Revised Common Lectionary (Complementary)
12 ସେହି ଲୋକଟି ଦର୍ଶନରେ କହିଲେ, “ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ଯିହୁଦୀଙ୍କ, ତତ୍ତ୍ୱାବଧାରକ ରୂପେ ମୀଖାୟେଲ ମୁଖ୍ୟ ଅଧିପତିରୂପେ ଠିଆ ହେବେ। ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇ ନାହିଁ। ଆଉ ତୁମ୍ଭ ଯିହୁଦୀୟ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ। 2 ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ। କେତେକ ଅନନ୍ତ ଜୀବନ, କେତେକ ଲଜ୍ଜା ଓ କେତେକ ଚିର ଅପମାନ ଭୋଗ ପାଇଁ ଉଠିବେ। 3 ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ୟ ହେବେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ଯ୍ୟ କରିବେ, ଶେଷ ସମୟ ପର୍ଯ୍ୟନ୍ତ ତାରାଗଣ ତୁଲ୍ୟ ଉଜ୍ଜ୍ୱଳ ହେବେ।
ଦାଉଦଙ୍କର ମିକ୍ତାମ୍ ଗୀତ
16 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।
2 ମୁଁ ସଦାପ୍ରଭୁଙ୍କୁ କହିଅଛି,
“ସଦାପ୍ରଭୁ ତୁମ୍ଭେ ମୋର ପ୍ରଭୁ।
ମୋର ଯାହାକିଛି ମଙ୍ଗଳମୟ ସେ ସବୁ ତୁମ୍ଭ କୃପାରୁ।”
3 ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି,
ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ।
ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।
4 କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି।
ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ।
ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ।
5 ମୁଁ କେବଳ ମୋର ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି।
ହେ ସଦାପ୍ରଭୁ, ତୁମ୍ଭେ ମୋର ସହାୟ ହୁଅ
ଏବଂ ମୋତେ ମୋର ପ୍ରାପ୍ୟ ପ୍ରଦାନ କର।
6 ମୋର ପ୍ରାପ୍ୟ ଅତି ଆଶ୍ଚର୍ଯ୍ୟଜନକ,
ମୋର ଅଧିକାର ମଧ୍ୟ ଅତି ସୁନ୍ଦର।
7 ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମୋତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି।
ଏପରିକି ରାତ୍ରିରେ ମଧ୍ୟ ସେ ତାଙ୍କର ଉପଦେଶକୁ ମୋର ମନରେ ପ୍ରବେଶ କରାନ୍ତି।
8 ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମୋର ସମ୍ମୁଖରେ ରଖିଅଛି।
ମୁଁ କେବେହେଲେ ତାଙ୍କର ଉପଯୁକ୍ତ ମାର୍ଗରୁ ବଞ୍ଚିତ ହେବି ନାହିଁ।
9 ତେଣୁ ମୋର ହୃଦୟ ଓ ଆତ୍ମା ଅତି ଆନନ୍ଦିତ ହେବ।
ଏପରିକି ମୋର ଶରୀର ନିରାପଦରେ ରହିବ।
10 କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ।
ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।
