Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 1

ପ୍ରଥମ ପୁସ୍ତକ

(ଗୀତସଂହିତା 1–41)

ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ,
    ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ,
ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ,
    ସେହି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ,
ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ
    ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ।
ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ,
    ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି।
ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ।
ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ,
    ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ।
ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ।

ଦୁଷ୍ଟ ଲୋକମାନେ ସେପରି ନୁହନ୍ତି।
    ଦୁଷ୍ଟ ଲୋକମାନେ କେବଳ ‘ଚୋପା’ ବା ‘ତୁଷ’ ଭଳି ଯାହାକୁ କି ସହଜରେ ପବନ ଉଡ଼ାଇ ନେଇପାରେ।
ଯଦି ଧାର୍ମିକ ବ୍ୟକ୍ତିମାନେ ଏକତ୍ରିତ ହୋଇ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହାହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ୟସ୍ତ ହୋଇଯିବେ।
    ସେହି ପାପୀମାନେ କେବେହେଲେ ନିରପରାଧୀ ବୋଲି ପ୍ରମାଣିତ ହୋଇ ପାରିବେ ନାହିଁ।
କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି,
    ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 29:10-19

10 ତା'ପରେ ସଦାପ୍ରଭୁ କହନ୍ତି, “ମାତ୍ର ବାବିଲରେ ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ପରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ଯିରୁଶାଲମକୁ ଫେରାଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ୟ ପୂରଣ କରିବା।” 11 ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଅଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ୟତ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦେବି। 12 ତେଣୁ ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ୟାନ ଦେବା। 13 ପୁଣି ତୁମ୍ଭେମାନେ ଆମ୍ଭକୁ ଅନ୍ୱେଷଣ କରିବ। ଆଉ ସର୍ବାନ୍ତଃକରଣରେ ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ଖୋଜିବ ସେତେବେଳେ ଆମ୍ଭକୁ ପାଇବ।” 14 ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ପୁନଃ ଏକତ୍ରିତ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫେରାଇ ଆଣିବା।”

15 ତୁମ୍ଭେମାନେ କହିବ, “ସଦାପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ବାବିଲକୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇ ଅଛନ୍ତି।” 16 ତୁମ୍ଭ ସହିତ ବାବିଲକୁ ବନ୍ଦୀ ହୋଇ ଆସି ନ ଥିବା ତୁମ୍ଭମାନଙ୍କ ଭ୍ରାତୃଗଣ ବିଷୟରେ ଓ ଦାଉଦର ସିଂହାସନରେ ଉପବିଷ୍ଟ ରାଜା ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି। 17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଯିରୁଶାଲମରେ ଅବଶିଷ୍ଟ ଥିବା ଲୋକମାନଙ୍କ ପାଇଁ ଆମ୍ଭେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ଆଉ ଘୃଣାଜନକ ଭୋଜନ ଅଯୋଗ୍ୟ ମନ୍ଦ ଡିମ୍ବିରି ଫଳ ତୁଲ୍ୟ ସେମାନଙ୍କୁ କରିବା। 18 ଆମ୍ଭେ ଯିରୁଶାଲମସ୍ଥ ଅବିଷ୍ଟ ଲୋକମାନଙ୍କ ନିମନ୍ତେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ସେମାନେ ଏକ ବସ୍ତୁ ହେବେ, ଯାହାକୁ କି ଦେଶ ଅଭିଶାପର ବୀଭିଷିକାର ଓ ଶୀସ୍ ଶବ୍ଦର ବସ୍ତୁରୂପେ ବ୍ୟବହାର କରିବ। ଆଉ ସେମାନେ ପୃଥିବୀବାସୀଙ୍କ ନିକଟରେ ଲଜ୍ଜାର ଏକ ବିଷୟ ହେବେ 19 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ତାହା ପ୍ରତି କର୍ଣ୍ଣପାତ କଲେ ନାହିଁ।” ପୁଣି ସଦାପ୍ରଭୁ କହନ୍ତି, “ସେମାନଙ୍କ ନିକଟକୁ ବାରମ୍ବାର ଆମ୍ଭର ଦାସକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:13-24

