Revised Common Lectionary (Complementary)
ଦାଉଦଙ୍କର ମିକ୍ତାମ୍ ଗୀତ
16 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।
2 ମୁଁ ସଦାପ୍ରଭୁଙ୍କୁ କହିଅଛି,
“ସଦାପ୍ରଭୁ ତୁମ୍ଭେ ମୋର ପ୍ରଭୁ।
ମୋର ଯାହାକିଛି ମଙ୍ଗଳମୟ ସେ ସବୁ ତୁମ୍ଭ କୃପାରୁ।”
3 ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି,
ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ।
ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।
4 କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି।
ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ।
ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ।
5 ମୁଁ କେବଳ ମୋର ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି।
ହେ ସଦାପ୍ରଭୁ, ତୁମ୍ଭେ ମୋର ସହାୟ ହୁଅ
ଏବଂ ମୋତେ ମୋର ପ୍ରାପ୍ୟ ପ୍ରଦାନ କର।
6 ମୋର ପ୍ରାପ୍ୟ ଅତି ଆଶ୍ଚର୍ଯ୍ୟଜନକ,
ମୋର ଅଧିକାର ମଧ୍ୟ ଅତି ସୁନ୍ଦର।
7 ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମୋତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି।
ଏପରିକି ରାତ୍ରିରେ ମଧ୍ୟ ସେ ତାଙ୍କର ଉପଦେଶକୁ ମୋର ମନରେ ପ୍ରବେଶ କରାନ୍ତି।
8 ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମୋର ସମ୍ମୁଖରେ ରଖିଅଛି।
ମୁଁ କେବେହେଲେ ତାଙ୍କର ଉପଯୁକ୍ତ ମାର୍ଗରୁ ବଞ୍ଚିତ ହେବି ନାହିଁ।
9 ତେଣୁ ମୋର ହୃଦୟ ଓ ଆତ୍ମା ଅତି ଆନନ୍ଦିତ ହେବ।
ଏପରିକି ମୋର ଶରୀର ନିରାପଦରେ ରହିବ।
10 କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ।
ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।
11 ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ।
ଯେହେତୁ ମୁଁ ତୁମ୍ଭ ସହିତ ଅଛି।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ।
ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ତାହା ମୋ’ ପାଇଁ ନିତ୍ୟ ସୁଖଭୋଗ ଆଣିଦେବ।
22 ତା'ପରେ ହାରୋଣ ଆପଣା ହସ୍ତ ଉତ୍ତୋଳନ କରି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେ ପାପାର୍ଥକ ବଳି, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲାପରେ ସେ ଯଜ୍ଞବେଦି ତଳକୁ ଓହ୍ଲାଇ ଆସିଲେ।
23 ଅନନ୍ତର ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ। ପୁଣି ବାହାରକୁ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେତେବେଳେ ସବୁ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ମହିମା ପ୍ରକଟିତ ହେଲା। 24 ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ଯଜ୍ଞବେଦି ଉପରିସ୍ଥ ହୋମବଳି ଓ ମେଦକୁ ଭସ୍ମ କଲା। ସେତେବେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ୱନି କରି ଭୂମିରେ ମଥାନତ କରି ପଡ଼ିଲେ।
ପରମେଶ୍ୱର ନାଦବ ଓ ଅବୀହୂଙ୍କୁ ବିନାଶ କରନ୍ତି
10 ଏହା ପରେ ହାରୋଣଙ୍କ ପୁତ୍ର ନାଦବ ଓ ଅବୀହୂ ପାପ କଲେ। ପ୍ରତ୍ୟେକ ନିଜ ନିଜ ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଇ ତହିଁ ଉପରେ ସୁଗନ୍ଧି ଧୂପ ରଖିଲେ। ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ, ତାଙ୍କର ଆଜ୍ଞା ଅନୁସାରେ ଭିନ୍ନ ଅଗ୍ନି[a] ଉତ୍ସର୍ଗ କଲେ। 2 ତେଣୁ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ।
