Revised Common Lectionary (Complementary)
9 ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ!
ଯଦି ପରମେଶ୍ୱରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।
10 ତୁମ୍ଭର କୌଣସି ବିପଦ ଘଟିବ ନାହିଁ।
କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
11 ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ।
ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ।
12 ତୁମ୍ଭଙ୍କୁ ଦୂତମାନେ ସାହାଯ୍ୟ କରିବେ,
ଯେପରିକି ତୁମ୍ଭର ପାଦ ପଥରରେ ବାଡ଼େଇ ନ ହୁଏ।
13 ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଗ୍ଭଲି ଯିବ।
ତୁମ୍ଭେ ଯୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦେବ।
14 ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା
ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା।
15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା।
ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା।
ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।
16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା
ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”
ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
47 “ଆଗୋ ବାବିଲର ଅନୁଢ଼ା କନ୍ୟା, ତଳକୁ ଓହ୍ଲାଇ ଆସି ଧୂଳିରେ ବସ;
ଆଗୋ କଲ୍ଦୀୟର କନ୍ୟା, ସିଂହାସନ ଛାଡ଼ି ଭୂମିରେ ବସ।
କାରଣ ତୁମ୍ଭେମାନେ ଆଉ କୋମଳ
ଓ କୁଆଁରୀକନ୍ୟା ବୋଲି ଖ୍ୟାତ ହେବ ନାହିଁ।
2 ପେଷଣା ପଥରରେ ଶସ୍ୟ ପେଷ,
ତୁମ୍ଭର ଓଢ଼ଣି କାଢ଼, ତୁମ୍ଭର ଜାମା କାଢ଼ି ପକାଅ,
ପାଦ ଅନାବୃତ କର।
ନଦୀ ଓ ଛୋଟ ନଦୀରେ ଗ୍ଭଲିକରି ଯାଅ।
3 ତୁମ୍ଭର ଉଲଙ୍ଗତା ପ୍ରକାଶିତ ହେବ
ଓ ତୁମ୍ଭର ଲଜ୍ଜାର ବିଷୟ ଦୃଶ୍ୟ ହେବ;
ଆମ୍ଭେ ପ୍ରତିଶୋଧ ନେଲା ବେଳେ
କେହି ତୁମ୍ଭର ସୁରକ୍ଷା ନିମନ୍ତେ ଆସିବେ ନାହିଁ।
4 “ମୋର ସନ୍ତାନଗଣ କୁହନ୍ତି, ‘ଆମ୍ଭମାନଙ୍କର ମୁକ୍ତିଦାତା
ଇସ୍ରାଏଲର ଧର୍ମସ୍ୱରୂପ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ।’”
5 “ଆଗୋ କଲ୍ଦୀୟ କନ୍ୟାଗଣ,
ତୁମ୍ଭେମାନେ ଅନ୍ଧାରକୁ ଯାଇ ନୀରବରେ ବସ।
କାରଣ ତୁମ୍ଭେମାନେ ‘ରାଜ୍ୟର ଆଉ ରାଣୀ’ ବୋଲି କଥିତ ହେବ ନାହିଁ।
6 “ଆମ୍ଭେ ନିଜ ଲୋକମାନଙ୍କ ଉପରେ କ୍ରୋଧିତ ହେଲୁ।
ଆପଣା ଅଧିକାରକୁ ଅପବିତ୍ର କଲୁ
ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପର କଲୁ।
ତୁମ୍ଭେ ସେମାନଙ୍କ ପ୍ରତି ଦୟା ପ୍ରକାଶ କଲ ନାହିଁ।
ତୁମ୍ଭେ ବୃଦ୍ଧଲୋକ ଉପରେ ଯୁଆଳି
ବଡ଼ ଭାରି କରି ଥୋଇଲ।
7 ତୁମ୍ଭେ କହିଲ, ‘ଆମ୍ଭେ ଚିରଦିନ ବଞ୍ଚିଲୁ
