Revised Common Lectionary (Semicontinuous)
55 କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଆକାଶକୁ ଗ୍ଭହିଁଲେ। ସେଠାରେ ସେ ପରମେଶ୍ୱରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ୱରଙ୍କ ଡାହାଣ ପଟେ ଠିଆ ହେବାର ଦେଖିଲେ। 56 ସ୍ତିଫାନ କହିଲେ, “ଦେଖ, ମୁଁ ସ୍ୱର୍ଗକୁ ଖୋଲା ଅବସ୍ଥାରେ ଓ ପରମେଶ୍ୱରଙ୍କ ଡାହାଣ ପଟେ ମନୁଷ୍ୟପୁତ୍ରଙ୍କୁ ଠିଆ ହେବାର ଦେଖୁଛି।”
57 ଏଥିରେ ଯିହୂଦୀ ନେତାମାନେ କାନରେ ହାତ ଦେଇ ଖୁବ୍ ଜୋର୍ରେ ପାଟି କଲେ। ସେମାନେ ଏକାଠି ହୋଇ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ। 58 ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ନେଇ ପଥର ମାରିବା ଆରମ୍ଭ କରିଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକର ପାଖରେ ସେମାନଙ୍କର ଲୁଗାପଟା ରଖିଲେ। 59 ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋ’ ଆତ୍ମାକୁ ଗ୍ରହଣ କର।” 60 ତା'ପରେ ସେ ଆଣ୍ଠୁମାଡ଼ି ପଡ଼ି ଜୋର୍ରେ କହିଲେ, “ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କର ନାହିଁ।” ଏହା କହି ସେ ମୃତ୍ୟୁବରଣ କଲେ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୋଟିଏ ଗୀତ।
31 ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ।
ମୋତେ ତୁମ୍ଭେ ନିରାଶ କର ନାହିଁ।
ମୋ’ ପ୍ରତି ଦୟା କର ଓ ମୋତେ ଉଦ୍ଧାର କର।
2 ହେ ପରମେଶ୍ୱର, ମୋ’ ନିବେଦନ ଶୁଣ।
ଶୀଘ୍ର ଆସି ମୋତେ ଉଦ୍ଧାର କର।
ମୋତେ ଚଟାଣ ସଦୃଶ ରକ୍ଷା କର।
ମୋର ନିରାପଦ ଆଶ୍ରୟସ୍ଥଳର ଦୁର୍ଗ ଭଳି କାର୍ଯ୍ୟ କର।
ମୋର ନିରାପତ୍ତା ବଳୟ ହୁଅ।
ମୋତେ ରକ୍ଷା କର।
3 ହେ ମୋର ପରମେଶ୍ୱର, ତୁମ୍ଭେ ମୋର ଦୃଢ଼ ଶୈଳ।
ତେଣୁ ମୋତେ ତୁମ୍ଭର ପଥ ଦେଖାଅ ଓ ଦିଗଦର୍ଶନ ଦିଅ।
4 ମୋର ଶତ୍ରୁମାନେ ମୋ’ ସମ୍ମୁଖରେ ଏକ ଯନ୍ତା ବସାଇଛନ୍ତି।
ସେମାନଙ୍କ ସେହି ଯନ୍ତାରୁ ମୋତେ ଉଦ୍ଧାର କର।
ତୁମ୍ଭେ ମୋର ନିରାପଦ ସ୍ଥଳ।
5 ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଯାହାଙ୍କୁ ଆମ୍ଭେ ବିଶ୍ୱାସ କରି ପାରିବୁ।
ମୁଁ ମୋର ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି।
ମୋତେ ରକ୍ଷା କର।
15 ମୋର ଜୀବନ ତୁମ୍ଭ ହାତରେ, ମୋତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର।
କେତେକ ଲୋକ ମୋ’ ପଛରେ ଗୋଡ଼ାଇଛନ୍ତି।
ସେମାନଙ୍କଠାରୁ ମୋତେ ରକ୍ଷା କର।
16 ଆପଣା ସେବକକୁ ଦୟାକର
ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମୋର ଜୀବନ ରକ୍ଷା କର।
2 ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁଗ୍ଧ ପାନ ପାଇଁ ତୁମ୍ଭେ ଲାଳାୟିତ ହୁଅ। ଏହାକୁ ପାନ କରିବା ଦ୍ୱାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ। 3 ପ୍ରଭୁଙ୍କର ଉତ୍ତମତାର ସ୍ୱାଦ ତୁମ୍ଭେ ଗ୍ଭଖି ସାରିଛ।
