Revised Common Lectionary (Semicontinuous)
ଅବ୍ରାମଙ୍କୁ ପରମେଶ୍ୱରଙ୍କର ଡାକରା
12 ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କୁ ପରିତ୍ୟାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି ସେହି ଦେଶକୁ ଯାଅ।
2 ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି।
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି
ଓ ତୁମ୍ଭକୁ ମହାନ କରିବି
ଏବଂ ତୁମ୍ଭେ ଆଶୀର୍ବାଦର
ସଙ୍କେତ ହେବ।
3 ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସେମାନଙ୍କୁ ଆଶୀର୍ବାଦ କରିବି।
ଏବଂ ଯିଏ ତୁମ୍ଭକୁ ଅଭିଶାପ ଦେବ ମୁଁ ସେମାନଙ୍କୁ ଅଭିଶାପ ଦେବି।
ତୁମ୍ଭଠାରୁ ପୃଥିବୀର ସବୁବଂଶ
ଆଶୀର୍ବାଦ ପାଇବେ।”
ଅବ୍ରାମଙ୍କର କିଣାନ ଯାତ୍ରା
4 ସଦାପ୍ରଭୁଙ୍କର ବାକ୍ୟାନୁସାରେ ଅବ୍ରାମ ହାରୋଣକୁ ପରିତ୍ୟାଗ କଲେ ଏବଂ ଲୋଟ ମଧ୍ୟ ତାଙ୍କ ସଙ୍ଗରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା।
ଏକ ଆରୋହଣ ଗୀତ।
121 ମୁଁ ସାହାଯ୍ୟ ପାଇଁ ପର୍ବତଗଣ ଆଡ଼େ ଗ୍ଭହେଁ।
କିନ୍ତୁ ପ୍ରକୃତରେ କେଉଁଠାରୁ ମୋର ସାହାଯ୍ୟ ଆସିବ?
2 ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିବ
ଯିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।
3 ସେ ତୁମ୍ଭର ପାଦକୁ ଟଳମଳ ହେବାକୁ ଦେବେ ନାହିଁ।
ତୁମ୍ଭର ରକ୍ଷାକର୍ତ୍ତା କେବେହେଲେ ନିଦ୍ରିତ ହେବେ ନାହିଁ।
4 ଇସ୍ରାଏଲର ରକ୍ଷାକର୍ତ୍ତା କେବେ ନିଦ୍ରା ଯିବେ ନାହିଁ।
କି କେବେ ଶୋଇବେ ନାହିଁ।
5 ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା।
ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ତୁମ୍ଭକୁ ଢାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
6 ଦିନରେ ସୂର୍ଯ୍ୟ ତୁମ୍ଭକୁ ଆଘାତ କରି ପାରିବେ ନାହିଁ
କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରି ପାରିବ ନାହିଁ।
7 ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
8 ବର୍ତ୍ତମାନ ଏବଂ ସବୁଦିନ ପାଇଁ ଯିବା ଆସିବା ବେଳେ
ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
ଅବ୍ରହାମଙ୍କର ଉଦାହରଣ
4 ତା'ହେଲେ ଆମ୍ଭର ଜାଗତିକ ପୂର୍ବପୁରୁଷ ଅବ୍ରହାମଙ୍କ ବିଷୟରେ କ’ଣ କହି ପାରିବା? 2 ସେ ବିଶ୍ୱାସ ବିଷୟରେ କ’ଣ ଶିଖିଲେ? ଅବ୍ରହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା'ହେଲେ, ସେଥିରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କ ଆଗରେ ଗର୍ବ କରି ପାରିଲେ ନାହିଁ। 3 ଶାସ୍ତ୍ର କୁହେ, “ଅବ୍ରହାମ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ। ପରମେଶ୍ୱର ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ। ଏହା ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଅବ୍ରହାମ ଧାର୍ମିକ ହେଲେ।”(A)
4 କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦେବା ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରେ। 5 କିନ୍ତୁ ଜଣେ ଲୋକ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବା ଭଳି କାମ କରି ପାରେ ନାହିଁ। ତାହାର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ରହିବା ଉଚିତ୍। ତା'ହେଲେ ପରମେଶ୍ୱର ସେ ଲୋକର ବିଶ୍ୱାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ୱର ମନ୍ଦ ଲୋକକୁ ମଧ୍ୟ ଧାର୍ମିକ କରି ପାରନ୍ତି।
ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ପ୍ରତିଜ୍ଞା ପ୍ରାପ୍ତ
13 ଅବ୍ରହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାରର ଉତ୍ତରାଧିକାରୀ ହେବେ। କିନ୍ତୁ ଅବ୍ରହାମ ଏହି ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବାରୁ ମିଳି ନ ଥିଲା। ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା। 14 ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଲୋକ ପରମେଶ୍ୱର ଯାହା ପ୍ରତିଜ୍ଞା ଦେଇଥିଲେ ତାହା ପାଏ, ତା'ହେଲେ ବିଶ୍ୱାସର କିଛି ଅର୍ଥ ନାହିଁ ଓ ପ୍ରତିଜ୍ଞାର କିଛି ମୂଲ୍ୟ ନାହିଁ। 15 କାରଣ ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ବ୍ୟବସ୍ଥା ପରମେଶ୍ୱରଙ୍କର କ୍ରୋଧ ଆଣିଥାଏ। କିନ୍ତୁ ଯଦି ବ୍ୟବସ୍ଥା ନ ଥା’ନ୍ତା, ତା'ହେଲେ ଅବାଧ୍ୟ ହେବାର ପ୍ରଶ୍ନ ଉଠିବ ନାହିଁ।
16 ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା'ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା। 17 ଶାସ୍ତ୍ରରେ ଲେଖା ଅଛି, “ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।”(A) ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟାପି ଘଟି ନାହିଁ ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।
ଯୀଶୁ ଓ ନୀକଦୀମ
3 ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଜଣେ ଫାରୂଶୀ ଥିଲେ। ସେ ଯିହୂଦୀମାନଙ୍କର ଜଣେ ମୁଖ୍ୟ ନେତା ଥିଲେ। 2 ସେ ଦିନେ ରାତ୍ରିରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, “ହେ ଗୁରୁ, ଆମ୍ଭେ ଜାଣିଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ୱରଙ୍କ ଦ୍ୱାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛ, ସେ ଗୁଡ଼ିକ ପରମେଶ୍ୱରଙ୍କ ସାହାଯ୍ୟ ନ ପାଇ କେହି କରି ପାରିବେ ନାହିଁ।”
3 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ପୁନର୍ବାର ଜନ୍ମ ନ ହୁଏ, ତେବେ ସେ ଲୋକ ପରମେଶ୍ୱରଙ୍କର ରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ।”
4 ନୀକଦୀମ ତାହାଙ୍କୁ କହିଲେ, “କିନ୍ତୁ ଯଦି କୌଣସି ବ୍ୟକ୍ତି ବୃଦ୍ଧ ହୋଇ ସାରିଛି, ତେବେ ସେ କିପରି ପୁନର୍ବାର ଜନ୍ମ ନେଇ ପାରିବ? ଜଣେ ଲୋକ କଦାପି ତା'ର ମାତାର ଗର୍ଭରେ ଆଉ ଥରେ ପ୍ରବେଶ କରି ପାରିବ ନାହିଁ। ତେଣୁ ଜଣେ ବ୍ୟକ୍ତି କଦାପି ଦ୍ୱିତୀୟ ଥର ଜନ୍ମ ଗ୍ରହଣ କରି ପାରିବ ନାହିଁ।”
5 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ଜଳ ଓ ଆତ୍ମାରୁ ହୋଇ ନ ଥାଏ, ତେବେ ସେ କଦାପି ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରିବ ନାହିଁ। 6 ଜଣେ ଲୋକର ଶରୀର ତା'ର ପିତା-ମାତାଙ୍କଠାରୁ ଜନ୍ମ ନିଏ। କିନ୍ତୁ ଜଣେ ଲୋକର ଆତ୍ମିକ ଜୀବନ ଆତ୍ମାଙ୍କଠାରୁ ଜନ୍ମ ନିଏ। 7 ତେଣୁ ଆଶ୍ଚର୍ଯ୍ୟ ହୁଅ ନାହିଁ, କାରଣ ତୁମ୍ଭକୁ କହିଲି ଯେ, ‘ତୁମ୍ଭକୁ ନିଶ୍ଚୟ ପୁନର୍ବାର ଜନ୍ମ ହେବାକୁ ପଡ଼ିବ।’ 8 ପବନ ତା’ ଇଚ୍ଛା ଅନୁସାରେ ବହେ ଓ ନିଜ ଇଚ୍ଛାରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣି ନ ଥାଅ, ପବନ କେଉଁଠାରୁ ଆସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନେଇଥିବା ପ୍ରତ୍ୟେକ ଲୋକ ଠିକ୍ ସେହିପରି।”
9 ନୀକଦୀମ ପଗ୍ଭରିଲେ, “ଏସବୁ କିପରି ସମ୍ଭବ ହୋଇ ପାରିବ?”
