Revised Common Lectionary (Semicontinuous)
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ[a] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
10 ଇସ୍ରାଏଲୀୟମାନେ ଦେଖିଲେ, ଫାରୋ ଏବଂ ତାଙ୍କର ସୈନ୍ୟମାନେ ସେମାନଙ୍କ ଆଡ଼କୁ ଆସୁଛନ୍ତି। ସେମାନେ ତାଙ୍କୁ ଦେଖି ଅତ୍ୟନ୍ତ ଭୟଭୀତ ହୋଇଗଲେ। ସେମାନେ ସଦାପ୍ରଭୁଙ୍କୁ ଡାକିଲେ। 11 ସେମାନେ ମୋଶାଙ୍କୁ କହିଲେ, “କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ? ଆମ୍ଭକୁ ଏହି ମରୁଭୂମିକୁ କ’ଣ ମରିବାକୁ ଆଣିଲ? ଆମ୍ଭେମାନେ ମିଶରରେ ଶାନ୍ତିରେ ମରି ପାରିଥା’ନ୍ତୁ। ଯେହେତୁ ମିଶରରେ ବହୁ ପରିମାଣର କବର ଅଛି। 12 ଆମ୍ଭେମାନେ କ’ଣ ମିଶରରେ କହି ନ ଥିଲୁ ଏହିପରି ଘଟିବ ବୋଲି? ମିଶରରେ ଆମ୍ଭେମାନେ ତୁମ୍ଭକୁ କହିଲୁ, ‘ଆମ୍ଭକୁ ବିବ୍ରତ କର ନାହିଁ। ଆମ୍ଭକୁ ଏହିଠାରେ ରହି ମିଶରୀୟମାନଙ୍କର ଦାସ ହେବାକୁ ଦିଅ।’ ମରୁଭୂମିରେ ମୃତ୍ୟୁବରଣ କରିବା ଅପେକ୍ଷା ମିଶରବାସୀଙ୍କର ଦାସକର୍ମ କରିବା ଭଲ ହେବ।”
13 କିନ୍ତୁ ମୋଶା ସେମାନଙ୍କୁ କହିଲେ, “ଭୟ କର ନାହିଁ। ଦୌଡ଼ି ପଳାଇବାର ଆବଶ୍ୟକ ନାହିଁ। ଏହିଠାରେ ଧିରସ୍ଥିର ହୋଇ ଛିଡ଼ା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭେମାନେ ମିଶରବାସୀମାନଙ୍କୁ ଆଉ ପୁନରାୟ ଦେଖିବ ନାହିଁ। 14 ଏବଂ ତୁମ୍ଭମାନଙ୍କୁ କିଛି କରିବାକୁ ପଡ଼ିବ ନାହିଁ। ତୁମ୍ଭେମାନେ ଏଠାରେ ଶାନ୍ତିରେ ଛିଡ଼ା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ।”
15 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ମୋ’ ପାଖରେ କ୍ରନ୍ଦନ କରୁଛ? ଇସ୍ରାଏଲୀୟମାନଙ୍କୁ କୁହ ସେମାନେ ଆଗକୁ ମାଡ଼ି ଗ୍ଭଲନ୍ତୁ। 16 ତୁମ୍ଭର ଆଶାବାଡ଼ିକୁ ସୂଫସାଗର ଉପରେ ବୁଲାଅ, ତାହା ବିଭକ୍ତ ହେବ, ଯାହା ଫଳରେ ଇସ୍ରାଏଲର ଲୋକମାନେ ସମୁଦ୍ର ମଧ୍ୟରେ ଶୁଖିଲା ପଥରେ ଯାଇ ପାରିବେ। 