4 ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ “ପଥର”। ଜଗତର ଲୋକମାନେ ସେହି ପଥରଟି ଅଗ୍ରାହ୍ୟ କଲେ। କିନ୍ତୁ ପରମେଶ୍ୱର ସେହି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ୱରଙ୍କ ପାଇଁ ତାହାଙ୍କ ମୂଲ୍ୟ ଅଧିକ। 5 ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର। 6 ଶାସ୍ତ୍ର କୁହେ:
“ଦେଖ, ସିୟୋନଠାରେ, ଗୋଟିଏ ମୂଲ୍ୟବାନ କୋଣ-ପଥର ବାଛି
ମୁଁ ରଖିଛି;
ଯେଉଁ ଲୋକ ଏହାକୁ ବିଶ୍ୱାସ କରିବ ସେ କେବେ ହେଲେ ଲଜ୍ଜିତ ହେବ ନାହିଁ।”(A)
7 ତୁମ୍ଭ ଭଳି ବିଶ୍ୱାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ୟବାନ। କିନ୍ତୁ ଯୀଶୁ ଅବିଶ୍ୱାସୀମାନଙ୍କ ଲାଗି:
“ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଗ୍ରାହ୍ୟ କଲେ
ସେହି ପଥରଟି ଅତି ବହୁମୂଲ୍ୟ ପଥର ହୋଇଗଲା।”(B)
8 ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଲାଗି:
“ସେହି ପଥର ଲୋକଙ୍କ ଝୁଣ୍ଟିବା କାରଣ ହୁଏ
ସେହି ପଥର ଲୋକଙ୍କ ପତନର କାରଣ ହୁଏ।”(C)
ପରମେଶ୍ୱରଙ୍କ କଥା ଅବମାନନା କରିବା ହେତୁ ଲୋକେ ଝୁଣ୍ଟନ୍ତି। ସେହି ଲୋକମାନଙ୍କ ନିମନ୍ତେ ପରମେଶ୍ୱର ଏପରି ଯୋଜନା କରିଥିଲେ।
9 କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି।
10 ଅତୀତରେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ନ ଥିଲ।
କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ଅଟ।
ଅତୀତରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ।
କିନ୍ତୁ ଏବେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଲାଭ କରିଛ।
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସାନ୍ତ୍ୱନା ଦେଲ
14 ଯୀଶୁ କହିଲେ, “ତୁମ୍ଭେମାନଙ୍କର ହୃଦୟ ଦୁଃଖିତ ନ ହେଉ। ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥାଅ। ମୋ'ଠାରେ ମଧ୍ୟ ବିଶ୍ୱାସ ରଖ, 2 ମୋର ପରମପିତାଙ୍କ ଘରେ ଅନେକଗୁଡ଼ିଏ ବଖରା ଅଛି। ତାହା ନ ହୋଇଥିଲେ ମୁଁ ତୁମ୍ଭକୁ ଏହା କହି ନ ଥା'ନ୍ତି। ମୁଁ ତୁମ୍ଭ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସେଠାକୁ ଯାଉଛି। 3 ମୁଁ ଯାଇ ତୁମ୍ଭ ପାଇଁ ସ୍ଥାନ ପ୍ରସ୍ତୁତ କଲା ପରେ ଫେରି ଆସିବି। ତା'ପରେ ତୁମ୍ଭକୁ ମୋ’ ସହିତ ନେଇଯିବି। ମୁଁ ଯେଉଁଠାରେ ରହିବି ତୁମେମାନେ ମଧ୍ୟ ସେଠାରେ ମୋ’ ସହିତ ରହିପାରିବ। 4 ମୁଁ ଯେଉଁଠାକୁ ଯାଉଛି, ତୁମ୍ଭେମାନେ ସେଠାକୁ ଯିବାର ପଥ ଜାଣ।”
5 ଥୋମା କହିଲେ, “ପ୍ରଭୁ, ଆପଣ କେଉଁଆଡ଼େ ଯାଉଛନ୍ତି, ଆମ୍ଭେ ଜାଣି ନାହୁଁ। ତେଣୁ ସେଠାକୁ ଯିବାର ପଥ ଆମ୍ଭେ ଜାଣିବୁ କିପରି?”
