Revised Common Lectionary (Complementary)
ଦାଉଦଙ୍କର ଗୀତ।
37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
2 ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
3 ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା'ହେଲେ ଆନନ୍ଦରେ ରହିବ
ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
4 ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
5 ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
6 ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
7 ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
8 କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
9 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
ଯିହୁଦାରେ ହିଜକିୟଙ୍କ ଶାସନ ଆରମ୍ଭ
18 ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର, ହୋଶେୟଙ୍କ ରାଜତ୍ୱର ତୃତୀୟ ବର୍ଷରେ ଆହସଙ୍କ ପୁତ୍ର ହିଜକିୟ ଯିହୁଦାରେ ରାଜ୍ୟ ଶାସନ କରିବାକୁ ଆରମ୍ଭ କଲେ। 2 ହିଜକିୟ ପଚିଶ୍ ବର୍ଷ ବୟସ୍କ ଥିଲେ ଯେତେବେଳେ ସେ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଅବୀ ଓ ସେ ଜିଖରିୟଙ୍କର କନ୍ୟା ଥିଲେ।
3 ହିଜକିୟ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
4 ସେ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କରିଦେଲେ। ସମସ୍ତ ସ୍ମୃତି ସ୍ତମ୍ଭ ଭାଙ୍ଗି ପକାଇଲେ। ଆଶେରା ମୂର୍ତ୍ତି ଗୁଡ଼ିକୁ କାଟି ପକାଇଲେ। ପୁଣି ମୋଶା ନିର୍ମିତ ପିତ୍ତଳ ସର୍ପ ଭାଙ୍ଗି ପକାଇଲେ। କାରଣ ତାଙ୍କରି ଉଦ୍ଦେଶ୍ୟରେ ଇସ୍ରାଏଲ ସନ୍ତାନଗଣ ସେହି ସମୟ ପର୍ଯ୍ୟନ୍ତ ଧୂପ ଜଳାଉଥିଲେ। ଏହାର ନାମ “ନହୁଷ୍ଟର୍ନ” ରଖିଲେ।
5 ହିଜକିୟ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ କରୁଥିଲେ। ଯିହୁଦାର କୌଣସି ରାଜା ତାଙ୍କ ପୂର୍ବବର୍ତ୍ତୀ ବା ପରବର୍ତ୍ତୀ ହିଜକିୟଙ୍କ ପରି ନ ଥିଲେ। 6 ସେ ସଦାପ୍ରଭୁଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଥିଲେ। ସେ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହୋଇ ନ ଥିଲେ। ଆଉ ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ। ସେ ସମସ୍ତ ଆଜ୍ଞା ସେ ପାଳନ କଲେ। 7 ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ, ସେ ଯେକୌଣସି କାର୍ଯ୍ୟ କଲେ ସବୁରେ କୃତକାର୍ଯ୍ୟ ହେଲେ।
ଆଉ ସେ ଅଶୂର ରାଜାର ବିଦ୍ରୋହୀ ହୋଇ ତାହାର ସେବା କଲେ ନାହିଁ। 8 ସେ ଘସା ଓ ତହିଁର ସୀମା ପର୍ଯ୍ୟନ୍ତ ପ୍ରହରୀମାନଙ୍କ ଦୁର୍ଗ ଅବଧି ପ୍ରାଚୀରବେଷ୍ଟିତ ବଡ଼ ଓ ଛୋଟ ନଗରଗୁଡ଼ିକ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ।
28 ତା'ପରେ ଆଦେଶକାରୀ ଯିହୁଦୀୟ ଭାଷାରେ ଉଚ୍ଚସ୍ୱରରେ ଚିତ୍କାର କରି କହିଲେ,
ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥାଶୁଣ। 29 ରାଜା ଏହି କଥା କହନ୍ତି, ତୁମ୍ଭମାନଙ୍କୁ ଧକା ଦେବାକୁ ହିଜକିୟକୁ ପ୍ରଶ୍ରୟ ଦିଅ ନାହିଁ। କାରଣ ସେ ତୁମ୍ଭମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ। 30 ହିଜକିୟ ତୁମ୍ଭର ବିଶ୍ୱାସ ସଦାପ୍ରଭୁଙ୍କଠାରେ ନ ଜନ୍ମାଉ, ହିଜକିୟ କହେ, “ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରିବେ। ଅଶୂରର ରାଜା ଏହି ନଗରକୁ ପରାସ୍ତ କରି ପାରିବ ନାହିଁ।”
