Revised Common Lectionary (Semicontinuous)
113 ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 ଅଦ୍ୟାବଧି ଚିରକାଳ
ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ।
3 ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ।
4 ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ
ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ।
ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ।
6 ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ
ଦେଖିବାକୁ ତଳକୁ ଗ୍ଭହିଁଲେ।
7 ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି।
ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ।
କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର!
ପରମେଶ୍ୱର ଅତ୍ୟନ୍ତ ଧୈର୍ଯ୍ୟଶୀଳ
14 “ଦୀର୍ଘକାଳ ଧରି ମୁଁ ନୀରବ ରହି ଆସୁଅଛି।
ମୁଁ ତଥାପି ନୀରବ ଅଛି।
ମାତ୍ର ବର୍ତ୍ତମାନ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଚିତ୍କାର କରିବୁ।
ଆମ୍ଭେ ଦୀର୍ଘ ନିଃଶ୍ୱାସ ଏବଂ ଆକାଂକ୍ଷା ହେବୁ।
15 ଆମ୍ଭେ ପର୍ବତ ଓ ଉପପର୍ବତଗୁଡ଼ିକୁ ଧ୍ୱଂସ କରିବୁ
ଓ ତହିଁରେ ଥିବା ସମସ୍ତ ଗୁଳ୍ମଲତାକୁ ଶୁଷ୍କ କରିବୁ।
ନଦନଦୀକୁ ଦ୍ୱୀପରେ ପରିଣତ କରିବୁ
ଓ ଜଳାଶୟକୁ ଶୁଷ୍କ କରିବୁ।
16 ତା'ପରେ ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବୁ
ଓ ଯେଉଁ ପଥ ସେମାନେ ଜାଣନ୍ତି ନାହିଁ,
ସେହି ପଥରେ ସେମାନଙ୍କୁ କଢ଼ାଇ ନେବୁ।
ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୋକର
ଓ ବକ୍ର ସ୍ଥାନକୁ ସଳଖରେ ପରିଣତ କରିବୁ।
ଏହିସବୁ କାର୍ଯ୍ୟ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ୟାଗ କରିବୁ ନାହିଁ।
17 କିନ୍ତୁ କେତେକ ଲୋକ ମୋର ଅନୁସରଣ କରିବାରୁ ନିବୃତ୍ତ ହେଲେ ନାହିଁ।
ଯେଉଁମାନେ ଖୋଦିତ ପ୍ରତିମାଗଣକୁ
କିମ୍ବା ମୃତ୍ତିକାରେ ନିର୍ମିତ ଦେବତାମାନଙ୍କୁ ବିଶ୍ୱାସ କରନ୍ତି,
କେବେ ସେମାନେ ହତାଶ ହୋଇ ଲଜ୍ଜିତ ହେବେ।
ଇସ୍ରାଏଲ ପରମେଶ୍ୱରଙ୍କୁ ଶୁଣିବାକୁ ପ୍ରତ୍ୟାଖ୍ୟାନ କଲା
18 “ହେ ବଧିରମାନେ ଶୁଣ!
ହେ ଅନ୍ଧମାନେ, ତୁମ୍ଭେମାନେ ଦେଖିବା ପାଇଁ ଦୃଷ୍ଟି ଦିଅ।”
19 ଏ ଜଗତରେ ମୋର ଦାସଠାରୁ ଅନ୍ଧ କିଏ?
ପୁଣି ମୋ’ ପ୍ରେରିତ ଦୂତଠାରୁ ବଧିର କିଏ?
