Revised Common Lectionary (Complementary)
8 ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର। ସେଲା
9 ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା'ର ଆଲୋକର କିରଣ ତଳକୁ ପଠାଇବା ପରି
ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।
କାନ୍ଥ ଉପରେ ଲେଖା
5 ରାଜା ବେଲ୍ଶତ୍ସର ନିଜର ସହସ୍ର ଅମାତ୍ୟବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧ୍ୟରେ ରାଜା ଦ୍ରାକ୍ଷାରସ ପାନ କଲେ। 2 ବେଲ୍ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖଦ୍ନିତ୍ସର। ଯିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପାରେ ପାତ୍ରଗୁଡ଼ିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥିରେ ସେ, ତାଙ୍କର ଅମାତ୍ୟଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ। 3 ତାଙ୍କର ଲୋକମାନେ ଯିରୁଶାଲମସ୍ଥ ମନ୍ଦିରରୁ ଅର୍ଥାତ୍ ପରମେଶ୍ୱରଙ୍କ ମନ୍ଦିରରୁ ଯେଉଁସବୁ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା, ତାହା ଲୋକମାନେ ଆଣିଲେ। ପୁଣି ରାଜା ତାଙ୍କର ଅମାତ୍ୟଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ସେହି ପାତ୍ରରେ ପାନ କଲେ। 4 ସେମାନେ ଦ୍ରାକ୍ଷାରସ ପାନ କରୁଥିବା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦେବଗଣର ପ୍ରଶଂସା କଲେ।
5 ସେହି ସମୟରେ ହଠାତ୍ ମନୁଷ୍ୟର ଏକ ହସ୍ତ ଦଶୃମାନ ହେ ଲା ଓ ରାଜପ୍ରାସାଦର କାନ୍ଥର ଲେପନ ଉପରେ ଅଙ୍ଗୁଳିରେ ଲେଖିଲା। ସେହି ହସ୍ତ ଦୀପରୁଖା ନିକଟସ୍ଥ ରାଜପ୍ରାସାଦ କାନ୍ଥରେ ଲେଖୁଥିଲା। ଆଉ ରାଜା ଲେଖୁଥିବା ସ୍ୱହସ୍ତର ଅଂଶ ଦେଖୁଥିଲେ।
6 ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ଼ ଏତେ ଦୁର୍ବଳ ହେଲା ଯେ ସେ ଛିଡ଼ା ହୋଇ ପାରିଲେ ନାହିଁ। 7 ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ତାଙ୍କ ସମ୍ମୁଖକୁ ରାଜା ଡକାଇଲେ। ସେ ବାବିଲନୀୟ ବିଦ୍ୱାନମାନଙ୍କୁ କହିଲେ, “ଯେକେହି ଏହି ଲେଖା ପଢ଼ିପାରିବ ଓ ତାହାର ଅର୍ଥ ବାହାର କରି ପାରିବ, ତାଙ୍କୁ ମୁଁ ବାଇଗଣିଆ ରଙ୍ଗର ବସ୍ତ୍ର ଉପହାର ଦେବି ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ପିନ୍ଧାଇ ଦେବି। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବ।”
