Revised Common Lectionary (Complementary)
ଦାଉଦଙ୍କର ସଙ୍ଗୀତ।
24 ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ।
ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
2 ସଦାପ୍ରଭୁ ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି
ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।
3 କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ଯାଇପାରିବ?
କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରି ପାରିବ?
4 ଯେଉଁ ଲୋକମାନେ କେବେ କିଛି ମନ୍ଦକାର୍ଯ୍ୟ କରି ନାହାନ୍ତି,
ଯାହାଙ୍କର ହୃଦୟ ଓ ମନ ନିର୍ମଳ,
ଯେଉଁ ଲୋକମାନେ ମୋର ନାମର ଅସତ୍ୟ ବ୍ୟବହାର କରି ନାହାନ୍ତି, ଯେଉଁ ଲୋକମାନେ ମିଥ୍ୟା କହନ୍ତି ନାହିଁ କି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ,
କେବଳ ସେହି ଲୋକମାନେ ସେଠାରେ ଉପାସନା କରି ପାରିବେ।
5 ଉତ୍ତମ ବ୍ୟକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି।
ସେମାନେ ପରମେଶ୍ୱରଙ୍କୁ ଯିଏ କି ସେମାନଙ୍କ ଉଦ୍ଧାର କର୍ତ୍ତା, ସେମାନଙ୍କ ପାଇଁ ଭଲ କାର୍ଯ୍ୟ କରିବାକୁ ଅନୁରୋଧ କରନ୍ତି।
6 ସେହି ଉତ୍ତମ ବ୍ୟକ୍ତିମାନେ ସର୍ବଦା ପରମେଶ୍ୱରଙ୍କ ପନ୍ଥା ଅନ୍ୱେଷଣ କରନ୍ତି।
ସେମାନେ ଯାକୁବର ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି। ସେଲା
7 ହେ ନଗର ଫାଟକ, ତୁମ୍ଭର ମସ୍ତକ ଟେକ।
ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
8 କିଏ ସେହି ଗୌରବମୟ ରାଜା?
ସଦାପ୍ରଭୁ ହିଁ ସେହି ରାଜା ଅଟନ୍ତି, ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା।
ସଦାପ୍ରଭୁ ହେଉଛନ୍ତି ସେହି ରାଜା ଯିଏ ଜଣେ ଯୁଦ୍ଧଜୟୀ ବୀର ଅଟନ୍ତି।
9 ହେ ଫାଟକ ସବୁ ଖୋଲି ଯାଅ।
ହେ ପ୍ରାଚୀନ ଦ୍ୱାର ସବୁ ଖୋଲି ଦିଅ ଏବଂ ଗୌରବମୟ ରାଜା ପ୍ରବେଶ କରିବେ।
10 କିଏ ସେହି ଗୌରବମୟ ରାଜା?
ସୈନ୍ୟାଧିପତି ସଦାପ୍ରଭୁ ସେହି ଗୌରବମୟ ରାଜା ଅଟନ୍ତି। ସେଲା
8 ଏମାନେ କିଏ, ଯେ କି ମେଘ ସଦୃଶ ଉଡ଼ି ଆସୁଛନ୍ତି
ଓ ଉଡ଼ନ୍ତା କପୋତ ସଦୃଶ ନିଜ ନିଜ ଭାଡ଼ିକୁ ଉଡ଼ି ଆସୁଛନ୍ତି?
9 ପ୍ରକୃତରେ ଦ୍ୱୀପସମୂହ ଆମ୍ଭକୁ ଅପେକ୍ଷା କରିବେ।
ପୁଣି ତର୍ଶୀଶର ଜାହାଜସବୁ ସର୍ବପ୍ରଥମେ ନିଜ ନିଜ ରୌପ୍ୟ ଓ ସୁବର୍ଣ୍ଣ ନେଇ,
ତୁମ୍ଭର ସନ୍ତାନଗଣକୁ ଦୂରରୁ ଆଣି,
ତୁମ୍ଭ ପରମେଶ୍ୱର ସଦାପ୍ରଭୁଙ୍କ ସୁନାମ ନିମିତ୍ତ
ଓ ଇସ୍ରାଏଲର ପବିତ୍ରସ୍ୱରୂପଙ୍କ ନିମିତ୍ତ ଆସିବେ
କାରଣ ସେ ତୁମ୍ଭକୁ ଗୌରବାନ୍ୱିତ କରିଛନ୍ତି।
10 ଆଉ ମଧ୍ୟ ବିଦେଶୀୟମାନେ ତୁମ୍ଭର ପ୍ରାଚୀର ନିର୍ମାଣ କରିବେ
ଓ ରାଜାମାନେ ତୁମ୍ଭର ସେବା କରିବେ।
କାରଣ “ଆମ୍ଭେ ନିଜର କ୍ରୋଧବଶତଃ ତୁମ୍ଭକୁ ପ୍ରହାର କରିଥିଲୁ,
