Revised Common Lectionary (Semicontinuous)
112 ସଦାପ୍ରଭୁଙ୍କର ପ୍ରଶଂସା କର।
ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
2 ତା'ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
3 ସେହି ଲୋକର ପରିବାର ଧନଶାଳୀ ହେବେ
ଏବଂ ତା'ର ଧର୍ମ ଚିରକାଳସ୍ଥାୟୀ ହେବ।
4 ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
5 ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
6 ସେହି ଲୋକ କଦାପି ବିଚଳିତ ହେବ ନାହିଁ।
ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
7 ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
8 ସେହି ଲୋକ ସୁସ୍ଥିର ଥାଏ।
ସେ କେବେ ଭୟ କରେ ନାହିଁ।
ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
9 ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
ତା'ର ଧର୍ମ ଏକ। ଚିରକାଳସ୍ଥାୟୀ।
ସେ ବିଜୟ ଏବଂ ସମ୍ମାନ ପାଇବ।
10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।
ମୋଶା ଲୋକମାନଙ୍କୁ ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ କହିଲେ
4 “ବର୍ତ୍ତମାନ ହେ ଇସ୍ରାଏଲ ମୁଁ ଯେଉଁ ନିୟମ ଓ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର। ତାହା ପାଳନ କଲେ ତୁମ୍ଭେମାନେ ବଞ୍ଚିବ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ। 2 ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ବାକ୍ୟରେ ଆଉ କିଛି ମିଶାଅ ନାହିଁ। କିଅବା ତା'ଠାରୁ କିଛି ଊଣାକରି ପାଳନ କର ନାହିଁ। ସମ୍ପୂର୍ଣ୍ଣ ଭାବେ ସେହି ବାକ୍ୟମାନ ପାଳନ କର। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ମାନ।
3 “ତୁମ୍ଭେମାନେ ସଦାପ୍ରଭୁଙ୍କର କର୍ମ ବାଲପିୟୋରରେ ଦେଖିଅଛ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବାଲପିୟୋରର ପଶ୍ଚାଦ୍ଗାମୀ ସମସ୍ତ ଲୋକଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ହତ୍ୟା କରିଛନ୍ତି। 4 କିନ୍ତୁ ତୁମ୍ଭେମାନେ ଯେତେ ଲୋକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆସକ୍ତ ହେଲେ, ତୁମ୍ଭମାନଙ୍କର ସେହି ଲୋକମାନେ ଏବେ ବଞ୍ଚିଛନ୍ତି।
5 “ହଁ ଦେଖ, ସଦାପ୍ରଭୁ ମୋର ପରମେଶ୍ୱର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ସେହି ବ୍ୟବସ୍ଥାସବୁ ଶିକ୍ଷା ଦେଲି। ମୁଁ ତୁମ୍ଭମାନଙ୍କୁ ସେହିପରି ବ୍ୟବସ୍ଥା ଓ ବିଧି ଶିକ୍ଷା ଦେଇଅଛି, ଯେପରି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭେମାନେ ସେମାନଙ୍କ ଅନୁସାରେ ବାସ କରିବ। 6 ତେଣୁ ଏହି ବ୍ୟବସ୍ଥାସବୁ ପାଳନ କର ଏବଂ ସେଗୁଡ଼ିକ ଅଭ୍ୟାସ କର କାରଣ ବହୁତ ଦେଶମାନଙ୍କ ମଧ୍ୟରେ ଏହା ତୁମ୍ଭର ଜ୍ଞାନ ଓ ବୁଝାମଣା ହେବ। ଏହି ବ୍ୟବସ୍ଥା ଶୁଣିଲାପରେ ସେମାନେ କହିବେ ଯେ, ‘ଇସ୍ରାଏଲୀୟ ଲୋକମାନେ ମହାନ ଲୋକ ଯେଉଁମାନେ ଜ୍ଞାନୀ ଏବଂ ବୁଝାମଣା ଶକ୍ତି ଅଛି।’
