Revised Common Lectionary (Complementary)
146 ସଦାପ୍ରଭୁଙ୍କର ପ୍ରଶଂସା କର!
ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
ଲୋକମାନଙ୍କ ପ୍ରତି ଭରସା କର ନାହିଁ।
କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
3 ଯଦି ଶାସକ ଦରିଦ୍ରମାନଙ୍କୁ ଶୋଷଣ କରନ୍ତି, ସେହି ରାଜା ପ୍ଳାବନକାରୀ ବୃଷ୍ଟି ପରି।
4 ବ୍ୟବସ୍ଥା ତ୍ୟାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି। ମାତ୍ର ଆଜ୍ଞାପାଳିକା ଲୋକମାନେ ସେମାନଙ୍କୁ ବିରୋଧ କରନ୍ତି।
5 ମନ୍ଦ ଲୋକମାନେ ନ୍ୟାୟ ବୁଝନ୍ତି ନାହିଁ। ମାତ୍ର ସଦାପ୍ରଭୁଙ୍କ ଅନ୍ୱେଷଣକାରୀମାନେ ଏହି ବିଷୟକୁ ଭଲରେ ବୁଝନ୍ତି।
6 ଜଣେ ଗରିବ ଲୋକ ଯିଏ ଦୋଷହୀନ ଭାବରେ ଜୀବନଯାପନ କରେ, ସେ ସେହି ଧନୀ ଲୋକଠାରୁ ଉତ୍ତମ ଯାହାର ପଥ କୁପଥଗାମୀ ହୋଇଛି।
7 ଯେଉଁ ଲୋକ ବ୍ୟବସ୍ଥା ମାନେ, ସେ ବୁଦ୍ଧିମାନ ପୁତ୍ର ପୁଣି ଯେ ଭୋକିଲାମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜା ଦିଏ।
8 ଯେଉଁମାନେ ସୁଧ ଓ ବୁଦ୍ଧିଦ୍ୱାରା ଆପଣା ସମ୍ପତ୍ତି ବୃଦ୍ଧି କରନ୍ତି, ସେମାନେ ଦୀନହୀନ ପାଇଁ ଦୟା କରିବା ପାଇଁ ତାହା ସଞ୍ଚୟ କରନ୍ତି।
9 ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ।
10 ଯେଉଁ ଲୋକ ସରଳ ଲୋକଙ୍କୁ ମନ୍ଦ ପଥରେ ଯିବାକୁ ଭୁଲାଏ। ସେ ନିଜେ ଗାତରେ ପଡ଼ିବ। କିନ୍ତୁ ନିରୀହ ଲୋକମାନେ ଉତ୍ତମ ଜିନିଷର ଅଧିକାରୀ ହେବେ।
ମୃତ୍ୟୁରୁ ଜୀବନ ଆଡ଼କୁ
2 ପୂର୍ବରୁ ତୁମ୍ଭର ପାପ ହେତୁ ଓ ପରମେଶ୍ୱରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ଯ୍ୟ ହେତୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା। 2 ଅତୀତରେ ତୁମ୍ଭେ ସେହି ପାପ କାର୍ଯ୍ୟ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସେହି ମନ୍ଦ ଶକ୍ତି ଏବେ ମଧ୍ୟ ପରମେଶ୍ୱରଙ୍କୁ ଅମାନ୍ୟ କରୁଥିବା ଲୋକଙ୍କ ଭିତରେ କାମ କରୁଛି। 3 ଅତୀତରେ ଆମ୍ଭେ ସମସ୍ତେ ସେହିଭଳି ଜୀବନଯାପନ କରୁଥିଲୁ। ଆମ୍ଭେ ଆମ୍ଭର ପାପଭରା ମନୋଭାବର କାମନା ସବୁ ପୂରଣ କରିବାରେ ଚେଷ୍ଟିତ ଥିଲୁ। ଯାହା ଆମ୍ଭ ଦେହ ଗ୍ଭହୁଁଥିଲା ଓ ମନ ଭାବୁଥିଲା, ସେହି କାର୍ଯ୍ୟ କରୁଥିଲୁ। ଆମ୍ଭେ ମନ୍ଦଲୋକ ଥିଲୁ। ଆମ୍ଭର ପାପପୂର୍ଣ୍ଣ ଜୀବନ ଲାଗି ଆମ୍ଭେମାନେ ଅନ୍ୟମାନଙ୍କ ପରି ପରମେଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଦଣ୍ଡ ଭୋଗ କରିଥା’ନ୍ତୁ।
4 କିନ୍ତୁ ପରମେଶ୍ୱର ଆମ୍ଭକୁ ଅତିଶୟ ପ୍ରେମ କଲେ କାରଣ ତାହାଙ୍କ ଦୟା ଅତି ମହାନ୍। 5 ସେ ସମୟରେ ଆମ୍ଭେ ପରମେଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ। 6 ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ତୁମ୍ଭେମାନେ ପରିତ୍ରାଣ ପାଇଅଛ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବାରୁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନରୁତ୍ଥିତ କଲେ ଓ ତାହାଙ୍କ ସହିତ ସ୍ୱର୍ଗୀୟ ସ୍ଥାନରେ ବସାଇ ଅଛନ୍ତି। 7 ଭବିଷ୍ୟତରେ ତାହାଙ୍କ କୃପାର ମହାନ୍ ସମ୍ପଦକୁ ଆମ୍ଭକୁ ଦେଖାଇବା ପାଇଁ ପରମେଶ୍ୱର ଏପରି କଲେ। ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱର ତାହାଙ୍କର ଏହି ଅନୁଗ୍ରହ ପ୍ରକାଶ କଲେ। ଏହି ଅନୁଗ୍ରହ ଦ୍ୱାରା ତୁମ୍ଭେ ଉଦ୍ଧାର ପାଇଛ।
8 ତୁମ୍ଭେ ସେହି ଅନୁଗ୍ରହ ତୁମ୍ଭର ବିଶ୍ୱାସ ବଳରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ୱରଙ୍କ ଦାନ। 9 ତୁମ୍ଭେ ନିଜ କର୍ମ ଦ୍ୱାରା ଉଦ୍ଧାର ପାଇ ନାହଁ। ଯେପରି କୌଣସି ଲୋକ ଆପେ ଉଦ୍ଧାର ପାଇଅଛି ବୋଲି ଗର୍ବ ନ କରୁ। 10 ଆମ୍ଭେ ଯାହା, ତାହା କେବଳ ପରମେଶ୍ୱରଙ୍କ ଦ୍ୱାରା ହୋଇଅଛୁ। ଆମ୍ଭେ ଯେପରି ଭଲ କାମ କରି ପାରୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ନୂତନ ବ୍ୟକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ୟ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସେହି ଭଲକାମ କରି ଜୀବନଯାପନ କରିବା।
2010 by World Bible Translation Center