Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ, ଦାଉଦଙ୍କର ଏକ ପ୍ରଶଂସାର ଗୀତ।
65 ହେ ସିୟୋନର ପରମେଶ୍ୱର, ତୁମ୍ଭେ ପ୍ରଶଂସିତ ହେବାର ହକ୍ଦାର।
ଆମ୍ଭେମାନେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
2 ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି,
ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
3 ଯେତେବେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ୟଧିକ ହୁଏ ଓ ସହି ହୁଏ ନାହିଁ,
ସେତେବେଳେ ତୁମ୍ଭେ ହିଁ ଏକ ଯିଏ ଆମ୍ଭର ପାପକୁ କ୍ଷମା କରିବ।
4 କେତେ ଭାଗ୍ୟବାନ୍ ସେମାନେ,
ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ
ରଖିବା ପାଇଁ ମନୋନୀତ କର।
ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
5 ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା,
ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ
ଓ ଯାହା ଯଥାର୍ଥ ତାହା କର।
ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି।
6 ପରମେଶ୍ୱର, ତୁମ୍ଭେ ମହାଶକ୍ତିର ସହ ପର୍ବତ ତିଆରି କରିଅଛ।
ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
7 ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର।
ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ।
8 ଯେଉଁସବୁ ଅଦ୍ଭୂତ କାର୍ଯ୍ୟ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହୋଇଯାଆନ୍ତି।
ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆମ୍ଭମାନଙ୍କୁ ଖୁସୀ କରେ।
9 ତୁମ୍ଭେ ପୃଥିବୀର ଯତ୍ନ ନିଅ।
ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ।
ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର।
ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ।
10 ତୁମ୍ଭେ କୃଷିକ୍ଷେତ୍ରକୁ ଯଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ।
ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ।
ତୁମ୍ଭେ ପୃଥିବୀର ମାଟିକୁ ନରମ କର।
ତୁମ୍ଭେ ପୃଥିବୀରେ ଶସ୍ୟକ୍ଷେତ୍ରକୁ ବୃଦ୍ଧି କରାଅ।
11 ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ।
ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ।
12 ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
13 ଗ୍ଭରଣଭୂମି ସବୁ ମେଷପଲରେ ପୁରି ଉଠନ୍ତି।
ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି।
ପ୍ରତ୍ୟେକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜୟଧ୍ୱନି କରନ୍ତି।
