Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ।
20 ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।
ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ।
2 ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ।
ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ।
3 ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ।
ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ। ସେଲା
4 ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ।
ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।
5 ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ।
ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା।
ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ।
6 ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି।
ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି।
ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।
7 କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି।
ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି
କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।
8 ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ।
ଆମ୍ଭେ ବିଜୟୀ ଦଳ।
9 ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ
କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ।
ଅବ୍ରାମଙ୍କୁ ପରମେଶ୍ୱରଙ୍କର ଡାକରା
12 ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କୁ ପରିତ୍ୟାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି ସେହି ଦେଶକୁ ଯାଅ।
2 ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି।
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି
ଓ ତୁମ୍ଭକୁ ମହାନ କରିବି
ଏବଂ ତୁମ୍ଭେ ଆଶୀର୍ବାଦର
ସଙ୍କେତ ହେବ।
3 ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସେମାନଙ୍କୁ ଆଶୀର୍ବାଦ କରିବି।
ଏବଂ ଯିଏ ତୁମ୍ଭକୁ ଅଭିଶାପ ଦେବ ମୁଁ ସେମାନଙ୍କୁ ଅଭିଶାପ ଦେବି।
ତୁମ୍ଭଠାରୁ ପୃଥିବୀର ସବୁବଂଶ
ଆଶୀର୍ବାଦ ପାଇବେ।”
ଅବ୍ରାମଙ୍କର କିଣାନ ଯାତ୍ରା
4 ସଦାପ୍ରଭୁଙ୍କର ବାକ୍ୟାନୁସାରେ ଅବ୍ରାମ ହାରୋଣକୁ ପରିତ୍ୟାଗ କଲେ ଏବଂ ଲୋଟ ମଧ୍ୟ ତାଙ୍କ ସଙ୍ଗରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା। 5 ଅବ୍ରାମ ତାଙ୍କର ସ୍ତ୍ରୀ ସାରୀକୁ, ଭାତୃପୁତ୍ର ଲୋଟଙ୍କୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଏବଂ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶକୁ ଯାତ୍ରା କଲେ। 6 ଅବ୍ରାମ ସେହି ଦେଶ ମଧ୍ୟଦେଇ ଗଲେ, ଶିଖିମରେ ପହଞ୍ଚିବା ପର୍ଯ୍ୟନ୍ତ, ମୋରିର ଅଲୋନବୃକ୍ଷମୂଳରେ ରହିଲେ। ସେହି ସମୟରେ କିଣାନୀୟମାନେ ସେହି ସ୍ଥାନରେ ବାସ କଲେ।
7 ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।”
ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ।
ବିଶ୍ୱାସ
