Revised Common Lectionary (Semicontinuous)
12 ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି।
କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି।
13 ସଦାପ୍ରଭୁ ସ୍ୱର୍ଗରୁ ଥାଇ ସବୁ ଲୋକଙ୍କ ଉପରେ
ଦୃଷ୍ଟିପାତ କରନ୍ତି।
14 ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ
ନିରୀକ୍ଷଣ କରନ୍ତି।
15 ପରମେଶ୍ୱର ସମସ୍ତ ମନୁଷ୍ୟମାନଙ୍କ ହୃଦୟକୁ ତିଆରି କରିଛନ୍ତି।
ତେଣୁ ପରମେଶ୍ୱର ଜାଣନ୍ତି ପ୍ରତ୍ୟେକ ମନୁଷ୍ୟ କ’ଣ ଚିନ୍ତା କରୁଥାଏ।
16 ଜଣେ ରାଜା ନିଜର ଶକ୍ତିଦ୍ୱାରା ସୁରକ୍ଷିତ ହୁଏ ନାହିଁ।
ଜଣେ ଶକ୍ତିଶାଳୀ ସୈନିକ କେବଳ ତା'ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।
17 ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ।
ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ।
18 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ୱର ସେମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ଉପରେ ଦୃଷ୍ଟି ରଖନ୍ତି।
ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେହିମାନେ ତାଙ୍କର ସ୍ୱର୍ଗୀୟ କରୁଣାରେ ରକ୍ଷା ପାଆନ୍ତି।
19 ପ୍ରଭୁ ସେହି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି।
ସେ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତି।
ଯେତେବେଳେ ସେମାନେ ଅତ୍ୟନ୍ତ ଭୋକିଲା ଥା’ନ୍ତି।
20 ତେଣୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା।
ସେ ଆମ୍ଭକୁ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
21 ପରମେଶ୍ୱର ଆମ୍ଭକୁ ଆନନ୍ଦ ପ୍ରଦାନ କରନ୍ତି।
ଆମ୍ଭେ ପ୍ରକୃତରେ ତାଙ୍କର ସେହି ପବିତ୍ର ନାମରେ ଭରସା କରିବା।
22 ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ।
ତେଣୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ।
16 ତୃତୀୟ ଦିନ ପ୍ରଭାତରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡ଼ଘଡ଼ି, ବିଜୁଳି ଏବଂ ଏକ ଗମ୍ଭୀର ତୂରୀ ଧ୍ୱନି ଶୁଣାଗଲା। ଛାଉଣିର ଲୋକମାନେ ଭୟଭୀତ ହୋଇଗଲେ। 17 ଏହା ପରେ ମୋଶା ଲୋକମାନଙ୍କୁ ଛାଉଣିରୁ ବାହାର କରି ପରମେଶ୍ୱରଙ୍କର ସାକ୍ଷାତ ପାଇଁ ପର୍ବତର ପାଦଦେଶକୁ ଆଣିଲେ। 18 ସୀନୟ ପର୍ବତ ଧୂଆଁରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୂଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହାରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନରେ ପର୍ବତରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା। 19 ତୂରୀ ଧ୍ୱନି ଅଧିକରୁ ଅଧିକ ଶବ୍ଦରେ ଶୁଭିଲା। ମୋଶା ପରମେଶ୍ୱରଙ୍କୁ ଯେକୌଣସି ପ୍ରଶ୍ନ କଲେ ପରମେଶ୍ୱର ପ୍ରତ୍ୟେକ ଥର ବଜ୍ର ସ୍ୱରରେ ଉତ୍ତର ଦେଲେ।
20 ଏହା ପରେ ସଦାପ୍ରଭୁ ପର୍ବତ ଉପରେ ଅବତରଣ କଲାପରେ ସେ ମୋଶାଙ୍କୁ ପର୍ବତ ଉପରକୁ ଡାକିଲେ। ତେଣୁ ମୋଶା ପର୍ବତ ଉପରକୁ ଚଢ଼ିଲେ।
21 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତଳକୁ ଯାଇ ଲୋକମାନଙ୍କୁ ସତର୍କ କରାଇ ଦିଅ ଯେ ସେମାନେ ମୋ’ ଆଡ଼କୁ ଗ୍ଭହିଁବେ ନାହିଁ କି ମୋ’ ନିକଟକୁ ଆସିବେ ନାହିଁ, ଯଦି କିଏ ଅମାନ୍ୟ କରେ ତେବେ ସେ ମରିବ। 22 ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥା’ନ୍ତି, ସେମାନେ ହିଁ ନିଜ ନିଜକୁ ପବିତ୍ର କରନ୍ତୁ। ନ ହେଲେ ସେମାନେ ଦଣ୍ଡ ଭୋଗ କରିବେ।”
23 ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଲୋକମାନେ ସୀନୟ ପର୍ବତକୁ ଆସି ପାରିବେ ନାହିଁ। କାରଣ ତୁମ୍ଭେ ଦୃଢ଼ ଆଜ୍ଞା ଦେଇ ଆମ୍ଭମାନଙ୍କୁ କହିଛ ଯେ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର।”
24 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଓହ୍ଲାଇ ଯାଅ। ତୁମ୍ଭେ ହାରୋଣ ସହିତ ଆରୋହଣ କରିବ। ମାତ୍ର ଦେଖ, ଯାଜକଗଣ ଓ ଲୋକମାନେ ଯେପରି ସୀମା ଅତିକ୍ରମ ନ କରନ୍ତି, ନ ହେଲେ ମୁଁ ସେମାନଙ୍କୁ ଦଣ୍ଡ ଦେବି।”
25 ତେଣୁ ମୋଶା ଓହ୍ଲାଇ ଗଲେ ଓ ଲୋକମାନଙ୍କୁ କହିଲେ।
14 ଯେଉଁମାନେ ନିଜ ଜୀବନରେ ପରମେଶ୍ୱରଙ୍କର ଆତ୍ମାକୁ ନେତୃତ୍ୱ ଦିଅନ୍ତି ସେମାନେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ। 15 ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହେବାକୁ ଦେବେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହେବେ ନାହିଁ। ଆମ୍ଭ ଭିତରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ୱରଙ୍କର ସନ୍ତାନ କରି ଦିଅନ୍ତି। ଓ ସେହି ଆତ୍ମାଙ୍କ ସହିତ ଆମ୍ଭେ କହୁ, ‘ପିତା, ପ୍ରିୟ ପିତା।’ 16 ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ବୋଲି କହିବା ଲାଗି ସେହି ଆତ୍ମା ଆମ୍ଭ ଆତ୍ମା ସହିତ ଯୋଡ଼ି ହୁଅନ୍ତି। 17 ଆମ୍ଭେ ଯଦି ପରମେଶ୍ୱରଙ୍କର ସନ୍ତାନ, ତା'ହେଲେ ପରମେଶ୍ୱର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ୱରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ୟ ଏହି ଆଶୀର୍ବାଦ ପାଇବୁ। କିନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହାହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ୟ ମହିମାର ଅଧିକାରୀ ହେବା।
2010 by World Bible Translation Center