31 ହିଜକିୟଙ୍କ କଥା ଶୁଣ ନାହିଁ। ଅଶୂରର ରାଜା ଏହିକଥା କହନ୍ତି, ତୁମ୍ଭେମାନେ ମୋ’ ସହିତ ଶାନ୍ତି କର ଓ ମୋ’ ନିକଟକୁ ଆସ। ତାହାହେଲେ କେବଳ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତା'ର ଦ୍ରାକ୍ଷାଲତାରୁ ଓ ଡିମ୍ବିରି ବୃକ୍ଷରୁ ଫଳ ଭୋଜନ କରି ପାରିବ ଓ ତା'ର ନିଜ କୂଅରୁ ଜଳପାନ କରି ପାରିବ। 32 ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ ନେଇଯିବି ଯେଉଁଠାରେ ଶସ୍ୟ, ଦ୍ରାକ୍ଷାରସ, ରୋଟୀ, ଦ୍ରାକ୍ଷାକ୍ଷେତ୍ର, ଜୀତତୈଳ ଓ ମଧୂ ବିପୁଳ ପରିମାଣରେ ଅଛି, ସେଠାରେ ତୁମ୍ଭେମାନେ ବଞ୍ଚିବ ଓ ମରିବ ନାହିଁ।
ମାତ୍ର ରାଜା ହିଜକିୟଙ୍କ କଥା ଶୁଣ ନାହିଁ। ତୁମ୍ଭମାନଙ୍କର ମନକୁ ବଦଳାଇବା ପାଇଁ ସେ ସବୁବେଳେ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।’ 33 ନାନା ଗୋଷ୍ଠୀୟ ଦେବତାଗଣ ମଧ୍ୟରୁ କୌଣସି ଦେବତା କ’ଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି? ନା! 34 ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର, ହେନାର ଓ ଅବ୍ବାର ଦେବତାମାନେ କାହାନ୍ତି? ସେମାନେ କ’ଣ ମୋ’ ହସ୍ତରୁ ଶମରିୟାକୁ ଉଦ୍ଧାର କରିଛନ୍ତି? ନା! 35 ନାନା ଗୋଷ୍ଠୀୟ ଦେବତାଗଣ ମଧ୍ୟରୁ କେହି ଆପଣା ଦେଶକୁ ମୋ’ ହସ୍ତରୁ ଉଦ୍ଧାର କରିଛି ଯେ ସଦାପ୍ରଭୁ ମୋ'ଠାରୁ ଯିରୁଶାଲମକୁ ଉଦ୍ଧାର କରିବେ?”
36 ମାତ୍ର ଲୋକମାନେ ନୀରବ ରହିଲେ। ସେମାନେ ପଦେ ହେଲେ ରବ୍ଶାକିକୁ ଉତ୍ତର କଲେ ନାହିଁ, କାରଣ ହିଜକିୟ ସେମାନଙ୍କୁ ଆଦେଶ କରିଥିଲେ, “କୌଣସି କଥା ତାଙ୍କୁ କହିବ ନାହିଁ।”
ସ୍ମୁର୍ଣ୍ଣା ମଣ୍ଡଳୀକୁ ଯୀଶୁଙ୍କର ପତ୍ର
8 “ସ୍ମୁର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଏହା ଲେଖ:
“ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁଣି ଥରେ ଜୀବିତ ହୋଇଥିଲେ, ସେ ତୁମ୍ଭକୁ ଏହି କଥା କହୁଛନ୍ତି,
9 “ମୁଁ ତୁମ୍ଭର କଷ୍ଟ ଜାଣେ। ମୁଁ ଜାଣେ, ତୁମ୍ଭେ ଗରିବ। କିନ୍ତୁ ପ୍ରକୃତରେ ତୁମ୍ଭେ ଧନୀ। ତୁମ୍ଭ ବିରୁଦ୍ଧରେ ଅପବାଦ ମୁଁ ଶୁଣିଛି। ସେହି ମନ୍ଦକଥା କହିବା ଲୋକମାନେ ଯିହୂଦୀ ଅଟନ୍ତି। କିନ୍ତୁ ସେମାନେ ପ୍ରକୃତ ଯିହୂଦୀ ନୁହନ୍ତି। ସେମାନେ ଶୟତାନର ଦଳର ଲୋକ। 10 ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାରରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭେମାନେ ଦଶ ଦିନ ପର୍ଯ୍ୟନ୍ତ ଦୁଃଖ କଷ୍ଟ ସହିବ। କିନ୍ତୁ ବିଶ୍ୱସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ୟୁବରଣ କରିବାକୁ ପଡ଼ିପାରେ। ତୁମ୍ଭେ ଯଦି ବିଶ୍ୱସ୍ତ ରହିବ, ତେବେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦେବି।
11 “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍। ଯେ ବିଜୟୀ ହୁଏ, ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା ଆଦୌ କ୍ଷତିଗ୍ରସ୍ତ ହେବ ନାହିଁ।”
2010 by World Bible Translation Center