Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 24

ଦାଉଦଙ୍କର ସଙ୍ଗୀତ।

24 ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ।
    ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
ସଦାପ୍ରଭୁ ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି
    ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।

କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ଯାଇପାରିବ?
    କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରି ପାରିବ?
ଯେଉଁ ଲୋକମାନେ କେବେ କିଛି ମନ୍ଦକାର୍ଯ୍ୟ କରି ନାହାନ୍ତି,
    ଯାହାଙ୍କର ହୃଦୟ ଓ ମନ ନିର୍ମଳ,
ଯେଉଁ ଲୋକମାନେ ମୋର ନାମର ଅସତ୍ୟ ବ୍ୟବହାର କରି ନାହାନ୍ତି, ଯେଉଁ ଲୋକମାନେ ମିଥ୍ୟା କହନ୍ତି ନାହିଁ କି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ,
    କେବଳ ସେହି ଲୋକମାନେ ସେଠାରେ ଉପାସନା କରି ପାରିବେ।

ଉତ୍ତମ ବ୍ୟକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି।
    ସେମାନେ ପରମେଶ୍ୱରଙ୍କୁ ଯିଏ କି ସେମାନଙ୍କ ଉଦ୍ଧାର କର୍ତ୍ତା, ସେମାନଙ୍କ ପାଇଁ ଭଲ କାର୍ଯ୍ୟ କରିବାକୁ ଅନୁରୋଧ କରନ୍ତି।
ସେହି ଉତ୍ତମ ବ୍ୟକ୍ତିମାନେ ସର୍ବଦା ପରମେଶ୍ୱରଙ୍କ ପନ୍ଥା ଅନ୍ୱେଷଣ କରନ୍ତି।
    ସେମାନେ ଯାକୁବର ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି। ସେଲା

ହେ ନଗର ଫାଟକ, ତୁମ୍ଭର ମସ୍ତକ ଟେକ।
    ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
କିଏ ସେହି ଗୌରବମୟ ରାଜା?
    ସଦାପ୍ରଭୁ ହିଁ ସେହି ରାଜା ଅଟନ୍ତି, ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା।
    ସଦାପ୍ରଭୁ ହେଉଛନ୍ତି ସେହି ରାଜା ଯିଏ ଜଣେ ଯୁଦ୍ଧଜୟୀ ବୀର ଅଟନ୍ତି।

ହେ ଫାଟକ ସବୁ ଖୋଲି ଯାଅ।
    ହେ ପ୍ରାଚୀନ ଦ୍ୱାର ସବୁ ଖୋଲି ଦିଅ ଏବଂ ଗୌରବମୟ ରାଜା ପ୍ରବେଶ କରିବେ।
10 କିଏ ସେହି ଗୌରବମୟ ରାଜା?
    ସୈନ୍ୟାଧିପତି ସଦାପ୍ରଭୁ ସେହି ଗୌରବମୟ ରାଜା ଅଟନ୍ତି। ସେଲା

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 33:17-23

17 ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶନ କରିବ। ଏକ ବହୁ ଦୂରବ୍ୟାପୀ ଦେଶକୁ ଦେଖିବ। 18 ତୁମ୍ଭର ହୃଦୟ ଭୟରେ ଥରିବେ। ତୁମ୍ଭେ ଭାବିବ, “ସେହି ଗଣନାକାରୀ କାହିଁ? ସେହି ଲୋକ କାହିଁ ଯିଏ ଓଜନ କରୁଥିଲା? ସେହି ଲୋକ କେଉଁଠାରେ ଯିଏ ଦୁର୍ଗ ଗଣନା କରୁଥିଲା? 19 ସେହି ଦୂରନ୍ତ ଜାତିଗଣ ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣିପାରିଲ ନାହିଁ ଓ ଯେଉଁମାନଙ୍କର ବିଦେଶୀୟ ଭାଷାର ଗଭୀରତା ତୁମ୍ଭେ ବୁଝି ପାରିଲ ନାହିଁ, ସେହି ଗୋଷ୍ଠୀକୁ ଆଉ ଦେଖିବ ନାହିଁ।”

ପରମେଶ୍ୱର ଯିରୁଶାଲମକୁ ସୁରକ୍ଷା ଦେବେ

20 ଆମ୍ଭମାନଙ୍କ ପବିତ୍ର ଧର୍ମସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର; ଶାନ୍ତିମୟ ବସତିସ୍ଥାନ ଯିରୁଶାଲମ ପ୍ରତି ଲକ୍ଷ୍ୟ କର, ତାହା ଅଟଳ ତମ୍ବୁ ସ୍ୱରୂପ ଓ ତାହାର କିଳାଗୁଡ଼ିକ ଏତେ ସୁଦୃଢ଼ ତାହା ଉପୁଡ଼ିବ ନାହିଁ କିମ୍ବା ଦଉଡ଼ି ଗୁଡ଼ିକ ଛିଣ୍ଡିବ ନାହିଁ। 21-23 କାହିଁକି ଏସବୁ ହେବ? କାରଣ ପ୍ରବଳ ଶକ୍ତିମାନ ସଦାପ୍ରଭୁ ଆମ୍ଭମାନଙ୍କର ସହାୟକ ହେବେ। ସେ ସ୍ଥାନ ପ୍ରଶସ୍ତ ନଦନଦୀ ଓ ସ୍ରୋତ ସମୂହର ସ୍ଥାନ ହେବ। କିନ୍ତୁ ସେହି ନଦୀମାନଙ୍କରେ ଆହୁଲା ଯୁକ୍ତ କୌଣସି ନୌକା ଗତି କରିବ ନାହିଁ କି ଭୟଙ୍କର ଜାହାଜ ତାହାକୁ ଅତିକ୍ରମ କରିବ ନାହିଁ। ତୁମ୍ଭେମାନେ ସେହି ପୋତର ରଜ୍ଜୁ ଛାଡ଼ି ଦେବ। ତୁମ୍ଭେମାନେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭେମାନେ ତୁମ୍ଭର ଜାହାଜକୁ ଖୋଲିବାକୁ କ୍ଷମ ହେବ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଗ୍ଭରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ। ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦେବେ। ଏପରିକି ଛୋଟ ଲୋକ ମଧ୍ୟ ଲୁଟିତ ସମ୍ପଦ ପାଇବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:8-21

ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି। କିନ୍ତୁ ସେହି ଦୂତ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ! ମୁଁ ତୁମ୍ଭର ପରି, ଓ ତୁମ୍ଭର ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ପରି ଜଣେ ସେବକ। ମୁଁ ସେହିମାନଙ୍କ ପରି ଜଣେ ସେବକ ଯିଏ, ଏହି ପୁସ୍ତକର ବାକ୍ୟଗୁଡ଼ିକୁ ପାଳନ କରେ। ତେଣୁ ତୁମ୍ଭେ କେବଳ ପରମେଶ୍ୱରଙ୍କୁ ପ୍ରଣାମ କର।”

10 ତା'ପରେ ସ୍ୱର୍ଗଦୂତ ମୋତେ କହିଲେ, “ଏହି ପୁସ୍ତକରେ ଥିବା ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖେଇ ଆସିଲାଣି। 11 ଯେ ମନ୍ଦ କରୁଛି, ତାହାକୁ ମନ୍ଦ କରିବାକୁ ଦିଅ। ଯେ ଅଶୁଚି, ସେ ଅଶୁଚି ହୋଇ ରହୁ। ଯେ ଭଲ କରୁଛି, ତାହାକୁ ଭଲ କରିବାକୁ ଦିଅ। ଯେ ପବିତ୍ର, ତାହାକୁ ପବିତ୍ର ହୋଇ ରହିବାକୁ ଦିଅ।”

12 “ଶୁଣ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗରେ ପୁରସ୍କାର ନେଇ ଆସିବା। ଆମ୍ଭେ ପ୍ରତ୍ୟେକ ବ୍ୟକ୍ତିକୁ ତା'ର କର୍ମ ଅନୁସାରେ ପ୍ରତିଦାନ ଦେବା। 13 ଆମ୍ଭେ ପ୍ରଥମ ଓ ଶେଷ; କ ଓ କ୍ଷ, ଆଦି ଓ ଅନ୍ତ।”

14 “ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସେମାନେ ଧନ୍ୟ ହେବେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସେମାନଙ୍କର ଅଧିକାର ରହିଛି। ସେମାନେ ନଗରୀ ଭିତରକୁ ନଗରୀ ଦ୍ୱାର ଦେଇ ପ୍ରବେଶ କରି ପାରିବେ। 15 କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ଯୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ୟାପ୍ରିୟ ଓ ମିଥ୍ୟାବାଦୀମାନେ ନଗରର ବାହାରେ ରହିବେ।”

16 “ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମୋର ଦୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜ୍ୱଳ ପ୍ରଭାତୀ ତାରା।”

17 ଆତ୍ମା ଓ କନ୍ୟା କହନ୍ତି, “ଆସ!” ଏସବୁ ଶୁଣୁଥିବା ପ୍ରତ୍ୟେକ ଲୋକ ମଧ୍ୟ କହୁ, “ଆସ!” ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନା ମୂଲ୍ୟରେ ଜୀବନର ଜଳପାନ କରିପାରେ।

18 ଏହି ପୁସ୍ତକର ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଶୁଣୁଥିବା ପ୍ରତ୍ୟେକ ଲୋକକୁ ମୁଁ ସତର୍କ କରିଦିଏ। କେହି ଯଦି ଏହି ବାକ୍ୟଗୁଡ଼ିକ ସହିତ କିଛି ଯୋଗକରେ ତେବେ ପରମେଶ୍ୱର ତାହାକୁ ଏହି ପୁସ୍ତକରେ ଲେଖାଥିବା କ୍ଳେଶଗୁଡ଼ିକ ଦେବେ। 19 ଯଦି କୌଣସି ବ୍ୟକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକରୁ କିଛି କାଢ଼ି ଦିଏ, ତେବେ ପରମେଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନେବେ।

20 ଯୀଶୁ ହିଁ ଏସବୁ ସତ୍ୟ କହନ୍ତି। ବର୍ତ୍ତମାନ ସେ କହନ୍ତି, “ହଁ, ଆମ୍ଭେ ଶୀଘ୍ର ଆସୁଛୁ।”

ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ।

21 ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ସମସ୍ତ ଲୋକମାନଙ୍କ ସହିତ ରହିଥାଉ। ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center