Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 16

ଦାଉଦଙ୍କର ମିକ୍ତାମ୍ ଗୀତ

16 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।
ମୁଁ ସଦାପ୍ରଭୁଙ୍କୁ କହିଅଛି,
    “ସଦାପ୍ରଭୁ ତୁମ୍ଭେ ମୋର ପ୍ରଭୁ।
    ମୋର ଯାହାକିଛି ମଙ୍ଗଳମୟ ସେ ସବୁ ତୁମ୍ଭ କୃପାରୁ।”
ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି,
    ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ।
    ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।

କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି।
    ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ।
    ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ।
ମୁଁ କେବଳ ମୋର ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି।
    ହେ ସଦାପ୍ରଭୁ, ତୁମ୍ଭେ ମୋର ସହାୟ ହୁଅ
    ଏବଂ ମୋତେ ମୋର ପ୍ରାପ୍ୟ ପ୍ରଦାନ କର।
ମୋର ପ୍ରାପ୍ୟ ଅତି ଆଶ୍ଚର୍ଯ୍ୟଜନକ,
    ମୋର ଅଧିକାର ମଧ୍ୟ ଅତି ସୁନ୍ଦର।
ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମୋତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି।
    ଏପରିକି ରାତ୍ରିରେ ମଧ୍ୟ ସେ ତାଙ୍କର ଉପଦେଶକୁ ମୋର ମନରେ ପ୍ରବେଶ କରାନ୍ତି।

ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମୋର ସମ୍ମୁଖରେ ରଖିଅଛି।
    ମୁଁ କେବେହେଲେ ତାଙ୍କର ଉପଯୁକ୍ତ ମାର୍ଗରୁ ବଞ୍ଚିତ ହେବି ନାହିଁ।
ତେଣୁ ମୋର ହୃଦୟ ଓ ଆତ୍ମା ଅତି ଆନନ୍ଦିତ ହେବ।
    ଏପରିକି ମୋର ଶରୀର ନିରାପଦରେ ରହିବ।
10 କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ।
    ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।
11 ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ।
ଯେହେତୁ ମୁଁ ତୁମ୍ଭ ସହିତ ଅଛି।
    ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ।
    ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ତାହା ମୋ’ ପାଇଁ ନିତ୍ୟ ସୁଖଭୋଗ ଆଣିଦେବ।

ଦାନିୟେଲଙ୍କ ପୁସ୍ତକ 4:4-18

ମୁଁ ନବୂଖ‌ଦ୍‌ନିତ୍ସର ମୋର ନିଜ ପ୍ରାସାଦରେ ଶାନ୍ତି ଓ ଶକ୍ତିଶାଳୀ ଥିଲି। ମୁଁ ଗୋଟିଏ ସ୍ୱପ୍ନ ଦେଖିଲି ଓ ତାହା ମୋତେ ଭୟଭୀତ କଲା। ଆଉ ମୁଁ ଶଯ୍ୟା ଉପରେ ଥିବା ବେଳେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉ‌‌ଦ୍‌‌ବିଗ୍ନ କଲା। ତେଣୁ ସ୍ୱପ୍ନର ଅର୍ଥ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ ଲୋକଙ୍କୁ ମୋ’ ନିକଟକୁ ଆଣିବା ପାଇଁ ଆଜ୍ଞା କଲି। ଯେତେବେଳେ ମନ୍ତ୍ରଜ୍ଞଗଣକ କ‌‌ଲ୍‌‌‌‌ଦୀୟ ଓ ଶୁଭାଶୁଭବାଦୀମାନେ ମୋ’ ନିକଟକୁ ଆସିଲେ, ମୁଁ ସେମାନଙ୍କୁ ସ୍ୱପ୍ନ ବିଷୟରେ ଜଣାଇଲି, ମାତ୍ର ସେମାନେ ତାହାର ଅର୍ଥ ମୋତେ କହି ପାରିଲେ ନାହିଁ। ଅବଶେଷରେ ମୋ’ ଦେବତାର ନାମାନୁସାରେ ବେ‌‌ଲ୍‌‌‌‌ଟଶତ୍ସର ନାମ ବିଶିଷ୍ଟ ଦାନିୟେଲ ମୋ’ ନିକଟକୁ ଆସିଲେ, ତାହାଙ୍କ ଅନ୍ତରରେ ପବିତ୍ର ପରମେଶ୍ୱରଙ୍କ ଆତ୍ମା ଅଛନ୍ତି, ମୁଁ ତାଙ୍କୁ ସ୍ୱପ୍ନ ବିଷୟରେ ଜଣାଇଲି। “ମୁଁ କହିଲି, ହେ ମନ୍ତ୍ରଜ୍ଞଗଣଙ୍କ ଅଧ୍ୟକ୍ଷ ବେ‌‌ଲ୍‌‌‌‌ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ବୁଝିବା ତୁମ୍ଭ ପାଇଁ କଷ୍ଟକର ନୁହେଁ, ଏଣୁ ଦୟାକରି ମୋତେ ମୋର ସ୍ୱପ୍ନ କଥା ଓ ତାହାର ଅର୍ଥ କୁହନ୍ତୁ। 10 ମୁଁ ଶଯ୍ୟାରେ ଶୋଇଥିବା ବେଳେ ମୋ’ ମନର ଦର୍ଶନ ଏହିପରି ଥିଲା। ମୁଁ ଅନାଇଲି ଓ ଦେଖିଲି ଭୂମଣ୍ତଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଥିଲା ଓ ତାହା ଅତି ଉଚ୍ଚ ଥିଲା। 11 ସେ ବୃକ୍ଷ ବଢ଼ିଲା ଓ ଦୃଢ଼ ହେଲା। ଉଚ୍ଚତାରେ ତାହା ଆକାଶକୁ ସ୍ପର୍ଶ କଲା। ପୁଣି ପୃଥିବୀର ସବୁ ସ୍ଥାନରେ ତାହା ଦୃଶ୍ୟମାନ ହେଲା। 12 ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ସେ ଗଛରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ସେହି ବୃକ୍ଷତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀମାନେ ତାହାର ଶାଖାମାନଙ୍କରେ ବାସ କଲେ। ସମସ୍ତ ପ୍ରାଣୀ ସେଥିରୁ ଖାଦ୍ୟ ପାଇଲେ।