6 ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ମୁଁ ସତ୍ୟ ଓ ଜୀବନ। ପରମପିତାଙ୍କ ପାଖକୁ ଯିବା ପାଇଁ ମୁଁ ହେଉଛି ଏକମାତ୍ର ପଥ। 7 ତୁମ୍ଭେ ଯଦି ମୋତେ ପ୍ରକୃତରେ ଜାଣିଥା'ନ୍ତ, ତେବେ ପରମପିତାଙ୍କୁ ମଧ୍ୟ ଜାଣିଥାଆନ୍ତ। ବର୍ତ୍ତମାନ ତୁମ୍ଭେ ତାହାଙ୍କୁ ଜାଣିଛ ଓ ତାହାଙ୍କୁ ଦେଖିଛ।”
8 ଫିଲିପ୍ପ ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମ୍ଭକୁ ପରମପିତାଙ୍କୁ ଦେଖାନ୍ତୁ। ଆମ୍ଭର ସେତିକି ଦରକାର।”
9 ଯୀଶୁ ଉତ୍ତର ଦେଲେ, “ଫିଲିପ୍ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମୋତେ ଜାଣିବା ଉଚିତ୍। ମୋତେ ଯିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ୟ ଦେଖିଛି। ତେଣୁ ତୁମ୍ଭେ ମୋତେ କାହିଁକି କହୁଛ, ‘ଆମ୍ଭକୁ ପରମପିତାଙ୍କୁ ଦେଖାଅ?’ 10 ତୁମ୍ଭେ କ'ଣ ପ୍ରକୃତରେ ବିଶ୍ୱାସ କର ଯେ, ମୁଁ ପରମପିତାଙ୍କଠାରେ ଓ ପରମପିତା ମୋ'ଠାରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମୋ'ଠାରୁ ଆସି ନାହିଁ। ପରମପିତେ ମୋ’ ଭିତରେ ଅଛନ୍ତି ଓ ସେ ତାହାଙ୍କ କାର୍ଯ୍ୟ କରୁଛନ୍ତି। 11 ମୁଁ ପରମପିତାଙ୍କଠାରେ ଓ ପରମପିତା ମୋ'ଠାରେ ଅଛନ୍ତି। ତୁମ୍ଭେ ମୋର ଏହି କଥା ବିଶ୍ୱାସ କର। କିମ୍ବା ମୁଁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛି ସେଥିପାଇଁ ବିଶ୍ୱାସ କର।
12 “ମୁଁ ତୁମ୍ଭକୁ ସତ୍ୟ କହୁଛି। ମୋ'ଠାରେ ବିଶ୍ୱାସ କରୁଥିବା ବ୍ୟକ୍ତି, ମୁଁ ଯାହା କରିଛି, ତାହା କରିବ। ହଁ, ସେ ମୁଁ କରିଥିବା କାମଠାରୁ ମଧ୍ୟ ଅଧିକ ବଡ଼ କାମ କରିବ, କାରଣ ମୁଁ ପରମପିତାଙ୍କ ନିକଟକୁ ଯାଉଛି। 13 ତୁମ୍ଭେ ମୋ’ ନାମରେ ଯାହା ମାଗିବ, ମୁଁ ତାହା ତୁମ୍ଭ ପାଇଁ କରିବି। ଏହା ଦ୍ୱାରା ପୁତ୍ରଙ୍କ ମାଧ୍ୟମରେ ପରମପିତାଙ୍କ ଗୌରବ ପ୍ରକାଶିତ ହେବ। 14 ମୋ’ ନାମରେ ତୁମ୍ଭେ ଯାହା ମାଗିବ, ମୁଁ ତାହା କରିବି।
2010 by World Bible Translation Center