Revised Common Lectionary (Semicontinuous)
93 ସଦାପ୍ରଭୁ ରାଜା ଅଟନ୍ତି।
ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
ଏହା ଯେପରି ଟଳମଳ ହୋଇ ନ ଯାଏ।
2 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
3 ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
5 ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।
ଯିହୋଶୂୟ ତୁମ୍ଭମାନଙ୍କର ନୂତନ ନେତା ହେବେ
31 ଏହା ପରେ ମୋଶା ଯାଇ ଏହିକଥା ସମସ୍ତ ଇସ୍ରାଏଲୀୟଙ୍କୁ କହିଲେ। 2 ମୋଶା ଇସ୍ରାଏଲକୁ କହିଲେ, “ମୋତେ 120 ବର୍ଷ ହେଲାଣି। ମୁଁ ଆଉ ତୁମ୍ଭମାନଙ୍କୁ ଆଗେଇ ନେଇ ପାରିବି ନାହିଁ। ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ଯର୍ଦ୍ଦନ ପାର ହୋଇଯିବ ନାହିଁ।’ 3 କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ସେହି ଦେଶକୁ ଆଗେଇ ନେବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ସେମାନଙ୍କୁ ଧ୍ୱଂସ କରିବେ। ତୁମ୍ଭେମାନେ ସେମାନଙ୍କଠାରୁ ତାଙ୍କର ଦେଶ ଛଡ଼ାଇ ଆଣିବ। କିନ୍ତୁ ସଦାପ୍ରଭୁ କହିଲେ, ଯିହୋଶୂୟ ତୁମ୍ଭମାନଙ୍କୁ ଆଗେଇ ନେବେ।
4 “ସଦାପ୍ରଭୁ ଇମୋରୀୟ ରାଜା ସୀହୋନ ଓ ଓଗ୍କୁ ସେମାନଙ୍କର ଦେଶକୁ ବିନାଶ କଲାପରି, ସେ ସେମାନଙ୍କୁ ବିନାଶ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ପୁନ୍ନରାୟ ସେହିପରି କହିବେ। 5 ଅନ୍ୟ ଦେଶୀୟମାନଙ୍କୁ ପରାସ୍ତ କରିବା ପାଇଁ ସଦାପ୍ରଭୁ ତୁମ୍ଭର ସହାୟକ ହେବେ। କିନ୍ତୁ ମୁଁ ତୁମ୍ଭକୁ ଯାହାସବୁ କହିଛି ତୁମ୍ଭେ ସେଗୁଡ଼ିକ ନିଶ୍ଚୟ କରିବ। 6 ତୁମ୍ଭେ ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେମାନେ ସେହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ସହିତ ଅଛନ୍ତି। ସେ ତୁମ୍ଭକୁ ଅକୃତକାର୍ଯ୍ୟ କରିବେ ନାହିଁ କିଅବା ଛାଡ଼ିବେ ନାହିଁ।”
7 ଏହା ପରେ ମୋଶା ଯିହୋଶୂୟଙ୍କୁ ଡାକିଲେ। ସମସ୍ତ ଇସ୍ରାଏଲୀୟମାନଙ୍କ ସମ୍ମୁଖରେ ମୋଶା ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ସେହି ଦେଶକୁ ଆଗେଇ ନେବ ଯେଉଁ ଦେଶ ଦେବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ପୂର୍ବପୁରୁଷମାନଙ୍କ ସହିତ ଚୁକ୍ତି କରିଥିଲେ। ସେହି ଦେଶ ତୁମ୍ଭମାନଙ୍କ ଅଧିକାର କରିବା ପାଇଁ ତୁମ୍ଭେ ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିବ। 8 ସଦାପ୍ରଭୁ ତୁମ୍ଭମାନଙ୍କୁ ଆଗେଇ ନେବେ। ସେ ସ୍ୱୟଂ ତୁମ୍ଭମାନଙ୍କ ସହିତ ରହିବେ। ସେ ତୁମ୍ଭକୁ ବିପଦରେ ପକାଇବେ ନାହିଁ କି ତ୍ୟାଗ କରିବେ ନାହିଁ। ହତାଶ ହୁଅ ନାହିଁ, ଭୟ କର ନାହିଁ।”
ମୋଶା ବ୍ୟବସ୍ଥା ଲେଖିଲେ
9 ଏହା ପରେ ମୋଶା ବ୍ୟବସ୍ଥା ଲେଖି ଲେବୀ ବଂଶୀୟ ଯାଜକମାନଙ୍କୁ ଦେଲେ। ଯେଉଁମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବାହକ ଥିଲେ। ମୋଶା ଇସ୍ରାଏଲ ପ୍ରାଚୀନବର୍ଗମାନଙ୍କୁ ମଧ୍ୟ ଏହି ବ୍ୟବସ୍ଥା ଦେଲେ। 10 ଏହା ପରେ ମୋଶା ପ୍ରାଚୀନବର୍ଗମାନଙ୍କୁ କହିଲେ, “ପ୍ରତ୍ୟେକ ସାତ ବର୍ଷ ଶେଷରେ ଋଣ ଛାଡ଼ ବର୍ଷର ନିରୂପିତ ସମୟରେ ପତ୍ରକୁଟୀର ପର୍ବରେ। 11 ସେ ସମୟରେ ସମୁଦାୟ ଇସ୍ରାଏଲ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବେ। ସେତେବେଳେ ସମସ୍ତ ଇସ୍ରାଏଲ ସାକ୍ଷାତରେ ସେମାନଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ଏହି ବ୍ୟବସ୍ଥା ପାଠ କରିବ। 