8 ତେଣୁ ରାଜାଙ୍କର ସମସ୍ତ ବିଦ୍ୱାନ ଲୋକ ଭିତରକୁ ଯଦିଓ ଆସିଲେ, ସେମାନେ ଲେଖା ପଢ଼ି ପାରିଲେ ନାହିଁ କି ତାହାର ଅର୍ଥ ବୁଝିଲେ ନାହିଁ। 9 ରାଜା ବେଲ୍ଶତ୍ସରଙ୍କ ଅମାତ୍ୟଗଣ ଦ୍ୱନ୍ଦରେ ପଡ଼ିଲେ। ଆଉ ରାଜା ଅଧିକ ଉଦ୍ବିଗ୍ନ ହେଲେ ଓ ତାଙ୍କର ମୁଖ ବିବର୍ଣ୍ଣ ହେଲା।
10 ତା'ପରେ ରାଣୀ ଭୋଜନଗାରକୁ ଆସିଲେ। ସେ ରାଜା ଓ ତାଙ୍କର ଅଧିକାରୀଗଣଙ୍କ କଥା ଶୁଣିଥିଲେ। ସେ କହିଲେ, “ହେ ରାଜା, ଦୀର୍ଘଜୀବୀ ହୁଅ, ତୁମ୍ଭର ଭାବନା ତୁମ୍ଭକୁ ଉଦ୍ବିଗ୍ନ ନ କରୁ କି ତୁମ୍ଭର ମୁଖମଣ୍ତଳ ବିବର୍ଣ୍ଣ ନ ହେଉ। 11 ତୁମ୍ଭ ରାଜ୍ୟରେ ଜଣେ ଲୋକ ଅଛନ୍ତି, ଯାହାଙ୍କ ଅନ୍ତରରେ ପବିତ୍ର ଦେବଗଣ ଆତ୍ମା ବିରାଜିତ। ପୁଣି ତୁମ୍ଭ ପିତାଙ୍କ ସମୟରେ ଦେବଗଣର ଜ୍ଞାନତୁଲ୍ୟ ବୁଦ୍ଧି ଓ ଜ୍ଞାନଦୀପ୍ତି ତାଙ୍କଠାରେ ପ୍ରକାଶିତ ହୋଇଥିଲା। ଆଉ ତୁମ୍ଭର ପିତା ରାଜା ନବୂଖଦ୍ନିତ୍ସର ତାଙ୍କୁ ମନ୍ତ୍ରଜ୍ଞ, ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ। 12 ମୁଁ ଯେଉଁ ବ୍ୟକ୍ତି ବିଷୟରେ କହୁଛି, ସେ ଦାନିୟେଲ। ରାଜା ତାଙ୍କୁ ବେଲ୍ଟଶତ୍ସର ନାମ ଦେଇଥିଲେ। ସେହି ବେଲ୍ଟଶତ୍ସର ମହାନ ଥିଲେ। ସେ ଜ୍ଞାନୀ, ବୁଦ୍ଧିମାନ ଓ ସ୍ୱପ୍ନଦ୍ରଷ୍ଟା ଅଟନ୍ତି ଓ ସେ ନିଗୂଢ଼ ତଥ୍ୟ ପ୍ରକାଶ କରି ପାରନ୍ତି। ତାଙ୍କୁ ଡକାଅ। ସେ କେବଳ ଏ ଲେଖାର ଅର୍ଥ ବୁଝାଇ ଦେବେ।”
ପରମେଶ୍ୱରଙ୍କ ମେଷପଲ
5 ତୁମ୍ଭ ଦଳରେ ଥିବା ପ୍ରାଚୀନମାନଙ୍କୁ ଏବେ ମୋର କିଛି କହିବାର ଅଛି। ମୁଁ ମଧ୍ୟ ଜଣେ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ଯନ୍ତ୍ରଣା ନିଜ ଆଖିରେ ଦେଖିଛିା ଆମ୍ଭକୁ ଯେଉଁ ମହିମା ଭବିଷ୍ୟତରେ ଦେଖାଇ ଦିଆଯିବ, ସେଥିରେ ମଧ୍ୟ ମୁଁ ଭାଗ ନେବି। 2 ମୁଁ ତୁମ୍ଭକୁ ଅନୁରୋଧ କରେ ଯେ, ପରମେଶ୍ୱରଙ୍କ ଯେଉଁ ମେଷଗଣର ଦାୟିତ୍ୱରେ ତୁମ୍ଭେ ରହିଛ, ସେହି ମେଷ ସମୂହର ତୁମ୍ଭେ ଯତ୍ନ ନେବା ଉଚିତ୍। ସେମାନେ ପରମେଶ୍ୱରଙ୍କ ମେଷପଲ। ତୁମ୍ଭେ ବାଧ୍ୟବାଧକତାରେ ନୁହେଁ, ମାତ୍ର ସ୍ୱଇଚ୍ଛାରେ ପ୍ରତିପାଳନ କର। ପରମେଶ୍ୱର ତାହା ହିଁ ଗ୍ଭହାନ୍ତି। ତୁମ୍ଭେ ସେବା କରିବାରେ ଆନନ୍ଦ ପାଉଛ ବୋଲି ସେହିପରି କର, ଧନ ଲୋଭରେ ତାହା କର ନାହିଁ। 