Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 33:12-22

12 ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି।
    କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି।
13 ସଦାପ୍ରଭୁ ସ୍ୱର୍ଗରୁ ଥାଇ ସବୁ ଲୋକଙ୍କ ଉପରେ
    ଦୃଷ୍ଟିପାତ କରନ୍ତି।
14 ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ
    ନିରୀକ୍ଷଣ କରନ୍ତି।
15 ପରମେଶ୍ୱର ସମସ୍ତ ମନୁଷ୍ୟମାନଙ୍କ ହୃଦୟକୁ ତିଆରି କରିଛନ୍ତି।
    ତେଣୁ ପରମେଶ୍ୱର ଜାଣନ୍ତି ପ୍ରତ୍ୟେକ ମନୁଷ୍ୟ କ’ଣ ଚିନ୍ତା କରୁଥାଏ।
16 ଜଣେ ରାଜା ନିଜର ଶକ୍ତିଦ୍ୱାରା ସୁରକ୍ଷିତ ହୁଏ ନାହିଁ।
    ଜଣେ ଶକ୍ତିଶାଳୀ ସୈନିକ କେବଳ ତା'ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।
17 ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ।
    ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ।
18 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ୱର ସେମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ଉପରେ ଦୃଷ୍ଟି ରଖନ୍ତି।
    ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେହିମାନେ ତାଙ୍କର ସ୍ୱର୍ଗୀୟ କରୁଣାରେ ରକ୍ଷା ପାଆନ୍ତି।
19 ପ୍ରଭୁ ସେହି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି।
ସେ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତି।
    ଯେତେବେଳେ ସେମାନେ ଅତ୍ୟନ୍ତ ଭୋକିଲା ଥା’ନ୍ତି।
20 ତେଣୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା।
    ସେ ଆମ୍ଭକୁ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
21 ପରମେଶ୍ୱର ଆମ୍ଭକୁ ଆନନ୍ଦ ପ୍ରଦାନ କରନ୍ତି।
    ଆମ୍ଭେ ପ୍ରକୃତରେ ତାଙ୍କର ସେହି ପବିତ୍ର ନାମରେ ଭରସା କରିବା।
22 ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ।
    ତେଣୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ।

ଯାତ୍ରାପୁସ୍ତକ 19:1-9

ଇସ୍ରାଏଲ ସହିତ ପରମେଶ୍ୱରଙ୍କ ଚୁକ୍ତି

19 ମିଶର ଦେଶରୁ ଇସ୍ରାଏଲୀୟମାନେ ବାହାରି ତୃତୀୟ ମାସର ପ୍ରଥମ ଦିନରେ ଆସି ସୀନୟ ମରୁଭୂମିରେ ପହଞ୍ଚିଲେ। ସେମାନେ ରଫୀଦୀମଠାରୁ ଯାଇ ସୀନୟ ମରୁଭୂମିରେ ପହଞ୍ଚିଲେ ଓ ସେମାନେ ପର୍ବତ ନିକଟସ୍ଥ ମରୁଭୂମିରେ ଛାଉଣି ସ୍ଥାପନ କଲେ। ଏହା ପରେ ମୋଶା ଉପରକୁ ଚଢ଼ି ପରମେଶ୍ୱରଙ୍କ ନିକଟକୁ ଗଲେ। ପରମେଶ୍ୱର ତାଙ୍କୁ ପର୍ବତ ଶିଖରରୁ ଡାକିଲେ ଏବଂ କହିଲେ, “ଏହି ସୂଚନା ଯାକୁବର ପରିବାର ଇସ୍ରାଏଲୀୟମାନଙ୍କୁ ଦିଅ। ତୁମ୍ଭେମାନେ ଦେଖିଛ ମୁଁ ମିଶର ବାସୀମାନଙ୍କର ଯାହା କରିଛି। ତୁମ୍ଭେମାନେ ଦେଖିଛ ମୁଁ ତୁମ୍ଭକୁ କିପରି ମିଶରରୁ ଉତ୍କ୍ରୋଶପକ୍ଷୀ ସଦୃଶ ଉଠାଇ ମୋ’ ପାଖକୁ ଆଣିଲି। ତେଣୁ ସେମାନଙ୍କୁ ମୋର ଆଜ୍ଞା ମାନିବା ପାଇଁ କୁହ। ସେମାନଙ୍କୁ ମୋର ନିୟମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେମାନେ ମୋର ଆପଣାର ରତ୍ନଭଣ୍ଡାର ହୋଇ ରହିବ ଯେହେତୁ ସମଗ୍ର ପୃଥିବୀ ମୋର। ମୋ’ ପାଇଁ ତୁମ୍ଭେମାନେ ଯାଜକମାନଙ୍କର ଏକ ରାଜ୍ୟ ଏବଂ ପବିତ୍ର ରାଷ୍ଟ୍ର ହେବ।’ ମୋଶା, ଏହି ସମସ୍ତ କଥା ତୁମ୍ଭେ ଇସ୍ରାଏଲୀୟମାନଙ୍କୁ କୁହ।”