ପାଉଲଙ୍କ ପତ୍ରର ଶେଷ ଅଂଶ

13-14 ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ୱାସରେ ଅଟଳ ରୁହ। ସାହସୀ ହୁଅ, ବଳବାନ ହୁଅ। ପ୍ରତ୍ୟେକ କର୍ମ ପ୍ରେମରେ ସାଧିତ କର।

15 ତୁମ୍ଭେମାନେ ସ୍ତିଫାନର ପରିବାରବର୍ଗଙ୍କୁ ଜାଣିଛ। ସେମାନେ ଆଖାୟା ଦେଶର ପ୍ରଥମ ବିଶ୍ୱାସୀ ଥିଲେ। ସେମାନେ ପରମେଶ୍ୱରଙ୍କ ଲୋକମାନଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। 16 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି ଯେ ତୁମ୍ଭେମାନେ, ଏହି ପ୍ରକାର ଲୋକ ଓ ସେମାନଙ୍କ ସହିତ ପରମେଶ୍ୱରଙ୍କ ପାଇଁ ପରିଶ୍ରମ କରି ସେବା କରୁଥିବା ଲୋକମାନଙ୍କର ବଶୀଭୂତ ହୁଅ।

17 ମୁଁ ସ୍ତିଫାନ, ଫର୍ତ୍ତୂନାତ ଓ ଆଖାୟିକଙ୍କ ଆଗମନରେ ଆନନ୍ଦ କରୁଛି। କାରଣ ମୋ’ ପାଇଁ ଯାହା ତୁମ୍ଭେମାନେ କରି ପାରି ନାହଁ, ତାହା ସେମାନେ କରି ପାରିଲେ। 18 ସେମାନେ ମୋ’ ଆତ୍ମାକୁ ଏବଂ ତୁମ୍ଭ ଆତ୍ମାକୁ ମଧ୍ୟ ଆରାମ ପ୍ରଦାନ କରିଛନ୍ତି। ତୁମ୍ଭେମାନେ ଏଭଳି ଲୋକମାନଙ୍କୁ ସମ୍ମାନ କରିବା ଉଚିତ୍।

19 ଏସିଆର ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ଅଭିବାଦନ ଜଣାନ୍ତି। ଆକ୍ୱିଲା ଓ ପ୍ରୀସ୍କା ପ୍ରଭୁଙ୍କ ନାମରେ ଅନେକ ଅଭିବାଦନ ପଠାନ୍ତି। ତାହାଙ୍କ ଘରେ ମିଳିତ ହେଉଥିବା ମଣ୍ଡଳୀ ତୁମ୍ଭମାନଙ୍କୁ ମଧ୍ୟ ଅଭିବାଦନ ଜଣାଏ। 20 ସମସ୍ତ ଭାଇ ଓ ଭଉଣୀଙ୍କର ତୁମ୍ଭମାନଙ୍କୁ ନମସ୍କାର। ଯେତେବେଳେ ତୁମ୍ଭେମାନେ ଏକତ୍ର ହେଉଛ, ପରସ୍ପରକୁ ପବିତ୍ର ଚୁମ୍ବନ ଦେଇ ଅଭିବାଦନ ଜଣାଅ।

21 ମୁଁ ପାଉଲ, ନିଜ ହାତରେ ତୁମ୍ଭମାନଙ୍କୁ ନମସ୍କାର ଲେଖି ଜଣାଉଛି।

22 ଯଦି କିଏ ପ୍ରଭୁଙ୍କୁ ପ୍ରେମ କରୁ ନାହିଁ, ତାହାହେଲେ ସେ ଲୋକ ପରମେଶ୍ୱରଙ୍କଠାରୁ ବିଚ୍ଛିନ୍ନ ହୋଇ ସେ ଅନନ୍ତକାଳ ପାଇଁ ବିନଷ୍ଟ ହେବ।

ମାରାନାଥା[a] ଅର୍ଥାତ୍ ପ୍ରଭୁ ଆସୁଛନ୍ତି।

23 ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ।

24 ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭ ସମସ୍ତଙ୍କ ପ୍ରତି ମୋର ପ୍ରେମ ଭାବ ରହିଥାଉ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center