11 ବିଶ୍ୱାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ୱାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ। 2 ପ୍ରାଚୀନ କାଳରେ, ଲୋକମାନଙ୍କର ଏହିଭଳି ବିଶ୍ୱାସ ଥିଲା ବୋଲି, ପରମେଶ୍ୱର ସେମାନଙ୍କ ଉପରେ ପ୍ରସନ୍ନ ଥିଲେ।
3 ବିଶ୍ୱାସ ଦ୍ୱାରା ଆମ୍ଭେ ବୁଝିଛୁ ଯେ ସମଗ୍ର ସୃଷ୍ଟିର ରଚନା ପରମେଶ୍ୱର ନିଜ ଆଜ୍ଞା ବଳରେ କରିଥିଲେ। ଏହାର ଅର୍ଥ ଯେ, ଆମ୍ଭକୁ ଦିଶୁଥିବା ବିଷୟ ଗୁଡ଼ିକର ସୃଷ୍ଟି ଅଦୃଶ୍ୟ ବିଷୟ ଦ୍ୱାରା ହୋଇଛି।
4 କୟିନ ଓ ହେବଲ ଦୁହେଁ ପରମେଶ୍ୱରଙ୍କୁ ବଳି ଉତ୍ସର୍ଗ କଲେ। କିନ୍ତୁ ବିଶ୍ୱାସ ଥିବା ହେତୁ ହେବଲ ଭଲ ବଳି ଉତ୍ସର୍ଗ କଲେ। ପରମେଶ୍ୱର କହିଲେ, ଯେ, ସେ ହେବଲ ଉତ୍ସର୍ଗ କରିଥିବା ବଳି ପାଇଁ ପ୍ରସନ୍ନ ଥିଲେ। ପରମେଶ୍ୱରଙ୍କଠାରେ ହେବଲର ବିଶ୍ୱାସ ହେତୁ ତାହାକୁ ଭଲ ଲୋକ ବୋଲି କହିଲେ। ହେବଲ ମରି ଯାଇଛି କିନ୍ତୁ ନିଜ ବିଶ୍ୱାସ ହେତୁ ଏବେ ସୁଦ୍ଧା ସେ କଥା କହୁଛି।
5 ବିଶ୍ୱାସ ହେତୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କେବେବି ମୃତ୍ୟୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁହେ ଯେ, ହନୋକଙ୍କୁ ଉଠାଇ ନେଇ ଯିବା ପୂର୍ବରୁ ସେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖୋଜି ପାରିଲେ ନାହିଁ, କାରଣ ପରମେଶ୍ୱର ହନୋକଙ୍କୁ ନିଜ ସହିତ ରହିବା ଲାଗି ନେଇଗଲେ। 6 ବିଶ୍ୱାସ ବିନା ଜଣେ ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରିବ ନାହିଁ। ପରମେଶ୍ୱରଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱର ଅଛନ୍ତି ବୋଲି ବିଶ୍ୱାସ କରିବା ଉଚିତ୍। ଯିଏ ପରମେଶ୍ୱରଙ୍କ ପାଖକୁ ଆସିବ ସେ ବିଶ୍ୱାସ କରିବା ଦରକାର ଯେ ଯିଏ ପ୍ରକୃତରେ ତାହାଙ୍କୁ ଖୋଜେ, ପରମେଶ୍ୱର ତାହାକୁ ପୁରସ୍କାର ପ୍ରଦାନ କରନ୍ତି।
7 କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।
8 ପରମେଶ୍ୱର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ଯିବା ପାଇଁ ଡାକିଲେ। ପରମେଶ୍ୱର ତାହାଙ୍କୁ ସେହି ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ୱାସ ଦ୍ୱାରା ମାନିଲେ, ଓ ସେହି ସ୍ଥାନ ପାଇଁ ପ୍ରସ୍ଥାନ କଲେ। 9 ପରମେଶ୍ୱର ପ୍ରତିଜ୍ଞା ଅନୁସାରେ ଅବ୍ରହାମ ସେହି ସ୍ଥାନରେ ରହିଲେ। ସେ ଜଣେ ଯାତ୍ରୀ ଭଳି ରହିଲେ, ଜଣେ ବାସିନ୍ଦା ଭଳି ନୁହେଁ। ବିଶ୍ୱାସ ଥିବା ହେତୁ ସେ ଏପରି କଲେ। ଇସ୍ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁରେ ରହିଲେ। ଇସ୍ହାକ ଓ ଯାକୁବ ମଧ୍ୟ 10 ପରମେଶ୍ୱରଙ୍କଠାରୁ ସେହି ପ୍ରତିଜ୍ଞା ପାଇଥିଲେ। ଅବ୍ରହାମ ସୁଦୃଢ଼ ମୂଳଦୁଆ ଥିବା ନଗରୀ[a]ର ଅପେକ୍ଷାରେ ଥିଲେ। ପରମେଶ୍ୱର ସ୍ୱୟଂ ସେହି ନଗରୀଟିର ଯୋଜନା ଓ ନିର୍ମାଣ କରିଥିଲେ।
11 ପିଲାପିଲି ହେବା ପାଇଁ ଅବ୍ରହାମଙ୍କର ବୟସ ଅଧିକ ହୋଇଯାଇଥିଲା। ଆହୁରି ମଧ୍ୟ ସାରାର ପିଲାପିଲି ହୋଇ ପାରି ନ ଥିଲା। କିନ୍ତୁ ପରମେଶ୍ୱରଙ୍କଠାରେ ଅବ୍ରହାମଙ୍କର ବିଶ୍ୱାସ ଥିଲା, ଅତଏବ ପରମେଶ୍ୱର ସେମାନଙ୍କୁ ସନ୍ତାନ ହେବା ପାଇଁ ସକ୍ଷମ କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ୱାସ ରଖିଥିଲେ। 12 ଏହି ଲୋକ ଜଣକ ଏତେ ବୃଦ୍ଧ ଥିଲେ ଯେ ସେ ମୃତବତ ଥିଲେ। କିନ୍ତୁ ସେହି ଜଣେ ଲୋକଙ୍କଠାରୁ ଆକାଶର ତାରାଗଣ ଓ ସମୁଦ୍ର କୂଳର ବାଲି ଭଳି ଅସଂଖ୍ୟ ସନ୍ତାନ ଜନ୍ମଗ୍ରହଣ କଲେ।
2010 by World Bible Translation Center