Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। ଯେତେବେଳେ ସୀଫୀୟମାନେ ଶାଉଲଠାକୁ ଗଲେ ଓ ଏହି କଥା କହିଲେ, “ଆମ୍ଭେମାନେ ଭାବୁଛୁ ଦାଉଦ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି।” ସେହି ସମୟରେ ଏହା ରଚିତ।
54 ହେ ପରମେଶ୍ୱର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମୋତେ ରକ୍ଷା କର।
ତୁମ୍ଭ ମହାପରାକ୍ରମ ଶକ୍ତି ବ୍ୟବହାର କରି ପ୍ରମାଣ କର ଯେ, ମୁଁ ନିରୀହ।
2 ହେ ପରମେଶ୍ୱର, ମୋର ପ୍ରାର୍ଥନା ଶୁଣ।
ମୋହର ଗୁହାରି ଶୁଣ।
3 ଅପରିଚିତ ଲୋକମାନେ କେହି ପରମେଶ୍ୱରଙ୍କୁ ଉପାସନା କରନ୍ତି ନାହିଁ।
ପରାକ୍ରମଶାଳୀ ଲୋକମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି। ସେଲା
4 ଦେଖ, ପରମେଶ୍ୱର ମୋତେ ସାହାଯ୍ୟ କରିବେ,
ମୋର ପ୍ରଭୁ ମୋର ସମର୍ଥନ କରିବେ।
5 ପରମେଶ୍ୱର, ମୋର ଶତ୍ରୁମାନଙ୍କୁ ସେମାନଙ୍କର କୁକର୍ମ ପାଇଁ ପ୍ରତିରୋଧ କର।
ପରମେଶ୍ୱର, ଦେଖାଇ ଦିଅ ଯେ, ତୁମ୍ଭେ ମୋ’ ପାଇଁ ସତ୍ୟ ଅଟ ଏବଂ ସେମାନଙ୍କୁ ଧ୍ୱଂସ କର।
6 ମୁଁ ସ୍ୱଇଚ୍ଛାରେ ନୈବେଦ୍ୟ ନେଇ ତୁମ୍ଭ ଉଦ୍ଦେଶ୍ୟରେ ଦେବି।
ସଦାପ୍ରଭୁ, ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
7 ତୁମ୍ଭେ ମୋତେ ମୋର ସବୁ ବିପଦରୁ ରକ୍ଷା କଲ।
ମୋ’ ଶତ୍ରୁଗଣ ପରାଜିତ ହେବାର ମୁଁ ଦେଖିଛି।
ମିଦିୟନୀୟ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ
6 ପୁଣି ଥରେ ଇସ୍ରାଏଲୀୟମାନେ ତାହା କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି ବିବେଚନା କଲେ। ତେଣୁ ସଦାପ୍ରଭୁ ସାତ ବର୍ଷ ପାଇଁ ମିଦିୟନୀୟମାନଙ୍କୁ ଇସ୍ରାଏଲୀୟମାନଙ୍କ ଉପରେ ଶାସନ କରିବାକୁ ଦେଲେ।
2 ମିଦିୟନୀୟମାନେ ବହୁ ପରାକ୍ରମଶାଳୀ ହେଲେ ଏବଂ ସେମାନେ ଇସ୍ରାଏଲର ଲୋକମାନଙ୍କର ବିରୋଧୀ ହୋଇଗଲେ। ଯେଉଁଥିପାଇଁ ଇସ୍ରାଏଲ ସନ୍ତାନଗଣ ପର୍ବତ ଫାଟକରେ, ଗୁମ୍ଫାରେ ଓ ନିରାପଦ ସ୍ଥାନମାନଙ୍କରେ ଲୁଚି ରହିଲେ। 3 ସେମାନେ ଏହିପରି କଲେ, କାରଣ ମିଦିୟନୀୟ ଓ ଅମାଲେକୀୟ ଓ ପୂର୍ବ ଦେଶିୟ ଗୋଷ୍ଠୀମାନେ ସର୍ବଦା ଆସି ସେମାନଙ୍କର ଫସଲ ନଷ୍ଟ କରି ଦେଉଥିଲେ। 4 ସେମାନେ ଛାଉଣି ସ୍ଥାପନ କରି ଘସା ପର୍ଯ୍ୟନ୍ତ ଭୂମିଜାତ ଶସ୍ୟାଦି ବିନାଶ କଲେ। ଇସ୍ରାଏଲର ଲୋକମାନଙ୍କର ଖାଇବା ପାଇଁ କିଛି ଛାଡ଼ିଲେ ନାହିଁ। ଏପରିକି ସେମାନେ ମେଷ, ଗୋରୁ କିମ୍ବା ଗଧ କିଛି ଛାଡ଼ିଲେ ନାହିଁ। 