Revised Common Lectionary (Semicontinuous)
146 ସଦାପ୍ରଭୁଙ୍କର ପ୍ରଶଂସା କର!
ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
ଲୋକମାନଙ୍କ ପ୍ରତି ଭରସା କର ନାହିଁ।
କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱର ଅତ୍ୟନ୍ତ ଧୈର୍ଯ୍ୟଶୀଳ
14 “ଦୀର୍ଘକାଳ ଧରି ମୁଁ ନୀରବ ରହି ଆସୁଅଛି।
ମୁଁ ତଥାପି ନୀରବ ଅଛି।
ମାତ୍ର ବର୍ତ୍ତମାନ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଚିତ୍କାର କରିବୁ।
ଆମ୍ଭେ ଦୀର୍ଘ ନିଃଶ୍ୱାସ ଏବଂ ଆକାଂକ୍ଷା ହେବୁ।
15 ଆମ୍ଭେ ପର୍ବତ ଓ ଉପପର୍ବତଗୁଡ଼ିକୁ ଧ୍ୱଂସ କରିବୁ
ଓ ତହିଁରେ ଥିବା ସମସ୍ତ ଗୁଳ୍ମଲତାକୁ ଶୁଷ୍କ କରିବୁ।
ନଦନଦୀକୁ ଦ୍ୱୀପରେ ପରିଣତ କରିବୁ
ଓ ଜଳାଶୟକୁ ଶୁଷ୍କ କରିବୁ।
16 ତା'ପରେ ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବୁ
ଓ ଯେଉଁ ପଥ ସେମାନେ ଜାଣନ୍ତି ନାହିଁ,
ସେହି ପଥରେ ସେମାନଙ୍କୁ କଢ଼ାଇ ନେବୁ।
ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୋକର
ଓ ବକ୍ର ସ୍ଥାନକୁ ସଳଖରେ ପରିଣତ କରିବୁ।
ଏହିସବୁ କାର୍ଯ୍ୟ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ୟାଗ କରିବୁ ନାହିଁ।
17 କିନ୍ତୁ କେତେକ ଲୋକ ମୋର ଅନୁସରଣ କରିବାରୁ ନିବୃତ୍ତ ହେଲେ ନାହିଁ।
ଯେଉଁମାନେ ଖୋଦିତ ପ୍ରତିମାଗଣକୁ
କିମ୍ବା ମୃତ୍ତିକାରେ ନିର୍ମିତ ଦେବତାମାନଙ୍କୁ ବିଶ୍ୱାସ କରନ୍ତି,
କେବେ ସେମାନେ ହତାଶ ହୋଇ ଲଜ୍ଜିତ ହେବେ।
ଇସ୍ରାଏଲ ପରମେଶ୍ୱରଙ୍କୁ ଶୁଣିବାକୁ ପ୍ରତ୍ୟାଖ୍ୟାନ କଲା
18 “ହେ ବଧିରମାନେ ଶୁଣ!
ହେ ଅନ୍ଧମାନେ, ତୁମ୍ଭେମାନେ ଦେଖିବା ପାଇଁ ଦୃଷ୍ଟି ଦିଅ।”
19 ଏ ଜଗତରେ ମୋର ଦାସଠାରୁ ଅନ୍ଧ କିଏ?
ପୁଣି ମୋ’ ପ୍ରେରିତ ଦୂତଠାରୁ ବଧିର କିଏ?
ସଦାପ୍ରଭୁଙ୍କଠାରେ ମିଳିତ ହୋଇଥିବା
ଦାସ ସବୁଠାରୁ ଅଧିକ ଅନ୍ଧ।
20 ମୋର ଦାସ ଯଦିଓ ସବୁ ଦେଖୁଅଛି,
ତଥାପି ସେ ମନୋଯୋଗ କରୁ ନାହିଁ।
ତା'ର କର୍ଣ୍ଣ ମୁକ୍ତ ଅଛି,
ମାତ୍ର ସେ ଶୁଣୁ ନାହିଁ।”
21 ସଦାପ୍ରଭୁ ନିଜର ଶିକ୍ଷା ବ୍ୟବସ୍ଥାକୁ ମହତ୍
ଓ ସମ୍ଭ୍ରାନ୍ତ କରି ସନ୍ତୁଷ୍ଟ ହେଲେ।
9 ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ:
ଯେପରି ପରମେଶ୍ୱର ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ତୁମ୍ଭେମାନେ ସମ୍ପୂର୍ଣ୍ଣ ଜାଣିବ; ଯେପରି ତୁମ୍ଭମାନଙ୍କ ଜ୍ଞାନ ସାହାଯ୍ୟରେ ତୁମ୍ଭେମାନେ ଆଧ୍ୟାତ୍ମିକ ବିଷୟ ଗୁଡ଼ିକରେ ସମସ୍ତ ଜ୍ଞାନ ଓ ବୋଧଶକ୍ତି ମଧ୍ୟ ଲାଭ କରିବ; 10 ଯେପରି ତୁମ୍ଭେମାନେ ପ୍ରଭୁଙ୍କୁ ଗୌରବ ଆଣିଲା ଭଳି ଓ ପ୍ରତ୍ୟେକ ଢଙ୍ଗରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟ ଗୁଡ଼ିକ ବ୍ୟବହାର କରି ଜୀବନ-ଯାପନ କରିବ; ଯେପରି ତୁମ୍ଭେମାନେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ୱର ବିଷୟକ ଜ୍ଞାନରେ ବିକାଶ ଲାଭ କରିବ; 11 ଯେପରି ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ; ଯେ ତୁମ୍ଭେମାନେ ଧୈର୍ଯ୍ୟବାନ ହେବ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ।
ତା'ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହେବ 12 ଓ ପିତାଙ୍କୁ ଧନ୍ୟବାଦ ଦେବ। ସେ ଯେଉଁ ବିଷୟ ଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପଯୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅରେ ବାସ କରନ୍ତି, ସେମାନଙ୍କ ଲାଗି ସେ ଏହି ବିଷୟ ଗୁଡ଼ିକ ସୃଷ୍ଟି କରିଛନ୍ତି 13 ଅନ୍ଧକାରର ଶକ୍ତିରୁ ପରମେଶ୍ୱର ଆମ୍ଭକୁ ସ୍ୱାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ୟ ମଧ୍ୟକୁ ଆଣିଛନ୍ତି। 14 ସେହି ପୁତ୍ର ଆମ୍ଭକୁ ମୁକ୍ତ କରିବା ଲାଗି ମୂଲ୍ୟ ପ୍ରଦାନ କରିଛନ୍ତି। ତାହାଙ୍କ ଦ୍ୱାରା ଆମ୍ଭ ପାପରୁ ଆମ୍ଭକୁ କ୍ଷମା ମିଳିଛି।
2010 by World Bible Translation Center