Revised Common Lectionary (Semicontinuous)
116 ମୁଁ ତାଙ୍କୁ ପ୍ରେମ କରେ,
କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି।
2 ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ
ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ[a] ଉତ୍ତର ଦେଲେ।
3 ମୃତ୍ୟୁର ରଜ୍ଜୁ ଚତୁର୍ପାର୍ଶ୍ୱରେ ପ୍ରାୟ ମୋତେ ବାନ୍ଧି ଦେଲା।
କବର ତା'ର ଫାନ୍ଦ ସହିତ ମୋର ପାଖାପାଖି ହୋଇଥିଲା।
ମୁଁ ସଙ୍କଟ ଓ ଦୁଃଖରେ ଥିଲି।
4 ଏହା ପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି,
ମୁଁ କହିଲି, “ହେ ସଦାପ୍ରଭୁ ମୋତେ ରକ୍ଷା କର!”
12 ସେ କରିଥିବା ମଙ୍ଗଳଦାନର ଫଳସ୍ୱରୂପ
ମୁଁ ସଦାପ୍ରଭୁଙ୍କୁ କ’ଣ ଦେଇପାରେ?
13 ସେ ମୋତେ ରକ୍ଷା କଲେ।
ତେଣୁ ମୁଁ ତାଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କରିବି।
ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି।
14 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।
15 ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ୟରୁ
ସଦ୍ଭକ୍ତମାନଙ୍କ ମୃତ୍ୟୁ ବହୁମୂଲ୍ୟ ଅଟେ।
16 ମୁଁ ତୁମ୍ଭର ଦାସ।
ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁର ଶିଙ୍କୁଳିରୁ ମୁକ୍ତ କର।
17 ମୁଁ ତୁମ୍ଭକୁ ଏକ ଧନ୍ୟବାଦାର୍ଥକ ବଳି ଦେବି।
ମୁଁ ସଦାପ୍ରଭୁଙ୍କର ନାମକୁ ଡାକିବି।
18 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି।
19 ମୁଁ ତାଙ୍କର ଯିରୁଶାଲମରେ ଥିବା
ମନ୍ଦିରକୁ ଯିବି।
ସଦାପ୍ରଭୁଙ୍କର ପ୍ରଶଂସା କର!
ତାଙ୍କର ସେବକମାନଙ୍କ ପାଇଁ ପରମେଶ୍ୱରଙ୍କ ବଡ଼ ଭୋଜି
6 ସେତେବେଳେ ସର୍ବଶକ୍ତିମାନ ସଦାପ୍ରଭୁ ପର୍ବତ ଉପରେ ତାଙ୍କ ଲୋକମାନଙ୍କ ପାଇଁ ଉତ୍ତମ ଖାଦ୍ୟର ଏକ ଭୋଜି ଦେବେ। ସେହି ଭୋଜିରେ ଉତ୍ତମ ଖାଦ୍ୟର ବିଭିନ୍ନ ପ୍ରକାର, ପାନୀୟ ଦ୍ରାକ୍ଷାରସ କୋମଳ ସ୍ୱାଦଯୁକ୍ତ ମାଂସ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଦ୍ରବ୍ୟ।
7 ସମସ୍ତ ଗୋଷ୍ଠୀମାନଙ୍କ ଉପରେ ଯେଉଁ ଓଢ଼ଣି ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ବସ୍ତୁର ଆବରଣ ରହିଛି ତାକୁ ସବୁ ସଦାପ୍ରଭୁ ଏହି ପର୍ବତରେ “ବିନାଶ” କରିବେ। 8 ମାତ୍ର ଅନନ୍ତକାଳ ପାଇଁ ଦୂରୀଭୂତ ହେବ। ମୋର ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖମଣ୍ଡଳରୁ ଲୋତକ ପୋଛି ଦେବେ। ଅତୀତରେ ଲୋକଙ୍କର ଯେଉଁ ଦୁଃଖ ଥିଲା, ପରମେଶ୍ୱର ସେ ସମସ୍ତ ଦୁଃଖକୁ ପୃଥିବୀରୁ ପୋଛି ଦେବେ। ଏ ସମସ୍ତ ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି।
9 ସେତେବେଳେ ଲୋକେ ଏହି କଥା କହିବେ,
“ଏହି ଆମ୍ଭର ପରମେଶ୍ୱର
ଯାହାଙ୍କୁ ଆମ୍ଭେମାନେ ବହୁତ ସମୟ ଧରି ଅପେକ୍ଷା କରିଅଛୁ।
ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି।
ତାହାଙ୍କ ଦୃଢ଼ ପରିତ୍ରାଣରେ ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବୁ,
ଯେତେବେଳେ ସେ ଆମ୍ଭକୁ ରକ୍ଷା କରନ୍ତି।”
ତୁମ୍ଭେ ପୁରସ୍କାର ପାଇବ
12 ଯୀଶୁ ତାହାଙ୍କୁ ନିମନ୍ତ୍ରଣ କରିଥିବା ଫାରୂଶୀ ଜଣଙ୍କୁ କହିଲେ, “ତୁମ୍ଭେ କାହାରିକୁ ଦିନରେ ବା ରାତିରେ ଖାଇବାକୁ ନିମନ୍ତ୍ରଣ କଲାବେଳେ କେବଳ ତୁମ୍ଭର ଭାଇ, ବନ୍ଧୁ, କୁଟୁମ୍ବ ଓ ଧନୀ ପଡ଼ୋଶୀମାନଙ୍କୁ ଡାକ ନାହିଁ। କାରଣ ଅନ୍ୟ ବେଳେ ସେମାନେ ମଧ୍ୟ ତୁମ୍ଭକୁ ତାହାଙ୍କ ସହିତ ଖାଇବାକୁ ଡାକିବେ। ସେତେବେଳେ ତୁମ୍ଭେ ତୁମ୍ଭର ପ୍ରତିଦାନ ପାଇଯିବ। 13 ବରଂ ଭୋଜି ଦେବା ସମୟରେ ଗରିବ, ପଙ୍ଗୁ, ଛୋଟା ଓ ଅନ୍ଧମାନଙ୍କୁ ଡାକ। 14 ଏ ଲୋକମାନଙ୍କର କିଛି ନ ଥିବାରୁ ସେମାନେ ତୁମ୍ଭକୁ ପ୍ରତିବଦଳରେ କିଛି ଦେଇ ପାରିବେ ନାହିଁ। ତେଣୁ ଏହା ତୁମ୍ଭପାଇଁ ଆଶୀର୍ବାଦଜନକ ହେବ। କିନ୍ତୁ ଯେତେବେଳେ ଧାର୍ମିକ ଲୋକମାନେ ମୃତମାନଙ୍କ ମଧ୍ୟରୁ ଜୀବିତ ହେବେ, ସେହି ସମୟରେ ତୁମ୍ଭେମାନେ ତୁମ୍ଭର ପୁରସ୍କାର ପାଇବ।”
2010 by World Bible Translation Center