ଓଟ ପକ୍ଷୀ ଭୂମିରେ ଅଣ୍ଡା ଦିଏ
ଏବଂ ସେମାନେ ବାଲିରେ ଉଷ୍ଣ ହୁଅନ୍ତି।
15 ଓଟ ପକ୍ଷୀ ଭୁଲିଯାଏ ହୁଏତ ତା'ର ଅଣ୍ଡା ଉପରେ କିଏ ଚଢ଼ିଯିବ
କିମ୍ବା କୌଣସି ବଣୁଆ ଜନ୍ତୁ ତା'ର ଅଣ୍ଡାକୁ ଭାଙ୍ଗି ଦେବ।
16 ଓଟପକ୍ଷୀ ତା'ର ଶାବକମାନଙ୍କୁ ଛାଡ଼ିକି ଯାଏ।
ସେ ତା'ର ଶାବକମାନଙ୍କୁ ନିଜର ଛୁଆ ପରି ବ୍ୟବହାର କରେ ନାହିଁ।
ତା'ର ଛୁଆ ମରିଗଲେ ସେ ଖାତିରି କରେ ନାହିଁ, ଯେପରି ସମସ୍ତ କାମ କିଛି ହେଲା ନାହିଁ।
17 କାରଣ ମୁଁ ସେହି ଓଟପକ୍ଷୀକୁ ଜ୍ଞାନ ଦେଇ ନାହିଁ।
ସେହି ଓଟ ପକ୍ଷୀ ନିର୍ବୋଧ।
ମୁଁ ମଧ୍ୟ ତାକୁ ସେପରି କରିଛି।
18 କିନ୍ତୁ ସେହି ଓଟପକ୍ଷୀ ଠିଆ ହୁଏ ଦୌଡ଼ିବାକୁ ଆରମ୍ଭ କରେ।
ସେ ଘୋଡ଼ା ଓ ତା'ର ସବାରୀକୁ ଦେଖି ହସି ପଳାଏ।
କାରଣ ସେ କୌଣସି ଘୋଡ଼ାଠାରୁ ଅଧିକ ବେଗରେ ଦୌଡ଼ିପାରେ ନାହିଁ।
19 “ଆୟୁବ, ତୁମ୍ଭେ ସେହି ଘୋଡ଼ାକୁ ଶକ୍ତି ଦେଇଛ କି?
ତୁମ୍ଭେ ଘୋଡ଼ାର ବେକରେ ବଳା ଲଗାଇଛ କି?
20 ତୁମ୍ଭେ ସେହି ଘୋଡ଼ାକୁ ପତଙ୍ଗପରି କୁଦିବାର ଶକ୍ତି ଦେଇଅଛ କି?
ସେହି ଘୋଡ଼ା ଲୋକ ଦେଖିଲେ ବଡ଼ ପାଟିରେ ରବ କରେ।
21 ଘୋଡ଼ାଟି ଶକ୍ତିଶାଳୀ ଥିବାରୁ ଖୁସୀଥାଏ।
ସେ ଭୂମିରେ ତା'ର ଖୁରା ଦ୍ୱାରା ରାମ୍ପୁଡ଼ି ପକାଏ।
ସେ ଯୁଦ୍ଧ କ୍ଷେତ୍ରରେ ଖୁବ ଜୋର୍ରେ ଦୌଡ଼ିପାରେ।
22 ଘୋଡ଼ା ଭୟରେ ହସେ।
ସେ ଭୟଭୀତ ନୁହେଁ, ସେ ଯୁଦ୍ଧ ଭୂମିରୁ ପଳାୟନ କରିବ ନାହିଁ।
23 ଯୋଦ୍ଧା ଘୋଡ଼ା ପିଠିରେ ବସି ତୂଣିର ବାନ୍ଧି ଥାଏ।
ବର୍ଚ୍ଛା, ଢାଲ ଆଦି ଅସ୍ତ୍ରଶସ୍ତ୍ର ସୂର୍ଯ୍ୟ କିରଣରେ ଝଲମଲ କରୁଥାଏ।
24 ଘୋଡ଼ା ଅତ୍ୟଧିକ ଉତ୍ତେଜିତ ହୁଏ।
ସେ ଭୂମି ଉପରେ ଖୁବ୍ ଜୋର୍ରେ ଦୌଡ଼େ।
ସେ ତୂରୀ ଶବ୍ଦ ଶୁଣି ସ୍ଥିର ହୋଇ ଠିଆ ହୋଇ ରହିପାରେ ନାହିଁ।
25 ଯେତେବେଳେ ତୂରୀ ଆଦି ବାଦ୍ୟ ଶୁଣେ ଘୋଡ଼ା ମଧ୍ୟ ପାଟିକରେ ‘ହୁରେ!’