ତେଣୁ ମୋଶା ଗଲେ ଓ ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଡାକି ଏକତ୍ର କରାଇଲେ। ମୋଶା ସେମାନଙ୍କୁ ପରମେଶ୍ୱରଙ୍କର ଆଜ୍ଞା ସମସ୍ତ କହିଲେ। ସମସ୍ତ ଲୋକେ ଏକ ସମୟରେ କହିଲେ, “ଆମ୍ଭେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମାନିବୁ।”

ଏହା ପରେ ମୋଶା ପୁନରାୟ ପର୍ବତ ଉପରକୁ ପରମେଶ୍ୱରଙ୍କର ନିକଟକୁ ଗଲେ। ମୋଶା ପରମେଶ୍ୱରଙ୍କୁ କହିଲେ, ଲୋକମାନେ ଆପଣଙ୍କର ସମସ୍ତ ଆଜ୍ଞା ମାନିବେ। ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସିବି। ମୁଁ ତୁମ୍ଭକୁ ଏକଥା କହିବି ଯେପରି ସମସ୍ତେ ଶୁଣି ପାରିବେ। ମୁଁ ଏପରି କରିବି କାରଣ ସମସ୍ତ ଲୋକ ତୁମ୍ଭ ଉପରେ ବିଶ୍ୱାସ ରଖିବେ। ତୁମ୍ଭେ ସେମାନଙ୍କୁ ଯାହା କହିବ ସେମାନେ ତାହା ବିଶ୍ୱାସ କରିବେ।”

ଏହା ପରେ ମୋଶା ପରମେଶ୍ୱରଙ୍କୁ ଲୋକମାନଙ୍କର ସମସ୍ତ କଥା କହିଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 2:1-11

ପବିତ୍ରଆତ୍ମାଙ୍କର ଆଗମନ

ଯେତେବେଳେ ପେଣ୍ଟିକଷ୍ଟ[a] ଦିନ ଆସିଲା ସେମାନେ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ଜମା ହୋଇଥିଲେ। ସେତେବେଳେ ହଠାତ୍ ଆକାଶରୁ ଗୋଟିଏ ଶବ୍ଦ ଶୁଣାଗଲା। ଏହି ଶବ୍ଦ ଗୋଟିଏ ଭୀଷଣ ଝଡ଼ ବହିବା ପରି ଥିଲା। ଶବ୍ଦଟି ସେମାନେ ଯେଉଁ ଘର ଭିତରେ ବସିଥିଲେ, ସେହି ଘରର ଗ୍ଭରିଆଡ଼େ ବ୍ୟାପି ଗଲା। ସେମାନେ ଅଗ୍ନିଶିଖା ପରି ଜିହ୍ୱାଗୁଡ଼ିକ କିଛି ଦେଖିଲେ। ଏହି ଅଗ୍ନିଶିଖାସବୁ ଭାଗ ଭାଗ ହୋଇ ସେଠାରେ ଥିବା ପ୍ରତ୍ୟେକ ବ୍ୟକ୍ତିର ଉପରେ ରହିଲା। ସମସ୍ତେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେଲେ। ପବିତ୍ରଆତ୍ମାଙ୍କ ଦ୍ୱାରା ପାଉଥିବା ଶକ୍ତି ସାହାଯ୍ୟରେ ସେମାନେ ଭିନ୍ନ ଭିନ୍ନ ଭାଷାରେ କଥା କହିବାକୁ ଆରମ୍ଭ କଲେ।

