Revised Common Lectionary (Semicontinuous)
ପ୍ରଥମ ପୁସ୍ତକ
(ଗୀତସଂହିତା 1–41)
1 ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ,
ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ,
ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ,
ସେହି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ,
2 ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ
ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ।
3 ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ,
ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି।
ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ।
ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ,
ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ।
ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ।
4 ଦୁଷ୍ଟ ଲୋକମାନେ ସେପରି ନୁହନ୍ତି।
ଦୁଷ୍ଟ ଲୋକମାନେ କେବଳ ‘ଚୋପା’ ବା ‘ତୁଷ’ ଭଳି ଯାହାକୁ କି ସହଜରେ ପବନ ଉଡ଼ାଇ ନେଇପାରେ।
5 ଯଦି ଧାର୍ମିକ ବ୍ୟକ୍ତିମାନେ ଏକତ୍ରିତ ହୋଇ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହାହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ୟସ୍ତ ହୋଇଯିବେ।
ସେହି ପାପୀମାନେ କେବେହେଲେ ନିରପରାଧୀ ବୋଲି ପ୍ରମାଣିତ ହୋଇ ପାରିବେ ନାହିଁ।
6 କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି,
ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି।
ଉତ୍ତମ ଡିମ୍ବିରି ଫଳ ଓ ମନ୍ଦ ଡିମ୍ବିରି ଫଳ
24 ବାବିଲର ରାଜା ନବୂଖଦ୍ନିତ୍ସର, ଯିହୋୟାକୀମ୍ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀନ୍କୁ ଓ ଯିହୁଦାର ଅଧିପତିମାନଙ୍କୁ ଶିଳ୍ପକର ଓ କର୍ମକାରମାନଙ୍କ ସହିତ ଯିରୁଶାଲମରୁ ବନ୍ଦୀକରି ବାବିଲକୁ ନେଇଗଲା ଉତ୍ତାରେ, ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ। ଆଉ ମୁଁ ଦେଖିଲି, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମ୍ବିରି ଫଳ ରଖା ଯାଇଅଛି। 2 ଗୋଟିଏ ଡାଲାରେ ଆଦ୍ୟ ପକ୍ୱ ଡିମ୍ବିରି ଫଳପରି ଅତି ଉତ୍ତମ ଫଳ ଥିଲା। ଅନ୍ୟ ଏକ ଡାଲାରେ ଏପରି ଅତି ମନ୍ଦ ଡିମ୍ବିରି ଫଳ ଥିଲା, ଯାହାକି ଭୋଜନ ଉପଯୋଗୀ ନ ଥିଲା।
3 ସଦାପ୍ରଭୁ ମୋତେ ପଗ୍ଭରିଲେ, “ହେ ଯିରିମିୟ, ତୁମ୍ଭେ କ’ଣ ଦେଖୁଛ?”
