Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 2:14

ପିତରଙ୍କର ଲୋକମାନଙ୍କୁ ସମ୍ବୋଧନ

14 ପିତର ସେହି ଏଗାର ଜଣ ପ୍ରେରିତଙ୍କ ସହ ଠିଆ ହୋଇ ସେହି ଲୋକମାନଙ୍କୁ ବଡ଼ ପାଟିରେ କହିଲେ, “ହେ ଯିହୂଦୀୟମାନେ, ହେ ଯିରୁଶାଲମ ବାସିନ୍ଦାମାନେ, ସମସ୍ତେ ମୋ’ କଥା ଶୁଣ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 2:22-32

22 “ହେ ଇସ୍ରାଏଲର ଲୋକମାନେ, ଏହିସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ। ଯାହାଙ୍କୁ ଈଶ୍ୱର ପଠାଇ ଥିଲେ। ଯୀଶୁ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ଘଟଣା ସବୁ କରିଥିଲେ, ତାହାଦ୍ୱାରା ପରମେଶ୍ୱର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି। 23 ତୁମ୍ଭେମାନେ ସମସ୍ତେ ଏସବୁ ଦେଖିଛ ଓ ଏସବୁ ଯେ ନିରାଟ ସତ୍ୟ ତାହା ଜାଣିଛ। ଏହି ଯୀଶୁଙ୍କୁ ଈଶ୍ୱର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭେମାନେ ଦୁଷ୍ଟମାନଙ୍କ ସାହାଯ୍ୟରେ ତାହାଙ୍କୁ କ୍ରୁଶରେ ଚଢ଼ାଇ କଣ୍ଟା ବାଡ଼େଇ ହତ୍ୟା କରିଦେଲ। 24 କିନ୍ତୁ ଈଶ୍ୱର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ। 25 ଦାଉଦ ତାହାଙ୍କ ବିଷୟରେ କହିଥିଲେ,

‘ମୁଁ ସର୍ବଦା ପ୍ରଭୁଙ୍କୁ ମୋ’ ସମ୍ମୁଖରେ ଦେଖୁଥିଲି।
    ସେ ମୋତେ ନିରାପଦରେ ରଖିବା ପାଇଁ ମୋର ଡାହାଣ ପାଖରେ ରହନ୍ତି।
26 ଏହା ଦ୍ୱାରା ମୋର ମନ ପ୍ରଫୁଲ୍ଲିତ ହେଲା
    ଓ ମୋ’ ମୁହଁରୁ ଆନନ୍ଦପୂର୍ଣ୍ଣ କଥା ବାହାରିଲା।
27 ମୋ’ ଶରୀର ମଧ୍ୟ ଭରସାରେ ବଞ୍ଚି ରହିବ, ଯେହେତୁ ତୁମ୍ଭେ ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ଛାଡ଼ିଦେବ ନାହିଁ।
    ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିକୁ କବରରେ କ୍ଷୟ ହେବାକୁ ଦେବ ନାହିଁ।
28 ତୁମ୍ଭେ ମୋତେ ଜୀବନର ପଥ ଦେଖାଇ ଅଛ।
    ତୁମ୍ଭ ଉପସ୍ଥିତିରେ ମୋତେ ବହୁତ ଆନନ୍ଦ ମିଳିବ।’(A)

29 “ହେ ମୋର ଭାଇମାନେ, ମୁଁ ବିଶ୍ୱାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ୟୁବରଣ କରି କବରସ୍ଥ ହୋଇଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ୟାବଧି ଆମ୍ଭ ନିକଟରେ ଅଛି। 30 ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ୱର ତାହାଙ୍କ ପାଖରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ୟରୁ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବେ। 31 ଏଣୁ ଭବିଷ୍ୟତରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁ‌‌ତ୍‌‌ଥାନ ସମ୍ପର୍କରେ କହିଥିଲେ,

‘ତାହାଙ୍କୁ ମୃତ୍ୟୁର ସ୍ଥାନରେ ଛାଡ଼ି ଦିଆ ଯାଇ ନାହିଁ
    ଓ ତାହାଙ୍କର ଦେହ କବରରେ ପଚିସଢ଼ି ଯାଇ ନାହିଁ।’

ଦାଉଦ ଏହି ସ୍ଥାନରେ ଯୀଶୁ ଖ୍ରୀଷ୍ଟଙ୍କର ମୃତମାନଙ୍କ ମଧ୍ୟରୁ ପୁନରୁ‌‌ତ୍‌‌ଥାନ ସମ୍ବନ୍ଧରେ କହିଥିଲେ। 32 ଏହି ଯୀଶୁଙ୍କୁ ଈଶ୍ୱର ଯେ ମୃତ୍ୟୁରୁ ଉଠାଇଛନ୍ତି, ଆମ୍ଭେମାନେ ସେଥିରେ ନିଜେ ସାକ୍ଷୀ ଅଟୁ।