ମାତ୍ର ନିଜର ଅନୁଗ୍ରହରେ ତୁମ୍ଭକୁ କରୁଣା କରିବୁ।
11 ତୁମ୍ଭ ନଗରୀର ଦ୍ୱାରଗୁଡ଼ିକ ସର୍ବଦା ଉନ୍ମୁକ୍ତ ରହିବ।
ସେଗୁଡ଼ିକ ଦିବାରାତ୍ରି ବନ୍ଦ ହେବ ନାହିଁ।
ତେଣୁ ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ଓ ତା’ ସହିତ ରାଜାମାନେ ତୁମ୍ଭ ନିକଟକୁ ଅଣାଯିବେ।
12 କାରଣ ଯେଉଁ ଦେଶ ଓ ରାଜା ତୁମ୍ଭର ସେବା କରିବ ନାହିଁ, ସେ ବିନଷ୍ଟ ହେବ।
ସେହି ଦେଶଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପ୍ରାପ୍ତ ହେବେ।
13 ଲିବାନୋନ୍ର ଗୌରବ ତୁମ୍ଭ ନିକଟକୁ ଆସିବ।
ଦେବଦାରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ହୋଇ
ଆମ୍ଭର ପବିତ୍ର ସ୍ଥାନକୁ ସୁଶୋଭିତ କରିବାକୁ ଆସିବେ।
ଆମ୍ଭେ ଆମ୍ଭର ପାଦପୀଠର ସ୍ଥାନ ଗୌରବାନ୍ୱିତ କରିବା।
14 ଯେଉଁମାନେ ତୁମ୍ଭକୁ କଷ୍ଟ ଦେଇଥିଲେ ସେମାନଙ୍କର ସନ୍ତାନଗଣ
ତୁମ୍ଭ ନିକଟକୁ ଆସି ନତ ହେବେ
ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ,
ସେମାନେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ।
ଆଉ ସେମାନେ ତୁମ୍ଭକୁ ‘ସଦାପ୍ରଭୁଙ୍କର ନଗରୀ ଇସ୍ରାଏଲର ଧର୍ମସ୍ୱରୂପଙ୍କର
ସିୟୋନ’ ବୋଲି ସମ୍ବୋଧନ କରିବେ।
15 “ତୁମ୍ଭେ ପରିତ୍ୟକ୍ତା ଓ ଘୃଣିତା ହୋଇଥିବାରୁ
କେହି ତୁମ୍ଭ ମଧ୍ୟଦେଇ ଯାତାୟାତ କଲେ ନାହିଁ।
ତା’ ପରିବର୍ତ୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାୟୀ ଗୌରବ
ଓ ଅନେକ ପୁରୁଷାନୁକ୍ରମେ ଆନନ୍ଦସ୍ୱରୂପ କରିବା।
16 ତୁମ୍ଭେ ଯାହା ଗ୍ଭହିଁବ, ଅନ୍ୟ ଦେଶ ତୁମ୍ଭକୁ ତାହା ଦେବ।
ଏହା ଏକ ଶିଶୁ ପରି ହେବ ଯେ କି ଆପଣା ମା’ର କ୍ଷୀର ପାନ କରୁଛି।
ତୁମ୍ଭେ ରାଜାମାନଙ୍କର ଐଶ୍ୱର୍ଯ୍ୟ ପାନ କରିବ।
ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ତୁମ୍ଭର ମୁକ୍ତିଦାତା
ଓ ଯାକୁବର ବଳଦାତା ଅଟୁ ତାହା ତୁମ୍ଭେ ଜାଣିବ।
ଯୀଶୁଙ୍କ ଜୀବନୀ ସମ୍ବନ୍ଧରେ ଲୂକଙ୍କ ଲିଖିତ
1 ପ୍ରିୟ ଥିୟଫିଲ,
ଅନେକ ଲୋକ ଆମ୍ଭମାନଙ୍କ ମଧ୍ୟରେ ଘଟି ଯାଇଥିବା ଘଟଣା ଗୁଡ଼ିକର ବିବରଣୀ ଲେଖିବା ପାଇଁ ଚେଷ୍ଟା କରିଛନ୍ତି। 2 ଯେଉଁମାନେ ଏ ଘଟଣା ଗୁଡ଼ିକୁ ନିଜେ ଆରମ୍ଭରୁ ଦେଖିଛନ୍ତି ଏବଂ ଲୋକମାନଙ୍କ ମଧ୍ୟରେ ତାହାଙ୍କ ବାର୍ତ୍ତା ପ୍ରଗ୍ଭର କରି ପରମେଶ୍ୱରଙ୍କ ସେବା କରିଛନ୍ତି, ସେହିମାନଙ୍କଠାରୁ ଯେଉଁ ବିଷୟ ଆମ୍ଭେମାନେ ଶିକ୍ଷା କରିଛୁ ଠିକ୍ ସେହିସବୁ କଥା ସେମାନେ ଲେଖିଅଛନ୍ତି। 3 ହେ ମାନ୍ୟବର, ଯେହେତୁ ପ୍ରଥମରୁ ମୁଁ ନିଜେ ସାବଧାନ ହୋଇ ଏ ସବୁ ଅନୁଧ୍ୟାନ କରିଛି, ସେଥିସକାଶେ ତୁମ୍ଭ ପାଇଁ ଏହାର ଗୋଟିଏ କ୍ରମିକ ବିବରଣୀ ଏକ ପୁସ୍ତକ ଆକାରରେ ଲେଖିବାକୁ ମୁଁ ଉଚିତ୍ ମନେ କଲି। 4 ମୁଁ ଏଗୁଡ଼ିକ ଲେଖିବା ଫଳରେ ତୁମ୍ଭେମାନେ ଜାଣି ପାରିବ ଯେ ଆପଣଙ୍କୁ ଯାହାସବୁ ଶିକ୍ଷା ଦିଆଯାଇଛି, ତାହା ସତ୍ୟ।
2010 by World Bible Translation Center