3 ଯେଉଁମାନଙ୍କର ଦାୟିତ୍ୱ ତୁମ୍ଭେ ନେଇଛ, ସେମାନଙ୍କ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସେମାନଙ୍କ ନିକଟରେ ଆଦର୍ଶ ସ୍ୱରୂପ ହୁଅ। 4 ଯେତେବେଳେ ମୁଖ୍ୟ ମେଷପାଳକ ଆସିବେ, ସେତେବେଳେ ତୁମ୍ଭେ ମୁକୁଟ ପାଇବ। ସେହି ମୁକୁଟଟି ଅତ୍ୟନ୍ତ ଗୌରବମୟ ହୋଇଥିବ ଓ ଏହା କେବେ ହେଲେ ନିଜର ସୌନ୍ଦର୍ଯ୍ୟ ହରାଇବ ନାହିଁ।
5 ଯୁବକଗଣ, ତୁମ୍ଭମାନଙ୍କୁ ମୋର କିଛି କଥା ମଧ୍ୟ କହିବାକୁ ଅଛି। ତୁମ୍ଭେ ବୟୋଜ୍ୟେଷ୍ଠମାନଙ୍କ କଥା ମାନିବା ଉଚିତ୍। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ୍।
“ପରମେଶ୍ୱର ଗର୍ବୀ ଲୋକଙ୍କ ବିରୁଦ୍ଧରେ ଉଠନ୍ତି,
କିନ୍ତୁ ବିନମ୍ର ଲୋକଙ୍କୁ ଅନୁଗ୍ରହ କରନ୍ତି।”(A)
6 ଅତଏବ ପରମେଶ୍ୱରଙ୍କ ବଳିଷ୍ଠ ହାତ ତଳେ ନିଜକୁ ନମ୍ର କର। ତା'ହେଲେ ଠିକ୍ ସମୟ ଉପସ୍ଥିତ ହେଲେ ସେ ତୁମ୍ଭକୁ ଉନ୍ନତ କରିବେ। 7 ତୁମ୍ଭର ସମସ୍ତ ଚିନ୍ତା ତାହାଙ୍କ ଉପରେ ରଖ, କାରଣ ସେ ତୁମ୍ଭର ଯତ୍ନ ନିଅନ୍ତି।
8 ନିଜକୁ ସଂଯତ କର ଓ ସାବଧାନ ରୁହ। ଶୟତାନ ହେଉଛି ତୁମ୍ଭର ଶତ୍ରୁ। ସେ ଗର୍ଜନ କରୁଥିବା ସିଂହ ଭଳି କାହାକୁ ମାରି ଖାଇବା ପାଇଁ ଗ୍ଭରିଆଡ଼େ ଖୋଜି ବୁଲୁଛି। 9 ଶୟତାନର ଅନୁସରଣ କର ନାହିଁ। ନିଜ ବିଶ୍ୱାସରେ ଦୃଢ଼ ହୋଇ ରୁହ। ସମଗ୍ର ବିଶ୍ୱରେ ସର୍ବତ୍ର ତୁମ୍ଭ ଭାଇ ଓ ଭଉଣୀମାନେ ସମାନ ଭାବରେ ତୁମ୍ଭ ଭଳି ଯାତନା ପାଉଛନ୍ତି, ଏ କଥା ତୁମ୍ଭେ ଜାଣ।
10 ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା'ପରେ ପରମେଶ୍ୱର ସବୁ ଠିକ୍ କରିଦେବେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସେଇ ପରମେଶ୍ୱର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ମହିମାରେ ଅଂଶୀଦାର ହେବା ଲାଗି ସେ ତୁମ୍ଭକୁ ଡାକି ଅଛନ୍ତି। ସେହି ମହିମା ଅନନ୍ତ କାଳ ଧରି ରହିବ। 11 ସଦାସର୍ବଦା ପାଇଁ ସମସ୍ତ କ୍ଷମତା ତାହାଙ୍କର ଅଟେ, ଆମେନ୍।
2010 by World Bible Translation Center