13 “ମୁଁ ଶଯ୍ୟା ଉପରେ ଥିବା ବେଳେ ଦର୍ଶନ ପାଇଲି। ଏକ ପବିତ୍ର ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ। 14 ସେ ଉଚ୍ଚସ୍ୱରରେ କହିଲେ, ‘ଏହି ବୃକ୍ଷକୁ ଛେଦନ କର। ତହିଁର ଶାଖା ସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡ଼ି ଦିଅ ଓ ଫଳଗୁଡ଼ିକୁ ବିଞ୍ଚି ଦିଅ। ତାହାର ତଳେଥିବା ପଶୁମାନେ ଓ ଶାଖାରେ ଥିବା ପକ୍ଷୀମାନେ ପଳାଇ ଯାଆନ୍ତୁ। 15 ତାହାର ମୂଳ ଲୌହ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ ତୃଣରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ। ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ। 16 ତାହା ମାନବ ହୃଦୟ ନ ହେଉ ଓ ସେ ପଶୁ ହୃଦୟ ପ୍ରାପ୍ତ ହେଉ। ଆଉ ତାହା ଉପରେ ସାତ ବର୍ଷ ଅତିବାହିତ ହୋଇ ଯାଉ।’

17 “ଜଣେ ପବିତ୍ର ସ୍ୱର୍ଗଦୂତ ଏହି ଦଣ୍ତ ଘୋଷଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ୟମାନଙ୍କ ଉପରେ ସର୍ବୋପରିସ୍ଥ ପରମେଶ୍ୱର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ୱର ନମ୍ର ଲୋକକୁ ରାଜ୍ୟ ଶାସନ ପାଇଁ ନିଯୁକ୍ତ କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।

18 “ମୁଁ, ରାଜା ନବୂଖ‌ଦ୍‌ନିତ୍ସର, ଏହି ସ୍ୱପ୍ନ ଦେଖିଥିଲି। ବର୍ତ୍ତମାନ ହେ ବେ‌‌ଲ୍‌‌‌‌ଟଶତ୍ସର, ଏହାର ଅର୍ଥ ବ୍ୟାଖ୍ୟା କର। ମୋ’ ରାଜ୍ୟର ସମସ୍ତ ବିଦ୍ୱାନ ଲୋକମାନେ ଏହାର ଅର୍ଥ ବ୍ୟାଖ୍ୟା କରିବାକୁ ଅକ୍ଷମ ଅଟନ୍ତି। ମାତ୍ର ତୁମ୍ଭେ କେବଳ ଜଣେ, ଯିଏ କି ଏହା କରି ପାରିବ। କାରଣ ତୁମ୍ଭ ଅନ୍ତରରେ ପବିତ୍ର ପରମେଶ୍ୱରଙ୍କର ଆତ୍ମା ବିରାଜିତ ଅଟେ।”

