Revised Common Lectionary (Complementary)
ଦାଉଦଙ୍କର ଗୀତ
138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
2 ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
3 ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।
4 ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
5 ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
6 ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
7 ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
ଯଦି ମୋର ଶତ୍ରୁଗଣ କେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
8 ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।
ମର୍ଦ୍ଦଖୟ ଏଷ୍ଟରଙ୍କୁ ସାହାଯ୍ୟ କରିବାକୁ ଗୁହାରି କଲେ
4 ମର୍ଦ୍ଦଖୟ ଏସବୁ ବିଷୟ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତରେ ଭସ୍ମ ଲେପନ କଲା। ସେ ନଗର ମଧ୍ୟକୁ ଗଲା ଓ ଉଚ୍ଚ ସ୍ୱରରେ ରୋଦନ କଲା। 2 ସେ ରାଜଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ଆସିଲା। ମାତ୍ର ଶୋକ ବସ୍ତ୍ର ପିନ୍ଧି କେହି ରାଜଦ୍ୱାରରେ ପ୍ରବେଶ କରି ପାରିଲା ନାହିଁ। 3 ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିୟମ ପତ୍ର ଗଲା, ସେହିସବୁ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ।
4 ଏଷ୍ଟରର ଦାସୀଗଣ ଓ ନପୁଂସକମାନେ ଆସି ମର୍ଦ୍ଦଖୟ ବିଷୟରେ ତାଙ୍କୁ ଜଣାଇଲେ। ତେଣୁ ରାଣୀ ଅତିଶୟ ବିଚଳିତ ହୋଇଗଲେ। ପୁଣି ମର୍ଦ୍ଦଖୟଠାରୁ ଅଖା କାଢ଼ି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା। ମାତ୍ର ସେ ତାହା ଗ୍ରହଣ କଲା ନାହିଁ। 5 ଏଥିପାଇଁ ରାଜାଙ୍କ ଦ୍ୱାରା ଏଷ୍ଟରର ସେବାରେ ନିଯୁକ୍ତ ହଥକ୍ ନାମେ ରାଜ ନପୁଂସକକୁ ଏଷ୍ଟର ଡାକି କ’ଣ ହେଲା ଓ କିପରି ହେଲା ତାହା ଜାଣିବା ପାଇଁ ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ତାକୁ ଆଜ୍ଞା ଦେଲା। 6 ତା'ପରେ ହଥକ୍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକ ସ୍ଥାନରେ ମର୍ଦ୍ଦଖୟ ନିକଟକୁ ଗଲା। 7 ଏବଂ ମର୍ଦ୍ଦଖୟ ନିଜ ପ୍ରତି ଯାହା ଯାହା ଘଟିଥିଲା ଓ ଯିହୁଦୀୟମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ତାରରେ ଠିକ୍ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲା, ସେସବୁ ତାକୁ କହିଲା। 8 ଆହୁରି ମଧ୍ୟ ସେମାନଙ୍କ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନ୍ରେ ଦେଇଥିଲା, ତହିଁର ଏକ କପି ଏଷ୍ଟରକୁ ଦେଖାଇ ଜ୍ଞାତ କରାଇବାକୁ ଦେଲା। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁରେ ପ୍ରବେଶ କରି ତାହାଙ୍କ ନିକଟରେ ନିବେଦନ ଓ ଅନୁରୋଧ କରିବ ଏପରି ଆଦେଶ କରିବାକୁ କହିଲା।
9 ତେଣୁ ହଥକ୍ ଆସି ମର୍ଦ୍ଦଖୟର କଥା ଏଷ୍ଟରକୁ ଜଣାଇଲା।
10 ଏହା ପରେ ଏଷ୍ଟର ହଥକକୁ ଏହିକଥା କହି ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ଆଜ୍ଞା କଲା। 11 “ବିନା ରାଜା ଡାକରାରେ ପୁରୁଷ ଓ ସ୍ତ୍ରୀ ଯେକେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ ତାହାର ପ୍ରାଣଦଣ୍ତ ଦେବାର ଏକମାତ୍ର ବ୍ୟବସ୍ଥା ଅଛି। କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ତ ବଢ଼ାନ୍ତି, ସେହି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ୍ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇ ନାହିଁ।”
12-13 ସେମାନେ ଏଷ୍ଟରର ଏହିକଥା ମର୍ଦ୍ଦଖୟକୁ କହିଲେ। ତେଣୁ ମର୍ଦ୍ଦଖୟ ଏଷ୍ଟରକୁ, ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲା, “ସବୁ ଯିହୁଦୀୟମାନଙ୍କ ମଧ୍ୟରୁ କେବଳ ତୁମ୍ଭେ ରାଜ ଗୃହରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ। 14 ଯଦି ତୁମ୍ଭେ ଏହି ସମୟରେ ନୀରବ ହୋଇ ରୁହ, ତେବେ ଅନ୍ୟ ଏକ ସ୍ଥାନରୁ ଯିହୁଦୀୟମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହେବ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀୟ ସ୍ଥାନ ପାଇପାର?”