ଓ ସଦାକାଳ ସାଆନ୍ତାଣୀ ହୋଇ ରହିବୁ।’
ଏଣୁ ତୁମ୍ଭେ ଏସବୁ ବିଷୟରେ ମନୋଯୋଗ କଲ ନାହିଁ
କିମ୍ବା ତା'ର ଶେଷଫଳ କ’ଣ ହେବ ସ୍ମରଣ କଲ ନାହିଁ।
8 ହେ ସୁଖଭୋଗିନୀ! ଏବେ ଏହା ଶୁଣ,
ତୁମ୍ଭେମାନେ ନିରାପଦରେ ବାସ କରି ନିଜେ ନିଜେ କହୁଅଛ,
‘ଆମ୍ଭେ ମହାନ, ଆମ୍ଭ ଛଡ଼ା ଆଉ କେହି ନାହିଁ।
ଆମ୍ଭେ ବିଧବାପରି ବସିବା ନାହିଁ କିମ୍ବା ଆମ୍ଭେ ସନ୍ତାନ ବିଚ୍ଛେଦ ଜାଣିବା ନାହିଁ।’
9 ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତରେ ଘଟିବ।
ପ୍ରଥମେ ସନ୍ତାନ ବିରହ ଓ ପରେ ବୈଧବ୍ୟ ତୁମ୍ଭ ପ୍ରତି ଘଟିବ।
ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାୟାବୀତ୍ୱ କିଛି ସାହାଯ୍ୟ କରିବ ନାହିଁ।
ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ।
ପଶୁ ଉପରେ ନାରୀ
17 ସାତଦୂତଙ୍କ ମଧ୍ୟରୁ ଯେଉଁମାନେ ସାତୋଟି ପାତ୍ର ଧାରଣ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମୋ’ ନିକଟକୁ ଆସି ମୋତେ କହିଲେ, “ଆସ ପ୍ରସିଦ୍ଧ ବେଶ୍ୟାକୁ କ’ଣ ଦଣ୍ଡ ଦିଆଯିବ, ତାହା ମୁଁ ତୁମ୍ଭକୁ ଦେଖାଇବି। ସେ ବହୁତ ଜଳରାଶି ଉପରେ ବସିଛି। 2 ପୃଥିବୀର ରାଜାମାନେ ତା'ସହିତ ଯୌନପାପ (ବ୍ୟଭିଗ୍ଭର) କରିଛନ୍ତି। ପୃଥିବୀର ଲୋକମାନେ ତା'ର ବ୍ୟଭିଗ୍ଭର ରୂପ ସୁରାରେ ମାତାଲ୍ ହୋଇଛନ୍ତି।”
3 ତା'ପରେ ଦୂତ ମୋତେ ଆତ୍ମା ଦ୍ୱାରା ମରୁଭୂମିକୁ ବହି ନେଇଗଲେ। ସେଠାରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ୱରଙ୍କ ନିନ୍ଦା କରୁଥିବା ନାମସବୁ ଲେଖା ଯାଇଥିଲା। ସେହି ପଶୁର ସାତୋଟି ମସ୍ତକ ଓ ଦଶଟି ଶିଙ୍ଗ ଥିଲା। 4 ସେହି ସ୍ତ୍ରୀଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ଯୋଗୁଁ ଝଲକୁଥିଲା। ତା’ ହାତରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସେହି ପାତ୍ରଟି ଘୃଣ୍ୟ ବିଷୟ ଗୁଡ଼ିକରେ ଓ ତା'ର ନିଜର ଯୌନଗତ ପାପର ଆବର୍ଜନାରେ ପୂର୍ଣ୍ଣ ଥିଲା। 5 ତା'ର କପାଳରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲେଖା ହେଲା:
ମହାନ୍ ବାବିଲ, ବେଶ୍ୟାମାନଙ୍କର
ଓ ପୃଥିବୀର ସବୁ ଘୃଣ୍ୟ
ବିଷୟସକଳର ମାତା।
6 ମୁଁ ସେହି ସ୍ତ୍ରୀଲୋକକୁ ପରମେଶ୍ୱରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟରେ ସେମାନଙ୍କର ସାକ୍ଷ୍ୟ ଦେଇଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି।
ମୁଁ ସେହି ସ୍ତ୍ରୀଲୋକକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲି। 7 ତା'ପରେ ସେ ଦୂତ ମୋତେ କହିଲେ, “ତୁମ୍ଭେ କାହିଁକି ଆଶ୍ଚର୍ଯ୍ୟ ହେଉଛ? ମୁଁ ତୁମ୍ଭକୁ ଏହି ସ୍ତ୍ରୀଲୋକର ରହସ୍ୟ କହିବି ଓ ସପ୍ତ ମସ୍ତକ ଓ ଦଶଶିଙ୍ଗ ବିଶିଷ୍ଟ ତା'ର ବାହନ ପଶୁ ବିଷୟରେ ମଧ୍ୟ କହିବି। 