10 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ପ୍ରଧାନ ଗୁରୁ, କିନ୍ତୁ ତୁମ୍ଭେ ଏସବୁ କଥା ବୁଝି ପାରୁ ନାହଁ? 11 ମୁଁ ତୁମ୍ଭକୁ ସତ୍ୟ କହୁଛି, ଆମ୍ଭେ ଯାହାସବୁ ଜାଣୁ ତାହା ସବୁ କହୁଛୁ, ଆମ୍ଭେ ଯାହା ଦେଖିଛୁ ତାହା ତୁମ୍ଭକୁ କହୁଛୁ, କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯାହା କହୁଛୁ, ତୁମ୍ଭେମାନେ ତାହା ଗ୍ରହଣ କରୁ ନାହଁ। 12 ମୁଁ ତୁମ୍ଭକୁ ଏ ସଂସାରର ବିଷୟ ସବୁ କହିଛି। କିନ୍ତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। ମୁଁ ଯଦି ତୁମ୍ଭକୁ ସ୍ୱର୍ଗ ବିଷୟରେ କହିବି, ତେବେ ନିଶ୍ଚିତ ଭାବେ ତୁମ୍ଭେ ବିଶ୍ୱାସ କରିବ ନାହିଁ। 13 ମନୁଷ୍ୟପୁତ୍ର[a] କେବଳ ସେହି ଜଣେ ଯିଏ ସ୍ୱର୍ଗରୁ ଆସିଛନ୍ତି, ଓ ସେ ହିଁ ଏକମାତ୍ର ଯିଏ ସ୍ୱର୍ଗକୁ ଯାଇଛନ୍ତି।
14 “ମୋଶା ମରୁଭୂମିରେ ସର୍ପକୁ ଉପରକୁ ଉଠାଇଥିଲେ।[b] ଠିକ୍ ସେହିପରି ମନୁଷ୍ୟପୁତ୍ର ମଧ୍ୟ ଉପରକୁ ଉଠାଯିବେ। 15 ଏହା ଦ୍ୱାରା ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ଅନନ୍ତ ଜୀବନ ଲାଭ କରିବ।”
16 ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ। 17 ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଗ୍ଭର କରିବା ପାଇଁ ପଠାଇ ନ ଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ।
ମୋଶା ଓ ଏଲିୟଙ୍କ ସହିତ ଯୀଶୁ
(ମାର୍କ 9:2-13; ଲୂକ 9:28-36)
17 ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କର ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ ଓ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ ସେମାନେ ସମସ୍ତେ ଥିଲେ। 2 ସେମାନଙ୍କ ଆଗରେ ଯୀଶୁଙ୍କ ସ୍ୱରୂପ ବଦଳିଗଲା। ତାହାଙ୍କର ମୁଖ ସୂର୍ଯ୍ୟ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦେଖାଗଲା। 3 ହଠାତ୍ ସେ ସ୍ଥାନରେ ଦୁଇଜଣ ବ୍ୟକ୍ତି ଆସି ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ସେମାନେ ଏଲିୟ ଓ ମୋଶା[a] ଥିଲେ।
4 ଏହା ଦେଖି ପିତର ଯୀଶୁଙ୍କୁ କହିଲେ, “ହେ ପ୍ରଭୁ, ଭଲ ହେଲା ଯେ, ଆମ୍ଭେ ଏଠାରେ ଅଛୁ। ଆପଣ ଗ୍ଭହିଁଲେ ମୁଁ ଏଠାରେ ତିନୋଟି ତମ୍ବୁ ଟାଣି ଦେବି। ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।”
5 ପିତର ଏ କଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ୱଳ ମେଘଖଣ୍ଡ ଆସି ସେମାନଙ୍କୁ ଢାଙ୍କି ଦେଲା। ମେଘମଧ୍ୟରୁ ଆକାଶବାଣୀ ହେଲା, “ଏ ହେଉଛନ୍ତି ମୋର ପୁତ୍ର ଯାହାଙ୍କୁ ମୁଁ ପ୍ରେମ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।”
6 ଯୀଶୁଙ୍କ ଶିଷ୍ୟମାନେ ଏ କଥା ଶୁଣି ଅଧିକ ଭୟଭୀତ ହୋଇ ପଡ଼ିଲେ। ସେମାନେ ଭୂଇଁ ଉପରେ ପଡ଼ିଗଲେ। 7 ଯୀଶୁ ଶିଷ୍ୟମାନଙ୍କ ପାଖକୁ ଆସି ସେମାନଙ୍କୁ ଛୁଇଁଦେଲେ। ଯୀଶୁ କହିଲେ, “ଠିଆ ହୁଅ। ଭୟ କର ନାହିଁ।” 8 ଶିଷ୍ୟମାନେ ଉପରକୁ ଗ୍ଭହିଁଲେ, ସେମାନେ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ।
9 ଯୀଶୁ ଓ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲାଉଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଦେଶ ଦେଲେ, “ପର୍ବତ ଉପରେ ତୁମ୍ଭେମାନେ ଯାହାସବୁ ଦେଖିଲ, ତାହା କାହାକୁ କହିବ ନାହିଁ। ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନର୍ଜୀବିତ ହେବା ପର୍ଯ୍ୟନ୍ତ ଅପେକ୍ଷା କର। ତା'ପରେ ତୁମ୍ଭେ ଯାହାସବୁ ଦେଖିଛ, ତାହା ଲୋକଙ୍କ ଆଗରେ କହିପାର।”
2010 by World Bible Translation Center