ଗୀତସଂହିତା 16

ଦାଉଦଙ୍କର ମିକ୍ତାମ୍ ଗୀତ

16 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।
ମୁଁ ସଦାପ୍ରଭୁଙ୍କୁ କହିଅଛି,
    “ସଦାପ୍ରଭୁ ତୁମ୍ଭେ ମୋର ପ୍ରଭୁ।
    ମୋର ଯାହାକିଛି ମଙ୍ଗଳମୟ ସେ ସବୁ ତୁମ୍ଭ କୃପାରୁ।”
ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି,
    ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ।
    ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।

କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି।
    ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ।
    ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ।
ମୁଁ କେବଳ ମୋର ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି।
    ହେ ସଦାପ୍ରଭୁ, ତୁମ୍ଭେ ମୋର ସହାୟ ହୁଅ
    ଏବଂ ମୋତେ ମୋର ପ୍ରାପ୍ୟ ପ୍ରଦାନ କର।
ମୋର ପ୍ରାପ୍ୟ ଅତି ଆଶ୍ଚର୍ଯ୍ୟଜନକ,
    ମୋର ଅଧିକାର ମଧ୍ୟ ଅତି ସୁନ୍ଦର।
ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମୋତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି।
    ଏପରିକି ରାତ୍ରିରେ ମଧ୍ୟ ସେ ତାଙ୍କର ଉପଦେଶକୁ ମୋର ମନରେ ପ୍ରବେଶ କରାନ୍ତି।

ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମୋର ସମ୍ମୁଖରେ ରଖିଅଛି।
    ମୁଁ କେବେହେଲେ ତାଙ୍କର ଉପଯୁକ୍ତ ମାର୍ଗରୁ ବଞ୍ଚିତ ହେବି ନାହିଁ।
ତେଣୁ ମୋର ହୃଦୟ ଓ ଆତ୍ମା ଅତି ଆନନ୍ଦିତ ହେବ।
    ଏପରିକି ମୋର ଶରୀର ନିରାପଦରେ ରହିବ।
10 କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ।
    ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।
11 ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ।
ଯେହେତୁ ମୁଁ ତୁମ୍ଭ ସହିତ ଅଛି।
    ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ।
    ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ତାହା ମୋ’ ପାଇଁ ନିତ୍ୟ ସୁଖଭୋଗ ଆଣିଦେବ।

ପିତରଙ୍କ ପ୍ରଥମ ପତ୍ର 1:3-9

ଯୀଶୁଙ୍କ ଜୀବନ୍ତ ଭରସା

ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱର ଧନ୍ୟ ହେଉନ୍ତୁ। ପରମେଶ୍ୱରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ୱାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦେଇଛନ୍ତି। ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେବା ଦ୍ୱାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦେଇଛି। ପରମେଶ୍ୱର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍ଭେ ଏବେ ପାଇବାକୁ ଭରସା କରୁ। ସେହି ଆଶୀର୍ବାଦଗୁଡ଼ିକ ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ। ସେହି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ ହେବ ନାହିଁ, ବା ଧ୍ୱଂସ ପାଇବ ନାହିଁ କିଅବା ସେଗୁଡ଼ିକ ସେମାନଙ୍କର ସୌନ୍ଦର୍ଯ୍ୟ ହରାଇବେ ନାହିଁ।

ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ଯ୍ୟନ୍ତ ତୁମ୍ଭ ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସେହି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି ଏବଂ ଯୁଗର ଶେଷରେ ତୁମ୍ଭେ ଏହା ପାଇବ। ତେଣୁ ତୁମ୍ଭେ ଆନନ୍ଦିତ ହୁଅ। କିନ୍ତୁ ଏବେ ଅଳ୍ପ ସମୟ ପାଇଁ ଅନେକ ପ୍ରକାରର ସମସ୍ୟା ତୁମ୍ଭକୁ ଦୁଃଖୀ କରୁଥାଇପାରେ। ଏହି ସମସ୍ୟାଗୁଡ଼ିକ କାହିଁକି ହୁଏ? କେବଳ ତୁମ୍ଭର ବିଶ୍ୱାସର ସତ୍ୟତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ୱାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ୟବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ୱାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ୱାସର ପବିତ୍ରତା ହେତୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।

ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ୟ ପ୍ରେମ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ୟ ବିଶ୍ୱାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସେହି ଆନନ୍ଦ ମହିମାରେ ପରିପୂର୍ଣ୍ଣ। ତୁମ୍ଭ ବିଶ୍ୱାସର ଗୋଟିଏ ଲକ୍ଷ୍ୟ ଅଛି। ତାହା ହେଲା ଆତ୍ମାର ଉଦ୍ଧାର। ତୁମ୍ଭେ ସେହି ଲକ୍ଷ୍ୟ ଅର୍ଥାତ୍ ଉଦ୍ଧାର ପାଉଛ।