10 ଏହି ସମୟରେ ଅଦୋନିଷେଦକ ଯିରୁଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହୋଶୂୟ ଅୟକୁ ପରାସ୍ତ କରି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଛନ୍ତି। ରାଜା ଜାଣିବାକୁ ପାଇଲେ ଯେ, ଯିହୋଶୂୟ ଯିରୀହୋ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସେହିପରି ଅୟ ଓ ତା'ର ରାଜାଙ୍କୁ କଲେ। ଆଉ ରାଜା ଜାଣିବାକୁ ପାଇଲେ ଯେ, ଗିବିୟୋନୀୟମାନେ ଇସ୍ରାଏଲମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି ଏବଂ ସେହି ଲୋକମାନେ ଯିରୁଶାଲମ ନିକଟରେ ବାସ କରୁଛନ୍ତି। 2 ତେଣୁ ଆଦୋନିଷେଦକ୍ ଏବଂ ତାଙ୍କର ଲୋକମାନେ ଖୁବ୍ ଭୟଭୀତ ହେଲେ। ଗିବିୟୋନ ଅୟ ପରି ଛୋଟ ସହର ନ ଥିଲା। ଏହା ଏକ ବଡ଼ ସହର ଥିଲା। ଏହା ଏକ ରାଜଧାନୀ ତୁଲ୍ୟ ବୃହତ୍ ନଗର ଥିଲା ଏବଂ ସେହି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହୁତ ଭୟ କରି ଯାଇଥିଲେ। 3 ଆଦୋନିଷେଦକ୍, ଯିରୁଶାଲମର ରାଜା ହିବ୍ରୋଣର ରାଜା ହୋହମ୍ ଓ ଯର୍ମୂତର ରାଜା କିରାମ୍ ଓ ଲାଖୀଶ୍ର ରାଜା ଯାଫିୟ ଓ ଇଗ୍ଲୋନ ରାଜା ଦବୀର ନିକଟକୁ କହି ପଠାଇଲା। 4 “ମୋ’ ନିକଟକୁ ଆସ ଏବଂ ଗିବିୟୋନକୁ ଆକ୍ରମଣ କରିବା ପାଇଁ ସାହାଯ୍ୟ କର। ଗିବିୟୋନୀୟମାନେ ଯିହୋଶୂୟ ଓ ଇସ୍ରାଏଲୀୟ ବାସୀମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି।”
5 ତେଣୁ ପାଞ୍ଚ ଜଣ ଇମୋରୀୟ ରାଜା ଯଥା: ଯିରୁଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀଶ୍ର ରାଜା ଓ ଇଗ୍ଲୋନର ରାଜା ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ନିଜ ନିଜର ସମସ୍ତ ସୈନ୍ୟମାନଙ୍କ ସହିତ ଗିବିୟୋନକୁ ଅକ୍ତିଆର କରିବାକୁ ଏକତ୍ରିତ ହେଲେ। ସେମାନେ ନଗରକୁ ଘେରିଗଲେ ଓ ଆକ୍ରମଣ କଲେ।
6 ଗିବିୟୋନୀୟମାନେ ଗିଲ୍ଗଲ୍ ଛାଉଣିଠାରେ ଯିହୋଶୂୟଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ସେହି ବାର୍ତ୍ତାବାହକ କହିଲା, “ଆମ୍ଭେ ଆପଣଙ୍କ ଦାସ, ଆମ୍ଭକୁ ଏକୁଟିଆ ଛାଡ଼ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶୀଘ୍ର ଆସି ଆମ୍ଭକୁ ସାହାଯ୍ୟ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇମୋରୀୟ ଦେଶର ପର୍ବତ ନିବାସୀ ରାଜାମାନେ ସେମାନଙ୍କର ସୈନ୍ୟବାହିନୀ ସହିତ ଏକତ୍ରିତ ହୋଇ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।”
7 ତେଣୁ ଯିହୋଶୂୟ ତାଙ୍କର ସମସ୍ତ ସୈନ୍ୟ ଓ ମହା ବିକ୍ରମଶାଳୀ ଯୋଦ୍ଧା ସହିତ ଗିଲ୍ଗଲ୍ରୁ ଯାତ୍ରା କଲେ। 8 ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କୁ ଭୟ କର ନାହିଁ, କାରଣ ମୁଁ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ସେମାନଙ୍କ ମଧ୍ୟରୁ ଜଣେ ହେଲେ, ତୁମ୍ଭର ସମ୍ମୁଖୀନ ହୋଇ ପାରିବେ ନାହିଁ।”
9 ତେଣୁ ଯିହୋଶୂୟ ସୈନ୍ୟମାନଙ୍କ ସହିତ ଅଗ୍ରସର ହୋଇ ଅକସ୍ମାତ୍ ସେମାନଙ୍କୁ ଗିଲ୍ଗଲ୍ରୁ ରାତ୍ରିସାରା ଆକ୍ରମଣ କଲେ।
10 ସଦାପ୍ରଭୁ ସୈନ୍ୟବାହିନୀକୁ ଦ୍ୱନ୍ଦରେ ପକାଇଲେ, ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କୁ ଆକ୍ରମଣ କଲେ। ତେଣୁ ଇସ୍ରାଏଲୀୟମାନେ ସେମାନଙ୍କ ଉପରେ ବିଜୟ ଲାଭ କଲେ। ଇସ୍ରାଏଲୀୟମାନେ ଗିବିୟୋନଠାରୁ ଆକ୍ରମଣ କରି ବୈଥୋରୋଣ ପର୍ଯ୍ୟନ୍ତ ଗୋଡ଼ାଇଲେ, ଆଉ ଅସେକା ଓ ମକ୍କେଦା ପର୍ଯ୍ୟନ୍ତ ରାସ୍ତାରେ ସେମାନଙ୍କୁ ପରାସ୍ତ କଲେ। 11 ଯେତେବେଳେ ସେମାନେ ଇସ୍ରାଏଲୀୟମାନଙ୍କଠାରୁ ବୈଥୋରୋଣ ରାସ୍ତାରେ ଗଡ଼ାଣି ଆଡ଼କୁ ଦୌଡ଼ି ଅସେକା ପର୍ଯ୍ୟନ୍ତ ପଳାଇଲେ, ସଦାପ୍ରଭୁ ସେମାନଙ୍କ ଉପରେ କୁଆପଥର ବୃଷ୍ଟି କଲେ। ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ମୃତ୍ୟୁବରଣ କଲେ। ଯୁଦ୍ଧ ଅସ୍ତ୍ରରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂଖ୍ୟା ଅପେକ୍ଷା କୁଆପଥର ବୃଷ୍ଟିରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ସଂଖ୍ୟା ଅଧିକ ଅଟେ।