11 ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ।
ଯେହେତୁ ମୁଁ ତୁମ୍ଭ ସହିତ ଅଛି।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ।
ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ତାହା ମୋ’ ପାଇଁ ନିତ୍ୟ ସୁଖଭୋଗ ଆଣିଦେବ।
11 ଯାଜକମାନେ ପ୍ରତିଦିନ ଠିଆ ହୋଇ ସେମାନଙ୍କର ଧାର୍ମିକ ସେବା କାର୍ଯ୍ୟ କରନ୍ତି। ସେହି, ସମାନ ବଳିଗୁଡ଼ିକ ସେମାନେ ବାରମ୍ବାର ସମର୍ପଣ କରନ୍ତି। କିନ୍ତୁ ସେହିଭଳି ବଳି କେବେ ହେଲେ ପାପହରଣ କରିପାରେ ନାହିଁ। 12 ଖ୍ରୀଷ୍ଟ ପାପଗୁଡ଼ିକ ପାଇଁ ଥରେ ମାତ୍ର ବଳିଦାନ ରୂପେ ସମର୍ପିତ କରିଥିଲେ, ଓ ସେହି ବଳିଦାନ ସବୁଦିନ ପାଇଁ ପର୍ଯ୍ୟାପ୍ତ ଅଟେ। 13 ତା'ପରେ ଖ୍ରୀଷ୍ଟ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ। ସେଠାରେ ଖ୍ରୀଷ୍ଟ ଏବେ ନିଜ ଶତ୍ରୁମାନଙ୍କୁ ତାହାଙ୍କ ଶକ୍ତି ତଳେ ରହିବା ପାଇଁ ଅପେକ୍ଷାରେ ଅଛନ୍ତି। 14 ମାତ୍ର ଗୋଟିଏ ବଳିଦାନ ଦ୍ୱାରା ଯୀଶୁ ନିଜ ଲୋକମାନଙ୍କୁ ସର୍ବଦା ପାଇଁ ସମ୍ପୂର୍ଣ୍ଣ ସିଦ୍ଧ କରିଦେଲେ। ସେହି ଲୋକମାନଙ୍କୁ ପବିତ୍ର କରାଯାଇଛି।
15 ପବିତ୍ରଆତ୍ମା ମଧ୍ୟ ଆମ୍ଭକୁ ଏହା ବିଷୟରେ କୁହନ୍ତି। ପ୍ରଥମରେ ସେ କୁହନ୍ତି:
16 “ପ୍ରଭୁ କହିଲେ, ଭବିଷ୍ୟତରେ ମୋ’ ଲୋକମାନଙ୍କ ସହିତ
ମୁଁ ଏହି ଚୁକ୍ତି କରିବି।
ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ହୃଦୟରେ ରଖିବି।
ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ମନରେ ଲେଖିବି।”(A)
17 ଏହା ମଧ୍ୟ କୁହନ୍ତି:
“ମୁଁ ସେମାନଙ୍କର ପାପ ଓ କରୁଥିବା ମନ୍ଦକାମଗୁଡ଼ିକୁ କ୍ଷମା କରିଦେବି,
ମୁଁ ସେଗୁଡ଼ିକୁ ପୁଣି କେବେ ହେଲେ ମନେ ପକାଇବି ନାହିଁ।”(B)
18 ଓ ଏହିସବୁଗୁଡ଼ିକୁ କ୍ଷମା କରି ଦିଆଗଲା ପରେ, ଆଉ ପାପଗୁଡ଼ିକ ପାଇଁ ବଳିଦାନର କୌଣସି ଆବଶ୍ୟକତା ନାହିଁ।
ପରମେଶ୍ୱରଙ୍କ ନିକଟକୁ ଆସ
19 ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟରେ ଏପରି କରି ପାରିବା। 20 ଯୀଶୁଙ୍କ ଦ୍ୱାରା ଖୋଲି ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦେଇ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ୟଦେଇ ଯାଏ ଯାହାକି ଯୀଶୁଙ୍କ ଶରୀର ଅଟେ। 21 ପରମେଶ୍ୱରଙ୍କ ଘରକୁ ଶାସନ କରୁଥିବା ଭଳି ଆମ୍ଭର ମଧ୍ୟ ଜଣେ ମହାଯାଜକ ଅଛନ୍ତି। 22 ଆମ୍ଭର ଦେହ ଶୁଦ୍ଧ ଜଳରେ ସ୍ନାନ କରିଛି। ଅତଏବ ପରମେଶ୍ୱରଙ୍କ ପାଖକୁ ସତ୍ୟନିଷ୍ଠା ହୃଦୟରେ ଆସ। ଆମ୍ଭ ବିଶ୍ୱାସ ହେତୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍। 23 ଆମ୍ଭର ଭରସାକୁ ଦୃଢ଼ ଭାବରେ ଧରି ରଖ। ଆମ୍ଭେ ନିଜର ଭରସାକୁ ଲୋକମାନଙ୍କ ଆଗରେ ବ୍ୟକ୍ତ କରିବାକୁ ରୋକିବା ଉଚିତ୍ ନୁହେଁ। ସେ ଯାହା ପ୍ରତିଜ୍ଞା କଲେ, ତାହା କରିବେ ବୋଲି ଆମ୍ଭେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରି ପାରିବା।