17 ମୁଁ ମିଶରୀୟମାନଙ୍କୁ କଠିନ କରିବି, ଯେଉଁଥିରେ ସେମାନେ ତୁମ୍ଭମାନଙ୍କ ପଛରେ ଗୋଡ଼ାଇବେ। ମୁଁ ତୁମ୍ଭକୁ ଦେଖାଇବି, କିପରି ମୁଁ ଫାରୋ, ତାଙ୍କର ଅଶ୍ୱାରୋହୀ ସୈନ୍ୟ, ରଥାରୋହୀ ସୈନ୍ୟମାନଙ୍କଠାରୁ ଶକ୍ତିଶାଳୀ। 18 ଏହା ପରେ ମିଶରବାସୀ ଜାଣିବେ ଯେ, ମୁଁ ହେଉଛି ସଦାପ୍ରଭୁ ପରମେଶ୍ୱର। ସେମାନେ ମୋତେ ସମ୍ମାନ କରିବେ ଯେତେବେଳେ ମୁଁ ଫାରୋ ଏବଂ ତା'ର ରଥାରୋହୀମାନଙ୍କୁ ଏବଂ ଅଶ୍ୱାରୋହୀ ସୈନ୍ୟମାନଙ୍କୁ ପରାସ୍ତ କରିବି।”
ସଦାପ୍ରଭୁ ମିଶରର ସୈନ୍ୟମାନଙ୍କୁ ପରାସ୍ତ କଲେ
19 ଏହା ପରେ ସଦାପ୍ରଭୁଙ୍କର ଦୂତ ଯିଏକି ଇସ୍ରାଏଲୀୟ ସୈନ୍ୟମାନଙ୍କ ଆଗରେ ଥିଲେ, ସେମାନଙ୍କ ପଛକୁ ଗଲେ। ତେଣୁ ଘନମେଘ ସେହି ଲୋକମାନଙ୍କ ସମ୍ମୁଖରେ ଗତିକରି ପଛ ପଟକୁ ଗଲା। 20 ଏହି ପ୍ରକାରେ ଘନମେଘ ଇସ୍ରାଏଲୀୟ ସୈନ୍ୟ ଓ ମିଶରୀୟ ସୈନ୍ୟମାନଙ୍କ ମଧ୍ୟରେ ରହିଲା। ଇସ୍ରାଏଲୀୟ ଲୋକମାନଙ୍କ ସମ୍ମୁଖରେ ଆଲୋକବର୍ତ୍ତିକା ଓ ମିଶର ଲୋକମାନଙ୍କ ସମ୍ମୁଖରେ ଅନ୍ଧକାରଚ୍ଛନ୍ନ ହୋଇ ରହିଲା। ଯେଉଁଥିପାଇଁ ସେହି ରାତ୍ରରେ ମିଶରବାସୀ ଇସ୍ରାଏଲୀୟମାନଙ୍କ ପାଖକୁ ଆସି ପାରିଲେ ନାହିଁ।
21 ମୋଶା ତାଙ୍କର ଆଶାବାଡ଼ି ସୂଫସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବେଗରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହୋଇଗଲା ଏବଂ ସମୁଦ୍ର ମଧ୍ୟ ଶୁଷ୍କ ଭୂମିରେ ପରିଣତ ହୋଇଗଲା। 22 ଇସ୍ରାଏଲୀୟମାନେ ଶୁଷ୍କ ଭୂମିରେ ସମୁଦ୍ର ମଧ୍ୟଦେଇ ଗଲେ। ସମୁଦ୍ରର ଜଳଭାଗ ଦୁଇଟି କାନ୍ଥ ପରି ସେମାନଙ୍କର ବାମପଟେ ଓ ଦକ୍ଷିଣ ପଟେ ରହିଲା। 23 ମିଶରୀୟମାନେ ସେମାନଙ୍କ ପଛରେ ଗୋଡ଼ାଇଲେ। ଏହା ପରେ ଫାରୋଙ୍କର ସମସ୍ତ ଅଶ୍ୱ ଓ ରଥ ସେମାନଙ୍କୁ ସମୁଦ୍ର ପର୍ଯ୍ୟନ୍ତ ଅନୁସରଣ କଲେ। 24 ପ୍ରଭାତରେ ସଦାପ୍ରଭୁ ମେଘସ୍ତମ୍ଭ ଓ ଆଲୋକ ସ୍ତମ୍ଭ ଦେଇ ମିସ୍ରୀୟ ସୈନ୍ୟମାନଙ୍କୁ ଦେଖିଲେ ଏବଂ ସଦାପ୍ରଭୁ ମିଶରୀୟ ସୈନ୍ୟମାନଙ୍କୁ ଦ୍ୱନ୍ଦରେ ପକାଇଲେ। 25 ରଥର ଚକଗୁଡ଼ିକ ରଥରୁ ବାହାରିଯିବାରୁ, ସେମାନଙ୍କୁ ରଥଗୁଡ଼ିକ ଆଗେଇ ନେବାକୁ ବହୁତ କଷ୍ଟ ହେଲା। ମିଶରୀୟ ଲୋକମାନେ ଚିତ୍କାର କଲେ, “ଗ୍ଭଲ ଏଠାରୁ ପଳାଇ ଯିବା! ସଦାପ୍ରଭୁ ଇସ୍ରାଏଲୀୟ ଲୋକମାନଙ୍କ ପାଇଁ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି।”
