Revised Common Lectionary (Complementary)
ଇଷ୍ରାହୀୟ ଏଥନର ମସ୍କୀଲ୍।
89 ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷୟରେ ଗାନ କରିବି।
ମୋ’ ମୁଖରେ, ମୁଁ ତୁମ୍ଭର ବିଶ୍ୱସ୍ତତା ବିଷୟରେ ବଂଶାନୁକ୍ରମ ପର୍ଯ୍ୟନ୍ତ ଗାଉଥିବି।
2 ମୁଁ କହିଲି, “ତୁମ୍ଭର ଦୟା ଚିରଦିନ ନିର୍ମାଣ ହୋଇଅଛି।
ତୁମ୍ଭର ବିଶ୍ୱସ୍ତତା ସ୍ୱର୍ଗରେ ସ୍ଥାପନ କରାଯିବ।”
3 ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି।
ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।
4 ‘ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି
ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।’” ସେଲା
5 ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନର ପ୍ରଶଂସା କରୁଛି।
ପବିତ୍ରଗଣର ସମାନ ତୁମ୍ଭ ବିଶ୍ୱସ୍ତତାରେ ପ୍ରଶଂସା କରେ।
6 ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ।
“ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ।
7 ପବିତ୍ର ଦୂତଗଣର ସମାନ ପରମେଶ୍ୱରଙ୍କୁ ବହୁତ ଭୟ କରନ୍ତି।
ସିଂହାସନ ଚତୁର୍ପାର୍ଶ୍ୱରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
8 ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ପରି କେହି ନାହିଁ।
ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିବୁ।
9 ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କର୍ତ୍ତୃତ୍ୱ କରୁଅଛ।
ତୁମ୍ଭେ ତା'ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛ।
10 ତୁମ୍ଭେ ରାହାବକୁ ପରାସ୍ତ କରିଅଛ।
ସେ ଏକ ଶବପରି ଥିଲା।
ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ୱାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।
11 ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ।
ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।
12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ।
ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
13 ତୁମ୍ଭେ ପରାକ୍ରାନ୍ତ।
ତୁମ୍ଭର ଶକ୍ତି ମହାନ।
ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
14 ଧର୍ମ ଓ ନ୍ୟାୟ ବିଗ୍ଭର ତୁମ୍ଭ ସିଂହାସନର ଭିତ୍ତିମୂଳ।
ପ୍ରେମ ଓ ଭକ୍ତି ତୁମ୍ଭ ସିଂହାସନର ସେବକ।
15 ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
ସେମାନେ ତୁମ୍ଭର ଦୟାର ଆଲୋକରେ ବଞ୍ଚନ୍ତି।
16 ତୁମ୍ଭର ନାମ ସେମାନଙ୍କୁ ଦିନସାରା ଆନନ୍ଦ ପ୍ରଦାନ କରେ।
ସେମାନେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।
17 ତୁମ୍ଭେ ସେମାନଙ୍କର ଅଦ୍ଭୂତ ଶକ୍ତି।
ତୁମ୍ଭ ଦୟାର ସହ ଆମ୍ଭେମାନେ ବିଜୟୀ ଅଟୁ।
18 ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା,
ଇସ୍ରାଏଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ୱରଙ୍କ ଦ୍ୱାରା ମନୋନୀତ।
ଯିହୁଦାର ରାଜା ମନଃଶି
33 ମନଃଶି ଯିହୁଦାର ରାଜା ହେବା ସମୟରେ ବାରବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ପଞ୍ଚାବନ ବର୍ଷ ପର୍ଯ୍ୟନ୍ତ ରାଜା ହୋଇ ରହିଲେ। 2 ଯେଉଁ ବିଷୟଗୁଡ଼ିକ କରିବା ଭୁଲ୍ ବୋଲି ସଦାପ୍ରଭୁ କହିଥିଲେ, ମନଃଶି ସେହିସବୁ କାର୍ଯ୍ୟ କଲେ। ସଦାପ୍ରଭୁ ଯେଉଁ ଦେଶଗୁଡ଼ିକୁ ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରୁ ବଳପୂର୍ବକ ବାହାର କରି ଦେଇଥିଲେ, ମନଃଶି ସେହି ଦେଶବାସୀମାନଙ୍କର ଭୟାନକ ଓ ପାପପୂର୍ଣ୍ଣ ପଥରେ ଅନୁଗମନ କଲେ। 3 ମନଃଶି ପୁନର୍ବାର ଉଚ୍ଚସ୍ଥାନ ସବୁ ନିର୍ମାଣ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ହିଜକିୟ ଭାଙ୍ଗି ଦେଇଥିଲେ, ମନଃଶି ବାଲ୍ଦେବତାଗୁଡ଼ିକ ପାଇଁ ଯଜ୍ଞବେଦିକୁ ଓ ଆଶେରା ସ୍ତମ୍ଭମାନ ନିର୍ମାଣ କଲେ। ସେ ତାରାଗଣଙ୍କ ସମ୍ମୁଖରେ ମସ୍ତକ ଅବନତ କଲେ ଓ ସେହି ଦଳର ତାରକା ଗୁଡ଼ିକୁ ପୂଜା କଲେ। 4 ମନଃଶି ସଦାପ୍ରଭୁଙ୍କ ମନ୍ଦିରରେ ଯଜ୍ଞବେଦିମାନ ନିର୍ମାଣ କଲେ। ସଦାପ୍ରଭୁ ଏହି ମନ୍ଦିର ବିଷୟରେ ଏହା କହିଲେ, “ଯିରୁଶାଲମରେ ଆମ୍ଭ ନାମ ଚିରକାଳ ରହିବ।” 5 ସଦାପ୍ରଭୁଙ୍କ ମନ୍ଦିରର ଦୁଇଟି ପ୍ରାଙ୍ଗଣରେ ମନଃଶି ସମସ୍ତ ଦଳର ତାରାଗଣଙ୍କ ନିମନ୍ତେ ଯଜ୍ଞବେଦି ସବୁ ନିର୍ମାଣ କଲେ। 6 ମନଃଶି ମଧ୍ୟ ନିଜ ପୁତ୍ରକୁ ବେନ୍-ହୋନ୍ନୋମ ଉପତ୍ୟକାରେ ବଳିରୂପେ ଜ୍ୱଳାଇଲେ। ମନଃଶି କୁହୁକ ବିଦ୍ୟା, ଭବିଷ୍ୟତ କହିବା ଓ ଅଲୌକିକ କାର୍ଯ୍ୟ କଲେ ଏବଂ ସେ ମଧ୍ୟ ଯାଦୁବିଦ୍ୟା କଲେ। ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ କଥାବାର୍ତ୍ତା କଲେ, ସଦାପ୍ରଭୁ ଯେଉଁ କର୍ମକୁ କୁକର୍ମ ବୋଲି କହିଥିଲେ, ମନଃଶି ସେହିପରି ଅନେକ କର୍ମ କଲେ, ଆଉ ଏହା ସଦାପ୍ରଭୁଙ୍କୁ ବହୁତ କ୍ରୋଧାନ୍ୱିତ କଲା। 7 ମନଃଶି ଆହୁରି ମଧ୍ୟ ଏକ ଦେବତାର ମୂର୍ତ୍ତି ନିର୍ମାଣ କଲେ ଓ ତାହାକୁ ପରମେଶ୍ୱରଙ୍କ ମନ୍ଦିର ମଧ୍ୟରେ ରଖିଲେ; ସେହି ମନ୍ଦିର, ଯାହା ବିଷୟରେ ପରମେଶ୍ୱର ଦାଉଦ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ। ପରମେଶ୍ୱର କହିଥିଲେ, “ମୁଁ ଏହି ଗୃହରେ ଓ ଯିରୁଶାଲମରେ ମୋର ନାମ ସ୍ଥାପନ କରିବି, ଯାହା ମୁଁ ଇସ୍ରାଏଲର ସମସ୍ତ ପରିବାରବର୍ଗଙ୍କ ମଧ୍ୟରେ ମନୋନୀତ କରିଅଛି। ଆଉ ଆମ୍ଭ ନାମ ସେଠାରେ ଚିରକାଳ ନିମନ୍ତେ ରହିବ। 8 ଆମ୍ଭେ ଇସ୍ରାଏଲକୁ ସେହି ଭୂମିରୁ ବାହାର କରିବା ନାହିଁ, ଯାହା ଆମ୍ଭେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଛୁ। କିନ୍ତୁ ସେମାନଙ୍କୁ ସେହି ସମସ୍ତ ଆଜ୍ଞା, ବ୍ୟବସ୍ଥା, ବିଧି ଓ ବିଧାନ ପାଳନ କରିବାକୁ ପଡ଼ିବ। ଯାହାକି ଆମ୍ଭେ ସେମାନଙ୍କୁ ମୋଶାଙ୍କ ମାଧ୍ୟମରେ ଦେଇଥିଲୁ।”