7 “ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ସ୍ମରଣରେ ଯେପରି ସର୍ବଦା ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି। ଅନ୍ୟ ଓ କୌଣସି ଗୋଷ୍ଠୀୟମାନଙ୍କ ପ୍ରତି ଏପରି ପ୍ରଦର୍ଶନ କରନ୍ତି ନାହିଁ। 8 ଯେଉଁସବୁ ଯଥାର୍ଥା ବିଧି ଓ ବ୍ୟବସ୍ଥା ଯେପରି ଶିକ୍ଷା ଆଦି ଦେଇଅଛି, ତାହା ତୁଲ୍ୟ କୌଣସି ଜାତିଗଣ ମଧ୍ୟରେ ନାହିଁ। 9 କିନ୍ତୁ ସାବଧାନ ହୁଅ। ନିଶ୍ଚିତ ରୂପେ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଦେଖିଥିବା କାର୍ଯ୍ୟଗୁଡ଼ିକ କଦାପି ଭୁଲିବ ନାହିଁ। ତୁମ୍ଭେମାନେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତୁଣୀମାନଙ୍କୁ ସେଗୁଡ଼ିକ ଶିକ୍ଷା ଦିଅ। 10 ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରେ ଛିଡ଼ା ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, ‘ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ରିତ କର। ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା ତହିଁରେ ସେମାନେ ପୃଥିବୀରେ ଯାବଜ୍ଜୀବନ ଆମ୍ଭକୁ ଭୟ କରିବା ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।’ 11 ତେଣୁ ସେମାନେ ମୋର ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଛିଡ଼ା ହେଲେ। ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧକାରରେ ବ୍ୟାପ୍ତ ହୋଇଥିଲା ଓ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜଳିଲା। 12 ଏହା ପରେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କୁ କଥା କହିଲେ। ତୁମ୍ଭେମାନେ ବାକ୍ୟର ଶବ୍ଦ ଶୁଣିଲ। ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ। 13 ତା'ପରେ ତୁମ୍ଭେମାନେ ତାଙ୍କର ନିୟମ ପାଳନ କର ବୋଲି ସେ ଆଦେଶ କଲେ। ତେଣୁ ସେ ଦଶ ଆଜ୍ଞାର ନିୟମ ପ୍ରକାଶ କଲେ। ସଦାପ୍ରଭୁ ପ୍ରସ୍ତର ଫଳକରେ ସେହି ନିୟମ ଲେଖିଲେ। 14 ପୁଣି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କର ପାଳନୀୟ ବିଧି ଓ ଶାସନ ସମସ୍ତ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସେହି ସମୟରେ ମୋତେ ଆଜ୍ଞା ଦେଲେ।
ପରମେଶ୍ୱରଙ୍କ ସନ୍ତାନ ଜଗତ ବିରୁଦ୍ଧରେ ଜୟଲାଭ କରନ୍ତି
5 ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ। 2 ଆମ୍ଭେ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁ ବୋଲି କିପରି ଜାଣିପାରୁ? ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କର ଆଜ୍ଞା ପାଳନ କରୁଥିବାରୁ ଜାଣିପାରୁ ଯେ, ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ ଅଟୁ। 3 କାରଣ ପରମେଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁହେଁ। 4 ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍ତେ ତାହାର କ୍ଷମତା ଅଛି। 5 ଆମ୍ଭର ବିଶ୍ୱାସ ଦ୍ୱାରା ଆମ୍ଭେ ଜଗତକୁ ଜିତିଛୁ। ଆମ୍ଭର ବିଶ୍ୱାସ ଜଗତକୁ ଜୟ କରେ। ଯେଉଁ ଲୋକ ବିଶ୍ୱାସ କରେ ଯେ ଯୀଶୁ ପରମେଶ୍ୱରଙ୍କ ପୁତ୍ର, ସେ ଜଗତରେ ବିଜୟୀ ହୁଏ।
2010 by World Bible Translation Center