26 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସମୁଦ୍ର ଉପରେ ତୁମ୍ଭର ହସ୍ତ ବିସ୍ତାର କର। ଏଥିରେ ସମୁଦ୍ର ଜଳ ମାଡ଼ିଯାଇ ମିଶରର ରଥାରୋହୀ ଓ ଅଶ୍ୱାରୋହୀମାନଙ୍କୁ ବୁଡ଼ାଇ ଦେବ।”
27 ତେଣୁ ମୋଶା ତାଙ୍କର ହସ୍ତ ସମୁଦ୍ର ଉପରେ ବିସ୍ତାର କଲେ। ଏହା ପରେ ଠିକ୍ ସୂର୍ଯ୍ୟୋଦୟ ପୂର୍ବରୁ ସମୁଦ୍ର ପୂର୍ବପରି ସମାନ ହୋଇଗଲା। ମିଶରୀୟମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରନ୍ତେ ସଦାପ୍ରଭୁ ସେମାନଙ୍କୁ ସମୁଦ୍ରରେ ନିକ୍ଷେପ କଲେ। 28 ସମୁଦ୍ର ତା'ର ପୂର୍ବ ଅବସ୍ଥାକୁ ଆସିବାରୁ ସମସ୍ତ ରଥଗୁଡ଼ିକ, ଅଶ୍ୱାରୋହୀମାନଙ୍କୁ ଆଚ୍ଛାଦିତ କଲା। ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଉଥିବା ଫାରୋଙ୍କର ସମଗ୍ର ସୈନ୍ୟବାହିନୀ ସମୁଦ୍ରରେ ବୁଡ଼ିଗଲେ। କେହି ଜଣେ ହେଲେବି ସୈନ୍ୟ ବଞ୍ଚିଲେ ନାହିଁ।
29 ମାତ୍ର ଇସ୍ରାଏଲର ଲୋକମାନେ ଶୁଷ୍କ ଭୂମିରେ ଗମନ କଲେ। ସମୁଦ୍ରର ଜଳ ସେମାନଙ୍କର ବାମ ଓ ଡାହାଣ ପାର୍ଶ୍ୱରେ କାନ୍ଥପରି ଛିଡ଼ା ହୋଇ ରହିଲା। 30 ତେଣୁ ସେହି ଦିନ, ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କଲେ। ଏବଂ ସେଥିପାଇଁ ଇସ୍ରାଏଲର ଲୋକମାନେ ମିଶରୀୟମାନଙ୍କର ମୃତ ଦେହକୁ ସୂଫସାଗର କୂଳରେ ଥିବାର ଦେଖିଲେ। 31 ସେହି ଦିନ ଇସ୍ରାଏଲୀୟମାନେ ଦେଖିଛନ୍ତି ସଦାପ୍ରଭୁଙ୍କର ସେହି ମହାନ୍ ଶକ୍ତି ଯେତେବେଳେ ସେ ମିଶରୀୟମାନଙ୍କୁ ପରାସ୍ତ କଲେ। ତେଣୁ ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ସମ୍ମାନ ଦେଲେ। ସେମାନେ ସଦାପ୍ରଭୁ ଓ ତାଙ୍କର ଦାସ ମୋଶାଙ୍କଠାରେ ବିଶ୍ୱାସ ରଖିଲେ।
20 ଏହା ପରେ ହାରୋଣର ଭଉଣୀ, ଭବିଷ୍ୟଦ୍ବକ୍ତ୍ରୀ ମରିୟମ ଦାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିୟମ ପୁନରାବୃତ୍ତି କଲେ। 21 ତା'ପରେ ମରିୟମ ଲୋକମାନଙ୍କୁ କହିଲେ,
“ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
ଯେହେତୁ ସେ ମହାନ କାର୍ଯ୍ୟ କରିଛନ୍ତି।
ସେ ଅଶ୍ୱ ଓ ଅଶ୍ୱାରୋହୀ ସୈନ୍ୟମାନଙ୍କୁ
ସମୁଦ୍ରରେ ନିକ୍ଷେପ କରିଅଛନ୍ତି।”
5 ଅତଏବ, ଯୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହେବା, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହୋଇ ରହିବା, ଯାହା ଏକ ମିଥ୍ୟା ଦେବତାକୁ ପୂଜା କରିବା ସଦୃଶ, ସେଭିଳ ବିଷୟ ଗୁଡ଼ିକୁ ନିଜ ଜୀବନଠାରୁ ଦୂରରେ ରଖ। ଏହିଭଳି ଇଚ୍ଛାଗୁଡ଼ିକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ୟା ଦେବତାର ସେବା କରୁଛି। 6 ଏହି ବିଷୟ ଗୁଡ଼ିକ ପରମେଶ୍ୱରଙ୍କୁ କ୍ରୋଧିତ କରେ। 7 ତୁମ୍ଭମାନଙ୍କର ପୂର୍ବ ପାପପୂର୍ଣ୍ଣ ଜୀବନରେ ମଧ୍ୟ ତୁମ୍ଭେମାନେ ଏହି କାମଗୁଡ଼ିକ କରିଥିଲ।
8 କିନ୍ତୁ ଏବେ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ: କ୍ରୋଧ, ଉତ୍ତେଜନା, ଅନ୍ୟ କାହାକୁ ବାଧିଲା ଭଳି କାର୍ଯ୍ୟ କରିବା ବା କଥା କହିବା, କହିଲା ବେଳେ ଅପଶବ୍ଦ ବ୍ୟବହାର କରିବା। 9 ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭେମାନେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦେଇଛ। 10 ତୁମ୍ଭେମାନେ ନୂତନ ଜୀବନ ଆରମ୍ଭ କରିଛ। ନୂତନ ଜୀବନରେ ତୁମ୍ଭେମାନେ ନୂଆ ହେଉଅଛ। ତୁମ୍ଭେମାନେ ତୁମ୍ଭମାନଙ୍କର ସେହି ସୃଷ୍ଟିକର୍ତ୍ତାଙ୍କ ଭଳି ହୋଇଯାଉଛ। ଏହି ନୂତନ ଜୀବନ ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଉଛ। 11 ଏହି ନୂତନ ଜୀବନରେ ଯିହୂଦୀ ଓ ଅଣଯିହୂଦୀମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍କୁଥୀୟମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ୱାଧୀନ ଭିତରେ ମଧ୍ୟ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠାରେ ଅଛନ୍ତି। ଯାହା ମହତ୍ତ୍ୱପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।
2010 by World Bible Translation Center