9 ମନଃଶି ଯିହୁଦାର ଲୋକ ଓ ଯିରୁଶାଲମରେ ବାସ କରୁଥିବା ଲୋକମାନଙ୍କୁ ମନ୍ଦକାର୍ଯ୍ୟ କରିବା ନିମନ୍ତେ ଉତ୍ସାହିତ କଲେ। ଇସ୍ରାଏଲୀୟମାନଙ୍କ ପୂର୍ବରୁ ଦେଶର ଯେଉଁ ଜାତିଗଣ ଥିଲେ, ସେମାନଙ୍କଠାରୁ ଏହି ଲୋକମାନେ ଆହୁରି ଅଧିକ ମନ୍ଦ ହେଲେ, ଆଉ ସଦାପ୍ରଭୁ ସେହି ଅନ୍ୟ ଜାତୀୟମାନଙ୍କୁ ବିନଷ୍ଟ କରିଥିଲେ।
10 ସଦାପ୍ରଭୁ ମନଃଶିଙ୍କୁ ଓ ତାଙ୍କର ଲୋକମାନଙ୍କୁ କଥା କହିଲେ, ମାତ୍ର ସେମାନେ ତାଙ୍କର କଥା ଶୁଣିଲେ ନାହିଁ। 11 ତେଣୁ ସଦାପ୍ରଭୁ ସୈନ୍ୟବାହିନୀର ସେନାପତିଙ୍କୁ ଆଣିଲେ, ଯିଏ କି ଅଶୂରର ରାଜାର ସେବା କରୁଥିଲେ ଏବଂ ସେମାନେ ଯିହୁଦାକୁ ଆକ୍ରମଣ କଲେ। ସେହି ସେନାପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସେମାନେ ତାଙ୍କ ଶରୀରରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନେଇଗଲେ।
12 ତାଙ୍କ ଉପରକୁ ଯେତେବେଳେ ଏହିସବୁ ବିପଦ ଆସିଲା, ମନଃଶି ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କଠାରୁ ସାହାଯ୍ୟ ଲୋଡ଼ିଲେ। ମନଃଶି ନିଜକୁ ତାଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ନମ୍ର କଲେ। 13 ମନଃଶି ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ଓ ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ପରମେଶ୍ୱରଙ୍କୁ ଅନୁରୋଧ କରିବାକୁ ଲାଗିଲେ। ସଦାପ୍ରଭୁ ମନଃଶିଙ୍କ ପ୍ରାର୍ଥନା ଶୁଣିଲେ ଓ ତାଙ୍କୁ ଦୟା କଲେ। ସଦାପ୍ରଭୁ ତାଙ୍କୁ ଯିରୁଶାଲମକୁ ଓ ତାଙ୍କ ସିଂହାସନକୁ ଫେରାଇ ଆଣିଲେ। ଏହା ପରେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ୱର ହିଁ ସତ୍ୟ ଅଟନ୍ତି।
14 ଏହି ସମସ୍ତ ଘଟିଲା ପରେ, ମନଃଶି ଦାଉଦଙ୍କ ନଗର ବାହାରେ ଏକ ପ୍ରାଚୀର ନିର୍ମାଣ କଲେ। ଏହି ପ୍ରାଚୀର ଉପତ୍ୟକାରେ ଥିଲା ଏବଂ ଗୀହୋନ ଝରଣାର ପଶ୍ଚିମ ପାର୍ଶ୍ୱରୁ ମତ୍ସ୍ୟ ଦ୍ୱାରର ପ୍ରବେଶ ପଥ ପର୍ଯ୍ୟନ୍ତ, ଓଫଲ ପର୍ବତର ଚତୁର୍ଦ୍ଦିଗରେ ବେଷ୍ଟନ କରି ରହିଥିଲା। ସେ ସେହି ପ୍ରାଚୀରକୁ ଅତି ଉଚ୍ଚ କଲେ। ଏହା ପରେ ଯିହୁଦାର ସବୁ ଦୁର୍ଗଗୁଡ଼ିକରେ ପଦାଧିକାରୀମାନଙ୍କୁ ସ୍ଥାପନ କଲେ। 15 ମନଃଶି ଅଦ୍ଭୂତ ଦେବତା ମୂର୍ତ୍ତିଗୁଡ଼ିକୁ ବାହାର କରିଦେଲେ। ସେ ସଦାପ୍ରଭୁଙ୍କ ମନ୍ଦିରରୁ ମୂର୍ତ୍ତିକୁ ବାହାର କରିଦେଲେ। ସେ ମନ୍ଦିର ଥିବା ପର୍ବତ ଓ ଯିରୁଶାଲମରେ ଯେଉଁସବୁ ଯଜ୍ଞବେଦି ନିର୍ମାଣ କରିଥିଲେ, ସେଗୁଡ଼ିକୁ ନଷ୍ଟ କରିଦେଲେ। ମନଃଶି ସେହିସବୁ ବେଦିକୁ ଯିରୁଶାଲମ ନଗର ବାହାରେ ଫିଙ୍ଗି ଦେଲେ। 