ମୁଁ ଉତ୍ତର କଲି, “ଡିମ୍ବିରି ଫଳ, ଉତ୍ତମ ଡିମ୍ବିରି ଅତି ଉତ୍ତମ ଓ ମନ୍ଦ ଡିମ୍ବିରି ଏତେ ମନ୍ଦ ଯେ ତାହା ଭୋଜନଯୋଗ୍ୟ ନୁହେଁ।”
4 ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। 5 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ଯେଉଁମାନେ ଯିହୁଦାର ବନ୍ଦୀରୂପେ ନିଆଗଲେ, ଏହିସବୁ ଉତ୍ତମ ଡିମ୍ବିରି ତୁଲ୍ୟ। ମୁଁ ସେମାନଙ୍କୁ ଉତ୍ତମ ବୋଲି ବିବେଚନା କରିବି। ଯେଉଁମାନଙ୍କୁ ମୁଁ ଏହି ସ୍ଥାନରୁ କଲ୍ଦୀୟମାନଙ୍କ ଭୂମିକୁ ତଡ଼ି ଦେଇଛି। 6 ଆମ୍ଭେ ସେମାନଙ୍କୁ ସୁରକ୍ଷା ଦେବା। ଆମ୍ଭେ ସେମାନଙ୍କୁ ଭଗ୍ନ କରିବା ନାହିଁ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା। ପୁଣି ଆମ୍ଭେ ସେମାନଙ୍କୁ ଉତ୍ପାଟନ କରିବା ନାହିଁ, ଆମ୍ଭେ ସେମାନଙ୍କୁ ରୋପଣ କରିବା। 7 ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସେମାନଙ୍କୁ ଜଣାଇବା ପାଇଁ ମନ ଦେବା। ତାହାହେଲେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା କାରଣ ସେମାନେ ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଫେରି ଆସିବେ।”
8 “ମାତ୍ର ଯିହୁଦାର ରାଜା ସିଦିକିୟ ସେହି ଅତି ମନ୍ଦ ଡିମ୍ବିରି ଫଳ ସଦୃଶ।” ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଶ୍ଚୟ ସିଦିକିୟକୁ, ତାହାର ଅଧିପତିଗଣକୁ ଓ ଯିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିଶର ଦେଶରେ ବାସ କରନ୍ତି, ସେମାନଙ୍କୁ ଆମ୍ଭେ ତ୍ୟାଗ କରିବା। 9 ମୁଁ ସେମାନଙ୍କ ଉପରେ ଏମିତି ବିପର୍ଯ୍ୟୟ ଆଣିବି ଯେ ପୃଥିବୀର ସମସ୍ତ ରାଜ୍ୟ ଆତଙ୍କିତ ହେବେ। ସମସ୍ତେ ସେମାନଙ୍କୁ ଦୁର୍ନାମ ଓ ଉପହାସ କରିବେ। ଆମ୍ଭେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ଷିପ୍ତ କରିବା, ସେହି ସ୍ଥାନର ଲୋକମାନେ ସେମାନଙ୍କୁ ଅଭିଶାପ ଦେବେ। 10 ସେମାନେ ସେଇ ଭୂମିରୁ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ବିପକ୍ଷରେ, ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା, ଯେଉଁ ଦେଶ ସେମାନଙ୍କୁ ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିଲି। ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା।”
ଅନ୍ୟ ବିଶ୍ୱାସୀମାନଙ୍କ ଲାଗି ଦାନ ସଂଗ୍ରହ