ସେ ଦୂରରୁ ଯୁଦ୍ଧର ବାସନା
ଓ ସେନାପତିମାନଙ୍କର ହୁଙ୍କାର ଜାଣି ପାରେ।
4 ଆତ୍ମାଙ୍କ ଦାନ ଅନେକ ପ୍ରକାରର, କିନ୍ତୁ ସେଗୁଡ଼ିକ ସେହି ଏକ ପବିତ୍ରଆତ୍ମାଙ୍କଠାରୁ ଆସିଥାଏ। 5 ସେବା ମଧ୍ୟ ଅନେକ ପ୍ରକାରର, ମାତ୍ର ଆମ୍ଭେ ଯାହାଙ୍କର ସେବା କରୁ, ସେହି ପ୍ରଭୁ ଏକ ଅଟନ୍ତି। 6 ପରମେଶ୍ୱର ଆମ୍ଭମାନଙ୍କ ଜୀବନର ଅନେକ ପ୍ରକାର କାର୍ଯ୍ୟ କରନ୍ତି, ମାତ୍ର ଯେ ଏସମସ୍ତ କରନ୍ତି, ସେହି ପରମେଶ୍ୱର ଏକ ଅଟନ୍ତି।
7 ପ୍ରତ୍ୟେକ ଲୋକଠାରେ ଆତ୍ମାର ବିଶେଷ ଗୁଣ ଗୁଡ଼ିକ ଦେଖିବାକୁ ମିଳେ। 8 ଏଗୁଡ଼ିକ ଅନ୍ୟମାନଙ୍କ ଭଲ ପାଇଁ ଦିଆଯାଇଛି। ଜଣେ ଲୋକକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିରେ କଥା କହିବାକୁ ଦକ୍ଷତା ଦିଆ ହୋଇଛି, ଓ ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ଜ୍ଞାନର କଥା କହିବାକୁ ଯୋଗ୍ୟତା ଦିଆ ହୋଇଛି। 9 ସେହି ଏକମାତ୍ର ଆତ୍ମା ଜଣେ ଲୋକକୁ ବିଶ୍ୱାସ ଓ ଅନ୍ୟଜଣକୁ ପୂର୍ଣ୍ଣ ଆରୋଗ୍ୟ କରିବା ଶକ୍ତି ଦାନ କରନ୍ତି। 10 ଆତ୍ମା ଅନ୍ୟଜଣକୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତରେ ପାର୍ଥକ୍ୟ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସେହି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି। 11 ସେହି ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ଏହି ସମସ୍ତ କାର୍ଯ୍ୟ କରନ୍ତି। ସେହି ଆତ୍ମା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ’ଣ ଦିଆଯିବ, ତାହା ସ୍ଥିର କରନ୍ତି।
ଖ୍ରୀଷ୍ଟଙ୍କର ଶରୀର
12 ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ୟଙ୍ଗ ଅନେକ। ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଶରୀର ହେଉଛି ଏକ। ସେହିପରି ମଧ୍ୟ ଖ୍ରୀଷ୍ଟ ଏକ। 13 ଆମ୍ଭ ଭିତରୁ କେତେକ ହେଉଛୁ ଯିହୂଦୀ, କେତେକ ଅଣଯିହୂଦୀ, ଆମ୍ଭ ଭିତରୁ କେତେକ କ୍ରୀତଦାସ ଓ କେତେକ ସ୍ୱାଧୀନ। କିନ୍ତୁ ଆମ୍ଭେମାନେ ସମସ୍ତେ ଗୋଟିଏ ଆତ୍ମା ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ପ୍ରାପ୍ତ ହୋଇ ଅଛୁ। ଆମ୍ଭ ସମସ୍ତଙ୍କୁ ଗୋଟିଏ ଆତ୍ମା ମଧ୍ୟ ପ୍ରଦାନ କରାଯାଇଛି।
2010 by World Bible Translation Center