ସଦାପ୍ରଭୁଙ୍କଠାରେ ମିଳିତ ହୋଇଥିବା
ଦାସ ସବୁଠାରୁ ଅଧିକ ଅନ୍ଧ।
20 ମୋର ଦାସ ଯଦିଓ ସବୁ ଦେଖୁଅଛି,
ତଥାପି ସେ ମନୋଯୋଗ କରୁ ନାହିଁ।
ତା'ର କର୍ଣ୍ଣ ମୁକ୍ତ ଅଛି,
ମାତ୍ର ସେ ଶୁଣୁ ନାହିଁ।”
21 ସଦାପ୍ରଭୁ ନିଜର ଶିକ୍ଷା ବ୍ୟବସ୍ଥାକୁ ମହତ୍
ଓ ସମ୍ଭ୍ରାନ୍ତ କରି ସନ୍ତୁଷ୍ଟ ହେଲେ।
ଜିଖରିୟ ଓ ଏଲୀଶାବେଥ
5 ହେରୋଦ ଯିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ ‘ଅବିୟଙ୍କ’ ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ। 6 ସେମାନେ ଦୁହେଁ ପରମେଶ୍ୱରଙ୍କ ଆଗରେ ଉତ୍ତମ ବ୍ୟକ୍ତି ଥିଲେ। ସେମାନେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସେମାନେ ଦୁହେଁ ପାଳୁଥିଲେ। ସେମାନଙ୍କର କୌଣସି ଭୁଲ୍ ନ ଥିଲା। 7 କିନ୍ତୁ ସେମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଏଲୀଶାବେଥ ବନ୍ଧ୍ୟା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢ଼ାବୁଢ଼ୀ ହୋଇ ଯାଇଥିଲେ।
8 ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବରେ ମନ୍ଦିରରେ ପରମେଶ୍ୱରଙ୍କ ସେବାକାର୍ଯ୍ୟ କରୁଥିଲେ। ସେବାକାର୍ଯ୍ୟ କରିବା ପାଇଁ ତାହାଙ୍କ ଦଳର ପାଳି ପଡ଼ିଲା। 9 ଧୂପ ଅର୍ପଣ କରିବା ପାଇଁ ଯାଜକମାନେ ସଦାବେଳେ ଜଣେ ଯାଜକଙ୍କୁ ବାଛୁଥିଲେ। ଜିଖରିୟଙ୍କୁ ଏଥିପାଇଁ ବଛାଗଲା। ତେଣୁ ଜିଖରିୟ ପ୍ରଭୁଙ୍କ ମନ୍ଦିର ଭିତରକୁ ଧୂପ ଦେବା ପାଇଁ ଗଲେ। 10 ବାହାରେ ବହୁତ ଲୋକ ଜମା ହୋଇଥିଲେ। ଧୂପ ଲାଗିବା ସମୟରେ ସେମାନେ ପ୍ରାର୍ଥନା କରୁଥିଲେ।
11 ସେହି ସମୟରେ ଜିଖରିୟଙ୍କ ଆଗରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଦର୍ଶନ ଦେଲେ। ସେ ଧୂପ ବେଦିର ଡାହାଣ ପଟେ ଠିଆ ହୋଇଥିଲେ। 12 ଜିଖରିୟ ସ୍ୱର୍ଗଦୂତଙ୍କୁ ଦେଖିବା ମାତ୍ରେ ବିଚଳିତ ଓ ବହୁତ ଭୟଭୀତ ହେଲେ। 13 କିନ୍ତୁ ସ୍ୱର୍ଗଦୁତ ତାହାଙ୍କୁ କହିଲେ, “ଜିଖରିୟ! ଭୟ କର ନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ୱର ଶୁଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭେମାନେ ତାହାର ନାମ ଯୋହନ ରଖିବ। 14 ତୁମ୍ଭେ ଅତ୍ୟନ୍ତ ଖୁସୀ ହେବ। ତାହାଙ୍କର ଜନ୍ମ ହେତୁ ବହୁତ ଲୋକ ଖୁସୀ ହେବେ। 15 ପ୍ରଭୁଙ୍କ ପାଇଁ ଯୋହନ ମହାନ୍ ହେବେ। ସେ କେବେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବେ।