ସେ ସମୟରେ ପୃଥିବୀର ସବୁ ଦେଶରୁ ଯିହୂଦୀ ଭକ୍ତମାନେ ଆସି ଯିରୁଶାଲମରେ ରହୁଥିଲେ। ଏହି ଶବ୍ଦ ଶୁଣିବା ମାତ୍ରେ ସେମାନଙ୍କ ଭିତରୁ ବହୁତ ଲୋକ ଆସି ଜମା ହୋଇଗଲେ। ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେମାନେ ନିଜେ ଯେଉଁ ଭାଷାରେ କଥା ହେଉଥିଲେ, ପ୍ରେରିତମାନେ ସେହି ସେହି ଭାଷାରେ କଥା ହେଉଥିବାର ଶୁଣିଲେ।

ଏଥିରେ ଯିହୂଦୀମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଦେଖ, ଏହିପରି କଥା କହିଥିବା ଏହି ସମସ୍ତ ଲୋକେ ଗାଲିଲୀର ନୁହନ୍ତି କି? କିନ୍ତୁ ଆମ୍ଭେମାନେ ସେମାନଙ୍କୁ ଆମ୍ଭ ମାତୃଭାଷାରେ କଥା କହିବାର କିପରି ଶୁଣୁଛୁ? ଏହା କିପରି ସମ୍ଭବ! ଆମ୍ଭେ ଏଠାକୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛୁ। ପାର୍ଥୀୟ, ମାଦୀୟ ଓ ଏଲାମୀୟ ପୁଣି ମେସପତାମିଆର ଲୋକମାନେ, 10 ଏବଂ ଯିହୂଦା, କା‌ପ୍‌ପାଦକିଆ, ପନ୍ତ ଓ ଆସିଆ, ଫ୍ରୁଗିଆ ଓ ପ୍ରଫୂଲ୍ଲିଆ, ମିଶର ନିବାସୀ କୂରୀଣୀ ନିକଟବର୍ତ୍ତୀ ଲିବିୟା ପ୍ରଦେଶ ଲୋକେ ରୋମ ନଗରରୁ ଆସିଥିବା ତଥା କ୍ରୀତୀୟ ଓ ଆରବୀୟ ପରିଦର୍ଶକଗଣ। ଆମ୍ଭ ଭିତରୁ କେତେଜଣ ଜନ୍ମରୁ ଯିହୂଦୀ ଏବଂ ଅନ୍ୟ କେତେକ ଯିହୂଦୀ ଧର୍ମଗ୍ରହଣ କରିଥିବା ଲୋକମାନେ। 11 ଆମ୍ଭେ ସମସ୍ତେ ଭିନ୍ନ ଭିନ୍ନ ଦେଶରୁ ଆସିଛୁ। କିନ୍ତୁ ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭ ନିଜ ଭାଷା କହିବାର ଶୁଣୁଛୁ। ସେମାନେ ପରମେଶ୍ୱରଙ୍କର ମହତ୍ ଓ ଆଶ୍ଚର୍ଯ୍ୟ ପୂର୍ଣ୍ଣ କାର୍ଯ୍ୟକୁ ଆମ୍ଭ ଭାଷାରେ ବର୍ଣ୍ଣନା କରୁଛନ୍ତି। ଆମ୍ଭେ ଏହା ବୁଝି ପାରୁଛୁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center