12 ସେହି ଦିନ ସଦାପ୍ରଭୁ ଇମୋରୀୟମାନଙ୍କୁ ଇସ୍ରାଏଲୀୟଗଣଙ୍କୁ ହସ୍ତାନ୍ତର କଲେ। ଯିହୋଶୂୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା'ପରେ ସେ ଇସ୍ରାଏଲୀୟମାନଙ୍କ ଉପସ୍ଥିତିରେ ଆଜ୍ଞା ଦେଲେ।
“ହେ ସୂର୍ଯ୍ୟ ତୁମ୍ଭେ ଗିବିୟୋନ ଉପରେ ସ୍ତବ୍ଧ ହୁଅ।
ହେ ଚନ୍ଦ୍ର ତୁମ୍ଭେ ଅୟାଲୋନ୍ ଭୂମିରେ ସ୍ତବ୍ଧ ହୁଅ।”
13 ତେଣୁ ଲୋକମାନେ ଆପଣା ଶତ୍ରୁମାନଙ୍କୁ ପରାସ୍ତ ନ କରିବା ପର୍ଯ୍ୟନ୍ତ ସୂର୍ଯ୍ୟ ଓ ଚନ୍ଦ୍ର ସ୍ତବ୍ଧ ହେଲେ। ଏହା ଯାଶେର୍ ପୁସ୍ତକରେ ଲେଖା ଅଛି। ଆଉ ସୂର୍ଯ୍ୟ ଆକାଶର ମଝି ସ୍ଥାନରେ ସ୍ତବ୍ଧ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ। 14 ଏହା ପୂର୍ବରୁ ବା ଏହା ପରେ ଏପରି ଦିନ ଆଉ ହୋଇ ନାହିଁ। ସେହି ଦିନ ସଦାପ୍ରଭୁ ମନୁଷ୍ୟର କଥା ଏରୂପେ ଶୁଣିଲେ। କାରଣ ସଦାପ୍ରଭୁ ଇସ୍ରାଏଲ ସପକ୍ଷରେ ଯୁଦ୍ଧ କଲେ।
ଯୀଶୁ ପାଣି ଉପରେ ଗ୍ଭଲିଲେ
(ମାଥିଉ 14:22-33; ଯୋହନ 6:16-21)
45 ତା'ପରେ ଯୀଶୁ ଶିଷ୍ୟମାନଙ୍କୁ ଡଙ୍ଗା ଭିତରକୁ ଯିବାକୁ କହିଲେ। ଯୀଶୁ ଶିଷ୍ୟମାନଙ୍କୁ ହ୍ରଦର ଅପର ପାର୍ଶ୍ୱରେ ଥିବା ବେଥ୍ସାଇଦାକୁ ଆଗୁଆ ଯିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସେଠାରେ ଥିବା ଲୋକମାନଙ୍କୁ ଘରକୁ ଫେରିଯିବା ପାଇଁ କହି ସେ ରହିଲେ। 46 ଯୀଶୁ ଲୋକମାନଙ୍କୁ ବିଦାୟ ଦେବା ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ପାହାଡ଼ ଉପରକୁ ଗଲେ।
47 ସନ୍ଧ୍ୟା ହେବା ପରେ ମଧ୍ୟ ଡଙ୍ଗାଟି ହ୍ରଦ ମଝିରେ ଥିଲା ଓ ଯୀଶୁ ସ୍ଥଳ ଭାଗରେ ଏକୁଟିଆ ଥିଲେ। 48 ଯୀଶୁ ଦେଖିଲେ ଯେ ଶିଷ୍ୟମାନଙ୍କୁ ଡଙ୍ଗାରେ ଆହୁଲା ମାରିବା ପାଇଁ ବଡ଼ ଅସୁବିଧା ହେଉଛି। କାରଣ ସେତେବେଳେ ପବନ ତାହାଙ୍କର ବିପରୀତ ଦିଗରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତରେ ଯୀଶୁ ହ୍ରଦ ଉପରେ ଗ୍ଭଲି ଗ୍ଭଲି ଶିଷ୍ୟମାନଙ୍କ ପାଖକୁ ଆସିଲେ। ସେ ଶିଷ୍ୟମାନଙ୍କ ପାଖଦେଇ ଯେତେବେଳେ ଆଗେଇ ଯିବା ଉପରେ, 49 ସେତେବେଳେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲୁଥିବାର ଦେଖି ତାହାଙ୍କୁ ଭୂତ ବୋଲି ଭାବିନେଲେ। ସେମାନେ ଚିତ୍କାର କରିବାକୁ ଲାଗିଲେ। 50 ସମସ୍ତ ଶିଷ୍ୟମାନେ ଯେମିତି ତାହାଙ୍କୁ ଦେଖିଲେ ସେମାନେ ଡରିଗଲେ। ଯୀଶୁ ତୁରନ୍ତ ସେମାନଙ୍କୁ କହିଲେ, “ସାହସ ଧର। ଏହି ମୁଁ, ଭୟ କର ନାହିଁ।” 51 ତା'ପରେ ସେ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଚଢ଼ିଗଲେ। ପବନ ବନ୍ଦ ହୋଇଗଲା। ଏଥିରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। 52 ସେମାନେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ଯ୍ୟକାର୍ଯ୍ୟକୁ ବୁଝି ପାରି ନ ଥିଲେ। ସେମାନଙ୍କ ବୁଦ୍ଧି ଜଡ଼ ହୋଇଯାଇଥିଲା।
2010 by World Bible Translation Center