8 ତୁମ୍ଭେ ଯେଉଁ ପଶୁକୁ ଦେଖିଲ, ସେ ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ନାହିଁ। କିନ୍ତୁ ସେ ବଞ୍ଚିବ ଏବଂ ଗଭୀର ଗହ୍ୱରରୁ ଉଠି ଆସି ଧ୍ୱଂସ ପାଇବ। ଜଗତ ଆରମ୍ଭରୁ ଯେଉଁ ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ଆଦୌ ଲେଖା ହୋଇ ନାହିଁ, ସେହି ଲୋକମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହେବେ, କାରଣ ସେ ଅତୀତରେ ଥିଲା, ବର୍ତ୍ତମାନ ନାହିଁ କିନ୍ତୁ ପୁଣି ବଞ୍ଚିବ।
9 “ଏହାକୁ ବୁଝିବା ପାଇଁ ଜ୍ଞାନଯୁକ୍ତ ମନ ଆବଶ୍ୟକ। ଏହି ପଶୁର ସାତୋଟିମସ୍ତକ ହେଉଛି ସାତୋଟି ପର୍ବତ, ଯାହା ଉପରେ ସେ ବସେ। ତାହା ସାତ ଜଣ ରାଜାଙ୍କୁ ମଧ୍ୟ ବୁଝାଏ। 10 ଏହା ଭିତରୁ ପାଞ୍ଚ ଜଣ ରାଜା ମରିସାରିଲେଣି। ଜଣେ ରାଜା ବର୍ତ୍ତମାନ ବଞ୍ଚିଛନ୍ତି ଏବଂ ଶେଷ ରାଜା ଆସୁଛନ୍ତି। ସେ ଯେତେବେଳେ ଆସିବେ, ସେ ଅଳ୍ପ ସମୟ ପାଇଁ ରହିବେ। 11 ଯେଉଁ ପଶୁ କେବେ ଜୀବିତ ଥିଲା, ବର୍ତ୍ତମାନ ନାହିଁ, ସେ ଅଷ୍ଟମ ରାଜା। ସେ ପ୍ରଥମ ସାତ ଜଣ ରାଜାଙ୍କ ମଧ୍ୟରୁ ଜଣେ। ସେ ମଧ୍ୟ ଧ୍ୱଂସ ପାଇବ।
12 “ତୁମ୍ଭେ ଯେଉଁ ଦଶଶିଙ୍ଗ ଦେଖିଲ, ତାହା ଦଶ ଜଣ ରାଜା। ଏହି ଦଶ ଜଣ ରାଜା ଏ ପର୍ଯ୍ୟନ୍ତ ରାଜ ଭଳି ରାଜ୍ୟ ପାଇ ନାହାନ୍ତି। କିନ୍ତୁ ସେମାନେ ସେହି ପଶୁ ସହିତ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଶାସନ କରିବା ପାଇଁ କ୍ଷମତା ପାଇବେ। 13 ଏହି ଦଶ ଜଣ ରାଜାଙ୍କର ଉଦ୍ଦେଶ୍ୟ ସମାନ। ସେମାନେ ସେମାନଙ୍କର କ୍ଷମତା ଓ ଅଧିକାର ସେହି ପଶୁକୁ ଦେବେ। 14 ସେମାନେ ମେଷପାଳକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। କିନ୍ତୁ ମେଷଶାବକ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ୱସ୍ତ ଅନୁଗାମୀମାନଙ୍କ ସହିତ ମିଶି ସେମାନଙ୍କୁ ପରାସ୍ତ କରିବେ।”
15 ତା'ପରେ ସେ ସ୍ୱର୍ଗଦୂତ ମୋତେ କହିଲେ, “ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ୟା ବସୁଥିବାର ଦେଖିଲ, ସେହି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ। 16 ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସେମାନେ ସେହି ବେଶ୍ୟାକୁ ଘୃଣା କରିବେ। ସେମାନେ ତା'ର ସବୁ ନେଇଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦେବେ। ସେମାନେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନିରେ ପୋଡ଼ି ଦେବେ। 17 ସେମାନେ ତାହାଙ୍କର ଶାସନ କ୍ଷମତା ସେହି ପଶୁକୁ ଦେବା ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ୱର ସେମାନଙ୍କ ମନରେ ଏକ ଇଚ୍ଛା ଦେବେ। ଏହା ଦ୍ୱାରା ପରମେଶ୍ୱର କହିଥିବା ବାକ୍ୟ ସଫଳ ହେବା ପର୍ଯ୍ୟନ୍ତ ସେମାନେ ଶାସନ କରିବେ। 18 ତୁମ୍ଭେ ଯେଉଁ ସ୍ତ୍ରୀକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା, ସେହି ମହାନଗରୀକୁ ବୁଝାଏ।”
2010 by World Bible Translation Center