16 “ଯୋହନ ଅନେକ ଇସ୍ରାଏଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫେରି ଆସିବାକୁ ସାହାଯ୍ୟ କରିବେ। ପ୍ରଭୁ ସେମାନଙ୍କର ପରମେଶ୍ୱର ଅଟନ୍ତି। 17 ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହେବେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ୱରଙ୍କୁ ଅବଜ୍ଞା କରୁଥିବା ଅନେକ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନେଇ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”
18 ଜିଖରିୟ ସ୍ୱର୍ଗଦୂତଙ୍କୁ କହିଲେ, “ତୁମ୍ଭେ ଯାହା କହୁଛ, ତାହା ସତ୍ୟ ବୋଲି ମୁଁ କିପରି ଜାଣିବି? ମୁଁ ଜଣେ ବୁଢ଼ା ଲୋକ ଓ ମୋର ପତ୍ନୀ ମଧ୍ୟ ବୁଢ଼ୀ ହୋଇଗଲେଣି।”
19 ସ୍ୱର୍ଗଦୂତ ଉତ୍ତର ଦେଲେ, “ମୁଁ ଗାବ୍ରିଏଲ। ମୁଁ ପରମେଶ୍ୱରଙ୍କ ସାମନାରେ ଠିଆ ହୋଇଥାଏ। ତୁମ୍ଭ ସହିତ କଥାବାର୍ତ୍ତା କରିବାକୁ ଓ ଏ ସୁସମାଗ୍ଭର ଦେବାକୁ ପରମେଶ୍ୱର ମୋତେ ପଠାଇଛନ୍ତି। 20 ଏବେ ଶୁଣ! ତୁମ୍ଭେ ମୋ’ କଥାରେ ବିଶ୍ୱାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ୟ ବୋଲି ପ୍ରମାଣିତ ହେବ। ଏବେ ତୁମ୍ଭେ ମୂକ ହୋଇଯିବ। ଯେପର୍ଯ୍ୟନ୍ତ ଏସବୁ ନ ଘଟିଛି, ସେ ପର୍ଯ୍ୟନ୍ତ ତୁମ୍ଭେ କହିବା ଶକ୍ତି ହରେଇ ବସିବ।”
21 ତେଣେ ଲୋକମାନେ ବାହାରେ ଜିଖରିୟଙ୍କୁ ଅପେକ୍ଷା କରିଥିଲେ। ସେମାନେ ଆଶ୍ଚର୍ଯ୍ୟ ହେଲେ ଯେ ଏତେ ସମୟ ପର୍ଯ୍ୟନ୍ତ ଜିଖରିୟ ମନ୍ଦିର ଭିତରେ କାହିଁକି ଅଟକି ରହିଛନ୍ତି! 22 ଯେତେବେଳେ ଜିଖରିୟ ବାହାରକୁ ଆସିଲେ, ସେତେବେଳେ ସେ କିଛି କଥା କହି ପାରୁ ନ ଥିଲେ। ତେଣୁ ସେମାନେ ବୁଝି ପାରିଲେ ଯେ, ସେ ମନ୍ଦିର ଭିତରେ କୌଣସି ଦିବ୍ୟଦର୍ଶନ ପାଇଛନ୍ତି। ସେ ମୂକ ହୋଇ ଯାଇଥିଲେ ଓ କେବଳ ଠାରରେ କହୁଥିଲେ। 23 ଜିଖରିୟଙ୍କ ସେବାକାର୍ଯ୍ୟର ସମୟ ଶେଷ ହୋଇଯିବା ପରେ ସେ ଘରକୁ ଫେରିଗଲେ।
24 ତା'ପରେ ଜିଖରିୟଙ୍କ ପତ୍ନୀ ଏଲୀଶାବେଥ ଗର୍ଭବତୀ ହେଲେ, ତେଣୁ ଏଲୀଶାବେଥ ଘର ବାହାରକୁ ପାଞ୍ଚମାସ ପର୍ଯ୍ୟନ୍ତ ବାହାରିଲେ ନାହିଁ। ଏଲୀଶାବେଥ କହିଲେ, 25 “ଦେଖ, ଶେଷରେ ପରମେଶ୍ୱର ମୋତେ ସାହାଯ୍ୟ କରିଛନ୍ତି। ଲୋକମାନଙ୍କ ମଧ୍ୟରେ ମୋର ଲଜ୍ଜା ନିବାରଣ କରିବା ପାଇଁ ପ୍ରଭୁ ମୋ’ ପ୍ରତି ସଦୟ ହୋଇଛନ୍ତି।”
2010 by World Bible Translation Center