12 ସମସ୍ତ ଲୋକମାନଙ୍କୁ ଏକତ୍ର କର, ପୁରୁଷ ଲୋକ, ସ୍ତ୍ରୀଲୋକ, ଛୋଟପିଲା ଏବଂ ବିଦେଶୀୟମାନେ ଯେଉଁମାନେ ତୁମ୍ଭ ନଗରରେ ବାସ କରୁଛନ୍ତି। ସେମାନେ ମଧ୍ୟ ଏହି ବ୍ୟବସ୍ଥା ଶୁଣିବେ। ସେମାନେ ମଧ୍ୟ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ତି ଓ ସମ୍ମାନ କରିବେ। ଏହା ପରେ ସେମାନେ ବ୍ୟବସ୍ଥା ଅନୁସାରେ କର୍ମ କରି ପାରିବେ। 13 ତହିଁରେ ସେମାନଙ୍କର ବଂଶଧରମାନେ ଏସବୁ ଜାଣି ନାହାନ୍ତି, ସେମାନେ ତାହା ଶୁଣିବେ ଓ ଯେଉଁ ଦେଶ ଅଧିକାର କରିବାକୁ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରେ ଯେତେକାଳ ପ୍ରାଣ ଧାରଣ କରିବ, ସେତେବେଳେ ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବାକୁ ଶିକ୍ଷା କରିବେ।”
ଦୁଃଖ ସୁଖରେ ପରିଣତ ହେବ
16 “ତୁମ୍ଭେ ମୋତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ। ତା'ପରେ ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ପୁଣି ଦେଖିବ।”
17 କେତେଜଣ ଶିଷ୍ୟ ପରସ୍ପରକୁ କହିଲେ, “ଯୀଶୁଙ୍କର ଏପରି କହିବା ଅର୍ଥ କ'ଣ, ‘ଅଳ୍ପ ସମୟ ପରେ ତୁମ୍ଭେ ମୋତେ ଦେଖି ପାରିବ ନାହିଁ। ପୁଣି ଆଉ ଅଳ୍ପକ୍ଷଣ ଉତ୍ତାରେ ତୁମ୍ଭେ ମୋତେ ଦେଖି ପାରିବ। ପିତାଙ୍କ ନିକଟକୁ ଯିବାର ଅର୍ଥ କ'ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝି ପାରୁ ନାହୁଁ।” 18 ଶିଷ୍ୟମାନେ ପଗ୍ଭରିଲେ, ତାହାଙ୍କ କହିବା ଅନୁସାରେ “ସେହି ‘ଅଳ୍ପ ସମୟର ଅର୍ଥ କ'ଣ?’ ସେ ଏପରି କ'ଣ କହୁଛନ୍ତି ଆମ୍ଭେ ବୁଝିପାରୁ ନାହୁଁ।”
19 ଯୀଶୁ ଜାଣିଲେ ଯେ ଶିଷ୍ୟମାନେ ତାହାଙ୍କୁ ଏ ବିଷୟରେ ପଗ୍ଭରିବା ପାଇଁ ଇଚ୍ଛା କରୁଛନ୍ତି। ତେଣୁ ସେ ଶିଷ୍ୟମାନଙ୍କୁ କହିଲେ, “ମୋ’ କଥାର ଅର୍ଥ କ'ଣ, ତାହା ତୁମ୍ଭେ ପରସ୍ପରକୁ ପଗ୍ଭରୁଛ।” ମୁଁ କହିଲି, “ଅଳ୍ପକ୍ଷଣ ପରେ ତୁମ୍ଭେମାନେ ମୋତେ ଦେଖି ପାରିବ ନାହିଁ ଓ ପୁଣି ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖି ପାରିବ। 20 ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ କାନ୍ଦିବ ଓ ଦୁଃଖିତ ହେବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମ୍ଭେ ଦୁଃଖୀ ହେବ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦରେ ପରିଣତ ହେବ,
21 “ଯେତେବେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ଯନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦେବାର ସମୟ ଆସିଯାଇଥାଏ। କିନ୍ତୁ ତା'ର ସନ୍ତାନ ଜନ୍ମ ହେବା ପରେ ସେ କଷ୍ଟ ଭୁଲିଯାଏ। ଜଗତରେ ସନ୍ତାନଟିଏ ଜନ୍ମ ହୋଇଥିବା କାରଣରୁ ସେ ଏବେ ଖୁସୀ ଅନୁଭବ କରେ। 22 ଏହିପରି ତୁମ୍ଭ କ୍ଷେତ୍ରରେ ମଧ୍ୟ ତାହା ଘଟିବ। ବର୍ତ୍ତମାନ ତୁମ୍ଭେ ଦୁଃଖିତ। କିନ୍ତୁ ମୁଁ ତୁମ୍ଭକୁ ପୁଣି ଭେଟିବି ଓ ତୁମ୍ଭେମାନେ ଖୁସୀ ହେବ। କେହି ତୁମ୍ଭର ଆନନ୍ଦ ନେଇ ଯିବ ନାହିଁ। 23 ସେହି ଦିନ ତୁମ୍ଭେମାନେ ମୋତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋ’ ନାମରେ ତୁମ୍ଭେ ଯାହା ପରମପିତାଙ୍କୁ ମାଗିବ, ସେ ତାହା ଦେବେ। 24 ଏପର୍ଯ୍ୟନ୍ତ ତୁମ୍ଭେ ମୋ’ ନାମରେ କିଛି ମାଗି ନାହଁ। ମାଗ, ତୁମ୍ଭେମାନେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହେବ।
2010 by World Bible Translation Center