5 ସେମାନେ ପଙ୍ଗପାଳର ଦଳପରି ସେମାନଙ୍କର ତମ୍ବୁ ଓ ପଶୁଗୁଡ଼ିକ ସହିତ ଅଧିକ ସଂଖ୍ୟାରେ ଆସିଲେ। ସେମାନେ ଓ ସେମାନଙ୍କର ଓଟଗୁଡ଼ିକ ଅଧିକ ଥିଲେ ଯେ ଏହା ଗଣନା କରିବା ଅସମ୍ଭବ। 6 ଇସ୍ରାଏଲ ସନ୍ତାନଗଣ ବହୁତ ଗରିବ ହୋଇଗଲେ। କାରଣ ଏହି ମିଦିୟନୀୟମାନଙ୍କ ପାଇଁ। ତେଣୁ ଇସ୍ରାଏଲ ସନ୍ତାନଗଣ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
7 ମିଦିୟନୀୟ ଲୋକମାନେ ସେମାନଙ୍କୁ ଏତେ କଷ୍ଟ ଦେଲେ ଯେ, ଇସ୍ରାଏଲ ଲୋକମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କୁ ଡାକିଲେ। 8 ତେଣୁ ସଦାପ୍ରଭୁ ଏକ ଭବିଷ୍ୟଦ୍ବକ୍ତାଙ୍କୁ ଇସ୍ରାଏଲକୁ ପ୍ରେରଣ କଲେ। ସେହି ଭବିଷ୍ୟଦ୍ବକ୍ତା ଇସ୍ରାଏଲବାସୀଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲି ଓ ଦାସତ୍ୱରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ କଲି। 9 ମୁଁ ତୁମ୍ଭକୁ ଶକ୍ତିଶାଳୀ ମିଶରୀୟମାନଙ୍କଠାରୁ ଉଦ୍ଧାର କଲି। ମୁଁ ତୁମ୍ଭମାନଙ୍କୁ ସେହିମାନଙ୍କଠାରୁ ରକ୍ଷା କଲି, ଯେଉଁମାନେ ତୁମ୍ଭକୁ କିଣାନରେ ଉପଦ୍ରବ କଲେ। ମୁଁ ସେମାନଙ୍କୁ ସେମାନଙ୍କର ଦେଶରୁ ଘଉଡ଼ାଇ ଦେଲି ଓ ସେହି ଦେଶ ତୁମ୍ଭକୁ ଦେଲି।’ 10 ମୁଁ ତୁମ୍ଭମାନଙ୍କୁ କହିଲି, ‘ମୁଁ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଇମୋରୀୟଙ୍କ ଦେବତାମାନଙ୍କୁ ପୂଜା କର ନାହିଁ, ଯେଉଁମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଛ।’ ମାତ୍ର ତୁମ୍ଭେମାନେ ମୋର କଥା ଶୁଣିଲ ନାହିଁ।”
କ୍ରୁଶବିଦ୍ଧ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ବାର୍ତ୍ତା
2 ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିଥିଲି, ସେତେବେଳେ ପରମେଶ୍ୱରଙ୍କ ସତ୍ୟ ବିଷୟରେ କହିଥିଲି। କିନ୍ତୁ ମୁଁ କୌଣସି ବାକ୍ଗ୍ଭତୁରୀ ବା ଜ୍ଞାନର କଥା କହି ନ ଥିଲି। 2 କାରଣ ସ୍ଥିର କରିଥିଲି ଯେ ତୁମ୍ଭ ସହିତ ଥିବା ସମୟରେ, ମୁଁ ଯୀଶୁ ଖ୍ରୀଷ୍ଟ ଓ କ୍ରୁଶରେ ତାହାଙ୍କ ମୃତ୍ୟୁ ଭୋଗ ବ୍ୟତୀତ, ଅନ୍ୟସବୁ କଥା ଭୁଲିଯିବି। 3 ଏଣୁ ମୁଁ ଦୁର୍ବଳ ଓ ଭୟରେ ଥରି ଥରି ସେଠାକୁ ଆସିଥିଲି। 4 ମୋର କଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମୋହର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ। 5 ତୁମ୍ଭ ବିଶ୍ୱାସ ମନୁଷ୍ୟର ଜ୍ଞାନର ନ ହୋଇ ପରମେଶ୍ୱରଙ୍କ ଶକ୍ତିରେ ହେଉ, ସେଥିପାଇଁ ମୁଁ ଏପରି କଲି।
2010 by World Bible Translation Center