ପରସ୍ପରକୁ ସାହାଯ୍ୟ କର, ଦୃଢ଼ ହୁଅ
24 ଆମ୍ଭେ ପରସ୍ପର ବିଷୟରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍। 25 କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି, ଆମ୍ଭେ ସେହିପରି ଏକାଠି ମିଳିତ ହେବା ବନ୍ଦ କରିବା ଉଚିତ୍ ନୁହେଁ। ତା’ ପରିବର୍ତ୍ତେ, ସେହି ଦିନଟି ନିକଟତର ହେଉଛି ଦେଖି ଆମ୍ଭେମାନେ ଏକାଠି ମିଳିତ ହୋଇ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।
ମନ୍ଦିର ଧ୍ୱଂସ ସମ୍ପର୍କରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ
(ମାଥିଉ 24:1-25; ଲୂକ 21:5-24)
13 ଯୀଶୁ ମନ୍ଦିର ମଧ୍ୟରୁ ବାହାରି ଯାଉଥିବା ସମୟରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲା, “ଗୁରୁ, ଦେଖନ୍ତୁ, ଏ ମନ୍ଦିରର ସୁନ୍ଦର ଭବନଗୁଡ଼ିକ ଓ ତା'ର ବିଶାଳ ପଥରଗୁଡ଼ିକ କେତେ ସୁନ୍ଦର ହୋଇଛି।”
2 ଯୀଶୁ କହିଲେ, “ତୁମ୍ଭେ ଏହି ବିଶାଳ ଭବନଗୁଡ଼ିକ ଦେଖୁଛ? ଏହି ସମସ୍ତ ଭବନ ଧ୍ୱଂସ ପାଇଯିବ। ସବୁତକ ପଥର ଭୂମି ଉପରେ ଓଜାଡ଼ି ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ପଥର ଉପରେ ରହି ପାରିବ ନାହିଁ।”
3 ପରେ ଯୀଶୁ ମନ୍ଦିର ସାମନାରେ ଥିବା ଜୀତପର୍ବତ[a] ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସେମାନେ ଯୀଶୁଙ୍କୁ ବ୍ୟକ୍ତିଗତଭାବେ ପଗ୍ଭରିଲେ, 4 “ଏ ସବୁ କେବେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହୋଇଗଲା ବୋଲି, କ’ଣ କ’ଣ ଚିହ୍ନମାନ ଦେଖାଯିବ?”
5 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ସାବଧାନ! ତୁମ୍ଭକୁ କେହି ଯେପରି ପ୍ରତାରଣା କରି ନ ପାରେ। 6 ଅନେକ ଲୋକ ଆସିବେ ଏବଂ ସେମାନେ ମୋର ନାମ ବ୍ୟବହାର କରିବେ। ସେମାନେ ଦାବି କରିବେ, ‘ମୁଁ ସେହି’। ସେମାନେ ବହୁତ ଲୋକଙ୍କୁ ପ୍ରତାରଣା କରିବେ। 7 ତୁମ୍ଭେ ଯୁଦ୍ଧ ବିଷୟରେ କିମ୍ବା ଯୁଦ୍ଧ ଗ୍ଭଲିଥିବା ବିଷୟରେ ଉଡ଼ା ଖବର ଶୁଣି ଭୟଭୀତ ହୋଇ ଯିବ ନାହିଁ। ଅନ୍ତିମକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ। 8 ଗୋଟିଏ ଜାତି ଅନ୍ୟ ଜାତି ବିରୁଦ୍ଧରେ, ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟ ବିରୁଦ୍ଧରେ ଲଢ଼େଇ କରିବ। ବହୁତ ସ୍ଥାନରେ ଭୂମିକମ୍ପ ହେବ। ଲୋକଙ୍କୁ ଖାଇବାକୁ ମିଳିବ ନାହିଁ। ଏହାସବୁ କୌଣସି ନୂତନ ଶିଶୁର ଜନ୍ମ ପୂର୍ବର ପ୍ରସବ ବେଦନା ଭଳି।
2010 by World Bible Translation Center