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:11-21

କେତୋଟି ମନେ ରଖିବା କଥା

11 କିନ୍ତୁ ତୁମ୍ଭେ ଜଣେ ପରମେଶ୍ୱରଙ୍କର ଲୋକ। ଅତଏବ ତୁମ୍ଭେ ସେହିସବୁ ବିଷୟଠାରୁ ଦୂରରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ୱରଙ୍କ ଉପାସନା କର। ତୁମ୍ଭ ଜୀବନରେ ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର। 12 ବିଶ୍ୱାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିଯୋଗିତା ଭଳି। କୌଣସିମତେ ସେହି ପ୍ରତିଯୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତ ଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡକା ଯାଇଛି। ଅନେକ ଲୋକଙ୍କ ଆଗରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମହାନ୍ ସତ୍ୟକୁ ସ୍ୱୀକାର କରିଛ। 13 ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗରେ ଠିଆ ହୋଇଥିବା ବେଳେ ଖ୍ରୀଷ୍ଟ ଯୀଶୁ ସେହି ଏକା ମହାନ୍ ସତ୍ୟଟିକୁ ସ୍ୱୀକାର କରିଥିଲେ। ଏକମାତ୍ର ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଜୀବନ ପ୍ରଦାନ କରନ୍ତି। 14 ଏବେ ମୁଁ ତୁମ୍ଭକୁ କହୁଛି: ତୁମ୍ଭକୁ ଦିଆ ଯାଇଥିବା ଆଦେଶଗୁଡ଼ିକ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କର ପୁନରାଗମନ ପର୍ଯ୍ୟନ୍ତ ସେହି କାମଗୁଡ଼ିକ ନିର୍ଭୁଲ ଭାବରେ ଓ ଅନିନ୍ଦନୀୟ ଭାବରେ କର। 15 ପରମେଶ୍ୱର ଉପଯୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ୱର ଏକମାତ୍ର ପରମଧନ୍ୟ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ। 16 ପରମେଶ୍ୱର ଅମର ଅଟନ୍ତି। ପରମେଶ୍ୱର ଏତେ ଉଜ୍ଜ୍ୱଳ ପ୍ରକାଶ ମଧ୍ୟରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ପରମେଶ୍ୱରଙ୍କୁ ମଧ୍ୟ ଦେଖି ପାରିବେ ନାହିଁ। ପରମେଶ୍ୱରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ଯ୍ୟନ୍ତ ପ୍ରକାଶ ପାଉ। ଆମେନ୍।

17 ଏହି ଆଦେଶ ସେହିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀରେ ଧନୀ ଅଟନ୍ତି। ସେମାନଙ୍କୁ ଗର୍ବ ନ କରିବା ପାଇଁ କୁହ। ସେମାନଙ୍କୁ କୁହ ଯେ ସେମାନେ ନିଜ ଧନର ନୁହେଁ, ମାତ୍ର ପରମେଶ୍ୱରଙ୍କର ଆଶ୍ରୟ ନେବା ଉଚିତ୍। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ୱର ପ୍ରତ୍ୟେକ ବସ୍ତୁ ଯଥେଷ୍ଟ ପରିମାଣରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରତ୍ୟେକ ଜିନିଷ ଦିଅନ୍ତି। 18 ଧନୀ ଲୋକମାନଙ୍କୁ କୁହ ଯେ ସେମାନେ ଭଲ କାମ କରନ୍ତୁ। ସେମାନଙ୍କୁ କୁହ ଯେ, ଭଲ କାମ କରିବାରେ ସେମାନେ ଧନୀ ହୁଅନ୍ତୁ। 19 ସେହିପରି କରି ସେମାନେ ସ୍ୱର୍ଗରେ ନିଜ ପାଇଁ ସମ୍ପତ୍ତି ଜମା ରଖିବେ। ସେହି ସମ୍ପତ୍ତି ହେଉଛି ଦୃଢ଼ ମୂଳଦୁଆ ଯାହା ଉପରେ ସେମାନଙ୍କର ଭବିଷ୍ୟତ୍ ଜୀବନ ଠିଆ ହୋଇପାରିବ। ତା'ହେଲେ ସେମାନେ ପ୍ରକୃତ ଜୀବନର ଅଧିକାରୀ ହୋଇ ପାରିବେ।

20 ତୀମଥି, ପରମେଶ୍ୱର ତୁମ୍ଭ ଉପରେ ଅନେକ ବିଷୟର ଭାର ଦେଇଛନ୍ତି। ସେଗୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ୱରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ସତ୍ୟ ବିରୁଦ୍ଧରେ ଯୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ଏହାକୁ ସେମାନେ ମିଛରେ “ଜ୍ଞାନ” ବୋଲି କହିଥା’ନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ। 21 କେତେ ଲୋକ କୁହନ୍ତି ଯେ ସେମାନଙ୍କର ସେହି “ଜ୍ଞାନ” ଅଛି। ସେମାନେ ସତ୍ୟ ବିଶ୍ୱାସକୁ ତ୍ୟାଗ କରି ସାରିଛନ୍ତି।

ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center