ଯୋହନ ଲିଖିତ ସୁସମାଗ୍ଭର 20:19-31

ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ

(ମାଥିଉ 28:16-20; ମାର୍କ 16:14-18; ଲୂକ 24:36-49)

19 ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତା'ପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20 ଯୀଶୁ ଏ କଥା କହିବା ପରେ ଶିଷ୍ୟମାନଙ୍କୁ ତାହାଙ୍କ ହାତ ଗୋଡ଼ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଅତ୍ୟନ୍ତ ଖୁସୀ ହେଲେ।

21 ଯୀଶୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ। ମୋତେ ପରମପିତା ଯେପରି ପଠାଇଥିଲେ, ମୁଁ ସେହିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।” 22 ଯୀଶୁ ଏହି କଥା କହିବା ପରେ ଶିଷ୍ୟମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେ କହିଲେ, “ପବିତ୍ରଆତ୍ମାଙ୍କୁ ଗ୍ରହଣ କର। 23 ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତେବେ ସେମାନଙ୍କର ପାପ କ୍ଷମା କରାହେବ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତେବେ ସେମାନଙ୍କର ପାପ କ୍ଷମା କରାହେବ ନାହିଁ।”

ଥୋମାଙ୍କୁ ଯୀଶୁ ଦର୍ଶନ ଦେଲେ

24 ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା, ଯୀଶୁ ଆସିଲା ବେଳେ ଶିଷ୍ୟମାନଙ୍କ ସହିତ ନ ଥିଲା। ସେ ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲା। 25 ଅନ୍ୟ ଶିଷ୍ୟମାନେ ଥୋମାଙ୍କୁ କହିଲେ, “ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ।” ଥୋମା କହିଲେ, “ମୁଁ ତାହାଙ୍କ ହାତରେ କଣ୍ଟାଦାଗ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରିବି ନାହିଁ। ମୁଁ ମୋର ଆଙ୍ଗୁଠି ସେହି କଣ୍ଟାର ଦାଗରେ ନରଖିବା ଓ ତାହାଙ୍କ କକ୍ଷଦେଶରେ ମୋର ହାତ ନ ଦେବା ପର୍ଯ୍ୟନ୍ତ, ମୁଁ ବିଶ୍ୱାସ କରିବି ନାହିଁ।”

26 ଗୋଟିଏ ସପ୍ତାହ ପରେ ଶିଷ୍ୟମାନେ ପୁଣି ଘର ଭିତରେ ଥିଲେ। ଥୋମା ସେମାନଙ୍କ ସହିତ ଥିଲେ। କବାଟରେ ତାଲା ପଡ଼ିଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହେଲେ। ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 27 ତା'ପରେ ଯୀଶୁ ଥୋମାଙ୍କୁ କହିଲେ, “ଏଠାରେ ତୁମ୍ଭର ଅଙ୍ଗୁଳି ରଖ। ମୋ’ ହାତକୁ ଦେଖ। ମୋ’ କକ୍ଷଦେଶରେ ତୁମ୍ଭ ହାତ ରଖ। ଅବିଶ୍ୱାସ ନ କରି ବିଶ୍ୱାସ କର।”

28 ଥୋମା ଯୀଶୁଙ୍କୁ କହିଲେ, “ମୋର ପ୍ରଭୁ, ମୋର ପରମେଶ୍ୱର।”

29 ଯୀଶୁ ଥୋମାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରୁଛ। ମାତ୍ର ଯେଉଁ ଲୋକମାନେ ମୋତେ ନ ଦେଖି ବିଶ୍ୱାସ କରନ୍ତି, ସେମାନେ ପ୍ରକୃତରେ ଆଶୀର୍ବାଦର ଯୋଗ୍ୟ।”

ଯୋହନ ଏହି ବହି ଲେଖିବାର କାରଣ

30 ଯୀଶୁ ଅନେକଗୁଡ଼ିଏ ଅନ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟଗୁଡ଼ିକ କଲେ। ସେଗୁଡ଼ିକୁ ତାହାଙ୍କ ଶିଷ୍ୟମାନେ ଦେଖିଲେ। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ଏ ବହିରେ ଲେଖାଯାଇ ନାହିଁ, 31 କିନ୍ତୁ ଏହି ପୁସ୍ତକରେ ଏହିସବୁ ଲେଖା ହୋଇଛି ଯେପରି ତୁମ୍ଭେ ବିଶ୍ୱାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି ଓ ବିଶ୍ୱାସ କରି, ତୁମ୍ଭେମାନେ ତାହାଙ୍କ ନାମ ଦ୍ୱାରା ଜୀବନ ପ୍ରାପ୍ତ ହେବ, ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center