15-16 ଏହା ପରେ ଏଷ୍ଟର ମର୍ଦ୍ଦଖୟ ନିକଟକୁ ଉତ୍ତର ପଠାଇଲା, “ତୁମ୍ଭେ ଯାଇ ଶୂଶନ୍ରେ ଉପସ୍ଥିତ ସମସ୍ତ ଯିହୁଦୀମାନଙ୍କୁ ଏକତ୍ର କରି ମୋ’ ଲାଗି ଉପବାସ କର। ପୁଣି ତିନି ଦିନ ଯାଏ, ଦିନରେ କି ରାତ୍ରିରେ କିଛି ଖାଅ ନାହିଁ ଓ କିଛି ପାନ କର ନାହିଁ। ମୁଁ ଓ ମୋର ଦାସୀଗଣ ସେହିପରି ଉପବାସ କରିବୁ, ତହୁଁ ବ୍ୟବସ୍ଥାନୁଯାୟୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି, ସେଥିରେ ମଲେ ପଛେ ମରିବି।”
17 ତେଣୁ ମର୍ଦ୍ଦଖୟ ଗଲେ, ସେ ଏଷ୍ଟରଙ୍କ କହିବା ଅନୁଯାୟୀ କାର୍ଯ୍ୟ କଲେ।
ଶିଷ୍ୟମାନେ ଯୀଶୁଙ୍କ ଶକ୍ତି ଦେଖିଲେ
(ମାଥିଉ 8:23-27; ମାର୍କ 4:35-41)
22 ଦିନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ଡଙ୍ଗାରେ ଚଢ଼ିଲେ। ଯୀଶୁ ସେମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ହ୍ରଦ ଆରପାରିକି ଯିବା।” ଶିଷ୍ୟମାନେ ଡଙ୍ଗା ଖୋଲିଦେଲେ। 23 ସେମାନେ ଡଙ୍ଗା ବାହି ନେଉଥିବା ସମୟରେ ଯୀଶୁ ଶୋଇ ପଡ଼ିଲେ। ହ୍ରଦରେ ଝଡ଼ତୋଫାନ ମାଡ଼ି ଆସିଲା। ଡଙ୍ଗାରେ ପାଣି ପଶିବାକୁ ଲାଗିଲା। ସେମାନେ ବିପଦରେ ପଡ଼ିଗଲେ। 24 ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଉଠେଇ କହିବାକୁ ଲାଗିଲେ, “ଗୁରୁ, ହେ ଗୁରୁ, ଆମ୍ଭେ ବୁଡ଼ିଯିବା।”
ଯୀଶୁ ଠିଆ ହେଲେ। ସେ ତୋଫାନ ଓ ଢେଉକୁ ଆଜ୍ଞା ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା। 25 ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କର ବିଶ୍ୱାସ କେଉଁଆଡ଼େ ଗଲା?”
କିନ୍ତୁ ସେମାନେ ଡରିଯାଇଥିଲେ ଓ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ କଥାବାର୍ତ୍ତା ହେଲେ, “ଏ ତେବେ କିଏ? ସେ ପବନ ଓ ପାଣିକୁ ମଧ୍ୟ ଆଜ୍ଞା ଦେଉଛନ୍ତି ଓ ସେମାନେ ତାହାଙ୍କ କଥା ମାନୁଛନ୍ତି!”
2010 by World Bible Translation Center