16 ଏହା ପରେ ସେ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ସ୍ଥାପନ କଲେ ଓ ତାହା ଉପରେ ମଙ୍ଗଳାର୍ଥକ ବଳି ଓ ଧନ୍ୟବାଦର ବଳି ଉତ୍ସର୍ଗ ଗଲେ। ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବାକୁ ମନଃଶି ଯିହୁଦାର ସମସ୍ତ ଲୋକଙ୍କୁ ଆଦେଶ ଦେଲେ। 17 ଲୋକମାନେ ଉଚ୍ଚସ୍ଥାନମାନଙ୍କରେ ବଳି ଉତ୍ସର୍ଗ କରିବାକୁ ଲାଗିଲେ। କିନ୍ତୁ ସେମାନେ କେବଳ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ନିକଟରେ ସେହି ବଳି ଉତ୍ସର୍ଗ କରୁଥିଲେ।
ବିଶ୍ୱାସ
11 ବିଶ୍ୱାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ୱାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ। 2 ପ୍ରାଚୀନ କାଳରେ, ଲୋକମାନଙ୍କର ଏହିଭଳି ବିଶ୍ୱାସ ଥିଲା ବୋଲି, ପରମେଶ୍ୱର ସେମାନଙ୍କ ଉପରେ ପ୍ରସନ୍ନ ଥିଲେ।
3 ବିଶ୍ୱାସ ଦ୍ୱାରା ଆମ୍ଭେ ବୁଝିଛୁ ଯେ ସମଗ୍ର ସୃଷ୍ଟିର ରଚନା ପରମେଶ୍ୱର ନିଜ ଆଜ୍ଞା ବଳରେ କରିଥିଲେ। ଏହାର ଅର୍ଥ ଯେ, ଆମ୍ଭକୁ ଦିଶୁଥିବା ବିଷୟ ଗୁଡ଼ିକର ସୃଷ୍ଟି ଅଦୃଶ୍ୟ ବିଷୟ ଦ୍ୱାରା ହୋଇଛି।
4 କୟିନ ଓ ହେବଲ ଦୁହେଁ ପରମେଶ୍ୱରଙ୍କୁ ବଳି ଉତ୍ସର୍ଗ କଲେ। କିନ୍ତୁ ବିଶ୍ୱାସ ଥିବା ହେତୁ ହେବଲ ଭଲ ବଳି ଉତ୍ସର୍ଗ କଲେ। ପରମେଶ୍ୱର କହିଲେ, ଯେ, ସେ ହେବଲ ଉତ୍ସର୍ଗ କରିଥିବା ବଳି ପାଇଁ ପ୍ରସନ୍ନ ଥିଲେ। ପରମେଶ୍ୱରଙ୍କଠାରେ ହେବଲର ବିଶ୍ୱାସ ହେତୁ ତାହାକୁ ଭଲ ଲୋକ ବୋଲି କହିଲେ। ହେବଲ ମରି ଯାଇଛି କିନ୍ତୁ ନିଜ ବିଶ୍ୱାସ ହେତୁ ଏବେ ସୁଦ୍ଧା ସେ କଥା କହୁଛି।
5 ବିଶ୍ୱାସ ହେତୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କେବେବି ମୃତ୍ୟୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁହେ ଯେ, ହନୋକଙ୍କୁ ଉଠାଇ ନେଇ ଯିବା ପୂର୍ବରୁ ସେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖୋଜି ପାରିଲେ ନାହିଁ, କାରଣ ପରମେଶ୍ୱର ହନୋକଙ୍କୁ ନିଜ ସହିତ ରହିବା ଲାଗି ନେଇଗଲେ। 6 ବିଶ୍ୱାସ ବିନା ଜଣେ ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରିବ ନାହିଁ। ପରମେଶ୍ୱରଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱର ଅଛନ୍ତି ବୋଲି ବିଶ୍ୱାସ କରିବା ଉଚିତ୍। ଯିଏ ପରମେଶ୍ୱରଙ୍କ ପାଖକୁ ଆସିବ ସେ ବିଶ୍ୱାସ କରିବା ଦରକାର ଯେ ଯିଏ ପ୍ରକୃତରେ ତାହାଙ୍କୁ ଖୋଜେ, ପରମେଶ୍ୱର ତାହାକୁ ପୁରସ୍କାର ପ୍ରଦାନ କରନ୍ତି।
7 କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।
2010 by World Bible Translation Center