16 ବର୍ତ୍ତମାନ ପରମେଶ୍ୱରଙ୍କ ଲୋକମାନଙ୍କର ସାହାଯ୍ୟ ପାଇଁ ଅର୍ଥ ସଂଗ୍ରହ ବିଷୟରେ ମୁଁ ଗାଲାତୀୟ ମଣ୍ଡଳୀକୁ ଏ ସମ୍ପର୍କ ଦେଇ ଥିବା ନିର୍ଦ୍ଦେଶମାନ ତୁମ୍ଭେମାନେ ଅବଶ୍ୟ ପାଳନ କରିବା ଉଚିତ୍। 2 ପ୍ରତ୍ୟେକ ସପ୍ତାହର ପ୍ରଥମ ଦିନ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ଆୟ ଅନୁଯାୟୀ ଯେତିକି ସମ୍ଭବ ନିଶ୍ଚୟ ସଞ୍ଚୟ କର। ତୁମ୍ଭେମାନେ ଏହାକୁ ଗୋଟିଏ ବିଶେଷ ସ୍ଥାନରେ ରଖି ଥାଅ। ଏପରି କଲେ, ମୁଁ ତୁମ୍ଭମାନଙ୍କ ପାଖରେ ପହଞ୍ଚିଲା ପରେ ତୁମ୍ଭମାନଙ୍କୁ ସଂଗ୍ରହ କରିବାକୁ ପଡ଼ିବ ନାହିଁ। 3 ସେଠାରେ ପହଞ୍ଚିଲା ପରେ, ତୁମ୍ଭେମାନେ ଯେଉଁ ବ୍ୟକ୍ତିମାନଙ୍କୁ ବାଛିବ, ମୁଁ ସେମାନଙ୍କର ପରିଚୟ ପତ୍ର ସହିତ ତୁମ୍ଭମାନଙ୍କର ଦାନ ଯିରୁଶାଲମକୁ ପଠାଇ ଦେବି। 4 ଯଦି ମୋର ମଧ୍ୟ ଯିବାର ହୁଏ ସେମାନେ ମଧ୍ୟ ମୋ’ ସହିତ ଯିବେ।
ପାଉଲଙ୍କ ଯୋଜନା
5 ମୋର ମାକିଦନିଆ ବାଟ ଦେଇ ଯିବା କାର୍ଯ୍ୟକ୍ରମ ଅଛି। ମାକିଦନିଆ ବାଟ ଦେଇ ଗଲା ପରେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି। 6 ସେତେବେଳେ ମୁଁ ତୁମ୍ଭମାନଙ୍କ ସହିତ କିଛି ସମୟ ଅତିବାହିତ କରିବି, ସମ୍ପୂର୍ଣ୍ଣ ବା ଶୀତକାଳ ତୁମ୍ଭମାନଙ୍କ ସହିତ ରହିବି। ତା'ପରେ, ମୋ’ ଯାତ୍ରାରେ, ମୁଁ ଯେଉଁଠାକୁ ଯିବି, ତୁମ୍ଭେମାନେ ମୋତେ ସାହାଯ୍ୟ କରି ପାରିବ। 7 ମୁଁ ଏବେ ତୁମ୍ଭମାନଙ୍କ ସହିତ ଦେଖା କରିବାକୁ ଇଚ୍ଛା କରୁ ନାହିଁ, କାରଣ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସହ ଅଧିକ ସମୟ ରହିବା ପାଇଁ ଆଶା କରେ। 8 କିନ୍ତୁ ମୁଁ ଏଫିସ ନଗରଠାରେ ପେଣ୍ଟିକଷ୍ଟ[a] ପର୍ବ ପର୍ଯ୍ୟନ୍ତ ରହିବି। 9 କାରଣ ସେଠାରେ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋ’ ପାଇଁ ଏକ ମହାନ୍ ସୁଯୋଗର ଦ୍ୱାର ଖୋଲା ହୋଇଛି। ସେଠାରେ ମୋର ଅନେକ ବିପକ୍ଷ ମଧ୍ୟ ଅଛନ୍ତି।
10 ତୀମଥି ତୁମ୍ଭମାନଙ୍କ ପାଖକୁ ଆସି ପାରନ୍ତି। ତୁମ୍ଭମାନଙ୍କ ମଧ୍ୟରେ ସେ ଯେପରି ସ୍ୱଚ୍ଛନ୍ଦରେ ରୁହନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କ ପ୍ରତି ମନୋଯୋଗୀ ହୁଅ। ମୋ’ ଭଳି ସେ ମଧ୍ୟ ପ୍ରଭୁଙ୍କ ପାଇଁ କାମ କରୁଛନ୍ତି। 11 ଅତଏବ ତୀମଥିଙ୍କୁ କେହି ଯେପରି ଗ୍ରହଣ କରିବାକୁ ମନା ନ କରେ। ସେ ଯେପରି ମୋ’ ପାଖରେ ଆସି ପହଞ୍ଚିବେ ଏଥିପାଇଁ ତାହାଙ୍କୁ ଶାନ୍ତି ପୂର୍ବକ ଯିବାରେ ସାହାଯ୍ୟ କର। ମୁଁ ଅନ୍ୟ ଭାଇମାନଙ୍କ ସହିତ ତାହାଙ୍କ ଫେରିବା ବାଟକୁ ଗ୍ଭହିଁ ବସିଛି।
12 ଆପଲ୍ଲ ଭାଇଙ୍କ ବିଷୟରେ ଲେଖୁଛି। ଅନ୍ୟ ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ସହିତ ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୁଁ ତାହାକୁ ବହୁତ ଅନୁରୋଧ କଲି କିନ୍ତୁ ଏବେ ଯିବା ପାଇଁ ସେ ଆଦୌ ଗ୍ଭହୁଁ ନାହାନ୍ତି। କିନ୍ତୁ ଯେତେବେଳେ ସୁଯୋଗ ହେବ, ସେ ତୁମ୍ଭମାନଙ୍କ ପାଖକୁ ଯିବେ।
2010 by World Bible Translation Center