3 ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଯେଉଁମାନେ ମୋ’ ନିକଟକୁ ଆସନ୍ତି, ସେମାନେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖରେ ମୁଁ ଗୌରବାନ୍ୱିତ ହେବି।’” ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ୟୁ କଥା ନ କହି ନୀରବ ରହିଲେ।
4 ଏହା ପରେ ମୋଶା ହାରୋଣଙ୍କର କକା ଉଷୀୟେଲର ପୁତ୍ର ମୀଖାୟେଲକୁ ଓ ଇଲୀଷାଫନକୁ ଡାକିଲେ ଏବଂ କହିଲେ, “ତୁମ୍ଭେମାନେ ପବିତ୍ର ସ୍ଥାନର ସମ୍ମୁଖକୁ ଯାଅ ଓ ତୁମ୍ଭମାନଙ୍କର ସମ୍ପର୍କୀୟ ଭାଇମାନଙ୍କର ଶବକୁ ଛାଉଣିର ବାହାରକୁ ନେଇଯାଅ।”
5 ତେଣୁ ମୀଖାୟେଲ ଓ ଇଲୀଷାଫନ ମୋଶାଙ୍କ ଆଜ୍ଞା ପାଳନ କଲେ। ସେମାନେ ନାଦବ ଓ ଅବୀହୂର ଶବକୁ ଜାମା ସହିତ ଛାଉଣିର ବାହାରକୁ ନେଇଗଲେ।
6 ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦେବାଭଳି କାର୍ଯ୍ୟ କର ଓ ତୁମ୍ଭେମାନେ ମୃତ୍ୟୁବରଣ କରିବ ନାହିଁ ଏବଂ ପରମେଶ୍ୱର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇସ୍ରାଏଲ ବଂଶ ରୋଦନ କରନ୍ତୁ। 7 ଆଉ ତୁମ୍ଭେ ସମାଗମ-ତମ୍ବୁ ଦ୍ୱାରରୁ ବାହାରକୁ ଯିବ ନାହିଁ, ଗଲେ ମରିବ। କାରଣ ତୁମ୍ଭମାନଙ୍କ ଦେହରେ ସଦାପ୍ରଭୁଙ୍କର ଅଭିଷେକ ତୈଳ ଅଛି।” ତେଣୁ ହାରୋଣ, ଇଲିୟାସର ଓ ଈଥାମର ମୋଶାଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ।
8 ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, 9 “ତୁମ୍ଭେ କିମ୍ବା ତୁମ୍ଭର ପୁତ୍ରଗଣ ଯେତେବେଳେ ସମାଗମ-ତମ୍ବୁରେ ପ୍ରବେଶ କରିବ ତୁମ୍ଭେମାନେ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବ ନାହିଁ। ଯଦି ତୁମ୍ଭେମାନେ ତାହା କର ତେବେ ତୁମ୍ଭେମାନେ ମରିବ। ଏହି ବ୍ୟବସ୍ଥା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ଯ୍ୟନ୍ତ ପାଳିତ ହେବ। 10 ତାହାଦ୍ୱାରା ତୁମ୍ଭେମାନେ ପବିତ୍ର ଓ ଅପବିତ୍ର, ପୁଣି ଶୁଚି ଓ ଅଶୁଚି ମଧ୍ୟରେ ପ୍ରଭେଦ ସ୍ପଷ୍ଟ ଭାବରେ ଜାଣି ପାରିବ। 11 ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାମାନ ଦେଇଥିଲେ, ମୋଶା ସେ ସମସ୍ତ ବ୍ୟବସ୍ଥା ଇସ୍ରାଏଲର ସନ୍ତାନଗଣଙ୍କୁ ଦେଲେ। ହାରୋଣ ତୁମ୍ଭେ ସେହିସବୁ ବ୍ୟବସ୍ଥା ଲୋକମାନଙ୍କୁ ଶିକ୍ଷା ଦେଇ ପାରିବ।”
5 ତୁମ୍ଭେମାନେ ବିଶ୍ୱାସରେ ଜୀବନ କାଟୁଛ କି ନାହିଁ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭେମାନେ ଜାଣ ଯେ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭେମାନେ ପରୀକ୍ଷାରେ ବିଫଳ ହୁଅ, ତାହାହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ରହୁ ନାହାନ୍ତି ତାହା ଜାଣ। 6 ମୁଁ ଆଶାକରେ ଆମ୍ଭେମାନେ ପରୀକ୍ଷାରେ ବିଫଳ ହୋଇ ନାହୁଁ ବୋଲି ତୁମ୍ଭେମାନେ ଦେଖିବ। 7 ଆମ୍ଭେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ କିଛି ଭୁଲ୍ କାମ କରିବ ନାହିଁ। ଆମ୍ଭେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ, ଏ କଥା ଲୋକମାନେ ଦେଖିବାରେ କିଛି ଲାଭ ନାହିଁ। ପରୀକ୍ଷାରେ ଆମ୍ଭେମାନେ ବିଫଳ ହୋଇଛୁ ବୋଲି ଯଦି ଲୋକଙ୍କୁ ଦେଖାଯାଏ, ତାହାହେଲେ ଯାହା ଠିକ୍ ତାହା କରିବା ଆମ୍ଭ ପକ୍ଷରେ ଅଧିକ ଗୁରୁତ୍ୱପୂର୍ଣ୍ଣ। 8 ଆମ୍ଭେ ସତ୍ୟର ବିପରୀତ କୌଣସି କାମ କରିବା ନାହିଁ। ଆମ୍ଭେ କେବଳ ସତ୍ୟ ପାଇଁ କିଛି କରି ପାରିବା। 9 ଯଦି ତୁମ୍ଭେମାନେ ବଳବାନ ଆମ୍ଭେ ଦୁର୍ବଳ ହେବାରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଯାଅ। 10 ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତେବେଳେ ମୁଁ ଆସେ, ସେତେବେଳେ ଦଣ୍ଡ ଦେବା ପାଇଁ ମୋତେ ମୋ’ ଶକ୍ତିର ବ୍ୟବହାର କରିବାକୁ ନ ପଡ଼ୁ। ପରମେଶ୍ୱର ମୋତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।
2010 by World Bible Translation Center